Unknown

 

 

 

 

 

 

 

 

 

ଓଡ଼ିଆ ସାହିତ୍ୟ ଏକାଡେମୀ

୬୬ତମ ସଂଖ୍ୟା କୋଣାର୍କ୧୯୮୮

 

ମୁଖ୍ୟ ସଂପାଦକ

ମହପାତ୍ର ଶ୍ରୀ ନୀଳମଣି ସାହୁ

 

ସଂପାଦକ

ଶ୍ରୀ ବିନୋଦ ଚନ୍ଦ୍ର ନାୟକ

ପରିଚାଳନା ସଂପାଦକ

ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ

ସହଯୋଗୀ ପରିଚାଳନା ସଂପାଦକ

ଶ୍ରୀ କୈଳାଶ ବିହାରୀ ଦାସ

 

ଓଡ଼ିଆ ସାହିତ୍ୟ ଏକାଡ଼େମୀ

ଭୁବେନଶ୍ୱର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୭୫୧୦୧୪

 

ମୁଦ୍ରଣ:

ଶ୍ରୀ ମା ପ୍ରିଣ୍ଟର୍ସ, ଭୁବନେଶ୍ୱର-୭୫୧୦୧୪

ମୂଲ୍ୟ : ପାଞ୍ଚଟଙ୍କା ମାତ୍ର

 

ଏ ସଂଖ୍ୟାର ଲେଖା ଓ ଲେଖକ

 

ପ୍ରବନ୍ଧ

୧.

ଓଡ଼ିଆ ଅନୁବାଦ-ସାହିତ୍ୟ : ଏକ ସମୀକ୍ଷା

ଶ୍ରୀ ଚିତ୍ତରଞ୍ଜନ ଦାସ

୨.

ସାଂପ୍ରତିକ କବିତାରେ ନୈରାଶ୍ୟବାଦ

ଶ୍ରୀ ହରିହର ମିଶ୍ର

୩.

ତାଳପତ୍ର ପୋଥିରେ ଓଡ଼ିଆ ଲିପିର ବିପର୍ତ୍ତନ

ଶ୍ରୀ ନୀଳମଣି ମିଶ୍ର

୪.

ପଞ୍ଚ ସଖା ଓ ସନ୍ଥ କବୀର-ଏକ ଅଧ୍ୟୟନ

ଶ୍ରୀ ଗଣନାଥ ଦାସ

୫.

କିମ୍ବଦନ୍ତୀ ଭିତ୍ତିରେ ଓଡ଼ିଆ ସାହିତ୍ୟ

ଶ୍ରୀ ସୀମାଞ୍ଚଳ ପ୍ରଧାନ

 

କବିତା

 

୬.

ଅପରାହ୍ନର ଆବେଗ

ଶ୍ରୀ ରବି ସିଂ

୭.

ପୃଥ୍ୱୀକୁ କହିଲି

ଡଃ ପ୍ରତିଭା ଶତପଥୀ

୮.

ଏକ ପ୍ରଥମ ସକାଳର ପ୍ରଥମ ବିହଙ୍ଗ

ମମତା ଦାସ

୯.

ଦେବଗଡ଼

ଶ୍ରୀ ଫଣୀନ୍ଦ୍ର ଭୂଷଣ ନନ୍ଦ

 

ଗଳ୍ପ

୧୦.

ଗୋପନୀୟମ୍

ଶ୍ରୀ ଚନ୍ଦ୍ରଶେଖର ରଥ

୧୧.

ଗଣ୍ଠି

ଶ୍ରୀ ରବି ପଟ୍ଟନାୟକ

୧୨.

ପୁସ୍ତକ ସମୀକ୍ଷା

ଶିଖରମୟ ପାଦଦେଶ : କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କାବ୍ୟଗ୍ରନ୍ଥ ଶୈଳ କଳ୍ପ

ଶ୍ରୀ ଭାରୀରଥି ମିଶ୍ର

୧୩.

ସମ୍ପାଦକଙ୍କୁ ଚିଟାଉ

ଏକ ପ୍ରଚଣ୍ଡ ଛିଙ୍କ

ଡଃ ଶ୍ରଦ୍ଧାକର ସୁପକାର

୧୪.

ତାଙ୍କ ସହ ସାକ୍ଷାତକାର

ଡଃ ସଚ୍ଚି ରାଉତରାୟଙ୍କ

ସହ ସାକ୍ଷାତକାର

୧୫.

ସଂପାଦକୀୟ

 

୧୬.

ଏକାଡେମୀ ସମାଚାର

 

 

“କୋଣାର୍କ’’ ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ମାର୍ଚ୍ଚ, ଜୁନ୍, ସେପ୍ଟେମ୍ବର ଓ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ପ୍ରକାଶିତ ହେବ । ପ୍ରତି ସଂଖ୍ୟା ମୂଲ୍ୟ ଟ.୫/- ରହିବ । ବାର୍ଷିକ ଗ୍ରାହକ ଦେୟ ଟ. ୧୬/- ରହିବ । ବିଶେଷ ସଂଖ୍ୟାଗୁଡ଼ିକର ମୂଲ୍ୟ ସ୍ୱତନ୍ତ୍ର ଭାବେ ନିରୂପିତ ହେବ ଏବଂ ଏଗୁଡ଼ିକ ବାର୍ଷିକ ଗ୍ରାହକମାନଙ୍କ ଯୋଗାଇବାକୁ ଥିବା ୪ ଗୋଟି ସଂଖ୍ୟାର ଅନ୍ତର୍ଭୁକ୍ତ ହେବନାହିଁ ।

 

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳନ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ମଧ୍ୟ ଏଥିରେ ସ୍ଥାନ ପାଇବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେ ସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟକ ଦୃଷ୍ଟିକୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଞ୍ଛନୀୟ ।

 

୩.

ନିବନ୍ଧଗୁଡ଼ିକ ନୀତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହାର ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

 

୪.

ପୂର୍ବରୁ ପ୍ରକାଶିତ କୌଣସି ରଚନା ‘କୋଣାର୍କ’ରେ ପ୍ରକାଶନ ପାଇଁ ଯୋଗ୍ୟ ବିବେଚିତ ହେବନାହିଁ ।

 

୫.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକ ନକଲ ଲେଖକ/ଲେଖିକାମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ ଅମେନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାର୍ଶ୍ୱରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

 

୬.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନ ହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ରୂପେ ବିବେଚିତ ହେବ ଏବଂ ଏହା ‘କୋଣାର୍କ’ର ପ୍ରତି ସଂଖ୍ୟାର ସୂଚୀପତ୍ର ତଳେ ମୁଦ୍ରିତ ହେବ ।

 

୭.

‘କୋଣାର୍କ’ରେ ପ୍ରକାଶିତ ପ୍ରତୋକ ଲେଖା ପାଇଁ ଲେଖକଙ୍କୁ ଟ.୧୦୦/- (ଏକଶତ ଟଙ୍କା) ପାରିତୋଷିତ ପ୍ରଦାନ କରାଯିବ ।

 

୮.

‘କୋଣାର୍କ’ ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

 

ନିବନ୍ଧ

ଓଡ଼ିଆ ଅନୁବାଦ-ସାହିତ୍ୟ ଏକ ସମୀକ୍ଷା

ଶ୍ରୀ ଚିତ୍ତରଞ୍ଜନ ଦାସ

 

ସାହିତ୍ୟ ଭାଷାର ଅନେକ ପଛରେ, ମାତ୍ର ସାହିତ୍ୟର ପରିଧି ଭାଷାର ପରିଧିଠାରୁ ଅନେକ ବଡ଼ । ଭାଷା ସ୍ଥାନୀୟ ହୋଇପାରେ, ଜାତୀୟ ହୋଇପାରେ; ମାତ୍ର ସାହିତ୍ୟ ବିଶ୍ୱଜନୀନ । ସ୍ଥାନୀୟ କୌଣସି ସାହିତ୍ୟରେ ମଧ୍ୟ ଏକ ବିଶ୍ୱଜନୀନ ଆବେଦନ ରହି ପାରିଲେ ଯାଇ ତାହା ଯଥାର୍ଥ ସାହିତ୍ୟର ସୋପାନ ଭିତରେ ସୁପାରି ହୋଇପାରେ । ଯେତେବେଳେ ଭାଷାମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଅଥବା ଜନପଦୀୟ ବାଡ଼ ଭିତରେ ବନ୍ଦ ହୋଇ ରହିଥିଲେ, ସେତେବେଳେ ସେମାନେ ଆପଣାକୁ ହିଁ ଏକମାତ୍ର ଭାଷା ଅଥବା ଅନ୍ୟ ଯାବତୀୟ ଭାଷା ମଧ୍ୟରେ ଶ୍ରେଷ୍ଠ ଭାଷା ଅଥବା ଦେବଭାଷା କହି ମିଛି ଗର୍ବ କରୁଥିଲେ । ଭାରତୀୟ ପ୍ରାଚୀନ ସାହିତ୍ୟରେ ଏକଦା ବେଶ୍ କେତେ ଶତାବ୍ଦୀ ଧରି ଗୋଟିଏ ନିର୍ଦ୍ଦିଷ୍ଟ ଭାଷାକୁ ‘‘ଗୀର୍ବାଣ-ଭାଷା’’ ବୋଲି କୁହା ଯାଉଥିଲା। ଭାଷା ବା ସାହିତ୍ୟ ଗୀର୍ବାଣ ହେବାକୁ ମନ କଲେ ଜଳାଶୟଟିଏ ହୋଇ ରହିଯାଏ, ତେଣୁ ତାହାର ଅବକ୍ଷୟ ଆରମ୍ଭ ହୁଏ । ମଣିଷ ମଣିଷ ଭିତରରେ ବାଡ଼ଗୁଡ଼ିକ କ୍ରମେ ଉଠିଯିବାକୁ ଆରମ୍ଭ କଲେ ଓ ନିଜର ପରିଚିତ ପରିଧିଟିର ସେପାଖକୁ ଅନ୍ୟ ପରିଧିମାନ ଦୃଷ୍ଟିଗୋଚର ହେବାକୁ ଲାଗିଲେ ଭାଷା ଭାଷା ତଥା ସାହିତ୍ୟ ସାହିତ୍ୟ ମଧ୍ୟରେ ଆଦାନ ପ୍ରଦାନର ଏକ ଅନ୍ୟ ପର୍ଯ୍ୟାୟ ଆରମ୍ଭ ହୋଇଯାଏ-। ସେତେବେଳେ, ନିଜର ଘର ଭିତରେ ସୁନ୍ଦର ବୋଲି ଯେତିକି ଥାଏ, ତାହା ଆଦୌ ଯଥେଷ୍ଟ ବୋଲି ବୋଧ ହୁଏ ନାହିଁ । ପ୍ରେରଣାମାନେ ପରିଧି ଡେଇଁବାକୁ ମନ କରନ୍ତି, ସମ୍ବେଦନାମାନେ ଅଧିକ ଗ୍ରହଣଶୀଳ ହୁଅନ୍ତି । ପ୍ରାୟ ସେହି ପର୍ଯ୍ୟାୟରୁ ହିଁ ସାହିତ୍ୟରେ ଅନୁବାଦ ବୋଲି ଏକ ବିଶେଷ ଆଗ୍ରହ ଆପଣାକୁ କ୍ରିୟାଶୀଳ କରିବାକୁ ଆରମ୍ଭ କରେ । ପଣ୍ଡିତମାନେ କେତେ ମନା କରନ୍ତି, ଘରଗୁଡ଼ିକ ସଂକ୍ରାମିତ ହୋଇଯିବ ବୋଲି କେତେ ସତର୍କ କରିଦେବାକୁ ମନ କରନ୍ତି । ତଥାପି ନବୀନ ସଂସ୍ରବେଛୁମାନେ ନିଜର ଆଗ୍ରହକୁ ମୋଟେ ଛାଡ଼ନ୍ତି ନାହିଁ ।

 

ପ୍ରାଚୀନ ଯୁଗରରେ ଅନୁବାଦ ଅବଶ୍ୟ ଥିଲା, ତତ୍କାଳିକ ନାନା କାରଣରୁ ଅନୁବାଦ ଆବଶ୍ୟକ ପଡ଼ୁଥିଲା ସତ, ମାତ୍ର ସାହିତ୍ୟର ଏକ ବିଶେଷ ବିଭବ ରୂପେ ତାହା ଆମର ଏହି ଆଧୁନିକ ଯୁଗରେ ହିଁ ଯଥାର୍ଥ ସ୍ୱୀକୃତି ଲାଭ କଲା । ପରସ୍ପରରକୁ ଅଧିକ ଅନ୍ତରଙ୍ଗ ଭାବରେ ଚିହ୍ନିବାକୁ ମନ କରି ଓ ପରସ୍ପର ଦ୍ୱାରା ଅଧିକରୁ ଅଧିକ ଉପକୃତ ହେବା ସକାଶେ ଆଗ୍ରହ ପ୍ରକାଶ କରି ହିଁ ଗୋଷ୍ଠୀମାନେ ପରସ୍ପରର ସାହିତ୍ୟକୁ ବି ମନ କଲେ । ସେମାନେ ଆଉ ସଂକ୍ରମଣକୁ ଡରିଲେ ନାହିଁ । ସ୍ଥାନୀୟତାର ଯାବତୀୟ ଭୂଗୋଳକୁ ଅତିକ୍ରମ କରି ସେମାନେ ପରସ୍ପରକୁ ଚିହ୍ନିଲେ, ପରସ୍ପରଠାରୁ ଗ୍ରହଣ କଲେ; ଆଧୁନିକ ବିଜ୍ଞାନ ପରି ଆଧୁନିକ ସାହିତ୍ୟ ମଧ୍ୟ ବିଶ୍ୱଜନୀନ ହେବାକୁ ବାଧ୍ୟ କଲା । ଇଉରୋପୀୟ ସାମ୍ରାଜ୍ୟ ବିସ୍ତାରର ଯୁଗରେ ପୁରୁଣା ପୃଥିବୀ ଉପରେ ତଥାକଥିତ ନୂତନ ପୃଥିବୀର ଆଘାତ ଆସି ବାଜିଲା; ପୁରୁଣା ମୂଳଦୁଆଗୁଡ଼ିକ ତା’ପରେ ବଡ଼ ଅଯଥେଷ୍ଟ ବୋଲି ମନେ ହେଲା । ଅଳପର ଯାବତୀୟ ମାୟାକୁ ଛାଡ଼ି ପୁରୁଣାମାନେ ଏକ ଅନ୍ୟ ସଚେତନତାରେ ଚଞ୍ଚଳ ହୋଇ ଉଠିଲେ, ସତେ ଅବା ଏକ ନବ ଜାଗରଣର ଯୁଗ ଆରମ୍ଭ ହୋଇଗଲା । ସାହିତ୍ୟରେ ମଧ୍ୟ ଏକ ନୂତନ ସ୍ଫୁର୍ତ୍ତି ଆସିଲା, ନୂତନ ଗବାକ୍ଷମାନ ଖୋଲିବାଲାଗି ସଂପୃକ୍ତ ପୁରୋଗାମୀମାନେ ଉତ୍ସାହ ପ୍ରକାଶ କଲେ । ସେହି ପର୍ଯ୍ୟାୟରେ ଅନୁବାଦ ମଧ୍ୟ ଏକ ଅନ୍ୟତମ ଗବାକ୍ଷରୂପେ କାର୍ଯ୍ୟ କରିଥିଲା । ପ୍ରତୀଚ୍ୟରୁ ପ୍ରାଚ୍ୟକୁ ଅନୁବାଦ ହେଲା, ପ୍ରାଚ୍ୟରୁ ପ୍ରତୀଚ୍ୟକୁ ମଧ୍ୟ ହେଲା । ଦ୍ୱିତୀୟ ମହାଯୁଦ୍ଧ ପରେ ଯେତେବେଳେ ଉପନିବେଶଗୁଡ଼ିକ ସ୍ୱାଧୀନ ହେଲେ ଏବଂ ସାମ୍ରାଜ୍ୟବାଦର ଅନ୍ତ ହେଲା, ସେତେବେଳେ ସେହି ଆଦାନ ପ୍ରଦାନ ବହୁଗୁଣିତ ହୋଇଥିଲା, ଅଧିକ ସମୃଦ୍ଧ ହେଲା । ଯଥାର୍ଥ ବିଶ୍ୱସାହିତ୍ୟ ଅର୍ଥାତ୍ ବିଶ୍ୱମାନବୀୟ ସାହିତ୍ୟର ପ୍ରଚୋଦନା ସେତେବେଳେ ଯାଇ ଅନୁଭୁତ ହେଲା । ବିଶ୍ୱର ଯେକୌଣସି ସାହିତ୍ୟ ଯଥାର୍ଥରେ ଆପଣାକୁ କେତେ ଦୂର ଅଧିକ ପରିମାଣରେ ବିଶ୍ୱତୋମୁଖ କରିପାରିଛି, ତାହାର ଆକଳନ କରିବା ଲାଗି ଅନୁବାଦ-ସାହିତ୍ୟର ପରିମାଣ ଏବଂ ଗୁଣାତ୍ମକତାକୁ ମଧ୍ୟ ଏକ ମାନଦଣ୍ଡ ରୂପେ ଗ୍ରହଣ କରାଯାଇ ପାରିବ ।

 

ଓଡ଼ିଆ ସାହିତ୍ୟରେ ସର୍ବପ୍ରଥମ ଅନୁବାଦଗୁଡ଼ିକୁ ଅଧିକତର ସମୀଚୀନତା ସହିତ ସମ୍ଭବତଃ ଏକ ପ୍ରତିବାଦ-ସାହିତ୍ୟର ପର୍ଯ୍ୟାୟଭୁକ୍ତ କରି ବିଚାର କରାଯାଇ ପାରିବ । ଆମ ଭାରତୀୟ କଥିତ ଭାଷାମାନେ ସେହି ପ୍ରାଚୀନ ଶିଷ୍ଟ-ପ୍ରପୀଡ଼ିତ ଯୁଗରେ ସାହିତ୍ୟ ଭିତରୁ ବାହାର ହୋଇ ରହିଥିଲେ । ରାଜାମାନେ ଲୋକମାନଙ୍କ ପରି ସେମାନେ ଦୈନନ୍ଦିନ ଜୀବନରେ କହୁଥିବା ଭାଷାକୁ ମଧ୍ୟ ନ୍ୟୁନ ମନେକରି କେବଳ ଶାସ୍ତ୍ରୀୟ ଭାଷାରେ କାବ୍ୟର ବିନୋଦ କରିବାକୁ ମନ କରୁଥିଲେ ବୋଲି ସେତେବେଳର ରାଜାଶ୍ରୟୀ କବିମାନେ ସଂସ୍କୃତମୟ ଅଳଙ୍କାର ଦ୍ୱାରା କାବ୍ୟରଚନା କରିବାକୁ ମନ କରୁଥିଲେ ଅଥବା କାବ୍ୟକାରମାନେ କାବ୍ୟ ପ୍ରାତ୍ୟହିକ ଲୋକଜୀବନର ଭାଷା ଏବଂ ଭାବାନୁବେଦନର ସାଧାରଣ ସ୍ତରକୁ ଖସିଆସିଲେ ହୁଏତ ଆଉ କାବ୍ୟ ପଦବାଚ୍ୟ ହୋଇ ରହି ପାରିବ ନାହିଁ ବୋଲି ଆଶଙ୍କା କରୁଥିଲେ ବୋଲି ରାଜାମାନଙ୍କୁ କେବଳ ସଂସ୍କୃତରେ ହିଁ କାବ୍ୟ ଶୁଣିବା ପାଇଁ ବାଧ୍ୟ କରି ରଖିଥିଲେ, ସେ କଥା ଆଦୌ ସୁସ୍ପଷ୍ଟ କରି କହି ହେବନାହିଁ । ଭାରତ ବର୍ଷରେ, ଅନ୍ତତଃ ଉତ୍ତର ଭାରତରେ, ଗୌତମବୁଦ୍ଧ ସେଥିରେ ଏକ ବ୍ୟତିକ୍ରମ ଘଟାଇଲେ । ସଂସ୍କୃତ-ସାହିତ୍ୟର ଏକ ସମାନ୍ତର ଭାବରେ ପାଲି ଓ ପାକୃତ ସାହିତ୍ୟର ସୃଷ୍ଟି ହୋଇଥିଲା । ମହାଯାନ ଏବଂ ବଜ୍ରଯାନର ପର୍ଯ୍ୟାୟକୁ ଆସି ବୌଦ୍ଧ-ସାହିତ୍ୟ ପୁନର୍ବାର ସଂସ୍କୃତର କବଳରେ ପଡ଼ି ଯାଇଥିଲେ ମଧ୍ୟ ତଥାପି ଗୌତମବୁଦ୍ଧଙ୍କ ଦ୍ୱାରା ପ୍ରବର୍ତ୍ତିତ ବ୍ୟତିକ୍ରମଟି ଆଦୌ ମରିଯାଇ ନଥିଲା ଓ ହୁଏତ ତାହାହିଁ ସ୍ଥାନୀୟ ଏବଂ କଥିତ ଭାଷାମାନଙ୍କରେ ସାହିତ୍ୟ ଲେଖା ହେବାକୁ ପ୍ରେରଣା ଦେଇଥିଲା । ଗୋରଖନାଥ ଓ ମତ୍ସ୍ୟେନ୍ଦ୍ରନାଥ ଲୋକଭାଷାରେ ପଦ ଲେଖିଲେ । ବୌଦ୍ଧ ସିଦ୍ଧାଚାର୍ଯ୍ୟମାନେ ସେହି କଥିତ ଭାଷାକୁ ହିଁ ବାହନରୂପ ଗ୍ରହଣ କରିଥିଲେ । ଓଡ଼ିଶାର ତଦାନୀନ୍ତନ ଭୂମିରେ ମଧ୍ୟ ତାହାର ପ୍ରତିକ୍ରିୟାମାନ ଅବଶ୍ୟ ଅନୁଭୁତ ହୋଇଥିବ । ଏଠାରେ ମଧ୍ୟ ରାଜଧର୍ମ ଓ ଲୋକଧର୍ମର ସଙ୍ଘାତ-ପ୍ରକୋପରେ ସାହିତ୍ୟ ବି ଦୁଇଭଳି ହୋଇ ରହିଥିବ ଏବଂ ସମାଜସ୍ଥ ପ୍ରାୟ ଦୁଇ ଭିନ୍ନ ବର୍ଗର ସାହିତ୍ୟକ ପ୍ରୟୋଜନର ପୂରଣ କରିଥିବ । ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସଙ୍କୁ ହିଁ ଆମେ ସେହି ପ୍ରତିବାଦ-ପର୍ଯ୍ୟାୟରେ ଏକ ଗୌରବମୟ ପରାକାଷ୍ଠା ବୋଲି ଗ୍ରହଣ କରିବା । ତାଙ୍କର ରଚିତ ଓଡ଼ିଆ ମହାଭାରତ ଏବଂ ଅନ୍ୟାନ୍ୟ ଗ୍ରନ୍ଥକୁ କ’ଣ କେବଳ ଗୋଟିଏ ଗୋଟିଏ ଅନୁବାଦ ବୋଲି କୁହାଯିବ ?

 

ସଂସ୍କୃତରେ ଯାହା ସମ୍ଭବ, କଥିତ ଓଡ଼ିଆ ଭାଷାରେ ମଧ୍ୟ ତାହା ଅବଶ୍ୟ ସମ୍ଭବ ବୋଲି ପଣ କରି ସାରଳା ଦାସ ଓଡ଼ିଆ ମହାଭାରତ ରଚନା କରିଥିବେ । ମହାଭାରତର କାହାଣୀ ସେତେବେଳେ ଭାରତବର୍ଷରେ ସର୍ବତ୍ର ଚାରଣମୁଖରେ ଜୀବନ୍ତ ହୋଇ ରହିଥିଲା । ସମ୍ଭବତଃ ସଂସ୍କୃତର ରଜୁରେ ବନ୍ଧା ହେବାର ବହୁ ପୂର୍ବରୁ ତାହା ଭ୍ରାମ୍ୟମାଣ ଚାରଣକାବ୍ୟ ହୋଇ ରହିଥିଲା । ତେଣୁ, ଚାରଣମାନଙ୍କର ମୁଖରୁ ଲୋକମୁଖକୁ ଯାଇ ସେଥିରେ ସ୍ଥାନୀୟ ବହୁବିଧ ପ୍ରକ୍ଷେପ ଆସି ପ୍ରବେଶ କରିଥିଲା ଏବଂ ତଦ୍ଦ୍ୱାରା ତାହାର ସାହିତ୍ୟକ ଲୋକକାବ୍ୟିକ ସୌନ୍ଦର୍ଯ୍ୟ ମଧ୍ୟ ଆହୁରି ବୃଦ୍ଧି ପାଇଥିଲା । ସାରଳା ଦାସ ସେହି ପ୍ରକ୍ଷେପଗୁଡ଼ିକୁ ମୂଳ ମୋଟାମୋଟି କାହାଣୀଟି ସହିତ ଯୋଡ଼ି ଓଡ଼ିଆ ଭାଷାରେ ମହାଭାରତର ସ୍ୱକୀୟ ସରସ କାବ୍ୟଟିକୁ ଲେଖିଲେ । ତେଣୁ, ପ୍ରାୟ ସକଳ ଦୃଷ୍ଟିରୁ ତାହାକୁ ଏକାଧିକ ସଙ୍ଗତି ସହିତ ଏକ ପ୍ରତିବାଦ ପ୍ରଧାନ ଅନୁବାଦ କାବ୍ୟ ବୋଲି କୁହାଯାଇ ପାରିବ । ଏବଂ, ପ୍ରତିବାଦ ପ୍ରଧାନ ହୋଇ ଥିବାରୁ ହିଁ ଯେ ତାହା ଏତେ ଅଧିକ ପ୍ରଭାବଶାଳୀ ଭାବରେ ସୃଜନାତ୍ମକ ହୋଇଛି, ହୁଏତ ଏପରି ଦାବୀ ମଧ୍ୟ କରାଯାଇ ପାରିବ । ଆପଣାର ସେହି ପ୍ରତିବାଦ ଏବଂ ଅନୁବାଦଟି ଦ୍ୱାରା ସାରଳା ଦାସ ଓଡ଼ିଆ ଭାଷାକୁ ସତକୁ ସତ ଦୁଇ ଗୋଡ଼ରେ ଛିଡ଼ା କରାଇ ପାରିଲେ, ତାହାକୁ ସାବାଳକ କଲେ । ଏହାଦ୍ୱାରା ସେ ଅନୁବାଦର ଏକ ସ୍ୱତନ୍ତ୍ର ପରମ୍ପରା ମଧ୍ୟ ସୃଷ୍ଟି କରିଦେଇ ଗଲେ, ଯାହାକି ପରବର୍ତ୍ତୀ କେତୋଟି ଶତାବ୍ଦୀ ଲାଗି ଓଡ଼ିଆ ସାହିତ୍ୟକୁ ଆଉକେତୋଟି ମଣି ଯୋଗାଇ ଦେଇ ଯାଇଥିଲା । ସିଏ ପ୍ରତିବାଦର ଏକ ସୁନିର୍ଦ୍ଦିଷ୍ଟ ପରମ୍ପରା ସୃଷ୍ଟି କରି ଯାଇଥିଲେ ।

 

ସାରଳା ଦାସଙ୍କ ପରେ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାରେ ଓଡ଼ିଆ ଭାଷାରେ ରାମାୟଣ ଲେଖାଗଲା, ଶ୍ରୀମଦ୍‌ଭାଗବତ୍ ଲେଖାଗଲା । ଅଚ୍ୟୁତାନନ୍ଦ ହରିବଂଶ ଲେଖିଲେ, ବଳରାମ ଓ ଜଗନ୍ନାଥ ଶ୍ରୀମଦ୍‌ଭାଗବଦ୍ ଗୀତାର ଓଡ଼ିଆ ଅନୁବାଦ କଲେ । କେବଳ ଓଡ଼ିଆ ଭାଷାରେ ନୁହେଁ, ଉତ୍ତର ତଥା ଦକ୍ଷିଣ ଭାରତର ଏକାବେଳକେ ଅନେକ ଭାଷାରେ ସେତିକିବେଳେ ରାମାୟଣ, ମହାଭାରତ, ଗୀତା ପ୍ରଭୃତି ଗ୍ରନ୍ଥର ରଚନା ହୋଇଥିଲା । ଏଗୁଡ଼ିକୁ ସାଧାରଣତଃ ଅନୁବାଦ ବୋଲି କୁହାଗଲେ ମଧ୍ୟ ଏଗୁଡ଼ିକ ଅବିକଳ ଅନୁବାଦ ଆଦୌ ନୁହନ୍ତି; ଏଗୁଡ଼ିକ ମୌଳିକ ରଚନା, ପ୍ରତିବାଦ ଧର୍ମୀ ରଚନା, ଭାରତବର୍ଷୀୟ ସାଂସ୍କୃତିକ ଗାଥାର ବୃହତ୍ ପରମ୍ପରାକୁ ସ୍ଥାନୀୟ କ୍ଷୁଦ୍ରତର ପରମ୍ପରା ମଧ୍ୟକୁ ଅନୁସଜ୍ଜିତ କରି ଆଣିଥିବା ଗୋଟିଏ ଗୋଟିଏ ମୌଳିକ କୃତି । ସାରଳା ଦାସ ଓ ପଞ୍ଚସଖା ଏହି ଅନୁସୃଜନଗୁଡ଼ିକ ଦ୍ୱାରା ଓଡ଼ିଶାର କଥିତ ଗତିଶୀଳ ଭାଷାକୁ ସାହିତ୍ୟ ଭିତରକୁ ସମୃଦ୍ଧ କରି ଆଣିଥିଲେ, ଓଡ଼ିଶାର ଲୋକାନୁସ୍ମୃତିଗୁଡ଼ିକୁ ସାହିତ୍ୟର ପ୍ରତିଷ୍ଠା ଦେଇଥିଲେ । ସେମାନଙ୍କ ପରେ ଓଡ଼ିଆ ସାହିତ୍ୟରେ ଯେଉଁ ରୀତିଯୁଗ ଆସିଲା, ସେହି ଯୁଗର କାବ୍ୟକାରମାନେ ସଂସ୍କୃତର ଅନୁକୃତି ଦ୍ୱାରା ଓଡ଼ିଆ ଭାଷା ତଥା ସାହିତ୍ୟକୁ ଏକ ସମସ୍ତଙ୍କର ସମାନ୍ତରତା ଆଣି ଦେବାଲାଗି ଚେଷ୍ଟା କରିଥିଲେ । ଏମାନଙ୍କର ପଦ୍ୟକୃତିଗୁଡ଼ିକରେ ଓଡ଼ିଆ ଲୋକଜୀବନର ଶବ୍ଦଗୁଡ଼ିକ ଏକାବେଳେକେ ପାଶୋରି ହୋଇ ରହିଗଲେ ଏବଂ, ଅଭିଧାନରୁ ଶବ୍ଦ ଆଣି ସଂସ୍କୃତ ସାହିତ୍ୟଠାରୁ ଆହୁରି କେତେ ଚାଖଣ୍ଡ ଆଗକୁ ବଳିପଡ଼ି ନାନା କାବ୍ୟ ରଚନା କରାଗଲା । ଭାଷାକୁ ଅହେତୁକ ଆଳଙ୍କାରିକତା ଦ୍ୱାରା ଅତିମଣ୍ଡିତ କରିବାର ଅତ୍ୟୁତ୍ସାହରେ ରୀତିକବିମାନେ ଓଡ଼ିଆ ଭାଷାର ସାହିତ୍ୟିକ ପିଣ୍ଡଟିକୁ ଭାରି ଦରିଦ୍ର କରି ପକାଇଥିଲେ ।

 

ଓଡ଼ିଆ ସାହିତ୍ୟରେ ଅନୁବାଦ-ବିଭାଗଟିର ଚର୍ଚ୍ଚା କରି ଆମେ ଏହାପରେ ସିଧା ଊନବିଂଶ ଶତାବ୍ଦୀର ପ୍ରଥମ ଓ ଶେଷ ଭାଗକୁ ଚାଲି ଆସିବା । ଏହି ପର୍ଯ୍ୟାୟରେ ଆକୁ ଦୁଇ କିସମର ଅନୁବାଦ-ସାହିତ୍ୟ ଦେଖିବାକୁ ମିଳିବ । ପ୍ରଥମ ପର୍ଯ୍ୟାୟଟି ହେଉଛି ସଂସ୍କୃତରୁ ଓଡ଼ିଆରେ ଅନୁବାଦ କରିବା ପର୍ଯ୍ୟାୟ । ଏହି ଅନୁବାଦଗୁଡ଼ିକ ଭିତରେ କାବ୍ୟ ଓ ନାଟକ ହେଉଛି ସର୍ବପ୍ରଧାନ । ଏହି ଅନୁବାଦ କାର୍ଯ୍ୟରେ କେତେକ ରାଜା ଉତ୍ସାହ ପ୍ରଦର୍ଶନ କରିଥିଲେ ଏବଂ ଖୁବ୍ ସମ୍ଭବ ସେମାନଙ୍କର ସଭାରେ ବିଭୂଷିତ ହୋଇ ରହିଥିବା ପଣ୍ଡିତମାନେ ନିଜେ ଅନୁବାଦଗୁଡ଼ିକୁ ପ୍ରସ୍ତୁତ କରି ଦରବାରମାନଙ୍କର ଚଳଣି ଅନୁସାରେ ସେଗୁଡ଼ିକ ସ୍ୱୟଂ ରାଜାଙ୍କ ନାମରେ ଚଳାଇ ଦେଉଥିଲେ । ସ୍ମରଣ ରଖିବା ଉଚିତ୍, ସେମାନେ ମୂଳତଃ ପଣ୍ଡିତ ଥିଲେ, କାବ୍ୟ ରଚନାର ଅନ୍ତର୍ଗତ କ୍ଷେତ୍ରଟିରୁ ହୁଏତ ଅନେକ ଦୂରରେ ରହିଥିଲେ । ତେଣୁ, ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଅନୁବାଦଗୁଡ଼ିକ କଠୋର ପାଣ୍ଡିତ୍ୟର ପରିଚୟ ଦେଉଥିଲେ ହେଁ, କାବ୍ୟର ଦୃଷ୍ଟିରୁ ଅନେକ ସମୟରେ ଭାରି କର୍କଶ ହୋଇ ରହି ଯାଉଥିଲା । ଏପରିକି, ବିଂଶ ଶତାବ୍ଦୀର ପ୍ରାରମ୍ଭ ସମୟକୁ ଲିଖିତ ଶ୍ରୀଯୁକ୍ତ ଗୋପୀନାଥ ନନ୍ଦଙ୍କର ଅନୁବାଦଗୁଡ଼ିକ ଏହିପରି କର୍କଶ ହୋଇ ରହିଥିଲା । ତତ୍କାଳୀନ ଅନେକ ଗଦ୍ୟାନୁବାଦରେ ସେହି କର୍କଶତା ଓ ତଜ୍ଜନିତ ଦାରିଦ୍ର୍ୟ ଅନେକ ପରିମାଣରେ ପ୍ରକଟ ହୋଇଥିବା ପରି ମନେ ହୁଏ । ରାଧାନାଥ ରାୟଙ୍କର ଏକ କ୍ଷୁଦ୍ରାନୁବାଦ ‘ବିବେକୀ’ର ଓଡ଼ିଆ ଗଦ୍ୟକୁ ପାଠ କଲେ ବୋଧହୁଏ, ସିଏ ଯେପରି ଗଦ୍ୟ ଲେଖିବେ ବୋଲି ଶବ୍ଦଗୁଡ଼ାକୁ କୋଉ ଦନ୍ଥଡ଼ା ପାହାଡ଼ରୁ ବଡ଼ ଅବିନ୍ୟସ୍ତ ଏବଂ ଅକୁଳଶ ଭାବରେ କାଟି ମୁଣ୍ଡା ମୁଣ୍ଡା କରି ନେଇ ଆସିଛନ୍ତି । ଏକଥା ଅତ୍ୟନ୍ତ ସ୍ପଷ୍ଟ ଯେ, ରାଧାନାଥ ଓଡ଼ିଆ ଭାଗବତ ପଢ଼ି ନ ଥିଲେ, ଏପରିକି ବ୍ରଜନାଥ ବଡ଼ଜେନାଙ୍କର ‘ଚତୁର ବିନୋଦ’ର ଗଦ୍ୟ ସହିତ ମଧ୍ୟ ତାଙ୍କର ହୁଏତ ପ୍ରାଣ ପରିଚୟ ଘଟି ନ ଥିଲା । ଶ୍ରୀ ଅରକ୍ଷିତ ଦାସଙ୍କର ‘ମହୀମଣ୍ଡଳ ଗୀତା’ରେ ଯେଉଁ ଅଧ୍ୟାୟେ ମାତ୍ର ଗଦ୍ୟ ରହିଛି, ତାହାକୁ ସାମନାରେ ରଖି ରାଧାନାଥ ଓ ମଧୁସୂଦନଙ୍କ ଗଦ୍ୟ ପାଠ କଲେ ମନେ ହୁଏ, ସେହି ଆଧୁନିକ ଯୁଗର ପ୍ରାକ୍‌କାଳରେ ମଧ୍ୟ ସେମାନେ ଓଡ଼ିଆ ଗଦ୍ୟକୁ ତାର ଐତିହ୍ୟ ତଥା ଐଶ୍ୱର୍ଯ୍ୟରୁ କାଟି ଆହୁରି ପଛକୁ ନେଇଯିବା ସକାଶେ ପ୍ରୟାସ କରିଛନ୍ତି ।

 

ସେହି ପର୍ଯ୍ୟାୟର ଆଉ ଗୋଟିଏ କିସମ ହେଉଛି ମିଶନାରୀମାନଙ୍କ ଦ୍ୱାରା ଅନୂଦିତ ହୋଇଥିବା ଖ୍ରୀଷ୍ଟଧର୍ମୀୟ ସାହିତ୍ୟ । ବାଇବେଲ୍‌ର ପ୍ରଥମ ଓଡ଼ିଆ ଅନୁବାଦ ଓଡ଼ିଶାରେ ନୁହେଁ, ବଙ୍ଗଳାରେ ଶ୍ରୀଯୁକ୍ତ କେରୀ ସାହେବଙ୍କର ତତ୍ତ୍ୱାବଧାନରେ ପଣ୍ଡିତମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଭାରତବର୍ଷର ପାରମ୍ପରିକ ମାଟିରେ ଖ୍ରୀଷ୍ଟୀୟ ଧର୍ମବାସନାର ବୀଜଟିକୁ ବିପନ କରିବା ସକାଶେ ସେତେବେଳ ମିଶନାରୀମାନଙ୍କର ଛାପାଖାନାରେ ଭାରତୀୟ ଧର୍ମଗୁଡ଼ିକ ସହିତ ବିବାଦ ଲଗାଇ ଶବ୍ଦଯୁକ୍ତିର ଯେଉଁସବୁ ସାହିତ୍ୟ, ଏଥିରେ କେତୋଟି ପ୍ରଚାରମୂଳକ ଗଳ୍ପ ମଧ୍ୟ ରହିଥିଲା, - ଲେଖା ଯାଇଥିଲା, ସେଗୁଡ଼ିକ ସବାଆଗ ଓଡ଼ିଆ ଭାଷା ଏବଂ ସାହିତ୍ୟର ସମୃଦ୍ଧି ସକାଶେ ଆଦୌ ଉଦ୍ଦିଷ୍ଟ ନ ଥିଲା । ତେଣୁ, କେତେକ ଦୃଷ୍ଟିରୁ ସେଗୁଡ଼ିକୁ ଅନୁବାଦନର କିଞ୍ଚିତ୍ ନମୁନାରୂପେ ଅବଶ୍ୟ ଗ୍ରହଣ କରା ଯାଇପାରେ, ମାତ୍ର ଅନୁବାଦ-ସାହିତ୍ୟର କୌଣସି ପ୍ରତିନିଧି ମୂଳକ ନମୁନାରୂପେ କଦାପି ଗ୍ରହଣ କରାଯାଇ ପାରିବ ନାହିଁ । ଏହିସବୁ ଅନୁବାଦର ଉଦ୍ଦେଶ୍ୟ ସର୍ବପ୍ରଥମେ ଆଦୌ ସାହିତ୍ୟିକ ନ ଥିଲା, ତାହା ମୂଳତଃ ପ୍ରୟୋଜନିକ ହିଁ ଥିଲା । ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର କରିବାକୁ ହେଲେ, ସେହି ଧର୍ମର ବାର୍ତ୍ତାଗୁଡ଼ିକୁ ଓଡ଼ିଶାବାସୀଙ୍କର ଭାଷାରେ ହିଁ କରିବାକୁ ହେବ, ଏହି କଥାଟିକୁ ଉପଲବ୍‌ଧି କରିଥିବାରୁ ଆମେ ଆମ ସାହିତ୍ୟରେ ମିଶନାରୀମାନଙ୍କୁ ନିଶ୍ଚୟ ମନେ ରଖିବା ସତ, ମାତ୍ର ସାହିତ୍ୟାନୁବାଦର ମାନଦଣ୍ଡରେ ସେମାନଙ୍କୁ କୌଣସି ଉଲ୍ଲେଖନୀୟ ସ୍ଥାନ ଦେବା ସମ୍ଭବତଃ ଆଦୌ ସମୀଚୀନ ହେବ ନାହିଁ ।

 

ଫକୀରମୋହନ ଅନୁବାଦରୁ ହିଁ ତାଙ୍କର ଗଦ୍ୟରଚନା ଆରମ୍ଭ କରିଥିଲେ । ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଦ୍ୱାରା ଲିଖିତ କେତେକ ଜୀବନୀକୁ ସେ ବଙ୍ଗଳାରୁ ଓଡ଼ିଆକୁ ଅନୁବାଦ କରିଥିଲେ-। ‘ବୌଦ୍ଧାବତାର କାବ୍ୟ’ ସେନାପତିଙ୍କର ଆଉ ଗୋଟିଏ ଅନୁବାଦ । ନିଜର ସହଧର୍ମିଣୀଙ୍କୁ ଶୁଣାଇବା ନିମନ୍ତେ ସେ ରାମାୟଣ ଓ ମହାଭାରତର ଅନୁବାଦ ମଧ୍ୟ ପ୍ରସ୍ତୁତ କରିଥିଲେ ବୋଲି ତାଙ୍କର ‘ଆତ୍ମଜୀବନ-ଚରିତ’ରୁ ଜଣାଯାଏ । ଓଡ଼ିଆ ଭାଷାରେ ଯେ ସୃଜନାତ୍ମକ କାର୍ଯ୍ୟରେ ପରିଣତ ହୋଇ ପାରିବ, ଫକୀରମୋହନଙ୍କର ଅନୁବାଦ ଆଧୁନିକ ଓଡ଼ିଆ ସାହିତ୍ୟରେ ସମ୍ଭବତଃ ସେହି କଥାଟିରୁ ସର୍ବପ୍ରଥମ ଭରସା ଦେଇ ଯାଇଥିଲା । ପରବର୍ତ୍ତୀ ସତ୍ୟବାଦୀ-ଯୁଗରେ ହିଁ ଓଡ଼ିଆ ସାହିତ୍ୟ ଭିତରେ ଅନୁବାଦ ଆପଣାଲାଗି ଏକ ସଚେତନ ସ୍ୱୀକୃତି ଲାଭ କରିଥିଲା । କୌଣସି ଏକ ଅନ୍ୟ ପ୍ରୟୋଜନରେ ପଡ଼ି ନୁହେଁ, ଓଡ଼ିଶାର ଗବାକ୍ଷଗୁଡ଼ିକୁ ସେ ବୃହତ୍ତର ବିଶ୍ୱ ଆଡ଼କୁ ଅଧିକରୁ ଅଧିକ ଗ୍ରହଣଶୀଳ କରି ରଖିବା ଆବଶ୍ୟକ, ଗୋଦାବରୀଶ ଓ ନୀଳକଣ୍ଠ ଏହିପରି ଏକ ଆବଶ୍ୟକତା-ବୋଧ ଦ୍ୱାରା ପ୍ରେରିତ ହୋଇ ଆପଣାର ସାହିତ୍ୟାନୁବାଦ କାର୍ଯ୍ୟରେ ହାତ ଦେଇଥିଲେ । ସେହି ପର୍ଯ୍ୟାୟଟି ଠାରୁ ଆଜି ପର୍ଯ୍ୟନ୍ତ ସାହିତ୍ୟାନୁବାଦର ପରିସର ଅଧିକରୁ ଅଧିକ ବିସ୍ତୃତ ହୋଇ ଆସିଛି । ଭାରତବର୍ଷ ସ୍ୱାଧୀନତା ଲାଭ କରିବା ପରେ ଏବଂ ତାହାର ଏକ ସମଗ୍ର ଆଲୋଡ଼ନ ସ୍ୱରୂପ ଭାରତୀୟ ଭାଷାଗୁଡ଼ିକ କ୍ଷେତ୍ରରେ ମଧ୍ୟ ଅଧିକ ବିସ୍ତାରଣା ଓ ସମୃଦ୍ଧି ଦେଖା ଦେଇଛି । ଗତ ପ୍ରାୟ ଚାରି ଦଶକ ଭିତରେ ଇଉରୋପୀୟ ସାହିତ୍ୟରୁ ଓଡ଼ିଆ ଭାଷାକୁ ବହୁ ଅନୁବାଦ କରାଯାଇଛି । ଜାତୀୟ ଏବଂ ରାଜ୍ୟସ୍ତରରେ ପ୍ରତିଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥାମାନେ ଅନୁବାଦକୁ ଗୋଟିଏ ବିଶେଷ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଛନ୍ତି । ଅନୁବାଦ ଏବଂ ଅନୁବାଦକମାନଙ୍କର ଏକ ଦୀର୍ଘ ନାମତାଲିକା ଦେବା ବର୍ତ୍ତମାନ ପ୍ରବନ୍ଧଟିର ଉଦ୍ଦେଶ୍ୟ ନୁହେଁ । ତାଲିକାଟିଏ ଖୋଜୁଥିବା ଓ ତାହାରି ମାଧ୍ୟମରେ ଓଡ଼ିଆ ଅନୁବାଦ-ସାହିତ୍ୟର ଆକଳନ କରିବାକୁ ଇଚ୍ଛା କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଅତି ସହଜରେ ତାଲିକାଟିଏ ଉପଲବ୍ଧ ହୋଇ ପାରିବ ।

 

ତଥାପି ଜଣେ ବ୍ୟକ୍ତିଙ୍କର ନାମ ଅବଶ୍ୟ ଉଲ୍ଲେଖ କରିବାକୁ ହେବ । ସିଏ ହେଉଛନ୍ତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଦାସ । ଓଡ଼ିଆ ସାହିତ୍ୟର ଉନ୍ନତିବିଧାନ କରିବାର କୌଣସି ସଚେତନ ପ୍ରୟୋଜନ ବୁଦ୍ଧି ସକାଶେ ନୁହେଁ, ଆପଣା ଭିତରୁ ଏକ ସ୍ୱତଃପ୍ରେରିତ ଶ୍ରଦ୍ଧାଦ୍ୱାରା ପରିଚାଳିତ ହୋଇ ହିଁ ସିଏ ବିଶ୍ୱ ସାହିତ୍ୟର ଏକାଧିକ ସାହିତ୍ୟକୃତିକୁ ଓଡ଼ିଆ ଅନୁବାଦ କରାଇ ପୁସ୍ତକ ପ୍ରକାଶ କରିବା ବିଷୟରେ ପ୍ରାୟ ତାଙ୍କର ସାହିତ୍ୟକ ହେତୁ ହେବା ସମୟରୁ ଏକ ବିଶେଷ ଶ୍ରଦ୍ଧା ଦେଖାଇ ଆସିଛନ୍ତି ଓ ସେଇଥିରୁ ହିଁ ଅପାର ଆନନ୍ଦ ଲାଭ କରିଛନ୍ତି । ବ୍ୟବସାୟିକ ଦୃଷ୍ଟିରୁ ଅନେକ ହରାଇଛନ୍ତି, ଅନେକ ଗଞ୍ଜଣା ସହ୍ୟ କରିଛନ୍ତି, ତଥାପି ନିଶା ଛାଡ଼ି ନାହାନ୍ତି । ଯେଉଁମାନେ ବର୍ଷକୁ ବର୍ଷ ସାହିତ୍ୟରେ ନୋବେଲ୍ ପୁରସ୍କାର ଲାଭ କରିଛନ୍ତି, ସେହିମାନଙ୍କର ଗ୍ରନ୍ଥକୁ ଓଡ଼ିଆ ରୂପ ଦେବାଲାଗି ସେ ନିଜର ବ୍ରତରୂପେ ଗ୍ରହଣ କରି ଆସିଛନ୍ତି । ଏହା ଫଳରେ ସେ ପଚାଶରୁ ଅଧିକ ଏହିପରି ଗ୍ରନ୍ଥର ଓଡ଼ିଆ ଅନୁବାଦ କରାଇ ପ୍ରକାଶ କରିଛନ୍ତି । ମୂଳ ଲେଖକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ଓଡ଼ିଆ ଅନୁବାଦଗୁଡ଼ିକ ନିମନ୍ତେ ସେମାନଙ୍କ ଠାରୁ ବିଶେଷ ସନ୍ଦେଶମାନ ଆଣି ସେ ଯେପରି ନିପୁଣ ଓ ନିଖୁଣ ଭାବରେ ପୃଥିବୀର ଏତେଗୁଡ଼ିଏ କୃତି ଗ୍ରନ୍ଥକୁ ଏଠି ପ୍ରକାଶିତ ରୂପ ଦେଇଛନ୍ତି । ସେହି ନିଦର୍ଶନ ଓଡ଼ିଶାରେ ସର୍ବପ୍ରଥମ ହୋଇ ରହିଛି; ହୁଏତ ଏକଥା ମଧ୍ୟ କୁହାଯାଇ ପାରିବ ଯେ, ତାଙ୍କର ସେହି ଶ୍ରଦ୍ଧାରେ ଓଡ଼ିଶାରେ ଏପର୍ଯ୍ୟନ୍ତ ମଧ୍ୟ କେହି ତାଙ୍କୁ ଅତିକ୍ରମ କରିଯାଇ ନାହାନ୍ତି । ଜଣେ ପ୍ରକାଶକ ସାହିତ୍ୟଶ୍ରଦ୍ଧାଳୁ ହେଲେ ଓଡ଼ିଶାରେ ମଧ୍ୟ କେତେ କଥା ଯେ ସମ୍ଭବ ହୋଇପାରେ, ଶ୍ରୀଯୁକ୍ତ ଦାସ ଆହୁରି ବହୁଦିନ ଯାଏ ନିଶ୍ଚୟ ତାହାର ଦୃଷ୍ଟାନ୍ତ ହୋଇ ରହିବେ ।

 

ରାଷ୍ଟ୍ରୀୟ ସ୍ତରରେ କେନ୍ଦ୍ର ଓ ରାଜ୍ୟରେ ପ୍ରତିଷ୍ଠିତ ସାହିତ୍ୟ-ସମ୍ୱର୍ଦ୍ଧକ ଏକାଡେମୀଗୁଡ଼ିକ ଯୋଜନା କରି କେତେକ ପ୍ରଖ୍ୟାତ ଗ୍ରନ୍ଥର ଓଡ଼ିଆ ଅନୁବାଦ ପ୍ରକାଶ କରିଛନ୍ତି । ଏହାଦ୍ୱାରା ଓଡ଼ିଆ ଅନୁବାଦର ଭଣ୍ଡାର ବଢ଼ିଛି, ଭଣ୍ଡାରରେ ଲକ୍ଷ୍ମୀ ବଢ଼ିଛନ୍ତି, ମାତ୍ର ସେଥିରୁ ଅନ୍ତତଃ ସାହିତ୍ୟର ଦୃଷ୍ଟିରୁ କେତେକ ବିଡ଼ମ୍ବନା ମଧ୍ୟ ସୃଷ୍ଟି ହୋଇଛି । କେଉଁସବୁ ବହିର ଅନୁବାଦ କରାଯିବ, ସେକଥା ସଂସ୍ଥାଗୁଡ଼ିକର କର୍ତ୍ତାମାନେ ଠିକ୍ କରିଛନ୍ତି । କେଉଁମାନେ ଅନୁବାଦକ ହେବେ, ସେମାନେ ସେକଥାଟିର ମଧ୍ୟ ନିର୍ଦ୍ଧାରଣ କରି ଦେଇଛନ୍ତି । କଚେରୀରୁ ସମନ ଆସି ପହଞ୍ଚିଲା ପରି ଅଜଣା କର୍ତ୍ତାମାନଙ୍କ ଠାରୁ ଆଗତୁରା ଅର୍ଥ ପ୍ରତିଶ୍ରୁତି ସହିତ ଔପଚାରିକ ଭାବରେ ଅନୁବାଦ ଲାଗି ନିର୍ଦ୍ଦେଶ ପତ୍ରମାନ ଆସି ପହଞ୍ଚି ଯାଇଛି । ବେଳେବେଳେ ନିତାନ୍ତ ଅଲୋଡ଼ାମାନେ ଏହିପରି ଆନୁଷ୍ଠାନିକ ଭାବରେ ଆପଣାକୁ ଲୋଡ଼ା ହେଉଥିବାର ଦେଖି ପ୍ରଲୋଭନରେ ପଡ଼ି ନିଜକୁ ପ୍ରସ୍ତାବିତ କାର୍ଯ୍ୟଟି ନିମନ୍ତେ ଏକମାତ୍ର ଓ ଯୋଗ୍ୟତମ ବ୍ୟକ୍ତି ବୋଲି ଅନୁଭବ କରିଛନ୍ତି ଏବଂ ହୁଏତ ଶ୍ରଦ୍ଧା ନ ଥାଇ ମଧ୍ୟ ଶ୍ରଦ୍ଧା ଦେଖାଇବାକୁ ଚେଷ୍ଟା କରିଛନ୍ତି । ଅନୁବାଦକ ମାତ୍ରକେ କଦାପି ଯେକୌଣସି ଗ୍ରନ୍ଥର ଅନୁବାଦ କରିପାରିବେ ନାହିଁ ଏବଂ, ପ୍ରକୃତରେ ଶ୍ରଦ୍ଧା ରହିଥିବା ବ୍ୟକ୍ତି ଫରମାସ ପାଇଛନ୍ତି ବୋଲି ଶ୍ରଦ୍ଧା ଦେଖାଇବାକୁ ନିଶ୍ଚୟ ସଙ୍କୋଚ ବୋଧ କରିବେ । ଅଧିକ ଭଲ ହୋଇଥାନ୍ତା ବା ହୁଅନ୍ତା, ଯଦି ଅନୁବାଦକ ସ୍ୱଂୟ ବହିଟିଏ ବାଛନ୍ତା, ତାହାର ଅନୁବାଦ ଲାଗି ସଂପୃକ୍ତ ଏକାଡେମୀର ଅନୁମୋଦନ ଲୋଡ଼ନ୍ତୁ, ଅନୁମୋଦନ ଲାଭ କରି ଅନୁବାଦ କରନ୍ତା ଏବଂ ପ୍ରକାଶନ ଲାଗି ଏକାଡେମୀ ପାଖକୁ ପଠାଇ ଦିଅନ୍ତା । ସେପରି ହେଲେ ଅନୁବାଦଗୁଡ଼ିକ ଅଧିକ ଶ୍ରଦ୍ଧାଯୁକ୍ତ ହୋଇପାରନ୍ତା, ତେଣୁ ଅଭିପ୍ରେତ ସ୍ଥାନଗୁଡ଼ିକରେ ତାହା ଅଧିକ ଯଥାର୍ଥ ଭାବରେ ଆହୁରି ଅଧିକ ଶ୍ରଦ୍ଧାର କାରଣ ହୋଇ ପାରନ୍ତା । ଦିଲ୍ଲୀଠାରୁ ସାରା ଭାରତର ସାହିତ୍ୟକ ଅନୁବାଦ ଓ ସାହିତ୍ୟକ ଆଦାନପ୍ରଦାନର ହାଲଚାଲ ବୁଝୁଥିବା ନେଶନାଲ ବୁକ୍ ଟ୍ରଷ୍ଟ ବିଷୟରେ ମଧ୍ୟ ଉଣାଅଧିକେ ସେହିକଥା କୁହାଯାଇ ପାରିବ । ଅବଶ୍ୟ ଏକଥା ମଧ୍ୟ ସତ ଯେ, ଯେକୌଣସି ସରକାରୀ ଅଥବା ତଥାକଥିତ ଅର୍ଦ୍ଧ-ସରକାରୀ ଅନୁଷ୍ଠାନର ଏକ ସାମର୍ଥ୍ୟସୀମା ସର୍ବଦା ରହିଛି; ବିଶେଷତଃ ସାହିତ୍ୟଭଳି ଏକ ସୃଜନାତ୍ମକ କ୍ଷେତ୍ରରେ ସେହି ସୀମାଗୁଡ଼ିକ ଆହୁରି ଅଧିକ ସୀମିତ ହୋଇ ରହିବା ଏକାନ୍ତ ସ୍ୱାଭାବିକ ।

 

ଭାରତୀୟ ଭାଷାଗୁଡ଼ିକୁ ଆଧୁନିକ ଶିକ୍ଷା ତଥା ସାହିତ୍ୟର ଏକ ସୁସମର୍ଥ ମାଧ୍ୟମକୁ ଉନ୍ନୀତ କରି ଆଣିବା ଲାଗି ଏକଦା ଭାରତ ସରକାରଙ୍କ ତରଫରୁ ଯେଉଁ ବଦାନ୍ୟ ଉଦ୍ୟମ ହୋଇଥିଲା, ସେଥିରେ ଅନ୍ୟାନ୍ୟ ପ୍ରତ୍ୟେକ ଭାଷା ପରି ଓଡ଼ିଆ ଲାଗି ମଧ୍ୟ ଗୋଟିଏ ଟଙ୍କାର ବ୍ୟବସ୍ଥା କରାଯାଇଥିଲା । ସରକାରୀ ସରଘରର ବିଭାଗୀୟ କାର୍ପଟଦାରମାନେ ସେହି ଅର୍ଥରାଶିର ବିନିଯୋଗ ଲାଗି ଯେଉଁ ନୂଆ ଦପ୍ତରଟିଏ ଗଢ଼ିଲେ, ତାହାକୁ କୌଣସି ବ୍ୟବସାୟିକ କାରଣ ଦୃଷ୍ଟିରୁ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ପ୍ରକାଶନର ଏକ ସଂସ୍ଥାରୂପେ ନାମିତ କରାଗଲା । ତାହାରି ଆନୁକୂଲ୍ୟରେ ପାଠ୍ୟପୁସ୍ତକ ଲେଖାଗଲା, ବିଖ୍ୟାତ ପାଠ୍ୟପୁସ୍ତକଗୁଡ଼ିକର ଅନୁବାଦ କରାଗଲା । ଅର୍ଥଫଳର ଲୋଭନୀୟ ପ୍ରତିଶ୍ରୁତି ରହିଥିବାରୁ, ଯେଉଁ ବ୍ୟକ୍ତିମାନେ ଓଡ଼ିଆରେ କେବେହେଲେ କିଛି ଲେଖି ନ ଥିଲେ ଓ ଓଡ଼ିଆରେ କୌଣସି ଗାମ୍ଭୀର୍ଯ୍ୟପୂର୍ଣ୍ଣ ବିଷୟରେ ଚିନ୍ତା ବି କରି ନ ଥିଲେ, ସେମାନେ ଆସି ପ୍ରାୟ ଏକ ସ୍ୱୟଂ-ବରଣ ରୀତିରେ ସେଠାରେ ପହଞ୍ଚିଗଲେ, ଇଂରାଜୀ ଛାଞ୍ଚରେ ଓଡ଼ିଆ ଅନୁବାଦ କଲେ । ଅନୁବାଦ ନାଆଁରେ ଗୁଡ଼ାଏ ଆବୁରୁଜାବୁରୁ ଛାପାହେଲା ଓ ଥାକ ମରାହୋଇ ଗୋଦାମଘରେ ରହିଲା । ଶିକ୍ଷା ବିଭାଗର ଶାସକମାନେ ଅନେକ ସମୟରେ ଆପଣାକୁ ଯେପରି ଶିକ୍ଷା-ବିତରଣ କାର୍ଯ୍ୟରେ ମଧ୍ୟ ଶିକ୍ଷିତ ଓ ସିଦ୍ଧହସ୍ତ ବୋଲି ମନେ କରନ୍ତି, ସେହିପରି ତୁଚ୍ଛା ଶାସକମାନେ ଦୈବାତ୍ ସାହିତ୍ୟର କାରବାର ଭିତରକୁ ବନ୍ଧାହୋଇ ଆସି ନିଜକୁ ସାହିତ୍ୟକ-ଶାସକ ଅର୍ଥାତ୍ ସାହିତ୍ୟ ଲାଗି ଉପଯୁକ୍ତ ଭାବରେ ଶିକ୍ଷିତ ବୋଲି ମନେ କରନ୍ତି, ସେହିପରି ତୁଚ୍ଛା ଶାସକମାନେ ଦୈବାତ୍ ସାହିତ୍ୟର କାରବାର ଭିତରକୁ ବନ୍ଧାହୋଇ ଆସି ନିଜକୁ ସାହିତ୍ୟ-ଶାସକ ଅର୍ଥାତ୍ ସାହିତ୍ୟ ଲାଗି ଉପଯୁକ୍ତ ଭାବରେ ଶିକ୍ଷିତବୋଲି ମନେ ନ କରିବେ କାହିଁକି ? ଓଡ଼ିଆ ସାହିତ୍ୟ, ବିଶେଷତଃ ଓଡ଼ିଆ ସାହିତ୍ୟାନୁବାଦର ତରଫରୁ ହୁଏତ କେବଳ ଏତିକି କୁହାଯାଇ ପାରିବ ଯେ, ଆଲୋଚିତ ଯୋଜନାଟି ଦ୍ୱାରା ବିଶ୍ୱ ସାହିତ୍ୟକୁ ଘର ଭିତରକୁ ବରଣ କରି ଆଣିବା ଲାଗି ଓଡ଼ିଆ ସାହିତ୍ୟ ଓ ଅନୁବାଦକୁ ଯେଉଁ ଆହ୍ୱାନ ମିଳିଥିଲା, ଅସିଦ୍ଧ ଓ ଅନ୍ୟାଭିପ୍ରାୟୀ ଅବ୍ୟକ୍ତିମାନଙ୍କ ହାତରେ ପଡ଼ି ତାହା ପ୍ରାୟ ଏକ ଅତ୍ୟନ୍ତ ଅକୁଶଳ ଅନ୍ୟାଚାରରେ ପରିଣତ ହୋଇ ରହିଥିଲା ।

 

ଅନୁବାଦ-ସାହିତ୍ୟ ଅଥବା ସାହିତ୍ୟାନୁବାଦକୁ ଯଥାର୍ଥରେ ସୃଜନାତ୍ମକ ସାହିତ୍ୟ କୁହାଯାଇ ପାରିବ କି ନାହିଁ, ସେହି ବିଷୟରେ ଦୃଷ୍ଟି ବିଶେଷରେ ବିବାଦାସ୍ପଦ ଏକାଧିକ ମତ ରହିଛି । ଓଡ଼ିଶାରେ ଏପରି ବିଜ୍ଞ ବ୍ୟକ୍ତି ମଧ୍ୟ ଅବଶ୍ୟ ଅଛନ୍ତି, ଯେଉଁମାନେ କି ପ୍ରବନ୍ଧ ସାହିତ୍ୟକୁ ମଧ୍ୟ ସର୍ଜନାତ୍ମକ କୁହାଯିବ କି ନାହିଁ, ସେ ବିଷୟରେ ସନ୍ଦେହ ପ୍ରକାଶ କରିଥାନ୍ତି । କିନ୍ତୁ ଗୋଟିଏ କଥା ଅବଶ୍ୟ ସତ ଯେ, ଜଣେ ଅନୁବାଦକ ତଥା କଥିତ ସୃଜନାତ୍ମକ ସାହିତ୍ୟଲେଖକ ଭଳି ଆଦୌ ଏତେବେଶୀ ସ୍ୱାଧୀନ ନୁହେଁ । ତା’ ନିଜର ସୃଜନାତ୍ମକ ଶକ୍ତି ଓ ତଜ୍ଜନିତ ବ୍ୟାକୁଳତାକୁ ସିଏ ଏପରି ଅହଂଶୂନ୍ୟ ଭାବରେ ବ୍ୟବହାର କରି ପାରୁଥିବ, ଯେପରିକି, ସିଏ ଯେଉଁ ଲେଖକଙ୍କର କୌଣସି ଗ୍ରନ୍ଥକୁ ମୂଳରୁ ଭାଷାନ୍ତରିତ କରୁଛି, ତାଙ୍କର ସୃଜନାତ୍ମକତାକୁ ଆଦୌ କୌଣସି ପ୍ରକାରେ କ୍ଷୁନ୍ନ କରି ପକାଇବ ନାହିଁ । ତେଣୁ ଅନୁବାଦ ଲାଗି ହୁଏତ ଅନେକ ଅଧିକ ସଂଯମ ଦରକାର, ମାତ୍ର, ତାହାର ଆହୁରି ଅନେକ ଗୁଣ ଅଧିକ ଶ୍ରଦ୍ଧା ଦରକାର । ଯେଉଁ ଶ୍ରଦ୍ଧା ଗୋଟାସୁଦ୍ଧା ଗିଳି ପକାଇବାକୁ ମନ କରୁଥାଏ, ସେହି ଶ୍ରଦ୍ଧା ଆଦୌ ନୁହେଁ; ମାତ୍ର, ଯେଉଁ ଶ୍ରଦ୍ଧା ସମ୍ମାନ ଦେଇପାରେ, ଯେତେ ନିକଟବର୍ତ୍ତୀ ହେଲେ ମଧ୍ୟ ତଥାପି ଗିଳି ପକାଇବାକୁ ମନ କରେନାହିଁ, ସେହିପରି ଏକ ଶ୍ରଦ୍ଧା ଦରକାର । ଯେକୌଣସି ଗ୍ରନ୍ଥ ଏବଂ ଗ୍ରନ୍ଥକାରଙ୍କୁ ଅନନ୍ୟ ଏବଂ ସ୍ୱକୀୟ ଭାବରେ ବୁଝିବାଲାଗି ଯେଉଁ ଶ୍ରଦ୍ଧା ସମର୍ଥ ହୁଏ, ଜଣେ ଅନୁବାଦକ ଠାରେ ସେହି ଶ୍ରଦ୍ଧା ରହିଥିବା ଦରକାର । ହୁଏତ, ସେହି ଶ୍ରଦ୍ଧାର ଅଭାବ ହିଁ ଏକ କାରଣ ହୋଇପାରେ, ଯେଉଁଥିପାଇଁ ଅତ୍ୟୁତ୍ସୁକ ଭକ୍ତମାନେ ଆଦୌ ଭଲ ଅନୁବାଦକ ହୋଇ ପାରନ୍ତି ନାହିଁ, ପ୍ରଚାରର ଆକାଙ୍କ୍ଷା ରଖି ପ୍ରାୟ ଏକ ଅସାହିତ୍ୟକ ଉତ୍ତେଜନାରେ ସାହିତ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ଭଲ ଅନୁବାଦ କରନ୍ତି ନାହିଁ ଏବଂ ସର୍ବୋପରି ଅତି ବିନୟୀ ତଥା ଅହଙ୍କାରୀମାନେ ଅନୁବାଦର କ୍ଷେତ୍ରେ ଆଦୌ ବେଶୀ ବାଟ ଉତ୍ତୀର୍ଣ୍ଣ ହୋଇ ପାରନ୍ତି ନାହିଁ । ତେରୁ ଅନୁବାଦ ଆଦୌ ଏକ ସହଜ କଥା ନୁହେଁ, ଏକ ସ୍ୱେଚ୍ଛାଚାରିତା ଆଦୌ ନୁହେଁ ।

 

ଓଡ଼ିଆରେ ଅନୁବାଦ ବୋଲି ଯାହାକିଛି ସାହିତ୍ୟ ଅଛି, ତାହା ପ୍ରଧାନତଃ ଇଂରାଜୀରୁ ଅନୁବାଦ କରାଯାଇ ଓଡ଼ିଆକୁ ଆସିଛି । ଅନେକ ସାହିତ୍ୟଗ୍ରନ୍ଥ ଇଉରୋପୀୟ ଅନ୍ୟାନ୍ୟ ଭାଷାରୁ ଅନୂଦିତ ହୋଇ ଆଗ ଇଂରାଜୀ ଭାଷାକୁ ଆସିଛି, ତା’ପରେ ଆମେ ତାହାକୁ ଇଂରାଜୀରୁ ଅନୁବାଦ କରି ଓଡ଼ିଆକୁ ଆଣିଛୁ । କୌଣସି ଗାତ୍ରରୁ ଦୁଇଥର ଛାଲ ଉତୁରିଗଲା ପରେ ଅବସ୍ଥା ଯେପରି ହୁଏ, ଏହିସବୁ କ୍ଷେତ୍ରରେ ପ୍ରାୟ ସେହି କଥା ହୋଇଛି । ଓଡ଼ିଶାରେ ଯେ ଏହିଭଳି ଏକ ସ୍ଥିତି ରହିଛି, ତାହାର ବାସ୍ତବ କାରଣଟି ହେଉଛି ଯେ, ଏହି ରାଜ୍ୟରେ ଇଂରାଜୀ ବ୍ୟତିତ ଅନ୍ୟ ବିଦେଶୀ ଭାଷା ସହିତ ପରିଚିତ ହେବାର ପ୍ରାୟ କୌଣସି ସୁଯୋଗ ନାହିଁ । ତେଣୁ, ଇଂରାଜୀ ବାହାରେ ରହିଥିବା ଅନ୍ୟାନ୍ୟ ଭାଷାର ଗ୍ରନ୍ଥଗୁଡ଼ିକୁ ଆମେ ଇଂରାଜୀ ଅନୁବାଦରେ ପଢ଼ିବାକୁ ଓ ତାହାକୁ ହିଁ ଯଥେଷ୍ଟ ବୋଲି ଗ୍ରହଣ କରିବାକୁ ବାଧ୍ୟ ହେଉଛୁ । କେତେକ କ୍ଷେତ୍ରରେ କୌଣସି ଜର୍ମାନ କିମ୍ବା ଅନ୍ୟ ଅଣଇଂରାଜୀ ସାହିତ୍ୟକଙ୍କର କୃତିର ଆଲୋଚନା କରି ଗବେଷଣା-ନିବନ୍ଧମାନ ପ୍ରସ୍ତୁତ କରାଯାଇଛି ଓ ଆମ ବିଶ୍ୱବିଦ୍ୟାଳୟରୁ ସେଗୁଡ଼ିକୁ ଆକାଙ୍କ୍ଷିତ ସ୍ୱୀକୃତି ମଧ୍ୟ ମିଳିଛି । ମାତ୍ର, ଏଣେ ହୁଏତ ସ୍ୱୟଂ ନିବନ୍ଧକାର ଓ ତାଙ୍କର ପଥ ନିର୍ଦ୍ଦେଶକ କେହି ଅସଲ ମୂଳ ଭାଷାରେ ସଂପୃକ୍ତ ଗ୍ରନ୍ଥଗୁଡ଼ିକୁ ପାଠ କରିନାହାନ୍ତି । ଅନୁବାଦର କ୍ଷେତ୍ରରେ ମଧ୍ୟ ଏହିପରି ହୋଇଛି ଓ ତଦ୍ୱାରା କେଉଁଠି କିଛି ଅଭାବ ରହିଯାଉଛି ବୋଲି ସାଧାରଣତଃ ଅନୁଭବ କରା ହୋଇନାହିଁ । ଏହି ଦୃଷ୍ଟିରୁ ଓଡ଼ିଆ ଅନୁବାଦ-ସାହିତ୍ୟ ଅତ୍ୟନ୍ତ ଅପୂର୍ଣ୍ଣତା ଯୁକ୍ତ ହୋଇରହିଛି । ଅଧିକନ୍ତୁ, ଏପରି କେତେକ ଦୃଷ୍ଟାନ୍ତ ରହିଛି ଯ, ଅପେକ୍ଷାକୃତ ଅଧିକ ସହଜ ହେବ ବୋଲି କେତେକ ଅନୁବାଦକ ସେହି ଇଂରାଜୀ ମୂଳ ପୁସ୍ତକ ବା ଅନୁବାଦର ବଙ୍ଗଳା ପୁନରାନୁବାଦରୁ ମଧ୍ୟ ଓଡ଼ିଆକୁ ଅନୁବାଦ କରି ପକାଇଛନ୍ତି ଓ ତାହାକୁ ହିଁ ପୂର୍ଣ୍ଣଫଳ ବୋଲି ଅନୁଭବ କରିଛନ୍ତି । ଏକ ଭାଷାଭାଷୀ ହେବା ଆଧୁନିକତା ଓ ଆଧୁନିକ ଜୀବନ ଦୃଷ୍ଟିରୁ ଏକାନ୍ତ ବିରୋଧୀ । ବହୁ ଭାଷାଭାଷୀ ହେଲେ ନିଜର ଭାଷାଟିକୁ ଯେ ଅଧିକ ସମଗ୍ର ଭାବରେ ଦେଖିହୁଏ ଓ ତାହାକୁ ଅଧିକ ସମଗ୍ରତା ସହିତ ଆପଣାର ବୋଲି ଭଲ ପାଇହୁଏ । ଓଡ଼ିଶାରେ ସେହି ସତ୍ୟଟିରୁ ଉପଲବ୍‍ଧି ଲାଗି ଯେତେ ଶୀଘ୍ର ଏକ ଅନୁକୂଳ ଏବଂ ଆହ୍ୱାନମୟ ପରିବେଶ ସୃଷ୍ଟି ହୋଇ ପାରିବ, ଓଡ଼ିଶାର ସାହିତ୍ୟ ଲାଗି, ଓଡ଼ିଆ ଅନୁବାଦ-ସାହିତ୍ୟ ଲାଗି ମଧ୍ୟ, ତାହା ସେତିକି ଅଧିକ ସ୍ୱାସ୍ଥ୍ୟକର ହୋଇପାରିବ ।

 

ଭାରତୀୟ ଭାଷାଗୁଡ଼ିକ ସେମାନଙ୍କର ଉତ୍ସ ତଥା ବିକାଶଗତ କ୍ଷେତ୍ରରେ ପରସ୍ପର ସହିତ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଯୋଡ଼ିହୋଇ ରହିଥିଲେ ମଧ୍ୟ ଭାରତବର୍ଷର ସାମ୍ପ୍ରତିକ ସାହିତ୍ୟମାନେ ପରସ୍ପର ପାଖରେ ଆଦୌ ଯଥେଷ୍ଟ ଘନିଷ୍ଟ ଭାବରେ ପରିଚିତ ନୁହନ୍ତି । ଏହାର କେତେକ କାରଣ ରହିଛ ସତ, ମାତ୍ର ଏହାକୁ ତଥାପି ଏକ ବ୍ୟାଧି ବୋଲି କହିବାକୁ ହେବ । ଆମ ଦେଶର ଯେଉଁମାନେ ନିଜକୁ ଅପେକ୍ଷାକୃତ ଅଧିକ ସଂସ୍କୃତି-ସଚେତନ ବୋଲି ମନେ କରନ୍ତି । ସେମାନେ ପ୍ରତିବେଶୀମାନଙ୍କ ସହିତ ପ୍ରତିବେଶୀ ହୋଇ ରହି ପାରିବାର ଯୋଗ୍ୟତା ଅର୍ଜନ କରିବା ପୂର୍ବରୁ ଆଗ ପ୍ରବାସୀ ହୁଅନ୍ତି । ବିଶ୍ୱ-ଭାଷା ରୂପେ ଇଂରାଜୀକୁ ସ୍ୱୀକୃତି ଦେଇ ସେମାନେ ତାହାରି ସହିତ ଏପରି ଜୁଡ଼ୁବୁଡ଼ୁ ହୋଇ ରହିବା ମନ କରୁଥାନ୍ତି, ଯେ ନିଜ ଖଞ୍ଜାଟି ସେପାଖକୁ ଯେଉଁ ପ୍ରତିବେଶୀ ସାହିତ୍ୟମାନେ ଦୀର୍ଘ ପ୍ରାୟ ଏକ ହଜାର ବର୍ଷ ହେଲା ନାନାବୈଚିତ୍ର ସହିତ ସମୃଦ୍ଧ ଓ ବର୍ଣ୍ଣାଢ଼୍ୟ ହୋଇ ରହି ଆସିଛନ୍ତି, ସେମାନେ ସିଆଡ଼କୁ ଅନାଇବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ଓଡ଼ିଆ ସାହିତ୍ୟରେ ଏହି ପ୍ରତିବେଶୀ ସାହିତ୍ୟଗୁଡ଼ିକରୁ ହୁଏତ ସେହି କାରଣରୁ ଆଦୌ ଆଶାନୁରୂପ ଅନୁବାଦ ହୋଇ ପାରିନାହିଁ । ପଡ଼ୋଶୀ ଭାଷା ଏବଂ ପଡ଼ୋଶୀମାନଙ୍କ ସହିତ ଓଡ଼ିଆମାନଙ୍କର ମନୋଗତ ଆତ୍ମୀୟତା ଅପେକ୍ଷା ଏକ ମନୋଗତ ବୈମନସ୍ୟ ହୁଏତ ଅଧିକ ପରିମାଣରେ ରହିଛି, ଏବଂ ସେହି କାରଣରୁ ଏକ ଦୂରତା ମଧ ଭାରି ଦୃଶ୍ୟ ଭାବରେ ଏବେ ମଧ୍ୟ ରହିଛି । ଅନ୍ୟ ଭାରତୀୟ ଭାଷାଗୁଡ଼ିକୁ ଶିକ୍ଷା କରିବା ଲାଗି ଆମର ଶିକ୍ଷିତ ଅଳିନ୍ଦଗୁଡ଼ିକରେ ଖୁବ୍ କମ୍ ଆଗ୍ରହ ସୃଷ୍ଟି କରାଯାଇ ପାରିଛି, ତେଣୁ: ପଡ଼ୋଶୀମାନଙ୍କ ସହିତ ଆମର ଭାବଗତ ଆଦାନ ପ୍ରଦାନ ମଧ୍ୟ ଖୁବ୍ କମ୍ ହୋଇଛି । ଅନେକ ଶିକ୍ଷିତ ଓ ଆହୁରି ଶିକ୍ଷିତମାନେ ଆମର ଏଠି ଆଖି ବୁଜିଦେବା ମାତ୍ରକେ ସବା ଆଗ ସତେଅବା ଇଂରାଜୀ ଭାଷାକୁ ଦେଖନ୍ତି, ଏବଂ ତେଣୁ ଏହି ନିକଟବର୍ତ୍ତୀ ଚଉହଦୀଗୁଡ଼ିକରେ ଅନ୍ୟ ଭାଷା କିମ୍ବା ଅନ୍ୟ ସାହିତ୍ୟ ରହିଛି ବୋଲି ଦେଖିବାକୁ ହିଁ ଇଚ୍ଛା କରନ୍ତି ନାହିଁ । ଜାତୀୟ ସାହିତ୍ୟ ଏକାଡେମୀ ଓ ନେଶନାଲ ବୁକ୍ ଟ୍ରଷ୍ଟ ଏବେ କେତୋଟି ଯୋଜନା ଅନୁସାରେ ଭାରତୀୟ ଭାଷାର କେତେ ପୁସ୍ତକର ଓଡ଼ିଆ ଅନୁବାଦ କରାଇଛନ୍ତି, ସତ ମାତ୍ର ଆମ ଘରର ଝରକାଗୁଡ଼ିକୁ ଆମ ପ୍ରତିବେଶୀ ସହୋଦରମାନଙ୍କ ଆଡ଼କୁ ଖୋଲିଦେଇ ପାରିବାକୁ ଓଡ଼ିଶାରେ ଯେଉଁ ଆଗ୍ରହ ରହିଥାନ୍ତା, ସେହି ଆଗ୍ରହ ଏବେ ମଧ୍ୟ ସୃଷ୍ଟି କରାଯାଇ ପାରିନାହିଁ । ପଡ଼ୋଶୀ ତେଲେଗୁ ଭାଷାରୁ ଓଡ଼ିଆକୁ ସମ୍ଭବତଃ ଆଦୌ କୌଣସି ସିଧା ଅନୁବାଦ ହୋଇନାହିଁ । ଓଡ଼ିଶାର ଭାଷା, ଧର୍ମ, ଶାସନ ଓ ସାହିତ୍ୟ ଆମ ଇତିହାସର ନାନା ପର୍ଯ୍ୟାୟରେ ଅଧିକତର ପରିମାଣରେ ଦକ୍ଷିଣରୁ ହିଁ ସଂକ୍ରାମିତ ହୋଇ ଆସିଥିଲେ ମଧ୍ୟ ଏହି ଆଧୁନିକ ଯୁଗ ପର୍ଯ୍ୟାୟରେ ଆମ ସାହିତ୍ୟ ଦକ୍ଷିଣର ସାହିତ୍ୟ ସହିତ ସୂତ୍ରସଂଯୋଗ ରଖି ପାରିନାହିଁ । ତାହା ପ୍ରକୃତରେ ଏକ ବିଡ଼ମ୍ବନାର କଥା । ଓଡ଼ିଆ ସାହିତ୍ୟାନୁବାଦରେ ସେହି ବିଡ଼ମ୍ବନା ଅଧିକ ପରିମାଣରେ ପରିଲକ୍ଷିତ ହୋଇଥାଏ ।

 

ଓଡ଼ିଆ ସାହିତ୍ୟାନୁବାଦର ସମୀକ୍ଷାତ୍ମକ ମୂଲ୍ୟବିଚାର କରୁଥିବା ସମୟରେ ଆମ ଅନୁବାଦର ଆଉ ଗୋଟିଏ ଧାରା ଆଡ଼କୁ ମଧ୍ୟ ଦୃଷ୍ଟି ଆକର୍ଷିତ ହୋଇଥାଏ । ଆମର ସାହିତ୍ୟକମାନଙ୍କ ମଧ୍ୟରୁ ଯେଉଁମାନେ ଅନୁକୂଳତର ଉଚ୍ଚଥାନ ଏବଂ ମଥାନମାନଙ୍କରେ ରହିଛନ୍ତି, ସେମାନେ ପ୍ରବଳ ଆଗ୍ରହରେ ଏବେ ନିଜର ଅଧିକରୁ ଅଧିକ ଲେଖାକୁ ଇଂରାଜୀରେ ଅନୁବାଦ କରାଇବାର ପ୍ରୟାସ କରୁଛନ୍ତି । ଏହି ପ୍ରୟାସ ବେଳେବେଳେ ପ୍ରାୟ ଏକ ଅସାହିତ୍ୟକ ଜ୍ୱରବତ ବି ହେଉଛି । ଅନେକ ଲେଖକ ନିଜେ ନିଜ ଲେଖାଗୁଡ଼ିକର ଇଂରାଜୀ ଅନୁବାଦ କରାଇ ଦେବାର ବ୍ୟବସ୍ଥା କରୁଛନ୍ତି, ପୁଣି ବେଳେ ବେଳେ ନିଜେ ନିଜର ଅନୁବାଦ କରିବାର ମନ୍ଦ ବ୍ରତ ଆଚରଣ କରିଛନ୍ତି । ଆହୁରି କେତେଜଣ ହୁଏତ ଅଧିକ ମୌଳିକ ହୋଇ ପାରିବା ସକାଶେ ଆଗ ଇଂରାଜୀରେ ଲେଖୁଛନ୍ତି ଏବଂ ତା’ପରେ ଯାଇ ଏକ ଦ୍ୱିତୀୟ କାର୍ଯ୍ୟ ପରି ତାହାର ଅନୁବାଦ କରି ଓଡ଼ିଆରେ ବାହାର କରୁଛନ୍ତି । ଇଂରାଜୀକୁ ରାଧାମଣି ଓଡ଼ିଆକୁ ଲଳିତା ପ୍ରାୟ ମଣୁଛନ୍ତି । ଏକ ଅନ୍ୟଭଳି ଫଳଶ୍ରୂତିର ଆକାଙ୍କ୍ଷା ଦ୍ୱାରା ଉଦ୍‌ବୁଦ୍ଧ ଏବଂ ଉତ୍ପୀଡ଼ିତ ହୋଇ ସେମାନେ ଆମର ଏଠାରେ ଫଳ ଯିବା ମାତ୍ରକେ ବା ଏପରିକି ଫଳ ଯିବା ପୂର୍ବରୁ ମଧ୍ୟ ଏକାବେଳେକେ ସିଆଡ଼ୁ ବିଶ୍ୱବିଜୟୀ ହୋଇ ଘରକୁ ବାହୁଡ଼ିବା ଲାଗି ମନ କରୁଛନ୍ତି । ଯୋଜନା ଅନୁସାରେ କାର୍ଯ୍ୟଟିର କ୍ଷିପ୍ରତର ସିଦ୍ଧିସକାଶେ ଓଡ଼ିଶାରେ ଇଂରାଜୀ ପତ୍ରିକାମାନ ବାହାରୁଛି, ଅନେକ ସମୟରେ ମଫସଲରୁ ମଧ୍ୟ ବାହାରୁଛି । ଅବର୍ଜିଆ ଇଂରାଜୀ ଭାଷାରେ ବାହାରିଲେ ମଧ୍ୟ ଇଂରାଜୀ ଛାପାରେ ବାହାରୁ ଥିବାରୁ ତାହା ସତେଅବା ସଂପୃକ୍ତ ବ୍ରତଚାରିଣୀମାନଙ୍କୁ ପ୍ରକୃତରେ ଫଳ ପ୍ରସବିନୀ ହୋଇ ପାରିବାର ଅଶେଷ ଆନନ୍ଦ ଦେଇଯାଇ ପାରୁଛି । ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ, ଉପଯୁକ୍ତ ପ୍ରଚାର ହୋଇ ପାରୁନାହି ବୋଲି ଓଡ଼ିଆ ଲେଖକମାନଙ୍କୁ ବାହାରେ କେହି ଚିହ୍ନୁନାହାନ୍ତି–ତେଣୁ ଏଥର ଅସଲ ଥକମାନଙ୍କରେ ଯାଇ ପହଞ୍ଚିବାକୁ ପଡ଼ିବ, ତାଙ୍କରି ସେମିଜ୍ ଓ ବ୍ଲାଉଜ୍ ପିନ୍ଧି ସେମାନଙ୍କ ପାଖରେ ଚିହ୍ନା ଦେବାକୁ ପଡ଼ିବ, ଏହିପରି ଗୋଟିଏ ମନ୍ଦୋତ୍ସାହୀ ପ୍ରବୃତ୍ତି ମଧ୍ୟ ସେହି ଅନବାଦଗୁଡ଼ିକ ଲାଗି ପ୍ରରୋଚନା ଯୋଗାଇ ଦେଇ ଯାଉଛି । ଫୁଲର ଆଉ ଯୋଉଠି ସେଠି ଫୁଟିଲେ ହେବନାହିଁ; ଯୋଉଁଠି ଭଅଁରମାନେ ଅଛନ୍ତି, ସେହିସବୁ ଜାଗାରେ ଯାଇ ଫୁଟିବାକୁ ହେବ, ତେବେ ଯାଇ ଆମକୁ ସମସ୍ତେ ଫୁଲ ବୋଲି ଚିହ୍ନିବେ, ସ୍ୱୀକୃତି ଦେବେ, ଶିରପା ପିନ୍ଧାଇବେ,-ଏହିପରି ଏକ ଯୁକ୍ତି ମଧ୍ୟ ଓଡ଼ିଶାରେ ଏବେ ଶୁଣିବାକୁ ମିଳିଲାଣି । ଯେଉଁମାନେ ଏସବୁ କରୁଛନ୍ତି ସେମାନଙ୍କର ଉଚ୍ଚାକାଙ୍‌କ୍ଷା ସେମାନଙ୍କୁ ଅବଶ୍ୟ ସଫଳ କରାଉ, ସେମାନେ ଇପ୍ଦିତ ମଞ୍ଚାଗୁଡ଼ିକ ଉପରେ ଅବଶ୍ୟ ଯାଇ ବସନ୍ତୁ ଓ ଇପ୍ସିତ ଆଦରଗୁଡ଼ିକୁ ଅବଶ୍ୟ ପାଆନ୍ତୁ ସତ, ମାତ୍ର ଏକଥା ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ, ଏହି ବୃତ୍ତିଗୁଡ଼ିକ ଓଡ଼ିଶାରେ ଆମ ସାହିତ୍ୟ-ଘରେ ଅଧିକରୁ ଅଧିକ ପରିମାଣରେ ଏକ ବିଟବୃତ୍ତିର ଭିଆଣ କରରିବାରେ ଲାଗିଛନ୍ତି । ଏବଂ ବିଟବୃତ୍ତି ପ୍ରବଳ ହେଲେ ଆମ ଘରଟିର ଆଉ ପ୍ରକୃତରେ କି ମହତ ରହିବ ? ଯେଉଁମାନେ ଏହି ଘରଟିକୁ ଏକାବେଳେକେ ଗୋଟିଏ ଅତିସାନ ଘର ବୋଲି ମନେ କରୁଛନ୍ତି ଓ ଏଠାରେ ସେମାନଙ୍କୁ ମୋଟେ ଥାନ ଅଣ୍ଟୁ ନାହିଁ ବୋଲି ଛଟପଟ ହେଉଛନ୍ତି, ଏହିଠାରେ ହିଁ ଆପଣାର ଚେରଗୁଡ଼ିକୁ ଅନୁଭବ କରୁଥିବା ଏବଂ ସେହି ଅନୁଭବ ଦ୍ୱାରା ଆପଣାକୁ ଗୌରବାନ୍ୱିତ ମନେ କରୁଥିବା ଆମ ଅନେକଙ୍କର ଦୁଃଖକୁ ସେମାନେ କାହୁଁ ବୁଝିବେ ? ସାହିତ୍ୟରେ ଓ ସାହିତ୍ୟାନୁବାଦରେ ପ୍ରୀତିର ସ୍ୱୀକୃତି ଯେ କ୍ଷମତାକାଙ୍‌କ୍ଷାଠାରୁ ଅନେକ ଅଧିକ, ଇଚ୍ଛାରୋଗୀମାନଙ୍କୁ ସେକଥା କିଏ କିପରି ବୁଝାଇବ ?

 

ଓଡ଼ିଆ ସାହିତ୍ୟରେ ଅନୁବାଦର କ୍ଷେତ୍ର ଏବେମଧ୍ୟ ଅତୀବ ପ୍ରଶସ୍ତ ପଡ଼ିଛି,-ଶ୍ରଦ୍ଧାଶୀଳ ଅନୁବାଦକମାନଙ୍କ ଲାଗି ସେହି କ୍ଷେତ୍ର ଅପେକ୍ଷା କରି ରହିଛି । ଯଥେଷ୍ଟ ଅନୁବାଦର ଅଭାବରୁ ହିଁ ସମ୍ଭବତଃ ଓଡ଼ିଆ ଭାଷାରେ ପାରିଭାଷିକ ଶବ୍ଦଗୁଡ଼ିକର ଭଣ୍ଡାର ଯଥେଷ୍ଟ ପରିମାଣରେ ଆଦୌ ସମୃଦ୍ଧ ହୋଇ ପାରୁନାହିଁ । ପୃଥିବୀର ଜ୍ଞାନ ଓ ବିଜ୍ଞାନର ବିଚରଣକ୍ଷେତ୍ରମାନ କେତେ କୁଆଡ଼କୁ ପ୍ରଲମ୍ବିକ ହୋଇଗଲାଣି, ବିଶ୍ୱସାହିତ୍ୟର ଏକ ବହୁପ୍ରସାରଯୁକ୍ତ ଐତିହ୍ୟ ଆଧୁନିକ ମନୁଷ୍ୟର ସମ୍ମୁଖରେ ପଡ଼ି ରହିଛି । ସେଗୁଡ଼ିକୁ ଆମ ନିଜ ଘରକୁ ଆମନ୍ତ୍ରିତ କରି ଆଣିବା ଳାଗି, ଏପରିକି ସେଗୁଡ଼ିକୁ ଆମ ସାହିତ୍ୟ ଏବଂ ଆମର ଭବିଷ୍ୟ ଲାଗି ଗୋଟିଏ ଆହ୍ୱାନରୂପେ ଅନୁଭବ କରିପାରିବା ନିମନ୍ତେ ଓଡ଼ିଆ ଅନୁବାଦ-ସାହିତ୍ୟର ଦ୍ୱାର ଓ ଗବାକ୍ଷମାନ ଆହୁରି ଅଧିକ ଉନ୍ମୋଚିତ ହୋଇ ପାରୁଥିବା ଆବଶ୍ୟକ । ସମଗ୍ର ବିଶ୍ୱର ଜ୍ଞାନ, ପ୍ରତୀଭା ତଥା ପ୍ରୀତିକୁ ଆମେ ଆମ ଘରେ ପ୍ରେରଣାର ଆଧାରପୁଞ୍ଜି ରୂପେ ଗ୍ରହଣ କରିପାରିଲେ ତଦ୍ୱାରା ଏଠାରେ ଯେଉଁ ସାମର୍ଥ୍ୟ-ସଚେତନତା ଏବଂ ସୃଜନାତ୍ମକ ସାହସ ଉନ୍ମେଷ ଲାଭ କରିବ, ଆମର ଦୃଷ୍ଟିକୁ ତାହା ହିଁ ବଳୀୟାନ୍ କରିବ, ଆମ ସାହିତ୍ୟକୁ ବଳିଷ୍ଠ କରିବ । ତା’ପରେ ଆମେ ଆଉ ଆମ ନ୍ୟୁନ ମନର ସରଞ୍ଜମଗୁଡ଼ିକୁ ନେଇ ଆଗ ଇଂରାଜୀ ଆଡ଼େ ଦଉଡ଼ିଯାଇ ସେଇଆଡ଼ୁ ଛାପା ବହିମାନଙ୍କୁ ଧରି ଉଗ୍ରତାରା ହୋଇ ଆମ ଭୁଇଁଟିରେ ଆସି ଏଡ଼େବଡ଼ ହୋଇ ଦିଶିବାକୁ ମୋଟେ ମନ କରିବା ନାହିଁ । ସେତେବେଳେ ଆମକୁ ସ୍ୱୀକାର କରି ଅନ୍ୟମାନେ ଆମ ଘରେ ଆସି ପହଞ୍ଚିବେ, ସେମାନେ ଓଡ଼ିଆ ସାହିତ୍ୟକୁ ନିଜ ଭାଷାମାନଙ୍କରେ ଅନୁବାଦ କରିବା ଲାଗି ଆପେ ଆକାଙ୍‌କ୍ଷୀ ହେବେ । ମାତ୍ର, ଆମକୁ ସେଥିଲାଗି ନିଜର ଭାଷାକୁ ଓ ନିଜର ଭୂମିକୁ ସତକୁ ସତ ଭଲ ପାଇବାକୁ ହେବ । ଯେଉଁମାନେ ଭୁଇଁକୁ ଛାଡ଼ି ଅନ୍ୟ ଅରଣ୍ୟମାନଙ୍କରୁ ରଙ୍ଗପର ଗୋଟାଇ ଆଣି ସେଗୁଡ଼ିକୁ ମୁଣ୍ଡରେ ଖୋସି ଅଧିକ ହୋଇ ଦିଶିବାକୁ ଲୋଭ କରୁଛନ୍ତି, ସେମାନେ ହୁଏତ ଆପଣାକୁ ହିଁ ସବାଆଗ ଓ ସବୁଠାରୁ ଅଧିକ ଭଲ ପାଉଛନ୍ତି । ଆପଣା ସହିତ ରତିଲିପ୍ତ ହୋଇ ରହିବାର ସେମାନେ ଏଠାରେ ଗୋଟିଏ ଭୂମି ରହିଛି ବୋଲି ହୁଏତ ଭୁଲି ବି ଯାଉଛନ୍ତି । ସବାଆଗ ଆପଣାକୁ ଭଲ ପାଉଥିବା ମଣିଷ ସାହିତ୍ୟ ପାଇଁ ଖୁବ୍ ବେଶୀ ଯୋଗ୍ୟ ହୋଇପାରେ ନାହିଁ, ଯାବତୀୟ ଚିତ୍‌ବିସ୍ତାର ଓ ହୃଦ୍‌ବିସ୍ତାର ଲାଗି ସିଏ ମୋଟେ ସମ୍ମତ ହୋଇ ପାରେନାହିଁ ବୋଲି ପୃଥିବୀଯାକର କାବ୍ୟ ସମୀକ୍ଷକମାନେ ଯୁଗେ ଯୁଗେ କହି ଯାଇଛନ୍ତି ।

 

ତେଣୁ, ଓଡ଼ିଆ ଅନୁବାଦ-ସାହିତ୍ୟ ଅପେକ୍ଷାକୃତ ଅଳପ ଦିନର ଏକ ସାହିତ୍ୟକ ବିଭାଗ ହୋଇଥିଲେ ମଧ୍ୟ ସାହିତ୍ୟର ସମଗ୍ର କ୍ଷେତ୍ରଟିରେ ତାହାର ଏକ ବିଶେଷ ଦାୟିତ୍ୱ ରହିଛି । ଓଡ଼ିଶାରେ ସାହିତ୍ୟ-ସୃଜନ ଏବଂ ସାହିତ୍ୟଚର୍ଚ୍ଚା ଲାଗି ଯୋଗ୍ୟତର ଭୂମିଟିଏ ତିଆରି କରିବାର ଉଦ୍ୟମକ୍ଷେତ୍ରରେ ଓଡ଼ିଆ ଅନୁବାଦ-ସାହିତ୍ୟର ସମ୍ମୁଖରେ ଅନେକ ପ୍ରତିଶ୍ରୁତି ଏବଂ ଫଳଶ୍ରୁତି ତା’ଲାଗି ଅପେକ୍ଷା କରି ରହିଛି ।

 

ପ୍ଲଟ୍ ନଂ.-୮୩-ଏ

ବାପୁଜୀନଗର, ଭୁବନେଶ୍ୱର

***

 

ସାଂପ୍ରତିକ କବିତାରେ ନୈରାଶ୍ୟବାଦ

ଶ୍ରୀ ହରିହର ମିଶ୍ର

 

ସାଂପ୍ରତିକ ଓଡ଼ିଆ କବିତା ଆଜି ଚେତନାର ସମନ୍ୱୟ କରି ଚାଲିଥିଲା ବେଳେ ତା’ଭିତରୁ କେବଳ ନିରାଶାର ସ୍ୱରଟିଏ ପ୍ରକଟିତ କରିବା ଏ ପ୍ରବନ୍ଧର ଉଦ୍ଦେଶ୍ୟ । କାରୁଣ୍ୟ, ନୈରାଶ୍ୟ, ନିସଙ୍ଗତାବୋଧ ଜୀବନର ସକଳ ବୈଚିତ୍ର୍ୟ ସମ୍ଭାରକୁ ଶେଷରେ ଏକ ସାମଗ୍ରିକ ଶୂନ୍ୟତାରେ ରୂପାନ୍ତରିତ କରିଛି । ନୈରାଶ୍ୟବୋଧ ଶୂନ୍ୟବୋଧରେ ରୂପାନ୍ତରିତ ହୋଇ ଏକ ଚିରାୟତ୍ତ ଦାର୍ଶନିକ ଦୃଷ୍ଟିଭଙ୍ଗୀ କବିତାରେ ଆଜି ସୃଜିବାକୁ ଆରମ୍ଭ କରିଛି । ଏହାର ମାନସିକ, ସାମାଜିକ, ଆଧ୍ୟାତ୍ମିକ ପୃଷ୍ଠଭୂମି ଧୀରେ ଧୀରେ ଯୁଦ୍ଧୋତ୍ତର ପୃଥିବୀରେ ଦୃଢ଼ୀଭୂତ ହୋଇ ସ୍ୱାଧୀନୋତ୍ତର ଭାରତୀୟ ତଥା ଓଡ଼ିଆ କବିତାରେ ବିବର୍ତ୍ତିତ ହେଉଅଛି । ରୋମାଣ୍ଟିକ୍ ମୋହଭଙ୍ଗ, ପରମ୍ପରାଠାରୁ ବିଚ୍ଛିନ୍ନ ଏକାକୀତ୍ୱବୋଧ, ସମ୍ଭାବିତ ଆଶା, ଆଦର୍ଶ ଓ ନୈତିକତାଦିର ପ୍ରତିଶ୍ରୁତି ଭଙ୍ଗ ଏକ ପରିବର୍ତ୍ତିତ ଜୀବନ ଧାରା ବ୍ୟକ୍ତି ତଥା ସମାଜ ପାଇଁ ସୃଷ୍ଟି କରିଛି । ସମଗ୍ର ଜୀବନକୁ ଏକ ବିଷର୍ଣ୍ଣ ଦୃଷ୍ଟିଭଙ୍ଗୀରେ ଦେଖିବାର ଦାର୍ଶନିକ ଚେତନା ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ତତ୍ତ୍ୱ ଓ ସିଦ୍ଧାନ୍ତର ଏକ ସତ୍ୟାନ୍ୱେଷଣ ପ୍ରକ୍ରିୟା । ବୁଦ୍ଧ, ଶଙ୍କର, ସକ୍ରେଟିସ୍, ନିତ୍‌ସେ ପ୍ରତ୍ୟେକଙ୍କ ନେତିବାଦୀ ସିଦ୍ଧାନ୍ତ ଉପରେ ବ୍ୟକ୍ତିର ସନାତନ ଶାଶ୍ୱତ ଚେତନାକୁ ଏହିଭଳି ମୋହଭଙ୍ଗର ଦୁଃଖ ଉପରେ ପ୍ରତିଷ୍ଠିତ କରାଇ ଚେତନାର ମୁକୁରରେ ସତ୍ୟର ସ୍ୱରୂପ ଦର୍ଶାଇଛନ୍ତି କବି ରମାକାନ୍ତ ।

 

‘‘ପ୍ରତିଦିନ ମୋ ଆୟୁଷ ଗଡ଼ି ଗଡ଼ିଯାଏ ଏକ ଅନୁପସ୍ଥିତିରୁ ଆଉ ଏକ ଅନୁପସ୍ଥିତିକୁ ଗୋଟିଏ ଅଶ୍ରୁତପୂର୍ବ ଆର୍ତ୍ତନାଦ ଠାରୁ ସହସ୍ର ସହସ୍ର ଥର ବିଦାୟ ଶୁଭୁଥିବା ମୋ ନିସଙ୍ଗତାକୁ...’’ ‘ଶ୍ରୀରାଧା’ର କବି ରମାକାନ୍ତଙ୍କ ଚୂଡ଼ାନ୍ତ ଦର୍ଶନ ନୈରାଶ୍ୟର ସ୍ତର ପରେ ସ୍ତର ଖୋଲି ସେହି ନିରାଶାର ସତ୍ୟତା ଓ ଅର୍ଥ ବୋଧକୁ ଜୀବନର ଏକ ବାସ୍ତବତା ଭାବରେ ଗ୍ରହଣ କରିଛି । ଭୟ, ଆତଙ୍କ, ଅପସୃୟମାନ ଆୟୁଷ, ନୈତିକତା ଓ ଅପରାଧର ଦ୍ୱନ୍ଦ୍ୱ ଭିତରେ ନିରାଶାର ଘନାଘଟା ହିଁ ଆଜିର ବାସ୍ତବତା । ମାନସିକ ସ୍ଥିତି ନୈରାଶ୍ୟରେ ଯେତିକି ମ୍ୟୁହମାଣ ମଣିଷର ବାହ୍ୟିକ ସ୍ଥିତି ତଦନୁରୂପ ଭୟଙ୍କର । ‘‘ଗାଢ଼ ଅନ୍ଧାରରେ ଘର, ଘାଟହୀନ ଅନାଥ ଜୀବନ ସକଳ ମଣିଷ, ଶତାବ୍ଦୀ ଆଉ ସଭ୍ୟତାର ଶୁଖିଲା ମଉଳା ଛିଣ୍ଡା ଫୁଲ ମାଳ ମାଳ, ଜନ୍ତାକୁ ଡରି ଡରି ଚିଁ ଚିଁ କରି ପଳାଉଥିବା ମୁଷା ପଲ ପଲ’’ କବି ସୀତାକାନ୍ତ ‘ନିର୍ଜନ ଘରେ’ କବିତାରେ ଦୁଃଖକୁ ଆତ୍ମୀୟ ସଗୋତ୍ର କରି ବହିର୍ଜୀବନର ବାସ୍ତବତାକୁ ଏଇଭଳି ପ୍ରକଟିତ କରନ୍ତି । ନୈତିକତାର ବିପର୍ଯ୍ୟସ୍ତ ସ୍ଥିତିର ଚିତ୍ରକବି ସୌଭାଗ୍ୟକୁମାର ମିଶ୍ରଙ୍କ କବିତାରେ ଆସେ ‘‘ଅର୍ଥ ଯାହା କାଲି ସନ୍ଧ୍ୟାରେ ସମୁଦ୍ରର ଲବଣ ନିଃଶ୍ୱାସରେ କ୍ଷୟ ହେବା ଆଗରୁ ସଞ୍ଚିତ ହୋଇଗଲା ମୋ ଆତ୍ମାର ନିଭୃତତମ ପକେଟ୍‌ରେ..., ଧର୍ମ; ଯାହା ତୋର ଦୁଆର ଆଗରେ ମୋର କ୍ଷୁଧାର୍ତ୍ତ ଅପେକ୍ଷାରେ ପ୍ରତିବିମ୍ବିତ ହୋଇଗଲା । ମୁହୂର୍ତ୍ତକ ପାଇଁ; କାମ ; ଯାହା ବିଳମ୍ବିତ ଶିଶୁଟିର ସମ୍ଭାବନାରେ ଅସ୍ଥିର, ଉଦ୍ଦାମ କରିଥିଲା ତୋର ଗର୍ଭକୁ; ମୋକ୍ଷ; ଯାହାକୁ ମୁଁ ଉପହାସିତ ପାପୀ ବନ୍ଧୁ ରୂପରେ ଛାଡ଼ିଦେଲି କାଲି ସନ୍ଧ୍ୟାର ଏକ୍ସେପ୍ରେସ୍‌ରେ ।’’ ରୋମାଣ୍ଟିକ୍ କବିତାର ଭାବାବେଗରର ଐକ୍ୟ ଓ ଏକାନ୍ତ ଗୀତକିତାର ଉଚ୍ଛ୍ୱାସ ଅନ୍ତର୍ହିତ ଆଧୁନିକ କବିତାରେ । ଏକ ମିଶ୍ରିତ ଭାବାବେଗ ଭିତରେ ବିକ୍ଷିପ୍ତ ଚିନ୍ତା ଓ ଚେତନାକୁ ସମନ୍ୱୟରେ ଏକୀଭୂତ କରୁଥିବା ପ୍ରସଙ୍ଗ ମଧ୍ୟ ଆଗରୁ ଉଲ୍ଲେଖ କରାହୋଇଛି । ଇଂରାଜୀ କବି ସିଲିଭିୟା ପାଥ୍, ଫିଲିପ୍ ଲାର୍‌କିନ୍‌ଙ୍କ କବିତାରେ ସାମଗ୍ରିକ ଜୀବନ, ବ୍ୟକ୍ତି ସତ୍ତାର ସ୍ଥିତିବୋଧକୁ ନିସଙ୍ଗ, ଅସହାୟ, ବ୍ୟର୍ଥ ସନ୍ଧାନର ଫଳଶ୍ରୁତି ଭାବରେ ଗ୍ରହଣ କରାଯାଇଛି । ଆଜି ପରମ୍ପରା, ପରିବର୍ତ୍ତନ, ପ୍ରଗତି, ପ୍ରତିବାଦ, ପରିସ୍ଥିତି ପ୍ରତ୍ୟେକଟିରେ କୌଣସି ଭାବାବେଗର ଏକମୁଖୀନତା ନାହିଁ । କବିତା ଏକ ବିସ୍ତୃତର ବ୍ୟାପକତା ଆଡ଼କୁ ପକ୍ଷ ସଞ୍ଚାଳନ କଲାବେଳେ ନିଖୋଜ ସତ୍ତାରେ ପରିଣତ ହେଉଛି ତା’ର ଏକାନ୍ତ ବକ୍ତବ୍ୟ, ଲକ୍ଷ୍ୟ ଓ ମୂଲ୍ୟବୋଧକୁ ନେଇ । ଏହି ନିଶ୍ଚିହ୍ନ ହେବାର ବିଳାସ ସାଂପ୍ରତିକ କବିତାର ଅସଙ୍ଗତ ଓ ବିଡ଼ମ୍ବନା । କବିତାର ଏକମାତ୍ର ରସ ନୈରାଶ୍ୟ ଯାହା ପାଠକକୁ ନିରାଶ ଓ ରିକ୍ତତାରେ ଅସହ୍ୟ ବେଦନା ଦିଏ । କଳାଶକ୍ତିର ବିଫଳତା ଏକ ଶୂନ୍ୟ ପର୍ଦ୍ଦ । କବି ଓ ପାଠକ ସମ୍ମୁଖରେ ଟାଣିଦିଏ । କବିତର ଅସୀମ, ଅନନ୍ତ ହେବାର ଆସ୍ଫାଳନ ବ୍ୟର୍ଥତାର ଶୂନ୍ୟବୋଧ ସୃଷ୍ଟି କରିବା ଓ ଦାର୍ଶନିକ ଦୃଷ୍ଟିଭଙ୍ଗୀର ଏକ ଅର୍ଥପୂର୍ଣ୍ଣ ଶୂନ୍ୟ ଇଲାକାକୁ ପାଠକର ଦୃଶ୍ୟମାନ ତଥା ଉପଭୋଗ୍ୟ ସ୍ୱରକୁ ଆଣିବା ଦୁଇଟି ଭିନ୍ନ କଥା । ଶେଷୋକ୍ତ ଯୁକ୍ତିଟି କେବଳ ସଚେତନ କବିମାନଙ୍କର ସତ୍ୟାନ୍ୱେଷଣର ଚରାଭୁଇଁ । ଅନ୍ୟତ୍ର କଳାଶକ୍ତିର ଅପପ୍ରୟୋଗ ଜନିତ ଗର୍ଭପାତ ଓ ମିଥ୍ୟା ଗର୍ଭର ବିଡ଼ମ୍ବନା ମଧ୍ୟ କମ୍ ପରିଦୃଷ୍ଟ ହୁଏ ନାହିଁ ।

 

କବିତାର ଶବ୍‌ଦ, ଭାଷା, ଛାନ୍ଦ, ଗଦ୍ୟ, ପଦ୍ୟ, ପ୍ରତୀକ, ତୁଳନା, ବ୍ୟଞ୍ଜନା, ରୁପକଳ୍ପ, ମିଥ୍ୟା ଚେତନା, ବୈଜ୍ଞାନିକ ଚିନ୍ତନ, ଯୁକ୍ତି, ଅନୁଭୂତିର ସୂକ୍ଷ୍ମତା, ବିଚ୍ଛିନ୍ନତାବୋଧ ଓ ସମ୍ପର୍କର ନିବିଡ଼ତା ଭିତରେ ଧର୍ମ, ଯୌନତା, ବିପ୍ଳବ, ବ୍ୟକ୍ତ ସମଷ୍ଟିର ସମ୍ପର୍କ, ପ୍ରେମ, ଅର୍ଥନୀତି, ଅପ୍ରେମ, ଶୂନ୍ୟତା, ଅମାୟିକତା, ସାଂସାରିକ ବାସ୍ତବତା ସବୁକିଛି ସମୀକ୍ଷିତ ହେଉଛି । ଅମରେଶ ପଟ୍ଟନାୟକ, ‘ତୃତୀୟ ପୃଥିବୀ’ର ସ୍ୱପ୍ନ ଦେଖିବା ବେଳେ ଅନୁଭବ କରନ୍ତି ।

 

ସିଗ୍ରେଟ୍ ଜଳିଲା ବେଳେ ସେ ଆଶ୍‌-ଟ୍ରେ

ଲୁହାରୁ ଇସ୍ପାତ୍ ବେଳେ ସେ ଫର୍ଣ୍ଣେସ୍

 

ଷଷ୍ଠ ଦଶକର କବିମାନେ ପ୍ରେମରୁ ଆରମ୍ଭ କରି ସମୟ ଚେତନା ଓ ବିଶ୍ୱ ତଥା ଶତାବ୍ଦୀର ନିଷ୍ଫଳ ସମ୍ଭାବନା ଭିତରେ ନିଶ୍ଚିହ୍ନ ହୋଇ ଯାଇଛନ୍ତି । ଏଲିୟଟ୍‌ଙ୍କ ପ୍ରଭାବ ତଥାପି ସୁଦୂର ପ୍ରସାରୀ ହୋଇ ସପ୍ତଦଶକର ଓଡ଼ିଆ କବିତାର ଅର୍ଦ୍ଧେକ ଗ୍ରାସ କରିଛି । ତେରୁ ନୈରାଶ୍ୟବାଦର ମୋହଭଙ୍ଗ ସ୍ୱର କୌଣସି ନା କୌଣସି କବିଙ୍କ ପାଇଁ ଏକ ପ୍ରାର୍ଥନା,ବ୍ୟାକୁଳ ସନ୍ୟାସ । ବ୍ୟକ୍ତି କଣ ଦେବତା ହେଲେ ବି ସାଂପ୍ରତିକ ଚେତନାରେ ନୈରାଶ୍ୟର ପ୍ରେତାୟିତ ନୃତ୍ୟରୁ ନିଷ୍କୃତ ପାଇବା ସମ୍ଭବ ନୁହେଁ । ତଥାପି ଏହାକୁ ପ୍ରଗତିଶୀଳ ଚେତନାରେ କେହି କବି ରୂପାନ୍ତରିତ କରିବାକୁ ଚାହାନ୍ତି । ଯୁଗର ସକଳ ଯାତନା, ବିକୃତ, ଅସଙ୍ଗତ, ବିଡ଼ମ୍ବନାକୁ ଉତ୍ତୀର୍ଣ୍ଣ କରାଇବାକୁ ଚାହାନ୍ତି ଯାହା ମୌଳିକ, ଯାହା ପ୍ରାକୃତିକ ତାହାରି ସୌନ୍ଦର୍ଯ୍ୟର ମହାନତାରେ । ନୈରାଶ୍ୟବୋଧରୁ ପଳାୟନ କରି ଏହା ସମ୍ଭବ ନୁହେଁ ତାକୁ ଜୀବନର ସତ୍ୟ ଭାବରେ ସ୍ୱୀକାର କରି, କାରଣ ମୃତ୍ୟୁ, ଧ୍ୱଂସ, ବ୍ୟର୍ଥତା, ବିଚ୍ଛିନ୍ନତା, ଅକ୍ଷମତା ଭଳି ବାସ୍ତବ ସତ୍ୟକୁ ଅତିକ୍ରମ କରିବା ଏକ ଅପ୍ରାକୃତିକ ଆଚରଣ । ତେଣୁ କବିତାର ଅନ୍ତଃସ୍ଥଳ ଆଜି କାରୁଣ୍ୟର ଅଶ୍ରୁରେ ଛଳ ଛଳ ଏ ଦିଗରେ ଆନ୍ତରିକ ପ୍ରଚେଷ୍ଟା ହିଁ କବିତାର ପ୍ରାଣଶକ୍ତି ।

 

‘‘ତାଳପତ୍ର ଛତାଟି ମୋ ଫୋପାଡ଼ିଲି

ବନ୍ଦ ହେବା ଲାଗି କ୍ଷରିତ ରଶ୍ମୀର ମାୟା

କେଉଁ ଯୁଗ ଆଗ୍ନେୟ ବୀର୍ଯ୍ୟର

ମୁଁ ଏକ ଉତ୍ତପ୍ତ ଅନ୍ଧାର

ମୁଁ ଝରିଛି ଟୋପା ଟୋପା ସ୍ତନରୁ ତାହାର ।’’

 

ଜୀବନର ଅସଙ୍ଗତି, ବିଡ଼ମ୍ବନାରୁ ମୁକ୍ତି ହେବାପାଇଁ ଅନ୍ଧାରକୁ ସ୍ୱୀକାର କରି ଆଲୋକକୁ ଦାୟୀ କରିଛି କବି ଜ୍ଞାନରୁ ନିର୍ଦ୍ଧାରନ ସ୍ତରକୁ ଲମ୍ଫ ପ୍ରଦାନ କରି ସେ ଆତ୍ମନିମଜ୍ଜିତ ହୋଇଛି । ଆଲୋକରେ ଦିଗହଜା ହେବାଠାରୁ ଶାଂଖନାଭିର କବି ସ୍ୱୟଂ ଚିନ୍ତା କରୁଛି ନିଶ୍ଚିତ ଅନ୍ଧାର ଭିତରେ ଆଲୋକର ଉତ୍ତାପ, କିନ୍ତୁ ଚିନ୍ତାନୁରୂପ କବିତାଟିଏ ଖୋଜିବା ଭିତରେ ଏକ ଦୂରନ୍ତ ପ୍ରତିବାଦର ଆଲୋଖ୍ୟ କବି ପାଇଁ ଚିରକାଳୀନ ସତ୍ୟ ହୋଇ ରହେ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଭକ୍ତିରେ ‘‘ମୁଁ ସାରା ଜୀବନ ବିତେଇଦେଲି ଗୋଟିଏ ଗୀତ ପାଇଁ ସେ ଗୀତ ହେଲା ନାହିଁ ।’’ ସେ ପ୍ରତିବାଦ କରି ଉଠନ୍ତି;

 

‘‘ପହିଲା ଗୁଳି ମୋତେ ମାର‘‘ ବୋଲି ମୁଁ ଚିତ୍କାର କରେ ଯେ

ତାଟି କବାଟ ପଡ଼ିଯାଏ... ଭୁବନେଶ୍ୱର !

X      X      X

ରାଜଦ୍ୱାରରେ ଅପ୍ରମିତ ଲାଞ୍ଛନା... ଭୁବନେଶ୍ୱର !

ଲହୁଲୁହାଣ ହୋଇ ତୋର ରାଜପଥରେ ପଡ଼ିଥିବା

ମୋର ଖଣ୍ଡ ଖଣ୍ଡ ହୃଦୟକୁ

‘କବିତା’ ‘ ‘କବିତା’ ବୋଲି ନିନାଦ କରୁଥିବାର ଦେଖେ

ପ୍ରହ୍ଲାଦର ଛିନ୍ନ ବିଚ୍ଛିନ୍ନ ପ୍ରତିଟି ମାଂସଖଣ୍ଡ

‘ହରି, ହରି’ ରଟୁଥିବା ପରି ।

 

ତାଙ୍କର ଜୀବନାନନ୍ଦ ‘‘ସାରା ଗଛର ବାକି ସବୁ ସୁସ୍ଥିର ଥିଲା ବେଳେ ଥରୁ ଥରୁ କମ୍ପୁଛି କେବଳ ଗୋଟିଏ ପତ୍ର; ସବୁଜ ପତ୍ର’’ ଭଳି । କବି ଦୀପକ ମିଶ୍ର ଓ କବି କମଳାକାନ୍ତ ଲେଙ୍କାଙ୍କ କବିତାରେ ଏହାର ଟିକିନିଖି ସୂକ୍ଷ୍ମାତି ସୂକ୍ଷ୍ମ ଚିତ୍ର । ନୈରାଶ୍ୟର ଚିତ୍ର ଉଭୟଙ୍କ କବିତାରେ ଯେତିକି ବୁଦ୍ଧିଦୀପ୍ତ, ସେତିକି ମର୍ମସ୍ପର୍ଶୀ । କ୍ଳାନ୍ତି, ଅବସନ୍ନତା, ବିରହ, ବିଜନତାର ଯନ୍ତ୍ରଣା କବି ବଂଶୀଧର ଷଡ଼ଙ୍ଗୀ କବିତାରେ ବେଳେବେଳେ ମନୋଜ୍ଞ ରୂପ ଧାରଣ କରେ ଓ କବି ପ୍ରହରାଜ ସତ୍ୟ ନାରାୟଣ ନନ୍ଦଙ୍କ କବିତାରେ ଏହା ତୀବ୍ର ଆବେଗ ରକ୍ତେ ରକ୍ତେ ନୈରାଶ୍ୟର କଳାଛାଇକୁ ଲିପିବଦ୍ଧ କରେ । କବି ଜଗନ୍ନାଥ ପ୍ରସାଦ ପାଇଁ ନୈରାଶ୍ୟ ଇଲାକାଟି ଏହିପରି ‘‘ଏ ଏକ ଅଦ୍ଭୁତ ଦେଶ, ଯେଉଁଠାରେ ସବୁ ଅନୁଭବ ଶୋକରେ ପାଲଟିଯାଏ... ସବୁ ସ୍ୱର ନିର୍ଜନତା ହୋଇଯାନ୍ତି ।’’ ନୈରାଶ୍ୟ କବିର ମୁଗ୍‌ଧ ଅନୁଭବ ଓ କଳାର ବିଳାସରେ ଏକ ଆନନ୍ଦବୋଧରେ ପରିଣତ ହୁଏ । ଯେତେବେଳେ ଯନ୍ତ୍ରଣାର ଅନ୍ୟନାମ ହୁଏ ଆନନ୍ଦ । ସାଂପ୍ରତିକ କବିତାର ଦାର୍ଶନିକ ଦୃଷ୍ଟିଭଙ୍ଗୀରେ ଏ ଯେଉଁ ସମନ୍ୱୟ ସଂଗଠିତ ହୋଇ ଚାଲିଛି ଏହା କେବଳ ଅନୁଭୂତ ହେଉଛି କାବ୍ୟ ସାଧନାର ବ୍ୟାକୁଳତା ଭିତରେ, ପ୍ରଚେଷ୍ଟାର କଷ୍ଟକାରୀତାରେ ଓ ଶେଷରେ ନିର୍ବେଦଗ୍ରସ୍ତ ସତ୍ୟାନୁଭବରେ । ଏ ଯନ୍ତ୍ରଣା, ଏ ନୈରାଶ୍ୟ କି ଦୀନକୃଷ୍ଣଙ୍କର, ଭୀମଭୋଇଙ୍କର; ରାଧାନାଥ, ସଚ୍ଚି ରାଉତ୍‌ରାୟ, ଅନନ୍ତ ପଟ୍ଟନାୟକ ଓ ଗୁରୁପ୍ରସାଦ ମହାନ୍ତିଙ୍କର, ପରିବର୍ତ୍ତିତ ମାନସ ଭୂମିରେ ବ୍ୟକ୍ତି ବୈଚିତ୍ର୍ୟର ସମାରୋହରେ ହଜିଗଲାବେଳେ ନିଜର ଚିହ୍ନଟ ପାଇଁ ଯେଉଁଠି ବ୍ୟାକୁଳ ସେଇଠି ନୈରାଶ୍ୟ ଏକ ସ୍ୱାଭାବିକ ନିରୀହ କୋମଳତାରେ ଅଭିବ୍ୟକ୍ତ ହେଉଛି । କିନ୍ତୁ ସମ୍ଭାବନାର ଭିତ୍ତିଭୂମି ଥାଇ, ପରିଣତର ପରମ୍ପରା ଥାଇ ଯେଉଁ ନିସ୍ଫଳତା, ଅନୁର୍ବତା, ଅଥର୍ବତା ତାକୁ ଅଥୟ କରୁଛି ତା’ର ପ୍ରତୀକିତ ଅର୍ଥନ୍ୟାସ ଆଜି କବି ପ୍ରତିଭା ଶତପଥୀ ଓ ମମତା ଦାଶଙ୍କ ପ୍ରେମମୟୀ କବିତାରେ ପ୍ରତିବିମ୍ବିତ ହୁଏ । କବି ବ୍ରହ୍ନୋତ୍ରୀ ମହାନ୍ତିଙ୍କ କବିତାରେ ଅଧ୍ୟାତ୍ମିକ ଆକୁଳତା ବୈରାଗ୍ୟର କାରୁଣ୍ୟ ତୋଳେ ହରପ୍ରସାଦ ଦାସ, ଦେବଦାସ ଛୋଟରାୟ, ଫନୀ ମହାନ୍ତି, ପ୍ରସନ୍ନ କୁମାର ପାଟ୍ଟଶାଣୀ ଜୀବନ ଯନ୍ତ୍ରଣାର ଶକ୍ତିଶାଳୀ ସ୍ତରକୁ ସ୍ୱକୀୟ କାବ୍ୟକଳାରେ ନାନାଦି ଅର୍ଥ ବ୍ୟଞ୍ଜନାରେ ରୂପାୟିତ କରିଛନ୍ତି । ଏହି କବିମାନଙ୍କର ପ୍ରୟୋଗ-ଧର୍ମୀ କବିତାଗୁଡ଼ିକରେ ନୈରାଶ୍ୟର ଚିତ୍ର ଜୈବିକ ଉଷ୍ମତାରେ, ମାଟି ପ୍ରକୃତିର ଐନ୍ଦ୍ରିକ ସ୍ପର୍ଶରେ ଅଗ୍ନିଫୁଲ ସୃଷ୍ଟି କରିଛି । ଶୋକର ଫର୍ନେସ୍‌ରେ ଏମାନେ ସ୍ୱପ୍ନର ତାରକସୀ ଗଢ଼ିଛନ୍ତି । ଏମାନଙ୍କ ନୈରାଶ୍ୟବୋଧ ମୌଳିକ ଜିଜ୍ଞାସା ସମ୍ଭୂତ । ଏମାନେ ଧଳା ଗୋଲାପକୁ ଆପଣା ରକ୍ତରେ ଲାଲ୍ କରିଥିବା ବୁଲ୍‌ବୁଲ୍‌..., ସାମ୍ପ୍ରତିକ ଓଡ଼ିଆ କବିତାର ଉଦ୍ୟାନରେ ଏମାନଙ୍କ କରୁଣ ଗୁଞ୍ଜରଣ ହିଁ ଅଶ୍ରୁତ ପୂର୍ବ ସଙ୍ଗୀତର ସ୍ୱରଲିପି ।

 

ଉପସଂହାରରେ ଆସନ୍ତି ଅନେକ ଅନୁଜ କବି । ଜୀବନର ତଥା କବିତାର ଏହି ପ୍ରସଙ୍ଗକୁ ଅନେକ ଅଗ୍ରଜ କବି ମଧ୍ୟ ବାଦ୍‌ ପଡ଼ିବେ ନାହିଁ । ତେବେ କବିତା କବିର ଯନ୍ତ୍ରଣାରୁ ଜନ୍ମ ନିଏ । ତା’ର ଜନ୍ମିତ କାଳରେ ସେ କେବଳ ନିରାଶା ହିଁ ନିରାଶା ଦେଖେ । ମୃତ୍ୟୁ ତା’ର ସମସ୍ତ ଜୀବନକୁ ସ୍ୱପ୍ନ ଭଳି ଭ୍ରମ ପ୍ରମାଣିତ କଲାବେଳେ ସେ କବିତାରେ ମରଣକୁ ସ୍ୱପ୍ନ ଭଳି ଆହୁରି ମୋହପୂର୍ଣ୍ଣ କରିବାକୁ ଜୀବନକୁ ଭଲ ପାଇ ବସେ ଅର୍ଥାତ୍ ମରଣକୁ ଭଲ ପାଇ ବସେ ଏହା ପରେ ତା’ର ସ୍ୱପ୍ନ ଏକ ସମ୍ଭାବିତ ଲକ୍ଷ୍ୟରେ ପାର୍ଥିବତାକୁ ଅପାର୍ଥିବ ଆନନ୍ଦ ଲୋକରେ ରୂପାନ୍ତରିତ କରେ କିନ୍ତୁ କବିର ସୀମିତ ସାମର୍ଥ୍ୟ ତଥା ସଂସାରର ବ୍ୟବସାୟୀତ୍ମିକା ବୁଦ୍ଧିର ଚତୁର ଷଡ଼ଯନ୍ତ୍ରରେ କବିର କଳ୍ପନା ଲୟ ହଜାଇ ଦିଏ । ଏହି ଅକ୍ଷମତା ଓ ସୀମିତ ବାସ୍ତବତାକୁ ସ୍ୱୀକାର କରି ପୁଣି ସେ ଫେରି ଆସେ ତାର ଉଷର ଇଲାକା ସେହି ନୈରାଶ୍ୟର ଭୂମି ଉପରକୁ, କୁଟୁମ୍ବୀ ଜନଭଳି ହନ୍ତ ସନ୍ତ ଦିନ ଭିତରକୁ, ସଂଗ୍ରାମ ଭୂମିରେ ଅଶ୍ୱବତ୍ ପାଦ ପକେଇ ଉତ୍ତପ୍ତ ମରୁ ଇଲାକା ପାରି ହେବାକୁ... କେବଳ ଶେଷ ଆଶା ନିଜରର ଚିତାଗ୍ନିରେ କେହି ଯଦି ଟିକିଏ ଆଲୁଅ ପାଇ ହଜିଲା ପଥକୁ ଖୋଜିପାଏ... ସେତିକି ଯଥେଷ୍ଟ...ସେତିକିରେ ସାର୍ଥକତା । ଅନ୍ୟ କାହା ପ୍ରେମରେ ତନ୍ମୟ ହୋଇ ସେ ହଠାତ୍ କେତେବେଳେ ଇହ ଜଗତରୁ ତା’ର କଳ୍ପିତ ଜଗତକୁ ଚାଲି ଯାଇଥାଏ । ସେହି ଜଗତର ବିଶ୍ୱାସଟିଏ ସୃଷ୍ଟି କରିବାକୁ ସେତ ଯେମିତି ଏତେ ଯନ୍ତ୍ରଣା, ଏତେ ନୈରାଶ୍ୟକୁ ଆପଣାର କରି ନେଇଥିଲା ଆଉ ପ୍ରକାଶ କରିଗଲା ତା’ର କବିତାରେ... ନୈରାଶ୍ୟ ବୋଧରେ ।

 

ଛାୟାପଥ

ନୟାଗଡ଼, ପୁରୀ

***

 

ତାଳପତ୍ର ପୋଥିରେ ଓଡ଼ିଆ ଲିପିର ବିବର୍ତ୍ତନ

ଶ୍ରୀ ନୀଳମଣି ମିଶ୍ର

 

ଓଡ଼ିଶାରେ ତାଳପତ୍ର ପୋଥିର ପ୍ରଚଳନ କେବେ ହେଲା ସେ ସମ୍ବନ୍ଧରେ ସଠିକ୍ ବିବରଣଣୀ ଦେବା ଆଦୌ ସମ୍ଭବ ନୁହେଁ । ତଥାପି ସେ ସମ୍ପର୍କରେ କେତେକ ଅନୁମାନ କରାଯାଇପାରେ ।

 

ଓଡ଼ିଶାର ଶିଳାଲିପିମାନଙ୍କରେ ସର୍ବ ପ୍ରଥମେ ବ୍ରାହ୍ମୀ ଲିପି ବ୍ୟବହୃତ ହୋଇଛି । କେବଳ ଓଡ଼ିଶାରେ କାହିଁକି, ସର୍ବଭାରତୀୟ ସ୍ତରରେ ଅଶୋକଙ୍କ ଦ୍ୱାରା ପ୍ରଦତ୍ତ ଦାନପତ୍ରମାନଙ୍କରେ ବ୍ରାହ୍ମୀ ଲିପି ବ୍ୟବହୃତ ହୋଇଥିବାର ପ୍ରମାଣ ମିଳୁଛି । ଓଡ଼ିଶାରେ ଅଶୋକଙ୍କର ଯେଉଁ ଦୁଇ ଗୋଟି ଶିଳାଲେଖ ମିଳେ, ସେଥି ମଧ୍ୟରୁ ଗୋଟିଏ ଭୁବନେଶ୍ୱରର ଉପକଣ୍ଠରେ ଥିବା ଧଉଳିର ଶିଳାଲେଖ ଓ ଜଉଗଡ଼ (ଗଞ୍ଜାମ ଜିଲ୍ଲା) ଶିଳାଲେଖଟି ଦ୍ୱିତୀୟ ଲେଖ ରୂପେ ବିବେଚିତ ହୁଏ । ଉଭୟ ଶିଳାଲେଖରେ ଯେଉଁ ଲିପି ବ୍ୟବହୃତ ହୋଇଛି, ସେହି ଲିପି ସାଞ୍ଚି, ଗିର୍‌ନାର୍ ଓ ସାହାଓ୍ୱାଜ୍‌ଗଡ଼ି ପ୍ରଭୃତିରେ ଖୋଦିତ ହୋଇଥିବାର ଦେଖାଯାଏ ।

 

ତତ୍‌ପରବର୍ତ୍ତୀ କାଳରେ ଅର୍ଥାତ୍ ଖ୍ରୀ.ପୂ ପ୍ରଥମ ଶତାବ୍ଦୀରେ ଖାରବେଳ ଯେଉଁ ଶିଳାଲେଖ ଉଦୟଗିରିରେ ଖୋଦନ କରାଇଥିଲେ, ତାହା ମଧ୍ୟ ବ୍ରାହ୍ମୀ ଲିପିରେ ଲେଖା ଯାଇଥିଲା । ଉଭୟ ଅଶୋକଙ୍କ ଶିଲାଲେଖ ଓ ଖାରବେଳଙ୍କୁ ଶିଳାଲେଖ ବ୍ରାହ୍ମୀ ଲିପିରେ ଖୋଦନ କରାଯାଇ ଥିବାରୁ, ସେ ସମୟରେ ଏ ଅଞ୍ଚଳରେ ବ୍ରାହ୍ମୀ ଲିପିର ପ୍ରଚଳନ କରାଯାଉଥିବାର ଅନୁମାନ କରାଯାଏ ।

 

ଐର ଖାରବେଳଙ୍କ ପରେ ପରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଇତିହାସ ଅନ୍ଧକାରାଚ୍ଛନ୍ନ ହୋଇଥିବାରୁ, ସେ ସମୟରେ ଓଡ଼ିଶାରେ କେଉଁ ଲିପିର ପ୍ରଚଳନ ଥିଲା, ତାହା କହିବା ସମ୍ଭବ ନୁହେଁ ।

 

ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀଠାରୁ ଆରମ୍ଭ କରି ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ମାଠର, ଶୈଳୋଦ୍‌ଭବ, ଭୌମକର, ଭଞ୍ଜ ଓ ସୋମବଂଶୀୟ ରାଜାମାନେ ବହୁ ଦାନପତ୍ର ପ୍ରଦାନ କରିଛନ୍ତି । ସେଗୁଡ଼ିକ ମଧ୍ୟରୁ ବହୁ ସଂଖ୍ୟକ ତାମ୍ରଲେଖ ଆଲୋଚକମାନଙ୍କ ହସ୍ତଗତ ହୋଇଛି । ସେହି ଶିଳାଲେଖ ଓ ତାମ୍ରଲେଖଗୁଡ଼ିକ ମଧ୍ୟରୁ ଅଧିକାଂଶ ପ୍ରଶସ୍ତି ମୂଳକ ଲେଖ ବୋଲି ଜଣାଯାଏ ।

 

ଏଠାରେ ଗୋଟିଏ ବିଷୟ ଅନୁମାନ କରାଯାଇ ପାରେ ଯେ, ଶିଳାଲେଖ ହେଉ କିମ୍ବା ତାମ୍ରଲେଖ ହେଉ, ସେଗୁଡ଼ିକରେ ଯେଉଁ ପ୍ରଶସ୍ତି ଲେଖା ଯାଉଥିଲା, ସେଗୁଡ଼ିକ କୌଣସି ବିଦ୍ୱାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିଲା । ପ୍ରଶସ୍ତିକାରର ଖୁବ୍ ସମ୍ଭବତଃ ସେଗୁଡ଼ିକୁ ଲେଖି ରାଜାଙ୍କ ଦ୍ୱାରା ଅନୁମୋଦନ କରାଇ ନେଉଥିଲେ ଏବଂ ତତ୍ପରେ ତାହାକୁ ଖୋଦନ କରିବା ପାଇଁ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଅର୍ପଣ କରାଯାଉଥିଲା । ତେଣୁ ଅନୁମାନ କରାଯାଏ ଯେ, ପ୍ରଶସ୍ତିକାର ପ୍ରଥମେ ତାଳପତ୍ର ଉପରେ ଲୁହାର ଲେଖନୀ ସାହାଯ୍ୟରେ ପ୍ରଶସ୍ତିଟି ଲେଖି ପୃଷ୍ଠେପାଷକଙ୍କୁ ଦେଖାଉଥିଲେ ଏବଂ ତାହା ରାଜାଙ୍କ ଦ୍ୱାରା ଅନୁମୋଦିତ ହେବାପରେ ଖୋଦନକାରଙ୍କୁ ତାମ୍ରଫଳକ ବା ପାଷାଣଖଣ୍ଡ ଉପରେ ଖୋଦନ କରିବା ଲାଗି ଦିଆ ଯାଉଥିଲା।

 

ଡକ୍ଟର ସତ୍ୟନାରାୟଣ ରାଜଗୁରୁ ମଧ୍ୟ ଅନୁମାନ କରନ୍ତି ଯେ, ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ଗୋଟିଏ ଅଭିଲେଖ ପ୍ରଥମେ ତାଳପତ୍ର ଲେଖାରୁ ନକଲ କରାଯାଇଥିଲା । ଆହୁରି ମଧ୍ୟ ଜଣାଯାଏ ଯେ, ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରୁ ଓଡ଼ିଶାରେ ମନ୍ଦିର ନିର୍ମାଣର ପରିପାଟୀ ଆରମ୍ଭ ହୋଇଥିଲା । ମନ୍ଦିର ନିର୍ମାଣ କ୍ଷେତ୍ରରେ ମଧ୍ୟ ଅନୁରୂପ ଅନୁମାନ କରାଯାଇ ପାରେ । ମୁଖ୍ୟଶିଳ୍ପୀ ପ୍ରସ୍ତାବିତ ମନ୍ଦିରର ଏକ ନକ୍‌ସା ତାଳପତ୍ରରେ ପ୍ରସ୍ତୁତ କରି ପୃଷ୍ଠପୋଷକ ରାଜାଙ୍କୁ ପ୍ରଥେମ ଦେଖାଉଥିବେ ଏବଂ ତାଙ୍କଦ୍ୱାରା ଅନୁମୋଦିତ ହେବା ପରେ, ସେହି ଶୈଳୀରେ ମନ୍ଦିର ନିର୍ମାଣ କରୁଥିବେ । ତେଣୁ ଅନୁମାନ କରାଯାଏ ଯେ, ଖ୍ରୀଷ୍ଟୀୟ ଷଷ୍ଠ ଓ ସପ୍ତମ ଶତାବ୍ଦୀ ବେଳକୁ ବିଧିବଦ୍ଧ ଭାବରେ ତାଳପତ୍ର ଉପରେ ଲେଖନ କାର୍ଯ୍ୟ ଆରମ୍ଭ ହୋଇଥିଲା ।

 

ବର୍ତ୍ତମାନ ମନରେ ସ୍ୱତଃ ପ୍ରଶ୍ନ ଉଠେ- ସେ ସମୟରେ କେଉଁ ଲିପିରେ ତାଳପତ୍ର ଉପରେ ଲେଖା ଯାଉଥିଲା । ଏ’ସମ୍ବନ୍ଧରେ ବିଚାର କରିବା ମୁହୂର୍ତ୍ତରେ ତାଳପତ୍ରର ପ୍ରାକୃତିକ ଗଠନ ସମ୍ପର୍କରେ ଧାରଣା କରିବା ଏକାନ୍ତ ଆବଶ୍ୟକ ।

 

ବର୍ତ୍ତମାନ ଯେଉଁ ହଜାର ହଜାର ସଂଖ୍ୟକ ତାଳପତ୍ର ପୋଥି ଆମେ ଦେଖିବାକୁ ପାଉଥାଇଁ, ସେଥିରେ ଗୋଲାକାର ଲିପି ଖୋଦନ ଅପେକ୍ଷାକୃତ ସହଜ ବୋଲି ମନେହୁଏ । ତାଳପତ୍ର ଉପରରେ ବଙ୍ଗଳା, ଦେବନାଗରୀ ପ୍ରଭୃତି ଲିପିର ଖୋଦନ ଯେ ହୋଇନାହିଁ, ତା’ନୁହେଁ, କିନ୍ତୁ ଦକ୍ଷିଣ ଭାରତର ଚାରୋଟି ଯାକ- ତେଲଗୁ, ତାମିଲ, କନ୍ନଡ଼ ଓ ମଲୟାଲମ ଲିପି ତଥା ଓଡ଼ିଆ ଲିପିରେ ଖୋଦିତ ତାଳପତ୍ର ପୋଥିର ସଂଖ୍ୟା ଭାରତରେ ସର୍ବାଧିକ । ବିଶେଷତଃ ଓଡ଼ିଆ ଲିପିଖୋଦିତ ତାଳପତ୍ର ପୋଥିର ସଂଖ୍ୟା ଲକ୍ଷାଧିକ ବୋଲି ସରକାରୀ ସର୍ବେକ୍ଷଣରୁ ଅନୁମିତ ହୁଏ-

 

ଉତ୍ତର ଭାରତରେ ପ୍ରଚଳିତ ପ୍ରସିଦ୍ଧ ଲିପି ଦେବନାଗରୀ ଓ ପୂର୍ବଭାରତରେ ପ୍ରଚଳିତ ବଙ୍ଗଳା ଲିପିରେ ଶିରୋରେଖା ରହିଥିବାରୁ, ତାଳପତ୍ର ଉପରେ ସେହି ଲିପି ଖୋଦନ କରାଯାଇ ପାରେ ନାହିଁ । ଏହି ଲିପି ଦୁଇଟି ତାଳପତ୍ର ଉପରେ ଖୋଦନ କରାଯିବା ଏକାନ୍ତ ଅସମ୍ଭବ ନ ହେଲେ ମଧ୍ୟ ଆଦୌ ସହଜସାଧ୍ୟ ନୁହେଁ ।

 

ଲୁହା ଲେଖନୀରେ ଗୋଲାକାର ଲିପିର ଖୋଦନ ଅତ୍ୟନ୍ତ ସହଜ ହୋଇଥିବାରୁ, ତାଳପତ୍ର ଉପରେ ଦେବନାଗରୀ କିମ୍ବା ବଙ୍ଗଳା ଲିପିରେ ଖୋଦିତ ପୋଥିଠାରୁ ଓଡ଼ିଆ ଲିପିରେ ଖୋଦିତ ପୋଥି ସଂଖ୍ୟା ବହୁଗୁଣରେ ଅଧିକ । ବେଦ, ପୁରାଣ, ତତ୍ତ୍ୱ, ଦର୍ଶନ, ଜ୍ୟୋତିଷ ଓ ଧର୍ମଶାସ୍ତ୍ର ଆଦି ବିଷୟମାନ ତାଳପତ୍ର ପୋଥିରେ ଓଡ଼ିଆ ଲିପିର ବିବର୍ତ୍ତନ ।

 

ତାଳପତ୍ରରେ ଲିଖିତ ହୋଇ ଓଡ଼ିଶାର ମଠ, ମନ୍ଦିର, ବ୍ରାହ୍ମଣଶାସନ ତଥା ରାଜା, ମହାରାଜା ଓ ଜମିଦାରମାନଙ୍କ ଗୃହରେ ସଂରକ୍ଷିତ ହୋଇଛି ।

 

ତାଳଗଛରୁ ପତ୍ର କାଟିଆଣି ସଙ୍ଗେ ସଙ୍ଗେ ତା’ ଉପରେ ଓଡ଼ିଆ ଲିପି ଖୋଦନ କରାଯାଇ ପାରେ ନାହିଁ । ପତ୍ରଗୁଡ଼ିକୁ ପାରମ୍ପରିକ ରୀତିରେ ସଂରକ୍ଷଣ କରାଯିବା ପରେ, ଗୋଟିଏ ଗୋଟିଏ ଖେଦା ବା ସଞ୍ଚା ପ୍ରସ୍ତୁତ କରାଯାଏ । ପୋଥିର ବିଷୟବସ୍ତୁ ଅନୁସାରେ ସଞ୍ଚାର ଆକାର ପ୍ରସ୍ତୁତ ହୁଏ ଏବଂ ଲେଖନକାରମାନେ ତଳେ ବସି ଦୁଇ ଆଣ୍ଠୁ ଉପରେ ସଞ୍ଚାଟିକୁ ବାମ ହସ୍ତରେ ଧରି ଡାହାଣ ହସ୍ତରେ ଲେଖନୀ ଚାଳନ କରନ୍ତି ।

 

ତାଳପତ୍ର ଉପରେ ଲେଖନୀ ଚାଳନା କରିବା ସମୟରେ ଲିପିକାର ନିବିଷ୍ଟ ଚିତ୍ତରେ ଲେଖନ କାର୍ଯ୍ୟ ଚଳାଇଥାଏ । ଅନ୍ୟଥା ଗୋଟିଏ ପ୍ରମାଦପୂର୍ଣ୍ଣ ଲିପି ଖୋଦିତ ହୋଇଗଲେ, ତାହା ଲିଭାଇ ହୁଏ ନାହିଁ । ଏହାର ଅର୍ଥ ନୁହେଁ ଯେ ତାଳପତ୍ରରେ ଯେଉଁ ପାଠ ଲେଖାଯାଏ ସେଥିରେ ଆଦୌ ପ୍ରମାଦ ରହେ ନାହିଁ । ସାବଧାନତା ସତ୍ତ୍ୱେ ସେଥିରେ ଭୁଲ୍ ହୋଇଗଲେ ଲିପିକାର, ପ୍ରମାଦଯୁକ୍ତ, ଅକ୍ଷରର ମଧ୍ୟ ଭାଗରେ ଗୋଟିଏ ବିନ୍ଦୁଦେଇ, ସେଗୁଡ଼ିକ ପ୍ରମାଦପୂର୍ଣ୍ଣ ଅକ୍ଷର ବୋଲି ସୂଚାଇ ଦେଇଥାଏ । ଆଜିକାଲି ଆମେମାନେ ପ୍ରମାଦପୂର୍ଣ୍ଣ ଅକ୍ଷରଗୁଡ଼ିକର ମଧ୍ୟ ଭାଗରେ ଯେପରି ଗାର ପକାଇ ତାହା ଭୁଲ୍ ବୋଲି ସୂଚାଇ ଦେଉଥାଇଁ, ତାହା ତାଳପତ୍ରରେ ଅନୁସୃତ ହୁଏନାହିଁ । ଅକ୍ଷରର ମଧ୍ୟଭାଗରେ ଗାର କାଟିଦେଲେ ପତ୍ରଟି ସେହିଠାରୁ ଫାଟିଯିବାର ସମ୍ଭବାନ ଥାଏ । ତେଣୁ ଲିପିକାର ପତ୍ର ଉପରେ ଦୃଷ୍ଟି ନିବଦ୍ଧ ରଖି ଲିପିଖୋଦନ କରିଥାଏ ।

 

ତାଳପତ୍ର ଉପରେ ଲିପି ଖୋଦନ କାର୍ଯ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର ହୋଇଥିବାରୁ, ନକଲକାରମାନେ ପୋଥିଟିକୁ ପୁତ୍ରପରି ଯତ୍ନରେ ସାଇତି ରଖିବା ଳାଗି ଗ୍ରନ୍ଥର ସଂଗ୍ରାହକମାନଙ୍କୁ ଗୋଟିଏ ଶ୍ଲୋକ ଦ୍ୱାରା ଅନୁରୋଧ କରିଥିବାର ଦେଖାଯାଏ । ସେହି ଶ୍ଳୋକଟି ହେଉଛି –

 

‘‘ଭଗ୍ନପୃଷ୍ଠଃ କଟିଗ୍ରୀବଃ ତୁଲ୍ୟଦୃଷ୍ଟି ରଧୋ ମୁଖଃ

ଦୁଃଖେନ ଲିଖିତଂ ଗ୍ରନ୍ଥଂ ପୁତ୍ରବତ୍ ପରିପାଳୟେତ୍ ।’’

 

ଲିପିକାରମାନେ ପୋଥି ଲେଖିବାର ଦୁର୍ବହ କଷ୍ଟ ସମ୍ପର୍କରେ ଜଣାଇବା ସଙ୍ଗେ ସଙ୍ଗେ ଲିପି ଖୋଦନର ଦୋଷ ପରିହାର କରିବା ନିମିତ୍ତ ଜିଜ୍ଞାସୁ ପାଠକମାନଙ୍କୁ ମଧ୍ୟ ନିବେଦନ କରିଥିବାର ପରମ୍ପରା ପୋଥି ଗୁଡ଼ିକରେ ଦେଖିବାକୁ ମିଳେ । ସେହି ଶ୍ଳୋକଗୁଡ଼ିକ ହେଉଛି-

 

‘‘ଭୀମସ୍ୟାପି ରଣେ ଭଙ୍ଗୋ ମୁନେ ରପି ମତିଭ୍ରମଃ

ଯଦି ଶୁଦ୍ଧମଶୁଦ୍ଧଂ ବା ମମ ଦୋଷୋ ନ ବିତ୍ୟତେ ।’’

 

X            X            X

 

ଅଜ୍ଞଚିତ୍ତ ବିକ୍ଷେପା ଦଥବା ଲିପିଦୋଷତଃ ।

ଅଶୁଦ୍ଧଂ ଯନ୍ମୟାଲେଖି ତତ୍ କ୍ଷମନ୍ତୁ ମନୀଷିଣଃ ।।

 

X            X            X

 

‘‘ବର୍ଣ୍ଣବିନ୍ଦୁ ବିସର୍ଗାଣାଂ ନ୍ୟୁନାଧିକତୟାସ୍ଫୁଟମ୍ ।

ଶବ୍ଦାର୍ଥୋ ଭେଦମାପ୍ନୋତି ତସ୍ମାଦ୍ ବୁଦ୍ଧ୍ୱା ପଠେନ୍ନରଃ’’ ।।

 

ଏହା ବ୍ୟତୀତ ଲିପିକାର ଆଉ ଗୋଟିଏ ଶ୍ଳୋକ ଲେଖି ନିଜର ପ୍ରମାଦ ସମ୍ପର୍କରେ ପାଠକମାନଙ୍କଠାରୁ କ୍ଷମା ପାଇବାର ଦାବି ଜଣାଇ ଥାଆନ୍ତି । ସେ ଶ୍ଳୋକଟି ହେଉଛି –

 

‘‘ଗ୍ରନ୍ଥକର୍ତ୍ତା ସ୍ୱୟଂ ବ୍ୟାସୋ ଲେଖବସ୍ତୁ ବିନାୟକଃ ।

ତୟୋର୍ବିଚଳିତା ବୁଦ୍ଧି ମନୁଷ୍ୟଣଂ ଚ କା କଥ’’ ।।

 

ଏହିପରି ଭାବରେ ଲିପିକାର ପୋଥିର ପୁଷ୍ପିକାରେ କେତୋଟି ଶ୍ଳୋକ ଲେଖି ନିଜ ପରିଶ୍ରମ ତଥା ଭ୍ରମ ପ୍ରମାଦ ଲାଗି ପ୍ରତ୍ୟକ୍ଷ ଓ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଥାଆନ୍ତି ।

 

ଓଡ଼ିଶାର ବିଭିନ୍ନ ସ୍ଥାନରୁ ସଂଗୃହୀତ ହୋଇ ପ୍ରାୟ ପଚାଶ ହଜାର ତାଳପତ୍ର ପୋଥି ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ତାଳପତ୍ର ପୋଥି ଭଣ୍ଡାରରେ ସଂଗୃହୀତ ହୋଇ ରହିଛି । ଏହି ପୋଥିଗୁଡ଼ିକ ମଧ୍ୟରେ ‘ଅଭିନବ ଗୀତ ଗୋବିନ୍ଦ’ ଶୀର୍ଷକ ପୋଥିଟି ନକଲ ଦୃଷ୍ଟିରୁ ପ୍ରାଚୀନତମ ବୋଲି ମନେ ହୁଏ । ଉକ୍ତ ପୋଥିରେ ଯେଉଁ ପୁଷ୍ପିକାଟି ରହିଛି, ସେଥିରୁ ଜଣାଯାଏ ଯେ, ଲେଖନକାର.......ପୁରୁଷୋତ୍ତମଦେବ ଗଜପତିଙ୍କ...... ଅଙ୍କ ଅର୍ଥାତ୍ ଖ୍ରୀଷ୍ଟାବ୍ଦ ୧୪୯.... ରେ ପୋଥିଟିକୁ ନକଲ କରିଥିଲେ । ଅଭିନବ ଗୀତଗୋବିନ୍ଦ ପୋଥିରେ ନକଲକାର ଶ୍ରୀଧର ଶର୍ମା ଆଜିକାଲି ପ୍ରଚଳିତ ଓଡ଼ିଆ ଲିପି ବ୍ୟବହାର କରିଥିଲେ ହେଁ ଅ, ଆ, ଇ, ଈ ପ୍ରଭୃତି କେତେଗୁଡ଼ିଏ ସ୍ୱରବର୍ଣ୍ଣ ତଥା କ, ଧ ଓ ହ ପ୍ରଭୃତି କେତେକ ବ୍ୟଞ୍ଜନ ଓ ଅନ୍ତ୍ୟବର୍ଣ୍ଣର ବ୍ୟବହାରରେ ପାର୍ଥକ୍ୟ ଦେଖାଇଛନ୍ତି । ତଦ୍‌ବ୍ୟତିତ ତତ୍କାଳୀନ ଲିପିକାରଙ୍କ ମଧ୍ୟରେ ସଂଯୁକ୍ତ ବର୍ଣ୍ଣର ବିବିଧତା ପରିଲକ୍ଷିତ ହୋଇଥିଲା, ତା’ର ଉଦାହରଣ ମଧ୍ୟ ପ୍ରସ୍ତୁତ ପୋଥିରେ ଦେଖିବାକୁ ମିଳୁଛି ।

 

ପୋଥିରେ ବ୍ୟବହୃତ ପ୍ରାଚୀନ ଅକ୍ଷରଗୁଡ଼ିକର ବ୍ୟବହାର ସମ୍ବନ୍ଧରେ ଚିନ୍ତାକଲେ ଏତିକି ଅନୁମାନ କରିହୁଏ ଯେ, ଲେଖନକାର ଲୁହାର ଲେଖନୀଟିକୁ ଚଳାଇବାର ସୁବିଧା ଦୃଷ୍ଟିରୁ ନୂତନ ବର୍ଣ୍ଣମାଳା ସୃଷ୍ଟି କରିଛନ୍ତି ।

 

ମାତ୍ର ବ୍ୟବହାର କ୍ଷେତ୍ରରେ ମଧ୍ୟ ପ୍ରାଚୀନ ପୋଥିର ନକଲକାରମାନେ ଅନୁରୂପ ଉପାୟ ଅବଲମ୍ବନ କରିଥିବାର ଦୃଷ୍ଟାନ୍ତ ମିଳେ । ବିଶେଷତଃ ଆକାର ମ । ସଂଯୋଗ କଲାବେଳେ ସେମାନେ ସାଧାରଣତଃ ‘ଯ’ ଫଳାଟିଏ ଦେଇଥିବାର ପ୍ରମାଣ ଅଧିକାଂଶ କ୍ଷେତ୍ରରେ ଦେଖାଯାଏ । ଏହାର କାରଣ ସ୍ୱରୂପ ଏତିକି କୁହାଯାଇ ପାରେ ଯେ, ନକଲକାର ସିଧାସଳଖ ଆକାରଟିଏ ଯୋଗ କଲେ କାଳେ ପୋଥିର ପତ୍ରଟି କଟିଯିବ, ସେହି ଭୟରେ ‘ଯ ଫଳା’ ଟିଏ ଲେଖି ଆକାର ମାତ୍ରାକୁ ସୂଚାଇଛନ୍ତି । ଆଉ କେତେକ କ୍ଷେତ୍ରେ ‘ଯଫଳା’ଟି ‘ବଫଳା’ ରୂପେ ବ୍ୟବହୃତ ହୋଇଥାଏ । ଏହି ‘ଯ ଫଳା’ଟିକୁ ମଧ୍ୟ ଅନେକ ସ୍ଥଳରେ ସଂପୃକ୍ତ ଅକ୍ଷର ସହିତ ମିଶାଇ ଲେଖାଯାଇ ଥିବାର ଦୃଷ୍ଟାନ୍ତ ବିରଳ ନୁହେଁ । ଉଦାହରଣ ସ୍ୱରୂପ ଖ୍ୟ, ଣ୍ୟ, ଧ୍ୟ,ଦ୍ୟ, ମ୍ୟ, କ୍ଷ୍ୟ ଆଦି ବର୍ଣ୍ଣରେ ଯଫଳା ଆଦୌ ପୃଥକ୍ ରୂପେ ବ୍ୟବହାରା କରା ନ ଯାଇ, ସଂପୃକ୍ତ ବର୍ଣ୍ଣ ସହିତ ମିଶି କରି ରହିଥାଏ ।

 

ଓଡ଼ିଆ ଭାଷାରେ ଲିଖିତ ପୋଥିରେ ବର୍ଣ୍ଣଶୁଦ୍ଧି ଯେଉଁ ପରିମାଣରେ ଦେଖାଯାଏ, ସାଧାରଣତଃ ସଂସ୍କୃତ ଭାଷାରେ ଲିଖିତ ପୋଥିରେ ସେ ଧରଣର ବର୍ଣ୍ଣାଶୁଦ୍ଧି ପ୍ରାୟ ପରିଲକ୍ଷିତ ହୁଏ ନାହିଁ । କାରଣ ସଂସ୍କୃତଜ୍ଞ ବିଦ୍ୱାନମାନେ ସଂସ୍କୃତର କାବ୍ୟ, ବ୍ୟାକରଣ, ଅଳଙ୍କାର ଓ ଦର୍ଶନାଦି ବିଷୟ ଲେଖିଥିବାରୁ, ସେମାନଙ୍କ ଲେଖାରେ ବର୍ଣ୍ଣାଶୁଦ୍ଧି ପ୍ରାୟ ଦେଖିବାକୁ ମିଳେ ନାହିଁ । କିନ୍ତୁ ସ୍ୱର ‘ଋ’ ଓ ଦୀର୍ଘ ‘ଋ’ ର ବ୍ୟବହାର କ୍ଷେତ୍ରରେ ଉଭୟ ସଂସ୍କୃତ ପୋଥିର ନକଲକାର ଓ ଓଡ଼ିଆ ପୋଥିର ଲିପିକାର ଏକ ପ୍ରକାର ପ୍ରମାଦ କରିଛନ୍ତି । ସେ ରୂ ଓ ରୁ ବ୍ୟବହାର ନ କରି ପ୍ରାୟ ସର୍ବତ୍ର ସ୍ୱର ‘ଋ’ ଓ ଦୀର୍ଘ ‘ଋ’ର ବ୍ୟବହାର କରିଛନ୍ତି । ଉଦାହରଣ ସ୍ୱରୂପ ‘ଋଷି’ ଓ ‘ରୁଚି’ ପାଇଁ ସେମାନେ କେବଳ ସ୍ୱର ଋ ଓ ‘ରୂପ’ ଶବ୍ଦର ପ୍ରଥମ ଅକ୍ଷର ରୂପେ ସେମାନେ ଦୀର୍ଘ ‘ଋ’ ବ୍ୟବହାର କରିଛନ୍ତି ।

 

ହ୍ରସ୍ୱ ଇ କାର ଓ ଦୀର୍ଘ ଈ କାର ବ୍ୟବହାର କ୍ଷେତ୍ରରେ ସଂସ୍କୃତ ଓ ଓଡ଼ିଆ ଲିପିକାରମାନେ ପ୍ରାୟ ସମାନ ଧରଣର ପ୍ରୟାସ କରିଛନ୍ତି ଅର୍ଥାତ୍ ବର୍ଣ୍ଣ ସହିତ ମିଶାଇ ସେମାନେ ଇ ଓ ଈ ମାତ୍ରାଟି ବ୍ୟବହାର କରିଛନ୍ତି । ଠିକ୍ ସେହି ନୀତି ସେମାନେ ଉ ଓ ଊ ମାତ୍ରାର ବ୍ୟବହାର କ୍ଷେତ୍ରରେ ଅନୁସରଣ କରିଥିବାର ଦେଖାଯାଏ ।

 

ପ୍ରାଚୀନ ପାଠ୍ୟକ୍ରମରେ ଲୁ ନାମରେ ଗୋଟିଏ ସ୍ୱତନ୍ତ୍ର ସ୍ୱରବର୍ଣ୍ଣର ପ୍ରଚଳନ ଥିଲା । ତାହା ଆଜିକାଲିର ମୁଦ୍ରିତ ପୁସ୍ତକରେ ଆଦୌ ପରିଲକ୍ଷିତ ହେଉଥିବାର ଜଣାଯାଏ ନାହିଁ । କିନ୍ତୁ ଅନେକ ପୋଥି ଲେଖାଳୀ ‘ଲୁ’ ପରିବର୍ତ୍ତେ ପ୍ରାଚୀନ ପଦ୍ଧତି ଅନୁସାରେ ସ୍ୱର ଲୁ ଟିକୁ ବ୍ୟବହାର କରିଛନ୍ତି ।

 

ସ୍ୱରବର୍ଣ୍ଣ ଅପେକ୍ଷା ବ୍ୟଞ୍ଜନବର୍ଣ୍ଣ ଓ ଅନ୍ତ୍ୟବର୍ଣ୍ଣର ବ୍ୟବହାରରେ ପୋଥି ଲେଖନକାରମାନେ ଅଧିକ ବିବର୍ତ୍ତନର ସୂଚନା ଦିଅନ୍ତି । ପୋଥିରେ କ, ତ, ଧ, ର ଏବଂ ହ ଅକ୍ଷରଗୁଡ଼ିକୁ ଆଧୁନିକ ବର୍ଣ୍ଣମାନ ସହିତ ପରିଚିତ ବ୍ୟକ୍ତି କେବେହେଲ ଚିହ୍ନି ପାରିବେ ନାହିଁ । କାରଣ ପୋଥିରେ ତା’ର ଆକୃତି ସଂପୂର୍ଣ୍ଣ ଭିନ୍ନ । ସଂଯୁକ୍ତବର୍ଣ୍ଣ କ୍ଷେତ୍ରରେ ମଧ୍ୟ ଅନେକ ବିବର୍ତ୍ତନର ସୂଚନା ମିଳେ ।

 

‘ତ’, ‘ତ୍ର’ ଏବଂ ‘ନ୍ତ’ର ଲେଖନୀ ପ୍ରଣାଳୀ କେତେକ ପୋଥିରେ ପ୍ରାୟ ସମାନ ଧରଣର ହୋଇଥାଏ । ପାଠକ କେବଳ ପୂର୍ବାପର ସଙ୍ଗତ ଅନୁସାରେ ତାହାକୁ ଭିନ୍ନ ଭିନ୍ନ ଅକ୍ଷର ରୂପେ ଚିହ୍ନିତ କରିଥାଏ ସେହିପରି ‘ତ୍ୟ’ ଓ ‘ତ୍ୱ’ ପାଇଁ ପୋଥିରେ ଦୁଇଟି ସ୍ୱତନ୍ତ୍ର ଅକ୍ଷର ସୃଷ୍ଟି କରାଯାଇଛି । ଉଭୟ ସଂସ୍କୃତ ଓ ଓଡ଼ିଆ ପୋଥିରେ ଏହି ଦୁଇଟିଯାକ ସ୍ୱତନ୍ତ୍ର ଅକ୍ଷର ବ୍ୟବହୃତ ହୋଇଛି । ତଦ୍‌ବ୍ୟତିତ ଦ୍‌ଗ, ଦ୍ଦ, କ୍ତ, କ୍ର, ମ୍ପ୍ର ପ୍ରଭୃତି ସଂଯୁକ୍ତାକ୍ଷର ବ୍ୟବହାରରେ ଲିପିକାରମାନେ ସ୍ୱତନ୍ତ୍ର ପଦ୍ଧତି ଅନୁସରଣ କରିଛନ୍ତି ।

 

ସଂସ୍କୃତି ପୋଥିମାନଙ୍କରେ ‘ଜ୍ଞ’ ଅକ୍ଷରଟି ଅବିକଳ ଭାବେ ବ୍ୟବହୃତ ହୋଇଥିଲେ ହେଁ ଓଡ଼ିଆ ପୋଥିରେ ତାହା ‘ଗ୍ୟଂ’ ରୂପେ ବ୍ୟବହୃତ ହୋଇଛି । ଏହିପରି ଭାବେ ଅନୁସନ୍ଧାନ କଲେ ପୋଥିରେ ବ୍ୟବହୃତ କେତୋଟି ବର୍ଣ୍ଣ ଆଧୁନିକ ବର୍ଣ୍ଣମାନ ସହିତ ଆଦୌ ସମାନ ନୁହେଁ ।

 

ଖ୍ରୀଷ୍ଟାବ୍ଦ ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ କଚେରୀରେ ଅନେକ ଲେଖନକାର ଆବଶ୍ୟକତା ଅନୁଭୂତ ହେଲା । ସେତେବେଳେ ଶୀଘ୍ର ଲିପିର ଆବିଷ୍କାର ହୋଇ ନଥିବାରୁ, ଲେଖକ ବା ଲିପିକାରମାନେ ଶୀଘ୍ର ଶୀଘ୍ର ଲେଖିବାର ଅଭ୍ୟାସ କଲେ । ଯାହାଫଳରେ ଓଡ଼ିଆ ବର୍ଣ୍ଣମାଳାରେ କେତୋଟି ସ୍ୱତନ୍ତ୍ର ଅକ୍ଷର ସୃଷ୍ଟି ହୋଇଥିଲା । ସେହି ଅକ୍ଷରଗୁଡ଼ିକ ‘କରଣି ଅକ୍ଷର’ ନାମରେ ପରିଚିତ ।

 

କେତେକଙ୍କ ମତରେ ଆମ ରାଜ୍ୟର କରଣମାନେ କଚେରୀରେ ମୋହରିର୍ ଭାବେ ଅଧିକ ସଂଖ୍ୟାରେ କାର୍ଯ୍ୟ କରୁଥିଲେ । ସେମାନେ ଯେଉଁ ଅକ୍ଷର ସୃଷ୍ଟି କରିଥିଲେ ତାହା ‘କରଣି’ ଅକ୍ଷର ନାମରେ ପରଚିତ ହେଲା । ଊନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ବିଂଶଶତାବ୍ଦୀର ପଞ୍ଚମଦଶକ ପର୍ଯ୍ୟନ୍ତ ସେହି ‘କରଣି ଅକ୍ଷର’ ନଥିପତ୍ରରେ ବ୍ୟବହୃତ ହୋଇ ଆସୁଥିଲା । ରାଜଦରକାର, ଜମିଦାରୀ ସିରସ୍ତା, ବଡ଼ ଦେଉଳ ପାଞ୍ଜି ପ୍ରକୃତି ବିଭିନ୍ନ ସ୍ଥାନରେ ଯେଉଁ ପୋଥିଗତ ବା କାଗଜପତ୍ର ବ୍ୟବହୃତ ହେଉଥିଲା, ସେଥିରେ କରଣି ଅକ୍ଷରରେ ନିର୍ଦ୍ଦିଷ୍ଟ ବିଷୟମାନ ଲେଖାଯାଇଛି । ଅବଶ୍ୟ ବିଶୁଦ୍ଧ କରଣୀରେ ଲିଖିତ କୌଣସି କାବ୍ୟ ସମ୍ବନ୍ଧୀୟ ପୁସ୍ତକ ଆମର ହସ୍ତଗତ ହୋଇ ନଥିଲେ ମଧ୍ୟ ପୋଥି ଶେଷରେ ଯେଉଁ ପୁଷ୍ପିକା (colophone) ରହିଛି, ସେଥିରେ କେତେକ ଲେଖନକାର ‘କରଣି ଅକ୍ଷର’ର ବ୍ୟବହାର କରିଛନ୍ତି । ତଦ୍‌ବ୍ୟତିତ ଗ୍ରାମ ଗୁଡ଼ିକ ସର୍ବେକ୍ଷଣ କରାଯାଇ ଯେଉଁ ‘ଭଉଁରିଆ’ ବା ଗ୍ରାମର ଜମିଜମା ସମ୍ବନ୍ଧୀୟ ବିବରଣୀ ରାଜା, ଜମିଦାର ବା ମଠ ମହନ୍ତମାନେ ପ୍ରସ୍ତୁତ କରିଥିଲେ, ସେଥିରେ ‘କରଣି ଅକ୍ଷର’ ବ୍ୟବହୃତ ହୋଇଛି । ଏହା ବ୍ୟତିତ ଦଲିଲ୍, ଦସ୍ତାବେଜ୍ ପଟ୍ଟା, ପାଉତି ଏବଂ କେତେକ ଜନ୍ମ ପତ୍ରିକା (ଜାତକ)ରେ ମଧ୍ୟ ‘କରଣି’ ଅକ୍ଷର ବ୍ୟବହୃତ ହୋଇଥିବାର ଦେଖାଯାଏ ।

 

ଏକ, ଦୁଇ, ତିନି ପ୍ରଭୃତି ଅଙ୍କ ବ୍ୟବହାର କ୍ଷେତ୍ରରେ ପୋଥି ଲେଖାଳୀମାନେ ଗୋଟିଏ ପ୍ରକାର ଭିନ୍ନ ଅଙ୍କ ବ୍ୟବହାର କରୁଥିଲେ । ସେହି ଅଙ୍କ ‘ବେଦାନ୍ତୀଅଙ୍କ’ ବା ‘ବ୍ରାହ୍ମଣିଆଅଙ୍କ’ ନାମରେ ପରିଚିତ । ପ୍ରାଚୀନ କାଳରେ ଏହି ‘ବାହ୍ମଣିଆ’ ଅଙ୍କ ପ୍ରାୟ ଅଧିକାଂଶ ପୋଥିରେ ସଂଖ୍ୟା ସୂଚକ ଭାବେ ଲେଖା ଯାଉଥିଲା; କିନ୍ତୁ ପରବତ୍ତୀ କାଳରେ ସେହି ‘ବେଦାନ୍ତୀ’ ଅଙ୍କ କେବଳ ସଂସ୍କୃତ ପୋଥିରେ ବ୍ୟବହୃତ ହୋଇଛି । ପୋଥିଗୁଡ଼ିକର ଅନୁଶୀଳନରୁ ଜଣାଯାଏ ଯେ, ଖ୍ରୀଷ୍ଟୀୟ ପଞ୍ଚଦଶ, ଷୋଡ଼ଶ (ପଞ୍ଚଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ସମୟରେ ନକଲ କରା ଯାଇଥିବା ପୋଥି ଏ ପର୍ଯ୍ୟନ୍ତ ଆମର ହସ୍ତଗତ ହୋଇନାହିଁ) ଏବଂ ସପ୍ତଦଶ ଶତାବ୍ଦୀରେ ନକଲ କରା ଯାଇଥିବା ନବେଭାଗ

 

 

ସଂସ୍କୃତ ପୋଥିରେ ତଥା କୋଡ଼ିଏ ତିରିଶ ଭାଗ ଓଡ଼ିଆ ପୋଥିରେ ‘ବେଦାନ୍ତୀ’ ଅଙ୍କ ବ୍ୟବହୃତ ହୋଇଛି । ତତ୍ପରବର୍ତ୍ତୀ ସମୟରେ ଓଡ଼ିଆ ପୋଥିରେ ପ୍ରାୟ ‘ବେଦାନ୍ତୀ’ ଅଙ୍କ ବ୍ୟବହାର କରାଯାଇ ନାହିଁ । କେବଳ ସଂସ୍କୃତ ପୋଥିରେ ‘ବେଦାନ୍ତୀ’ ଅଙ୍କ କେତେକ ପୋଥିରେ ଗ୍ରହଣ କରାଯାଇଛି।

 

କେତେକ ପୋଥିର ଲିପିକାରମାନେ ‘ବେଦାନ୍ତୀ’ ଅଙ୍କ ବ୍ୟବହାର କ୍ଷେତ୍ରରେ ବିଭିନ୍ନତା ଦେଖାଇଛନ୍ତି । ବିଶେଷତଃ ଦୁଇ, ତିନି, ପାଞ୍ଚ ଓ ଛଅ ସଂଖ୍ୟାଗୁଡ଼ିକ ସାଧାରଣତଃ ଦୁଇ ପ୍ରକାର ଥିବାର ଦେଖାଯାଏ ଏବଂ ସାତ ଓ ନଅ ମଧ୍ୟରେ କେତେକ ସ୍ଥଳରେ ସୌସାଦୃଶ୍ୟ ବା ଓଲଟ ପାଲଟ ହୋଇ ବ୍ୟବହୃତ ହୋଇଥାଏ।

 

ଶତାବ୍ଦୀ ଶତାବ୍ଦୀ ଧରି ପୋଥିର ବର୍ଣ୍ଣମାନ ଓ ଅଙ୍କ କ୍ଷେତ୍ରରେ ଯେଉଁ ପାର୍ଥକ୍ୟ ପରିଲକ୍ଷିତ ହୋଇ ଆସୁଅଛି, ତାହା ଧୀରେ ଧୀରେ ଆଧୁନିକ ପାଠୁଆମାନଙ୍କ ପକ୍ଷରେ ଅବୋଧ୍ୟ ହୋଇଉଠୁଛି-। ତେଣୁ ଆଧୁନିକ ଶିକ୍ଷିତମାନେ ହଠାତ୍ ତାଳପତ୍ର ପୋଥି ଖଣ୍ଡିଏ ସ୍ୱଚ୍ଛନ୍ଦତାର ସହିତ ପାଠ କରି ପାରୁନାହାନ୍ତି । ହୁଏତ ଦିନ ଆସିବ, ଯେତେବେଳେ ତାଳପତ୍ର ପୋଥି ଏକାବେଳେକେ ଦୁଷ୍ପାଠ୍ୟ ହୋଇ ଉଠିବ ।

 

ପ୍ରସ୍ତୁତ ପ୍ରବନ୍ଧରେ ଆଲୋଚିତ ପୋଥି ଅକ୍ଷରଗୁଡ଼ିକ ବିବର୍ତ୍ତନ ସମ୍ବନ୍ଧରେ କେତେକ ସୂଚନା ସ୍ୱତନ୍ତ୍ର ଭାବରେ ପରିଶିଷ୍ଟ ‘କ’ ଓ ‘ଖ’ରେ ପ୍ରଦତ୍ତ ହୋଇଛି । ଓଡ଼ିଶାର ବିଜ୍ଞ ପାଠକ ପାଠିକା ଏହା ଦ୍ୱାରା ତାଳପତ୍ର ପୋଥିରେ ପ୍ରଦତ୍ତ ଓଡ଼ିଆ ଲିପିର ବିବର୍ତ୍ତନ ସମ୍ପର୍କରେ ସମ୍ୟକ ଧାରଣା କରିପାରିବେ ।

 

କେଦାରନାଥ ଗବେଷଣା ପ୍ରତିଷ୍ଠାନ

ଭୁବେନଶ୍ୱର – ୨

***

 

ପଞ୍ଚସଖା ଓ ସନ୍ଥ କବୀର (ଏକ ଅଧ୍ୟୟନ)

ଶ୍ରୀ ଗଣନାଥ ଦାସ

 

ବିଗତ ପଞ୍ଚଦଶ ଓ ଶୋଢ଼ଷ ଶତାବ୍ଦୀରେ ପଞ୍ଚସଖା ଭକ୍ତ କବି ରୂପେ ଅଖ୍ୟାତ ଯେଉଁ ପାଞ୍ଚ ମହାନ୍ ଆଧ୍ୟାତ୍ମିକ, ଭକ୍ତକବିବୃନ୍ଦ ଆମ ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିଲେ, ସେମାନେ ବଳରାମ, ଅଚ୍ୟୁତ, ଜଗନ୍ନାଥ, ଯଶୋବନ୍ତ ଓ ଅନନ୍ତ ।

 

ସ୍ୱର୍ଗତଃ ପ୍ରଖ୍ୟାତ ଶିକ୍ଷାବିତ୍ ଶ୍ରୀଯୁକ୍ତ ଆର୍ତ୍ତବଲ୍ଲଭ ମହାନ୍ତି ଗବେଷଣା କରି ପଞ୍ଚସଖା ଭକ୍ତକବିଗଣଙ୍କର ଆବିର୍ଭାବ ସମୟ ଧାର୍ଯ୍ୟ କରିଥିବା ଜଣାଯାଏ । ତାଙ୍କ ମତରେ ବଳରାମଙ୍କ ଜନ୍ମ ପୁରୀଠାରେ ଖ୍ରୀ ୧୪୭୩ ରେ । ଅଚ୍ୟୁତ କଟକ ଜିଲ୍ଲାର ନେମାଳ ଠାରେ ଖ୍ରୀ.୧୪୮୨ ରେ, ଯଶୋବନ୍ତ କଟକ ଜିଲ୍ଲା ଅଢ଼ଙ୍ଗଠାରେ ଖ୍ରୀ ୧୪୮୭ ରେ, ଅନନ୍ତ ପୁରୀ ଜିଲ୍ଲା ବାଲିପାଟଣା ଠାରେ ଖ୍ରୀ ୧୪୯୩ ରେ ଓ ଜଗନ୍ନାଥ ପୁରୀ କପିଳେଶ୍ୱରପୁର ଶାସନଠାରେ ଖ୍ରୀ ୧୪୯୭ ରେ ।

 

ଏହି ତଥ୍ୟ ଅନୁଯାୟୀ ସେମାନଙ୍କର ଆବିର୍ଭାବ କାଳ ଖ୍ରୀ ୧୪୭୩ରୁ ୧୪୯୭ ଚବିଶ ବର୍ଷ ମଧ୍ୟରେ, ପୁରୀ ଗଜପତି ମହାରାଜା ପ୍ରତାପରୁଦ୍ରଙ୍କ ରାଜୁତି କାଳରେ ବୋଲି ଦେଖାଯାଏ ।

 

ବିଭିନ୍ନ କୁଳ ଓ ପରିବେଶରେ ସେମାନଙ୍କର ଜନ୍ମ ହୋଇଥିଲେ ହେଁ ସମସ୍ତେ ଆଧ୍ୟାତ୍ମିକ ଭାବରେ ଉଦ୍‌ବୁଦ୍ଧ ହୋଇ ମହାଲ ଆଧ୍ୟାତ୍ମିକ ପୀଠ ରୂପେ ପରିଗଣିତ ପୁରୁଷୋତ୍ତମ କ୍ଷେତ୍ର ପୁରୀଠାରେ କାଳକ୍ରମେ ଏକତ୍ରୀତ ହୋଇଥିଲେ । କ୍ରମଶଃ ପରସ୍ପର ପ୍ରତି ଆକୃଷ୍ଟ ହୋଇ ପରିଶେଷରେ ଏକ ସୁପରିଚିତ ଗୋଷ୍ଠିଭୁକ୍ତ ହୋଇଥିଲେ । ବୟସର ତାରତମ୍ୟ ସତ୍ତ୍ୱେ ପଞ୍ଚସଖା ରୂପେ ଗଣ୍ୟ ହୋଇଥିଲେ ।

 

ଉପେରାକ୍ତ ତଥ୍ୟ ଅନୁସାରେ ସେମାନଙ୍କ ମଧ୍ୟରେ ବଳରାମ ବୟୋଜ୍ୟେଷ୍ଠ ଓ ଜଗନ୍ନାଥ କନିଷ୍ଠ ଥିଲେ । ଜଗନ୍ନାଥ କୁଳୀନ ବ୍ରାହ୍ମଣ କୁଳରେ ଜନ୍ମଲାଭ କରିଥିଲେ ହେଁ, ଖଣ୍ଡାୟତ ବଂଶୋଦ୍ଭବ ବଳରାମ ଦାସଙ୍କଠାରୁ ପୁରୀଠାରେ ଦୀକ୍ଷା ଗ୍ରହଣ କରିଥିଲେ ବୋଲି ଜଣାଯାଏ । ଏହା ସେ କାଳର ରକ୍ଷଣଶୀଳ ପରମ୍ପରାର ଏକ ଉଗ୍ର ବ୍ୟତିକ୍ରମ ଏବଂ ଜଗନ୍ନାଥ ଦାସଙ୍କ ପକ୍ଷେ ମହାନ୍ ସାହସିକତାର ପରିଚାୟକ ।

 

ଗବେଷକମାନଙ୍କ ମତରେ ପଞ୍ଚସଖାଙ୍କ ଆବିର୍ଭାବ ବହୁ ପୂର୍ବରୁ ଉତ୍କଳରେ ବୌଦ୍ଧ ଓ ନାଥ ପନ୍ଥୀ ଧର୍ମ ଧାରା ପ୍ରସାର ଲାଭ କରିଥିଲା । ଏହା ସର୍ବଜନ ବିଦିତ ଯେ, କାଳକ୍ରମେ ସନାତନ ହିନ୍ଦୁଧର୍ମ ବାହ୍ୟାଚାର ଓ ଧାର୍ମିକ ସଂପ୍ରଦାୟ ଗତ ବିବାଦ, ସଂଘର୍ଷ, ଫଳରେ କ୍ଳୀଷ୍ଟ ଓ ପ୍ରପୀଡ଼ିତ ହୋଇ ପଡ଼ିଥିଲା । ବୌଦ୍ଧ ଓ ନାଥ ପନ୍ଥୀ ଧର୍ମ ଧାରା ଦ୍ୱୟ ହିନ୍ଦୁ ଧର୍ମର ଦୋଷ ଦୁର୍ବଳତାର ବିରୋଧ କରି କ୍ରମଶଃ ଲୋକପ୍ରିୟତା ଲାଭ କରିଥିଲେ ।

 

ମାତ୍ର କାଳକ୍ରମେ ଭକ୍ତ ସଂସ୍କାରକ ଧର୍ମଧାରାଦ୍ୱୟ ସ୍ୱଂହ ବାହ୍ୟାଚାର ଓ ରୁଢ଼ୀ ଦୋଷଯୁକ୍ତ ହୋଇ ପଡ଼ିବାରୁ ସେମାନଙ୍କର ମଧ୍ୟ ଅବକ୍ଷୟ ସଂଘଟିତ ହୋଇଥିଲା । ଏହି ଅବସରରେ ବ୍ରାହ୍ମଣ୍ୟ ସନାତନ ଧର୍ମ ତଥା ବୈଷ୍ଣବ ଧର୍ମର ପୁନଋତ୍‌ଥାନ ଓ ପ୍ରସାରର ସ୍ରୋତ, ଶଙ୍କର ଏବଂ ଚୈତନ୍ୟଙ୍କର ଆବିର୍ଭାବ ଯୋଗୁଁ ଉତ୍କଳରେ ପୁନଃ ପ୍ରବାହିତ ହୋଇଥିଲା । ମାତ୍ର ବୌଦ୍ଧ ଓ ନାଥ ପନ୍ଥୀ ଧର୍ମ ଧାରାରେ କ୍ଷୀଣ ସ୍ରୋତ ତଥାପି ପ୍ରବାହିତ ହେଉଥିଲା।

 

ଏତାଦୃଶ ଏକ ଘଡ଼ିସନ୍ଧି କାଳରେ ପଞ୍ଚସଖା ଭକ୍ତକବିଗଣଙ୍କର ଆବିର୍ଭାବ ହୁଏ । ତେଣୁ ଉପରୋକ୍ତ ଉଭୟ ସ୍ରୋତ ଅର୍ଥାତ୍ ଏକ ପକ୍ଷରେ ସନାତନ ହିନ୍ଦୁ ଧର୍ମ ଓ ବୈଷ୍ଣବ ଧର୍ମ ଧାରାର ସ୍ରୋତ ଏବଂ ଅନ୍ୟତଃ ବୌଦ୍ଧ ଓ ନାଥ ପନ୍ଥୀ ଧର୍ମଧାରା ସ୍ରୋତ ସହିତ ସେମାନେ ପରିଚିତ ହୋଇ ପାରିଥିଲେ । ଉଭୟ ସ୍ରୋତ ଅନ୍ତର୍ଗତ ଧର୍ମଧାରାଗୁଡ଼ିକର ସାରବତ୍ତା ତଥା ଦୋଷ ଦୁର୍ବଳତା ଅନୁଭବ କରିପାରି ଥିଲେ । ନାଥପନ୍ଥୀଙ୍କର ଯୋଗାଭ୍ୟାସ ମଧ୍ୟ ସେମାନଙ୍କୁ ଆକୃଷ୍ଟ କରିଥିବାର ଦେଖାଯାଏ । ଉଭୟ ସ୍ରୋତ ଦ୍ୱାରା ପ୍ରଭାବିତ ହୋଇଥିବାର ଲକ୍ଷ୍ୟ କରାଯାଏ ।

 

ଦୃଷ୍ଟାନ୍ତ ସ୍ୱରୂପ, ଉଭୟ ହିନ୍ଦୁ ଓ ବୈଷ୍ଣବ ଧର୍ମର ବାହ୍ୟାଚାର ପ୍ରତି ବୌଦ୍ଧ ଓ ନାଥ ପନ୍ଥୀ ଧର୍ମଧାରାମାନଙ୍କର କଟାକ୍ଷପାତ, ସେମାନଙ୍କର ଅନ୍ଧ ବିଶ୍ୱାସ ଜନିତ କୁସଂସ୍କାର, ଜାତି କୁଳର ମର୍ଯ୍ୟାଦା, ଉଚ୍ଚ ନୀଚ୍ଚ, ଧନୀ ନିର୍ଦ୍ଧନ ଆଦି ଭେଦ ଭାବର ଅସାରତା ପ୍ରତି ବ୍ୟଙ୍ଗ ପଞ୍ଚସଖାଗଣଙ୍କର ହୃଦୟଗ୍ରାହୀ ହୋଇଥିବାର ଦେଖାଯାଏ । ମନ୍ଦିରରେ ସ୍ଥାପିତ ମୂର୍ତ୍ତି ନୁହନ୍ତି, ପ୍ରତି ପ୍ରାଣୀର ଅନ୍ତରରେ ସୂକ୍ଷ୍ମ ରୂପରେ ଅଧିଷ୍ଠିତ ଜୀବାତ୍ମା ହିଁ ପରମାତ୍ମା, ନିର୍ଗୁଣ ପରମେଶ୍ୱର ।

 

ସେମାନଙ୍କର ରଚନାରୁ ସୂଚିତ ହୁଏ ଯେ ପଞ୍ଚସଖା ଭକ୍ତଗଣ ଧର୍ମକୁ ମୁଖ୍ୟତଃ ସଦାଚାର ଓ ପ୍ରେମ ଭକ୍ତିର ବ୍ୟଞ୍ଜକ ରୂପେ ଗ୍ରହଣ କରିଥିଲେ । ବାହ୍ୟାଚାର ସର୍ବସ୍ୱ ଧର୍ମ ଧର୍ମ ନୁହେଁ । ପୂଜା, ବ୍ରତ, ତୀର୍ଥଯାତ୍ରା, ଚିତା ଚୈତନ୍ୟ, ଜଟା ଧାରଣ, ମାଳା ଗଡ଼ାଇବା ଆଦିରୁ ଆଧ୍ୟାତ୍ମିକ ଉପଲବ୍‌ଧି ମିଳେ ନାହିଁ । ପରମାତ୍ମା ନିର୍ଗୁଣ, ନିରଞ୍ଜନ, ଶାଶ୍ୱତ ଜ୍ୟୋତିର୍ମୟ ବିଦେହି ପୁରୁଷ ରୂପେ ବିଦ୍ୟମାନ-। ଜୀବାତ୍ମା ତାଙ୍କର ଏକ ଅଂଶ ବିଶେଷ । ନିର୍ଗୁଣ ନିରାକାର ବାଦୀ ପଞ୍ଚସଖା ଗଣ ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ ରୂପେ ଅଧିଷ୍ଠିତ ଦେବତାଙ୍କୁ ନିର୍ଗୁଣ ବ୍ରହ୍ମର ପ୍ରତୀକ ଭାବେ ଗ୍ରକ୍ଷଣ କରି ଭକ୍ତି କରୁଥିବାର ଦେଖାଯାଏ । ସେମାନେ ଜୀବନର ଅଧିକାଂଶ କାଳ ଶ୍ରୀକ୍ଷେତ୍ର ପୁରୀରେ ହିଁ କଟାଇ ଥିବାର ଜଣାଯାଏ ଯଦି ଓ ମହାପୁରୁଷ ଅଚ୍ୟୁତ ତାଙ୍କର ସାଧନା ପୀଠ ନେମାଳ ଓ ଅନ୍ୟମାନେ ସତସଙ୍ଗ ଉଦ୍ଦେଶ୍ୟରେ ବିଭିନ୍ନ ତୀର୍ଥସ୍ଥାନ ପର୍ଯ୍ୟଟନ କରିଥିବାର ଉଲ୍ଲେଖ ଅଛି।

 

ପୁରୁଷୋତ୍ତମ କ୍ଷେତ୍ର ପୁରୀଠାରେ ମଧ୍ୟ ସେମାନେ ପର୍ଯ୍ୟାପ୍ତ ସାଧୁସଙ୍ଗର ସୁଯୋଗ ଲାଭ କରୁଥିଲେ । ବିଭିନ୍ନ ଧର୍ମ ସଂପ୍ରଦାୟର ମହାତ୍ମାଗଣ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆକୃଷ୍ଟ ହୋଇ ତୀର୍ଥାଟନରେ ଆସୁଥିଲେ । ଏହି ମହାତ୍ମାମାନଙ୍କ ମଧ୍ୟରେ ସନାତନ ହିନ୍ଦୁ ଧର୍ମର ଆଦିଶଙ୍କର, ଶିଖ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକ, ମହାନ୍ ବ୍ରହ୍ମଜ୍ଞାନୀ ଓ ବିଶିଷ୍ଟ ହିନ୍ଦୀ କବି ସନ୍ଥ କବୀର, ଶ୍ରୀଚୈତନ୍ୟ ଆଦି ଅନ୍ତର୍ଭୁକ୍ତ । ଗୁରୁ ନାନକ ଖ୍ରୀ ୧୫୦୮ରେ ତୀର୍ଥାଟନ ଓ ଧର୍ମ ପ୍ରଚାର କ୍ରମରେ ପୁରୀ ଆଗମନ କରିଥିଲେ । ସନ୍ଥ କବୀର ଗଜପତି ମହାରାଜା ପ୍ରତାପରୁଦ୍ରଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଖ୍ରୀ ୧୫୧୬ରେ ପୁରୁଷୋତ୍ତମ କ୍ଷେତ୍ରରେ ପଦାର୍ପଣ କରିଥିଲେ । ଚୈତନ୍ୟ ଖ୍ରୀ ୧୫୧୦ରେ ସନ୍ୟାସ ଗ୍ରହଣ କରି ପ୍ରଥମେ ଶ୍ରୀକ୍ଷେତ୍ରକୁ ଆସି କିଛି କାଳ ରହିଲା ପରେ ୮/୧୦ ବର୍ଷ କାଳ ଭାରତର ବିଭିନ୍ନ ତୀର୍ଥ ସ୍ଥାନ ପରିଭ୍ରମଣ କରି ପୁନରାୟ ପୁରୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଶେଷ ଜୀବନ ପର୍ଯ୍ୟନ୍ତ ପୁରୀଠାରେ ରହିଥିଲେ ।

 

ଏମାନଙ୍କ ମଧ୍ୟରୁ ସନ୍ଥ କବୀର ଓ ଶ୍ରୀଚୈତନ୍ୟଙ୍କ ସହ ପଞ୍ଚସଖାଭକ୍ତ ଗଣଙ୍କର ଆଳାପ, ଆଲୋଚନା ହୋଇଥିବାର ଉଲ୍ଲେଖ କରାଯାଏ । କେତେକଙ୍କ ମତରେ ପଞ୍ଚସଖାଗଣ ଚୈତନ୍ୟଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ମାତ୍ର ଅନେକେ ଏହା ଅସ୍ୱୀକାର କରନ୍ତି ଏବଂ ଅନ୍ୟ କେତେକ ତାହା ପ୍ରତ୍ୟାଖ୍ୟାନ କରିଥିବା ଦେଖାଯାଏ ।

 

ସ୍ୱର୍ଗୀୟ ଅଧ୍ୟାପକ ଶ୍ରୀଯୁକ୍ତ ଆର୍ତ୍ତବଲ୍ଲବ ମହାନ୍ତି ପଞ୍ଚସଖା ପରିବାର ଅନ୍ତର୍ଭୁକ୍ତ ଅଚ୍ୟୁତାନନ୍ଦଙ୍କ ବ୍ରାହ୍ମଶୀଙ୍କୁଳି ଓ ଅଣାକାର ସଂହିତା ପ୍ରାଚୀ ଗ୍ରନ୍ଥମାଳା ପକ୍ଷରୁ ପ୍ରକାଶ କରି ତହିଁର ମୁଖ ବନ୍ଧରେ ଉଲ୍ଲେଖ କରିଥିବା ନିମ୍ନୋକ୍ତ ଅଭିମତ ଏହି ପରିପ୍ରେକ୍ଷୀରେ ପ୍ରଣିଧାନ ଯୋଗ୍ୟ-

 

XX      XX      XX      ଗୌଡ଼ୀୟ ମତାନୁସାରେ ସେମାନେ (ପଞ୍ଚସଖାଗଣ) ଚୈତନ୍ୟଙ୍କ ଧର୍ମ ପଦ୍ଧତି ବା ମାର୍ଗର ପଥିକ ନ ଥିଲେ ବୋଲି ବୋଧହୁଏ ଚୈତନ୍ୟ-ଲୀଳା ଲେଖକ ବଙ୍ଗୀୟ ବୈଷ୍ଣବ ବୃନ୍ଦାବନ ଦାସ, ଲୋଚନ ଦାସ, କୃଷ୍ଣ ଦାସ କବିରାଜ ସେହି ପଞ୍ଚସଖାଙ୍କୁ ଚୈତନ୍ୟ ଚନ୍ଦ୍ରଙ୍କର ଲୀଳାର ପରିକର ରୂପେ ଗ୍ରହଣ କରି ନାହାନ୍ତି ।       XX      X

 

ଚୈତନ୍ୟଙ୍କର ଗୌଡ଼ିୟ ବୈଷ୍ଣବ ଭାବଧାରାରେ ଭକ୍ତି ଭାବର ପ୍ରାଧାନ୍ୟ ଥିବା ସ୍ଥଳେ ପଞ୍ଚସଖା ଭକ୍ତଗଣ ଉତ୍କଳୀୟ ବୈଷ୍ଣବ ମତବାଦ ସମର୍ଥିତ ଜ୍ଞାନ ମିଶ୍ର ଭକ୍ତିଭାବ ଧାରା ଗ୍ରହଣ ଓ ପ୍ରସାର କରିଥିବା ଲକ୍ଷ୍ୟ କରାଯାଏ । ସାଧକର ସଦାଚାର ଦିଗରେ, ତତ୍ତ୍ୱଜ୍ଞାନ ଲାଭ କରିବା ନିମିତ୍ତ ତଥା ବ୍ୟକ୍ତିଗତ ପ୍ରୟାସ ବିନା କେବଳ ଭକ୍ତିଭାବ ଦ୍ୱାରା ପରାତ୍ପର ପ୍ରଭୁ ଉପଲବ୍ଧି ହୋଇ ନ ପାରେ ବୋଲି ଜ୍ଞାନମିଶ୍ର ଭକ୍ତିଭାବ ଧାରା ସେମାନେ ଗ୍ରହଣ କରିଥିବା ସୁସ୍ପଷ୍ଟ । ନାଥ ପନ୍ଥୀଙ୍କ ସଦୃଶ ଯୋଗ ସାଧନ ମଧ୍ୟ ଏହି ସାଧନର ଅଂଶରୂପେ ଗ୍ରହଣ କରିଥିଲେ ।

 

ଉଲ୍ଲିଖିତ ସନ୍ଥ ମହାତ୍ମାମାନଙ୍କ ମଧ୍ୟରୁ ସନ୍ଥ କବୀରଙ୍କ ପଞ୍ଚସଖା ଭକ୍ତଗଣଙ୍କ ସହିତ ପୁରୀଠାରେ ସାକ୍ଷାତ, ଆଳାପ, ଆଲୋଚନା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ଉଲ୍ଲେଖନୀୟ । କବୀର ପନ୍ଥୀମାନଙ୍କ ମତରେ ସନ୍ଥ କବୀର ସମ୍ୱତ୍ ୧୫୬୯ ଖ୍ରୀ-(୧୫୧୬)ରେ ପୁରୀ ଆଗମନ କରି ତାଙ୍କର ଆଧ୍ୟାତ୍ମିକ ପ୍ରଭାବରେ ସମୁଦ୍ରର ପ୍ରଚଣ୍ଡ ଆକ୍ରମଣରୁ ଶ୍ରୀମନ୍ଦିରକୁ ରକ୍ଷା କରିଥିଲେ।

 

‘‘ସମ୍ବତ୍ ପନ୍ଦ୍ରହସୌ ଉନହତ୍ତର ଆବୈ,

ସଦ୍‌ଗୁଋ ଚଲେ ଉଡ଼ୀସା ଜାବୈ ।।’’ (କବୀର ବାଣୀ ପୃ.୧୭୦)

ଏବଂ- ‘‘କାଶୀ ଛୋଡ଼ ଉଡ଼ୀସା ଆୟେ,

ଆସା ଗାଡ଼େ ସିନ୍ଧୁ ତୀର ।

ଜାୟ ପୁରୀ ପୁରୁଷୋତ୍ତମ କେ ପ୍ରଭୁ,

ଦେ କର ଦଣ୍ଡ ସମୁଦ୍ର ହଟାୟେ ।।’’

 

ପ୍ରବାଦ ମତେ, ସମୁଦ୍ର ଅଚାନକ ଶ୍ରୀମନ୍ଦିରକୁ ପ୍ରଚଣ୍ଡ ଆକ୍ରମଣ କଲାରୁ ଗଜପତି ମହାରାଜା ପ୍ରତାପରୁଦ୍ର ଅନନ୍ୟୋପାୟ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶରଣ ନେଇଥିଲେ । ମହାପ୍ରଭୁଙ୍କ ସ୍ୱପ୍ନାଦେଶ ମତେ ମହାମନ୍ତ୍ରୀଙ୍କୁ ପ୍ରେରଣ କରି ସନ୍ଥ କବୀରଙ୍କୁ କାଶୀରୁ ନିମନ୍ତ୍ରଣ କରି ଆଣିଥିଲେ । ତାହା ଖ୍ରୀ ୧୫୧୬ ଅର୍ଥାତ୍, ସନ୍ଥ କବୀରଙ୍କ ତିରୋଧାନର ଦୁଇବର୍ଷ ପୂର୍ବର ଘଟଣା ବୋଲି ଧରାଯାଏ । କବୀର ପନ୍ଥୀଙ୍କ ମତ ସହିତ ଉପେରାକ୍ତ ପ୍ରବାଦ ସହ ମତ ଥିବାର ଦେଖାଯାଏ।

 

ସନ୍ଥ କବୀର ତେତେବେଳେ ପରିଣତ ବୟସ୍କା ତାଙ୍କର ଆଧ୍ୟାତ୍ମିକତାର ପରିପୂର୍ଣ୍ଣ ବିକାଶ ଅବସ୍ଥାରେ ଉପନ୍ନୀତ । ଅପର ପକ୍ଷେ ପଞ୍ଚସଖା ଭକ୍ତଗଣ ତାଙ୍କର ସମସାମୟିକ ହେଲେହେଁ ସମସ୍ତେ ଯୁବକ । ମହାପୁରୁଷ ବଳରାମଙ୍କ ବୟସ ୩୨, ଅଚ୍ୟୁତାନନ୍ଦଂକର ୩୪, ଯଶୋବନ୍ତ ୨୯, ଅନନ୍ତ ୨୩ ଏବଂ ଜଗନ୍ନାଥଂକର ମାତ୍ର ୧୯ ବର୍ଷ ହୋଇଥିବାର ଦେଖାଯାଏ । ହୁଏତ ଜଗନ୍ନାଥ ବଳରାମଙ୍କ ଠାରୁ ସଦ୍ୟ ଦୀକ୍ଷା ଗ୍ରହଣ କରିଥାନ୍ତି ।

 

ସନ୍ଥ କବୀର ପୁରଠାରେ ମାସାବଧି ଅବସ୍ଥାନ କାଳରେ ପଞ୍ଚସଖା ଭକ୍ତକବିମାନଙ୍କ ମଧ୍ୟରୁ ଅନ୍ତତଃ ବଳରାମ ଓ ଜଗନ୍ନାଥଙ୍କ ସହିତ ସାକ୍ଷାତ୍, ଆଳାପ ଆଲୋଚନା ହୋଇଥିବାର ସମସାମୟିକ କବି ସ୍ୱର୍ଗତଃ ମାଧବ ପଟ୍ଟନାୟକଙ୍କ ରଚିତ ‘‘ବୈଷ୍ଣବ ଲୀଳାମୃତ’’ ଗ୍ରନ୍ଥରୁ ଜଣାଯାଏ-। ସନ୍ଥ କବୀରଙ୍କୁ ଏକ ତାମ୍ବୁରା ସହିତ ମଧୁର ସ୍ୱରରେ ଶ୍ରୀଜଗନ୍ନାଥଂକ ଭଜନ ଗାଉଥିବାର ଦେଖି ବଡ଼ ଦାଣ୍ଡରେ ପଞ୍ଚସଖା ଭକ୍ତ କବି ଜଗନ୍ନାଥ ତାଙ୍କୁ ପ୍ରେମଭରେ କୋଳାଗ୍ରତ କରିଥିଲେ । ମାଧବ ପଟ୍ଟନାୟକଂକ ନିମ୍ନୋକ୍ତ ପଦ ଏହା ପ୍ରକାଶ କରେ –

 

‘‘ରାଜାର ଅଙ୍କ ଚଉବିଂଶେ

ଉତ୍ତର ସନ୍ୟାସିଏ ଆସେ

।।

ନାମ ତା ଝୋଲିଆ କବୀର

କାଶା ବସନ ଦେହେ ତାର

।।

ତମ୍ବୁରା ଏକ ଧରି ହାତ

ମଧୁର ସ୍ୱରେ ଗାଏ ଗୀତ

।।

ଜଗନ୍ନାଥରେ ଭାରତ ତାର

ମତି ତା ବଡ଼ଇ ଉଦାର

।।

ସ୍ୱାମୀ ଯେ ଭଜନ ଶୁଣିଲେ

ପ୍ରେମେ ତାହାକୁ କୋଳ କଲେ

।।

 

ସନ୍ଥ କବିର ତାଙ୍କ ପୁରୀ ଅବସ୍ଥାନ କାଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କ ପ୍ରତି ଭକ୍ତିଭାବ ପ୍ରକାଶ କରି ନିମ୍ନୋକ୍ତ ଲୋକ ପ୍ରିୟ ଭଜନ ଏବଂ ଅନ୍ୟ ଭଜନମାନ ରଚନା କରି ଗାଇଥିବାର ଦେଖାଯାଏ :-

 

ଓଡ଼ିଶା ଜଗନ୍ନାଥ ପୁରୀ ମେଁ ଠାକୁର ଭଲୈ ବିରାଜୋ ଜୀ ।

କାହେ ଛୋଡ଼ୀ ମଥୁରା ନଗରୀ କାହେ ଛୋଡ଼ୀ କାସୀ ।

ଝାଡ଼ଖଣ୍ଡ ମୈଁ ଜାୟ ବିରାଜେ ବୃନ୍ଦାବନ କୀ ବାସୀ ।।

ଠାକୁରେ ଭଲୈ ବିରାଜେ ଜୀ ।।

ବୃନ୍ଦାବନ ମେଁ ରାସରଚାଇ ତବ ହରି ପୁରୀ ସିଧାରେ,

ବୋଧ ରୂପବନ କର ପ୍ରଭୁବର ବୈଠେ ସିନ୍ଧୁ କିନାରେ ।।

ଠାକୁର ଭଲୈ ବିରାଜୋ ଜୀ ।।

ନୀଳଚକ୍ର ପର ଧ୍ୱଜା ବିରାଜେ ମସ୍ତକ ସୋହେ ହୀରା,

ଠାକୁର ଆଗେ ଦାସୀ ନାଚେ ଗାବୈ ଦାସ କବିରା ।।

ଠାକୁର ଭଲୈ ବିରାଜୋ ଜୀ ।।

 

ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହର ସ୍ୱରୂପରୁ । ତାଙ୍କର ଉଦାର ପୂଜାବିଧିରୁ, ମନ୍ଦିର ପିରସରରେ ମହାପ୍ରସାଦ ସେବନରେ ଜାତିଗତ ଭେଦଭାବ, ଉଚ୍ଚନୀଚ ଭେଦ ଭାବ ନ ଥିବା ଲକ୍ଷ୍ୟ କରି, ସନ୍ଥ କବୀର ତାଙ୍କଠାର ନିର୍ଗୁଣ ବ୍ରହ୍ମ, ବୌଦ୍ଧ ରୂପୀ ନିରାକାର ପରାତ୍ପର ଭାବ ଆରୋପକରି ଭକ୍ତି ସମର୍ପଣ କରିଥିଲେ । ତାହା ମଧ୍ୟ ପଞ୍ଚସଖା ଭକ୍ତଗଣଙ୍କ ଆଭିମୁଖ୍ୟ ଅନୁରୂପ ହୋଇଥିବାର ଦେଖାଯାଏ । ତେଣୁ ମାଧବ ପଟ୍ଟନାୟକଙ୍କ ଉଲ୍ଲିଖିତ ପଦରେ – ‘‘ଜଗନ୍ନାଥରେ ଭାବତାର, ମତି ତା ବଡ଼ଇ ଉଦାର’’- ସେ ଯାହା ପ୍ରକାଶ କରିଛନ୍ତି, ପଞ୍ଚସଖା ଭକ୍ତକବି ଜଗନ୍ନାଥ ସନ୍ଥ କବୀରଙ୍କର ଉଦାର ମନୋଭାବର ଯଥାର୍ଥ ବିଶ୍ଳେଷଣ କରିଛନ୍ତି । ସେହିପରି ପଞ୍ଚସଖା ଭକ୍ତଗଣ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଠାରେ ଶ୍ରୀକୃଷ୍ଣଙ୍କୁ ଆରୋପିତ କରି ଭକ୍ତି କରୁଥିଲେ ।

 

ଉତ୍ତର ଭାରତର ଗବେଷକ ଡଃ ପର୍ଶୁରାମ ଚତୁର୍ବେଦୀ ତାଙ୍କ ରଚିତ ଉତ୍ତର ‘‘ଭାରତ କୀ ସନ୍ଥ ପରମ୍ପରା’’ ଗ୍ରନ୍ଥରେ ସନ୍ଥ କବୀର ଓ ପଞ୍ଚସଖା ଭକ୍ତଗଣଙ୍କ ମଧ୍ୟରେ ପୁରୀଠାରେ ସାକ୍ଷାତ୍, ଆଳାପ ଆଲୋଚନା ହେବା ବିଷୟରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯ, ତହିଁର ନିର୍ଭର ଯୋଗ୍ୟ ତଥ୍ୟ ମିଳେ ନାହିଁ ।

 

ମାତ୍ର ସମସାମୟିକ ମାଧବ ପଟ୍ଟନାୟକ ତାଙ୍କ ରଚିତ ‘‘ବୈଷ୍ଣବ ଲୀଳାମୃତ’’ ଗ୍ରନ୍ଥରେ ନିଃସନ୍ଦେହ ଭାବେ ଉଲ୍ଲେଖ କରିଛନ୍ତି ଯେ, ପଞ୍ଚସଖା ଭକ୍ତବୃନ୍ଦଙ୍କ ମଧ୍ୟରେ ଅନ୍ତତଃ ବଳରାମ ଓ ଜଗନ୍ନାଥଙ୍କ ସହିତ ସାକ୍ଷାତ ଆଲୋଚନା ହୋଇଥିଲା ।

 

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ବିଶିଷ୍ଟ ଗବେଷକ ଡ଼ି.ବି.ସି. ଆଚାର୍ଯ୍ୟ, ସନ୍ଥ କବୀରଙ୍କ ଓଡ଼ିଶା ଆଗମନ ବିଷୟରେ ଗବେଷଣା କରି ମାଧବ ପଟ୍ଟନାୟକଙ୍କ ‘‘ବୈଷ୍ଣବ ଲୀଳାମୃତ’’ ଓ ଅନ୍ୟାନ୍ୟ ସୂତ୍ରରୁ କବୀର ଓ ପଞ୍ଚସଖା ଭକ୍ତମାନଙ୍କ ମଧ୍ୟରେ ସାକ୍ଷାତ ଆଳାପ ଓ ଆଲୋଚନା ହୋଇଥିବା ବିଷୟ ଦୃଢ଼ଭାବରେ ପ୍ରତିପାଦିତ କରିଅଛନ୍ତି । ଅନ୍ୟାନ୍ୟ ସୂତ୍ରମାନଙ୍କ ମଧ୍ୟରେ ସପ୍ତଦଶ ଶତାବ୍ଦୀରେ ଭକ୍ତ କବି ରାମଦାସଙ୍କ ରଚିତ ‘‘ଦାର୍ଢ଼୍ୟତା ଭକ୍ତି’ ଗ୍ରନ୍ଥର ସପ୍ତଦଶ ଅଧ୍ୟାୟରେ ଯଥାକ୍ରମେ ପଞ୍ଚସଖା ଭକ୍ତ ବଳରାମ ଓ ଜଗନ୍ନାଥଙ୍କ ଉଲ୍ଲେଖ କରିଛନ୍ତି । ତହିଁରୁ ଉଲ୍ଲିଖିତ ମତେ ଏହି ଦୁଇ ପଞ୍ଚସଖା ଭକ୍ତଙ୍କ ସହିତ ସନ୍ଥ କବୀରଙ୍କର ଆଳାପ, ଆଲୋଚନା ହୋଇଥିବା ବିଶ୍ୱାସ ଯୋଗ୍ୟ ବୋଲି ଡଃ ଆଚାର୍ଯ୍ୟ ଅଭିମତ ପ୍ରକାଶ କରିଛନ୍ତି ।

 

ଏହି ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ଯେ ପଞ୍ଚସଖାମାନଙ୍କ ମଧ୍ୟରେ ଅନ୍ୟତମ ସଦସ୍ୟ ଅଚ୍ୟୁତାନନ୍ଦ ସାଧନ ପୀଠ ନେମାଳ ଠାରେ ଅନ୍ୟ ଦେବା ଦେବୀମାନଙ୍କ ଗାଦି ସହିତ ସନ୍ଥ କବୀରଙ୍କ ଗାଦି ଦେଖାଯାଏ । ସନ୍ଥ କବୀର ଏହି ପୀଠକୁ ଆଗମନ କରି ଥିବାର ପ୍ରବାଦ ଅଛି । କଥିତ ହୁଏ ଯେ, ପଞ୍ଚସଖା ପରିବାରର ଅନ୍ୟାନ୍ୟ ସଦସ୍ୟ ଯଥା ବଳରାମ, ଅନନ୍ତ, ଯଶୋବନ୍ତ ଓ ଜଗନ୍ନାଥ ମଧ୍ୟ ଏହି ପୀଠକୁ ଆଗମନ କରିଥିଲେ । ମଠ ମଧ୍ୟରେ ଚୈତନ୍ୟଙ୍କର ଗାଦି ମଧ୍ୟ ବିଦ୍ୟମାନ । ଚୈତନ୍ୟ ନେମାଳରୁ ଆଗମନ କରିଥିବାର ପ୍ରବାଦ ମଧ୍ୟ ଅଛି ।

 

ପଞ୍ଚସଖା ଭକ୍ତଗଣଙ୍କ ଦ୍ୱାରା ପବିତ୍ର ପୀଠ ରୂପେ ପରିଗଣିତ ନେମାଳ ମଠ ପରିସରେ ଅନ୍ୟ ଦେବା ଦେବୀଙ୍କ ସହ ସନ୍ଥ କବୀରଙ୍କ ଗାଦି ସ୍ଥାପିତ ହେବା ତାତ୍ପର୍ଯ୍ୟପୂର୍ଣ୍ଣ । ପଞ୍ଚସଖା ପରିବାରର ବରିଷ୍ଠ ସଦସ୍ୟ ଜଗନ୍ନାଥ ଭାବ ବିହ୍ୱଳିତ ହୋଇ କବୀରଙ୍କୁ କୋଳାଗ୍ରତ କରିବା ମଧ୍ୟ ତଦୃପ ତାତ୍ପର୍ଯ୍ୟପୂର୍ଣ୍ଣ । ତାଙ୍କୁ ଉଦାର ଭାବାପନ୍ନ ମହାନ୍ ଭକ୍ତ ରୂପେ ଉଲ୍ଲେଖ କରିବା ମଧ୍ୟ ତତୋଽଧିକ ତାତ୍ପର୍ଯ୍ୟପୂର୍ଣ୍ଣ ।

 

ସନ୍ଥ କବୀର ଓ ପଞ୍ଚସଖା ଭକ୍ତ କବିଗଣଙ୍କ ପୁରୀଠାରେ ସାକ୍ଷାତ, ଆଳାପ, ଆଲୋଚନା ପରିପ୍ରେକ୍ଷୀରେ ଉଭୟଙ୍କ ମଧ୍ୟରେ ପରିଲକ୍ଷିତ ହେଉଥିବା ଆଧ୍ୟାତ୍ମିକ ଭାବଧାରାର ସହମତତା ଉଲ୍ଲେଖ ଯୋଗ୍ୟ । ଦୃଷ୍ଟାନ୍ତ ସ୍ୱରୂପ :-

 

କ) ଗୁରୁଙ୍କର ପ୍ରାଧାନ୍ୟ କବୀରଙ୍କ ଦୃଷ୍ଟିରେ:-

୧)

ଗୁରୁ ଗୋବିନ୍ଦ ଦଉ ଖଡ଼ୈ କାକୈ ଲାଗୌ ପାଁୟ

 

ବଲିହାରୀ ଗୁରୁ ଅପନେ, ଗୋବିନ୍ଦ ଦିଓ ବତାୟ ।।

୨)

ଗୁରୁ ବିନ କୌନ ବତା ଔ ବାଟ । ବଡ଼ ବିକଟ ଜମ ଘାଟ୍ ।

ଭ୍ରାନ୍ତିକା ପାହାଡ଼ୀ ନଦୀୟା ବିଚମୈ । ଅହଂକାର କୀ ଲାଟ ।।

 

ଗୁରୁଙ୍କୁ ଇଷ୍ଟଦେବଙ୍କଠାରୁ ମଧ୍ୟ ଅଧିକ ମଣିଛନ୍ତି କବୀର ଯେଣୁ ତାଙ୍କରି ସହାୟତାରେ ହିଁ ପରାତ୍ପର ପରମେଶ୍ୱରଙ୍କୁ ଉପଲବ୍ଧି କରି ପାରିଥିଲେ । ଗୁରୁଙ୍କ ପରାମର୍ଶ ହିଁ ତାଙ୍କୁ ଆଧ୍ୟାତ୍ମିକ ପଥରେ ଅଗ୍ରସର ହେବାର ସହାୟକ ହୋଇଛି ।

 

ପଞ୍ଚସଖା ଭକ୍ତଙ୍କ ଦୃଷ୍ଟିରେ –

୧)

ଗୁରୁଟି ବ୍ରହ୍ମା ହରି ହର । ଗୁରୁଟି ସ୍ୱୟଂ ନିରାକାର ।।

(ବଳରାମ)

୨)

ତରକ ତେଜି ଗୁରୁପଦ ଭଜିଲେ, ପାଇବୁ ଜ୍ଞାନର ଭୁଇଁ

 

ତୀର୍ଥ ବ୍ରତ ତପ ଫଳ ହିଁ ପାଇବୁ, ଶୀଗୁରୁ ଚରଣ ଧ୍ୟାୟି

(ଅଚ୍ୟୁତ)

୩)

ସାକ୍ଷାତେ ଗୁରୁ ଯେ ଈଶ୍ୱର । ଗୁରୁଙ୍କୁ ନ ମଣିବ ନର

(ଜଗନ୍ନାଥ)

 

(ଖ) ଈଶ୍ୱରଙ୍କ ସ୍ୱରୂପ କବୀରଙ୍କ ମତରେ-

୧)

କସ୍ତୁରୀ କୁଣ୍ଡଲି ବସୈ ମୃଗ ଢୁଁଣ୍ଡେ ବନ ମାହଁ

 

ଐସେ ଘଟି ଘଟି ରାମ ହିଁ, ଦୁନିୟା ଦେଖୈ ନାହିଁ ।।

୨)

ସଁପଟି ମାହି ସମାଇୟା ସୋ ସାହବ ନାହିଁ ହୋଇ ।

ସକଲ ମାଉଁ ମେଁ ରହ୍ୟା ସାହାବ କାହାବୈ ସୋଇ।।

୩)

ନିର୍ଗୁଣ ରାମ ନିର୍ଗୁଣ ରାମ ଜପହୁରେ ଭାଇ

ଅବିଗତ କୀ ଗତି ଲଖି ନ ଜାଇ ।।

୪)

ଅଗମ ଅଗୋଚର ଗମି ନହୀଁ ତହିଁ ଜଗମତେ ଜୋତି

ଜହାଁ କବୀରା ବଳଗୀ ପାପପୁଣ୍ୟ ନାହୀଁ ଛୋତି ।।

୫)

ଜହାଁ ଖିଲତ ବସନ୍ତ ଋତୁରାଜ । ଜହାଁ । ଅନହଦ ବାଜା ବାଜେ ବାଜ ।

 

X      X      X      X      X      X

 

କୋଟି କୃଷ୍ଣ ଜହଁ ଜୋଡ଼େ ହାଥ ।

କୋଟି ବିଷ୍ଣୁ ଜହଁ ନାବେ ମାଥ ।।

କୋଟିନ ବ୍ରହ୍ମା ପଢ଼ୈ ପୁରାନ ।

କୋଟି ମହେସ ଧରେ ଜହଁ ଧ୍ୟାନ ।।

ସୁର ଗନ୍ଧର୍ବ ମୁନି ଗନୈନ ଜାୟା

ଜହଁ ସାହାବ ପ୍ରଗଟେ ଆୟ, ଆୟ ।

 

ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ଉର୍ଦ୍ଧ୍ୱରେ ଜ୍ୟୋତି ମଣି ରୂପେ ନିର୍ଗୁଣ ନିରାକାର ବ୍ରହ୍ମ ପରାତ୍ପର ପରମେଶ୍ୱର ପ୍ରକଟିତ । ସେହି ଅଗମ୍ୟ ଅଗୋଚର ସ୍ଥଳୀରେ ଚିରନ୍ତନ ଭାବରେ ବିରାଜିତ । ମନ୍ଦିର ମଧ୍ୟରେ ସ୍ଥାପିତ ମୂର୍ତ୍ତି ପରମାତ୍ମା ନୁହନ୍ତି । ପ୍ରତି ପ୍ରାଣୀ ଅନ୍ତରରେ ସୁକ୍ଷ୍ମାତି ସୂକ୍ଷ୍ମ ଭାବରେ ସେ ବିରାଜିତ ।

 

ପଞ୍ଚସଖା ଭକ୍ତଙ୍କ ମତରେ-

୧)

ଏକରୁ ତିନି ମୂରତି ।

 

ତିନି ପରେ ମହା ଜ୍ୟୋତି ବିରାଜଇ,

 

ତାର ନାହିଁ ଦିବା ରାତି ।।

(ବଳରାମ)

୨)

ସୁଜ୍ଞାନୀ ହୋ ଶୂନ୍ୟ ମନ୍ଦିରେ ବାସ । ଜ୍ୟୋତି ଦରଶନେ ଦୂରିତ ନାଶ

ଶୂନ୍ୟ ଗିରି ବୋଲି ଯେଉଁ କଟକ । ଦେଉଳ ଗୋଟି ଦିଶୁଛି ଝଟକ ।।

ଦେଉଳ ଗୋଟି ଜତନେ ନିର୍ମାଣ । ତହିଁ ବିଜୟେ ଦେବ ନାରାୟଣ

(ଯଶୋବନ୍ତ)

୩)

ଯାହାର ରୂପ ରେଖ ନାହିଁ ।

ଶୂନ୍ୟ ପୁରୁଷ ଶୂନ୍ୟ ଦେହୀ ।।

(ବଳରାମ)

୪)

କାଷ୍ଠ ପାଷାଣ ତରୁ ତୃଣ । ସକଳ ଦେହେ ନାରାୟଣ ।।

 

X      X      X

 

ନିତ୍ୟ ନିର୍ଗୁଣ ଭଗବାନ । ସେ ନୁହେଁ ଆଦି ଅବସାନ ।।

 

X      X      X      X

 

କୀଟ ପତଙ୍ଗ ତରୁ ତୃଣେ । ବସଇ ଶରୀର ପ୍ରମାଣେ ।।

 

ସମେ ବସଇ ସର୍ବ ଦେହେ । ସ୍ଥୂଳ ନୟନେ ଭେଦ ନୋହେ ।।

(ଜଗନ୍ନାଥ)

 

 

ଗ) ମନ ନିୟନ୍ତ୍ରଣର ଗୁରୁତ୍ୱ କବୀରଙ୍କ ମତରେ:-

୧)

ବାଜୀଗର କା ବାଁ ଦରା, ଜୀବା ମନକେ ସାଥ ।

ନାନା ନାଚ ନଚାୟ କର, ରାଖେ ଅପନେ ହାଥ ।।

୨)

ଜୋତନ ସାହି ମନ ଧିରେ, ମନଧରି ନିରମଲ ହୋଇ ।

ସାହାବ ସୋ ସନମୁଖ ରହୈ, ତୋ ଫିରି ବାଲକ ହୋଇ ।।

୩)

କବୀରା ମନ ନିର୍ମଲ ଭୟା ଜୈସେ ଗଙ୍ଗା ନୀର ।

ତବ ପାଁଛେ ଲଗା ହରି ଫିରୈ କହତ କବୀର କବୀର ।।

 

ଅର୍ଥାତ୍ ମନ ଅତ୍ୟନ୍ତ ଚଞ୍ଚଳ । ଆଦୌ ନିର୍ଭରଶୀଳ ନୁହେଁ । ମନକୁ ନିୟନ୍ତ୍ରଣ କରି ନ ପାରିଲେ ସାଧକ ତାର ଇନ୍ଦ୍ରିୟମାନଙ୍କୁ ସଂଯମ କରିବାରେ ବ୍ୟର୍ଥହୁଏ । କବୀର ମନର ନିର୍ମଳତା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିଥିଲେ । ଭକ୍ତିଭାବଠାରୁ ତାହା ଅଧିକ ଫଳପ୍ରଦ ବୋଲି ଦୃଢ଼ ବିଶ୍ୱାସ କରୁଥିଲେ । ମନକୁ ନିର୍ମଳ, ପୂର୍ଣ୍ଣ ନିୟନ୍ତ୍ରଣାଧିନ କରିପାରିଲେ ପରମେଶ୍ଵର ସାଧକ ପକ୍ଷେ ସହଜଲଭ୍ୟ ହୁଅନ୍ତି ।

 

ପଞ୍ଚସଖାଗଣଙ୍କ ଦୃଷ୍ଟିରେ:-

୧)

ଆହୁରି କଥାଏ ଶୁଣରେ ବାବୁ । ମନ ଥୟ କଲେ ସବୁ ପାଇବୁ ।।

 

ମନ ଥୟ ନାହିଁ ଯାହାର ପୁଣ । ଯୋଗସାଧିବା ହେବ ଅକାରଣ ।।

 

X      X      X      X

 

ମନ ଭାଗବତ ମନ ଯେ ପୀତା । ମନ ନ ବୁଝିଲେ ଅମୃତ ପିତା ।।

(ଅଚ୍ୟୁତ)

୨)

ମନକୁ ଗାଇ ରୂପରେ ଆଖ୍ୟାତ କରି ଯଶୋବନ୍ତ କହିଛନ୍ତି:-

 

ଗାଇ ଭଲା ଭୁଲାଇଲୋ । ନିରତେ ବେଉସା ଖାଇ ।

 

ଗାଇ ପଛେ ଯେବେ ଗଉଡ଼ ଥାଆନ୍ତା । ବେଉସା ଖାଆନ୍ତା ନାହିଁ ।।

 

ଗାଇର ମହିମା କି ଦେବି ଉପମା । ଗାଇର ଶୂନ୍ୟେ ଗୁହାଳ ।

 

ଗାଇ ପଛେ ପଛେ ପାଞ୍ଚୋଟି ବାଛୁରୀ, ସଦା ଗାଇଟି ଦୁହାଁଳ ।।

 

ଗାଇ ଶୋଳ ଚେରୁ କ୍ଷୀର ଦେଉଅଛି, ନାହିଁ ତାହାର ସୁମାର ।

 

ସେହି କ୍ଷୀରକୁ ତୁ ମନ୍ଥିଲେ ନିଶ୍ଚୟ, ଲବଣୀ ହେବ ବାହାର ।।

 

ସେହି ଲବଣୀକୁ ଅଗ୍ନିରେ ରଖିଲେ, ତହୁଁ ବାହାରିବ ଘୃତ ।

 

ସେହି ଘୃତ ତ ପାନୀୟ କରିଲେ, ଅଙ୍ଗ ହେବ ପୁଲକିତ ।।

 

X      X      X

 

କହେ ଯଶୋବନ୍ତ ଗାଇ ପଦେ ଆଶ,

ଗାଇକୁ ମୋ ଦେବ କେ ସୁଧୁରାଇ ।

୩)

ମନ ମତା ଗାଇ କଳଣା ନ ଯାଇ ନିତି ପ୍ରତି ଖଦା କଲା ।

 

ତ୍ରିଗୁଣ ଦଉଡ଼ି କଷି ବାନ୍ଧିଥିଲି ଛିଣ୍ଡାଇ ପକାଇ ଗଲା, ସେ ସାରି ।।

୪)

ମନ ଭୁଲନା ହେ ଚାହିଁ ତ୍ରିକୁଟ ସନ୍ଧିକି

 

ତ୍ରିକୁଟ ସନ୍ଧିରେ            ନିରାକାର ବିଜେ,

ଲୟ ଲଗାଅ ତହିଁକି ।

 

ସେ ସ୍ଥାନରେ ଯେବେ      ପରଚେ ହୋଇବୁ

ମାରି ପଚିଶି ପ୍ରକୃତିକି ।

ପାଞ୍ଚ ମନକୁ ତୁ             ଏକତ୍ର କରିଣ

ନାଶିବୁ ତୁ ଷଡ଼ ଅଇରିକି ।।

ଇନ୍ଦ୍ରିୟ ଏଗାର            ନିରୋଧିବୁ ଯେବେ

ଆଉ କାହାକୁ ତୋ ଭ୍ରାନ୍ତିକି ।।

 

ଅର୍ଥାତ୍ ମନକୁ ନିୟନ୍ତ୍ରଣ କରି ସୁଧାରି ପାରିଲେ ଇନ୍ଦ୍ରିୟ ଦମନ କରିବା ଦିଗରେ ସାଧକ କୃତକାର୍ଯ୍ୟ ହୋଇପାରେ । ମନର ଅସୀମ ସାମର୍ଥ ଦୃଷ୍ଟେତାର ପ୍ରକୃଷ୍ଟ ଉପଯୋଗ କଲେ ସାଧକ ସାଧନା ପଥରେ ଅଗ୍ରସର ହୋଇପାରେ ।

 

ଘ) ନାମ ଜପର ପ୍ରାଧାନ୍ୟ କବୀରଙ୍କ ମତରେ:-

୧)

ଦୁଖମେ ସୁମିରନ ସବକରେ, ସୁଖମେଁ କରେ ନ କୋୟ ।

 

ଜୋ ସୁଖମେ ସୁମିରନ କରେ, ଦୁଃଖ କାହେକୋ ହୋୟ ।।

୨)

ସୁମିରନ ସୋଁ ମନ ଲାଇଏ ଜୈସେ ନାଦ କୁରଙ୍ଗ ।

 

କହେ କବୀର କିସରେ ନହିଁ ପ୍ରାନ ତଜେ ସେହି ସଙ୍ଗ ।।

୩)

ମାଲା ତୌ କରମେଁ ଫିରୈ, ଜଜିଭ ଫିରୈ ମୁଖ ମାହିଁ ।

 

ମନୁଆଁ ତୋ ରହୁଦିସି ଫିରୈ, ୟୁହ ତୋ ସୁମିରନ ନାହିଁ ।।

୪)

କବୀରା ପଢ଼ିବା ଦୂରୀ କରି ପୁସ୍ତକ ଦେହୁ ବହାଇ ।

 

ବାବନ ଅକସର ଛୋଟ କେ, ‘ର’ରେ ‘ମ’ ମୈଁ ଚିତ ଲାଇ ।।

 

ଅର୍ଥାତ୍, ଏକାଗ୍ରତା ସହ ପ୍ରଭୁ ନାମ ଜପ ଓ ସ୍ମରଣ କରିବା ସାଧକର ସର୍ବଶ୍ରେଷ୍ଠ ସମ୍ପଦ ଓ କବଚ । ପୋଥି, ପୁସ୍ତକ ପଢ଼ିବା ତ୍ୟାଗ କରି କେବଳ ରାମ ନାମ ଜପ କଲେ ସାଧକ ସଫଳତା ଲାଭ କରିବା ନିଶ୍ଚିତ ।

 

ପଞ୍ଚସଖାଗଣଙ୍କ ମତରେ-

୧)

ଯୋଗ ସାଧି ନ ପାରିଲେ ନାମ ଆଶ୍ରେ କର । ‘ରା ସେହି ‘ମ’ ସେହି ନିଗମରେ ଭର

 

କହନ୍ତି ଅଚ୍ୟୁତ ନେମାଳ ଗ୍ରାମରେ । ବେଳୁ ନାମ ଆଶ୍ରେ କର ।।

୨)

ମୁଖେ ଭଜ ରାମ କୃଷ୍ଣ ହରିଲୋ ସାରି । ମାରି ନେବିଟି କ୍ରୋଧ ମଞ୍ଜାରିଲୋ ସାରି ।।

 

X      X      X      X      

(ବଳରାମ)

୩)

ସେ ଯେଉଁ ଭଜନ, ମାତା ଗର୍ଭୁ ଜାଣ, ଆଜି କାଲି ଭଜୁ ନାହିଁ ।

 

କାୟାରୁ ମାୟାସେ ବାହାର ହୋଇଣ, ରାହୁ ପ୍ରାୟେ ଘୋଟି ଥାଇ ।।

 

ନ ଚେତି ଅଜ୍ଞାନ ନ ଭଜିଲେ ନାମ, ମାୟା ମୋହେ ନାଶ ଯାଇ

 

ଭଣିଲେ ଅଚ୍ୟୁତ ନ ଭଜିଲେ ନାମ, ଅକାରଣେ ଦିନ ଯାଇ ।।

 

ଙ) ପିଣ୍ଡ ବ୍ରହ୍ମାଣ୍ଡ ଓ ଜୀବ ବ୍ରହ୍ମ –

କବୀରଙ୍କ ଦୃଷ୍ଟିରେ-

୧)

ଇସ ଘଟ ଅନ୍ଦର ବାଗ ବଗିଚା, ଇସୀମୈଁ ସିରଜନ ହୀରା ।

 

ଇସ ଘଟ ଭିତର ସାତ ସମୁଦର, ଇସୀମୈଁ ନଉ ଲଖ ତାରା ।।

 

ଇସ ଘଟ ଅନ୍ଦର ହୀରା ମୋତି, ଇସୀମୈଁ ପରଖନ ହାରା ।

 

ଇସ ଘଟ ଅନ୍ଦର ଅନହଦ ବାଜା, ଇସୀମୈଁ ଉଠେ ଫୁଆରା ।।

 

X            X            X

୨)

ପ୍ୟଣ୍ଡ ବ୍ରହ୍ମାଣ୍ଡ କଥ୍ୟୋ ବକୋଇ, ବାକେ ଆଦି ଅରୁ ଅନ୍ତ ନ ହୋଇ ।

 

ପ୍ୟଣ୍ଡ ବ୍ରହ୍ମାଣ୍ଡ ଛାଡ଼ି ଜୋ କଥିୟେ, କହେ କବିର ହରି ସୌଇ ।।

୩)

ତରବରଇକ ମୂଲ ବିନ ଖଡ଼ା, ବିନ ଫୁଲୌ ଫଳ ଲାଗୈ ।

 

ସାଖା ପତ୍ର କଛୁ ନାହିଁ ଓ୍ୟାକେ, ସକଲ କମଲ ଦଲ ଗାଜୈ ।।

 

ଚଢ଼ ତରବର ଦୌପଁଛୀ, ବୋଲୈ, ଇକ ଗୁର ଇକ ଚୈଲା ।

 

ଚୈଲା ରହା ସୌରସ ଚୂନ ଖାୟା, ଗୁର ନିରନ୍ତର ଖୈଲା ।।

 

ଅର୍ଥାତ୍ ପରମାତ୍ମା ପିଣ୍ଡ ବ୍ରହ୍ମାଣ୍ଡର ଉର୍ଦ୍ଧ୍ୱରେ ଅନ୍ତରକ୍ଷ ଅଗମ୍ୟ ସ୍ଥଳରେ ଜ୍ୟୋତି ମଣି ରୂପେ ବିରାଜିତ । ଦଶ ଦ୍ୱାରମୟ ଶରୀର ମଧ୍ୟରେ ପରମାତ୍ମାଙ୍କ ବିଶେଷ ଅଂଶ ସ୍ୱରୂପ ଜୀବାତ୍ମା ସୁକ୍ଷ୍ମାତି ସୁକ୍ଷ୍ମ ଭାବରେ ବିଦ୍ୟମାନ । ମାନବ କିନ୍ତୁ ପରମାତ୍ମାଙ୍କୁ ଅନ୍ୟତ୍ର ଖୋଜିବାରେ ବ୍ୟସ୍ତ ।

 

ପଞ୍ଚସଖାଗଣଙ୍କ ଦୃଷ୍ଟିରେ-

୧)

ଜୀବ ବ୍ରହ୍ମ ବିରାଜଇ ଶରୀର ମଧ୍ୟରେ ।

 

ବିହଗ ଯୁଗଳ ଯଥା ଥାଆନ୍ତି ବୃକ୍ଷେ ।।

(ଅଚ୍ୟୁତ )

୨)

ଆତ୍ମାକୁ ଆତ୍ମାରେ ଦେଖି ଦେଖିଲେ ପାଇବୁ ସୁଖ

 

ଭାବି କହେ ପାମର ଅଚ୍ୟୁତ ।।

୩)

ଯେଉଁ ବିନ୍ଧାଣୀ ତୋତେଟି କଲା ନିର୍ମାଣ,

 

ସେହି ତୋ ଦେହେ ରହିଛି ଏହା ତୁ ଜାଣ ।।

(ଯଶୋବନ୍ତ)

 

ଚ) ଭୌତିକ ସମ୍ପଦର ନଶ୍ୱରତା-

କବୀରଙ୍କ ଦୃଷ୍ଟିରେ-

୧)

ଇସି ତନ ଧନ କା କୌନ ବତାଇ । ଦେଖତ ଜୈନ ମେଁ ମିଟି ମିଲାଇ ।।

୨)

ଅବ ତୁମ କବ ସୁମରୋଗେ ରାମ । ଜୀବନ ଦୋ ଦିନ କାମ ହେ ମାନ ।।

 

X            X            X

୩)

ମନ ଲାଗୋ ମେରୋ ୟାର ଫକୀରା ମୈଁ

 

ଜୋ ସୁଖ ପାଓ୍ୟୋଁ ରାମ ଭଜନ ମେ ସୋ ସୁଖ ନାହୀ ଅମୀରା ମୈଁ ।।

୪)

ସୁଖ କା ମାଥୈ ସିଲ ପରୈ ନାମ ହରିକା ଜାୟ ।

 

ବଲିହାରୀ ଓ୍ୟା ଦୁଖକୀ ପଲ ପଲ ନାମ ରଟାୟ ।।

 

ଅର୍ଥାତ୍, ଭୌତିକ ସୁଖ ଆଧ୍ୟାତ୍ମିତାର ପରିପନ୍ଥୀ । ଦେହ, ଧନ, ସମସ୍ତ କ୍ଷଣସ୍ଥାୟୀ । ମାନବର ଦୁଃଖ ହିଁ ହିତାକାରୀ ଯେହେତୁ, ପରମେଶ୍ୱରଙ୍କୁ ସ୍ମରଣ କରିବାରେ ସହାୟକ ହୁଏ ।

 

ପଞ୍ଚସଖାଙ୍କ ମତରେ

 

X            X            X

୧)

ବୃଦ୍ଧ ତୁ ହୋଇଲୁ ଅନେକ କହିଲୁ, ଦୟାଧର୍ମେ ଚିତ୍ତେ ନାହିଁ ।

 

ଭଣଇ ଅଚ୍ୟୁତ ପଦ୍ମପାଦ ଚିନ୍ତ, ଏ ଦେହ ପାଇବୁ ନାହିଁ ।।

 

X            X            X

୨)

ସକଳ ସୁଖ ଉପେଖ       ପାଇବା ଜ୍ଞାନ ପ୍ରତ୍ୟକ୍ଷ

 

ଭାବି କହେ ପାମର ଅଚ୍ୟୁତ ।।

 

ଛ)      ଜାତି କୁଳ ମାନ ଆଦିର ଅସାରତା

କବୀରଙ୍କ ଦୃଷ୍ଟିରରେ –

୧)

ଏକ ବୁନ୍ଦ ଏକ ମଲମୂତର । ଏକ ଚାମ ଏକ ଗୁଦା ।

 

ଏକ ଜୋତ ଥୈ ସବ ଉତପନା, କୋ ବାହ୍ମନ୍ କୋ ସୁଦା ।।

୨)

ଜୋତୁ ବାହ୍ମନ ବାହ୍ମନୀ ଜାୟା, ଆନ ବାଟ ମେଁ କୁଁ, ନ ଆୟା ।।

୩)

କହେ କୋ କିଜେ ପାଣ୍ଡେ ଛୋତି ବିଚାରା !

 

ଛୋତି ହି ତୈ ଓପନା ସଂସାରା ।।

 

ହମରେ କୈସେ ଲହୁ ତୁହୁରେ କୈସେ ଦୁଧ ।

 

ତୁମ କୈସେ ବାହ୍ମନ ପାଣ୍ଡେ ହମ କୈସେ ସୁଦ ।।

 

ପଞ୍ଚସଖା ଭକ୍ତଙ୍କ ଦୃଷ୍ଟିରେ-

 

ବୋଇଲେ ମନୁଷ୍ୟ ସକଲ । ସମାନ ଅଟଇ ଏ ଭାଳ।

 

କିବା ଚାଣ୍ଡାଳ କିବା ଦ୍ୱୀଜ । ସୃଷ୍ଟିରେ ସମାନ ସେ ହେଜ ।।

 

ଜ)      ବାହ୍ୟାଚାର ପ୍ରତି କଟାକ୍ଷ

ସନ୍ଥ କବୀରଙ୍କ ଦୃଷ୍ଟିରେ-

୧)

ପଣ୍ଡିତ ହୋଏ କେ ଆସନ ମାରେ, ଲମ୍ବୀ ମାଲା ଜପତା ହୈ ।

 

ଅନ୍ଦର ତେରେ କପଟ କତରନୀ, ସୋ ଭି ସାହାବ ଲଖତା ହୈ

୨)

ମଥୁରା ଜାବୈ ଦ୍ୱାରକା ଜାବୈ, ଜାବେ ଜଗନ୍ନାଥ ।

 

ସାଧୁ ସଙ୍ଗତି ହରିଭକ୍ତି ବନ କଛୁନ ଆବୈ ହାଥ ।।

୩)

ମନ ନା ରଙ୍ଗାୟେ ରଙ୍ଗାୟେ ଜୋଗୀ କପଡ଼ା ।

 

ଆସନ ମାରି ମନ୍ଦିର ମୈଁ ବୈଠେ,

 

ବ୍ରହ୍ମ ଛାଡ଼ି ପୂଜନ ଲଗେ ପଥରା ।।

XX            XX            XX

 

ଅର୍ଥାତ୍ ତୀର୍ଥଯାତ୍ରା, ଚିତା ତିଳକ ଧାରଣା, ଏକାଗ୍ରତାହୀନ, ମାଳାଜପ, କପଟତାପୂର୍ଣ୍ଣ ହୃଦୟରେ ପୂଜା, ବ୍ରତ ଯୋଗ ଯଜ୍ଞାଦି ସକଳ ନିଷ୍ଫଳ ପ୍ରୟାସ । ନିର୍ମଳ ମନ, ସାଧୁସଙ୍ଗ ଓ ଆନ୍ତରିକ ହରିଭକ୍ତି ଆଧ୍ୟାତ୍ମିକାର ପ୍ରକୃଷ୍ଟ ପନ୍ଥା ।

 

ପଞ୍ଚସଖାଗଣଙ୍କ ଦୃଷ୍ଟିରେ-

୧)

ସ୍ଥାପନା ଦିଅଁ ନ ସ୍ଥାପ, ନ ଯା ବୃନ୍ଦବନ ଗୋପ ।

 

ନଯା ତୁହିଁ ପ୍ରୟାଗ ଗୋମତୀ ହେ ।।

 

ଜଟା କୌପୀନ ନଧର ତିଳକ ମାଳା ନ କର ।

 

ଭୟ ଅଙ୍କୁ ପରିହର, ଏ ଜ୍ଞାନ ହୃଦୟେ ଧର ।

 

ଗଙ୍ଗା କୂଳେ ନାହିଁ ସଦଗତି ହେ ।

(ଅଚ୍ୟୁତ)

୨)

ମନ୍ତ୍ର ଯନ୍ତ୍ର ନାହିଁ ମାଳା ନ ଗଡ଼ଇ, ମନ ସୁତ୍ରରେ ଭଜନ ।

 

ଆସୁଛି ଯାଉଛି ବାରଣ ନୋହୁଛି ଭଜି ତୁ ପାରିଲେ ଚିହ୍ନ ।

(ଅଚ୍ୟୁତ)

୩)

ଆତ୍ମାକୁ ନ ଚିହ୍ନି ତୀର୍ଥ ବ୍ରତ ହିଁ ନିଷ୍ଫଳ ।

 

ପୁରାଣ ଶାହାସ୍ତ୍ର ବାକ୍ୟ ପଢ଼ିବା ନିଷ୍ଫଳ ।।

(ଅଚ୍ୟୁତ)

 

ଝ) ସତ୍‌ସଙ୍ଗର ସୁଫଳ

କବୀରଙ୍କ ମତରେ-

୧)

କବୀର ଚନ୍ଦନ କୈ ନିଡ଼ୈ ନିମ୍ବଭୀ ଚନ୍ଦନ ହୋଇ ।

 

ବୁଡ଼ା ବଂଶ ବଡ଼ାଇତାଁ, ଜୌ ଜନି ବୁଡ଼ୈ କୋଇ ।।

୨)

କବୀରା ଖାଇ କୋତକୀ ପାନୀ ନ ପୀବୈ କୋୟ ।

 

ଜାୟ ମିଲେ ଜବ ଗଙ୍ଗ ମୈଁ ଗଙ୍ଗୋଦକ ହୋୟ ।।

୩)

କବୀର ସଙ୍ଗତି ସାଧକି କବୈ ନ ନିରଫଲ ହୋଇ ।

 

ଚନ୍ଦନ ହୋସି ବାବନା ନୀବ ନ କହସି କୋଇ ।।

 

ଅର୍ଥାତ୍, ସତ୍‌ସଙ୍ଗ, କଦାପି ନିଷ୍ଫଳ ହୁଏ ନାହିଁ । ମନକୁ ନିର୍ମଳ, ଦ୍ୱନ୍ଦହୀନ ଓ ଭଗବତ ମୁଖୀ କରିବାରେ ସତ୍‌ସଙ୍ଗ ସହାୟକ ହୁଏ ।

 

ପଞ୍ଚସଖାଙ୍କ ମତରେ-

୧)

ଉତ୍ତମ ସଙ୍ଗେ ସଙ୍ଗ ଯାର । ସେ କରେ ଉତ୍ତମ ବେଭାର ।

 

ହୀନ ସଙ୍ଗତେ ହୀନ ଗତି । ହସି କହନ୍ତି ଯଦୁପତି ।।

(ଜଗନ୍ନାଥ)

୨)

ସାଧୁସଙ୍ଗ କରନ ଭାଳି ତୁ ଆନ, ସହସ୍ର କମଳ ଦଳେ ନିରଞ୍ଜନ ।

 

କହନ୍ତି ଅଚ୍ୟୁତ ଦେଖିବୁ ପ୍ରତ୍ୟକ୍ଷ, ପଞ୍ଚ ମନକୁ ବୁଝାରେ ।।

୩)

ସୁମନ ଆରେ ମୋ ବୋଲ କର ସୁସଙ୍ଗେ ।

 

ସାଧୁ ସଙ୍ଗରେ ବେଭାର ଯେତେ, ମୂଳ ରଖି ଲାଭ ଖାଆରେ ।।

(ଅଚ୍ୟୁତ)

 

ଞ) କର୍ମ ଓ ଫଳ

କବୀରଙ୍କ ଦୃଷ୍ଟିରେ-

୧)

କଲିକାଳ ତତ୍‌ କାଳ ହୈ, ବୁରା କରୌ ଜନି କୋଇ

 

ଅନବାବୈ ଲୋହା ଦହିଣୈ, ବୌବେ ସୁଲୁଣତା ହୋଇ ।।

୨)

ରାମ ରାଇ ତେରୀ ଗତି ଜାଣୀ ନ ଜାଇ ।

 

ଜୋ ଜସ କରିହୈ ସୋ ତସ ପାଇହୈ ରାଜାରାମ ନିଆଇ ।।

 

ଜୈସୀ କହୈ କରେ ଜୋତୈସୀ, ତରତ ନ ଲାଗେ ବାରା ।

 

କହତା କହଗୟା ସୁନତା ସୁଣୀଗୟା, କରଣୀ କଠିନ ଅପାରା ।।

 

ଅର୍ଥାତ୍, ମାନବ ତାର କର୍ମ ଅନୁସାରେ ଫଳପାଇବା ସ୍ୱାଭାବିକ । କଳିକାଳରେ ଏହି ଫଳ ସତ୍ୱର ଲାଭ ହୁଏ । ନିଜ କଥା ଅନୁସାରେ କାମ କଲେ ମୋକ୍ଷ ପ୍ରାପ୍ତି ହୁଏ ।

 

ପଞ୍ଚସଖାଭକ୍ତଙ୍କ ଦୃଷ୍ଟିରେ-

କର୍ମାନୁସାରେ ଫଳ ପାଇ । ଉଦ୍ଧବ କହିଲି ବୁଝାଇ ।।

(ଜଗନ୍ନାଥ)

 

ଝ) ମାୟା ଓ ତହିଁର ନିରାକରଣ

କବୀରଙ୍କ ଦୃଷ୍ଟିରେ-

୧)

ମାୟା ନ ମରେ ମନ ମରେ, ମର ମର ଗୟେ ସରୀର ।

 

ଆସା ତୃଷ୍ଣା ନ ମରେ କହ ଗୟେ ଦାସ କବୀର ।।

୨)

ମାୟା ଦୀପକ ନର ପତଙ୍ଗ, ଭ୍ରମି ଭ୍ରମି ଇବେ ପଡ଼ନ୍ତ ।

 

କହେ କବୀର ଗୁର ଜ୍ଞାନ ଥୈ ଏକ ଆପ ଉଦାରନ୍ତ ।।

୩)

ମୋର ତୋର କୀ ଜେବରୀ ବଂଟ ବାଂଧା ସଂସାର ।

 

ଦାସ କବିରା କ୍ୟୋଁ ବନ୍ଧେ, ଜାକା ନାମ ଆଧାର ।।

୪)

ଅବଧୁ ମାୟା ତଜୀ ନ ଜାଇ ।

 

ଗିରହ ତଜକେ ବସ୍ତର ବାଁଧା, ବସ୍ତର ତଜକେ ଫେରୀ ।।

 

କାମ ତଜୈ ତୋ କ୍ରୋଧ ନ ଜାଇ, କ୍ରୋଧ ତଜେ ତୋ ଲୋଭା ।

 

ଲୋଭ ତଜୈ ଅହଂକାର ନ ଜାଇ, ମାନ ବଡ଼ାଇ ସୋଭା ।।

 

ଅର୍ଥାତ୍ ସଂସାରର ମାୟା ମୋହ ମନୁଷ୍ୟକୁ ବିଭିନ୍ନ ରୂପେର ବିଭ୍ରାନ୍ତ କରେ । କୁପଥଗାମୀ କରାଏ । ମନକୁ ନିୟନ୍ତ୍ରଣ, ନିର୍ମଳ କରି ପ୍ରଭୁ ନାମ ସ୍ମରଣ କଲେ ମାୟାର ବନ୍ଧନ କାଟି ହୁଏ ।

 

ପଞ୍ଚସଖା ଭକ୍ତଙ୍କ ଦୃଷ୍ଟିରେ-

X            X            X

୧)

ଯେବେ ପାଇବୁ ଭେଟ ମାୟାକୁ ତୁହି କାଟ,

 

ଗୁଋ ସେବିଣ ଦେଖ ଶ୍ରୀହରି ।।

(ଯଶୋବନ୍ତ)

୨)

କାୟାରୁ ମାୟା ସେ ବାହାର ହୋଇଣ, ରାହୁପ୍ରାୟେ ଘୋଟିଥାଇ ।

 

ନ ଚେତି ଅଜ୍ଞାନ ନ ଭଜିଲେ ନାମ, ମାୟା ମୋହେ ନାଶ ଯାଇ ।।

(ଅଚ୍ୟୁତ)

୩)

ବୃକ୍ଷର ତଳେ ଯେହ୍ନେ ଆସି । ପଥିକେ ବିଶ୍ରମନ୍ତି ବସି ।

 

ଶ୍ରମ ସାରିଣ ଯାନ୍ତି ଚଳି । ସେ ବୃକ୍ଷ ନୁହଇ କାହାରି ।।

 

ତେମନ୍ତ ମାୟା ଏ ସଂସାର । କେ ପିତା କେ କାହା କୁମର ।।

(ଜଗନ୍ନାଥ)

 

ଠ)      ସଗୁଣ ନିର୍ଗୁଣ ଆରାଧନା

ସନ୍ଥ କବୀରଙ୍କ ମତରେ-

୧)

ରୂପ ରେଖ ଜେହି ହୈ ନହୀଁ, ଅଧର ଧରେ ନାହୀଁ ଦେହ ।

 

ଗଗନ ମଣ୍ଡଳ କେ ମାଧ୍ୟେ, ରହତା ପୁରୁଷ ବିଦେହ ।।

 

X            X            X

 

ସଗୁଣ କା ସେବା କରୋଁ, ନିଗୁଁଣ କା କରୋଁ ଗ୍ୟାନ ।

 

ସଗୁଣ ନିର୍ଗୁଣ କୈ ପାରେ ତହିଁ ହମାରୀ ଧ୍ୟାନ ।।

୨)

ବେଦ କହେ ସରଗୁଣ କୈ ଆଗେ, ନିରଗୁଣ କା ବିସରାମ ।

 

ସରଗୁଣ ନିରଗୁଣ ତଜହୁ ସୋହାଗିନ୍ ଦେଖ ସବହି ନିଜ ଧାମ ।।

୩)

ନାରଦ ପ୍ୟାର ସୋଁ ଅନ୍ତର ନାହୀଁ ।

 

ପ୍ୟାର ଜାଗୈ ତୋ ହୀ ଜାଗୁଁ, ପ୍ୟାର ସୋବୌ ତବ ସୋଉଁ ।

 

ବେହଦ ତୀରଥ ପ୍ୟାର କୈ ଗରନନି, କୋଟି ଭକ୍ତ ସମାୟ ।।

 

xx            xx            xx

 

ଅର୍ଥାତ୍ ସାକାର ଓ ନିରାକାର ଆରାଧନା ମଧ୍ୟରେ ସ୍ଥୂଳ ସୂକ୍ଷ୍ମଗତ ପ୍ରଭେଦ ଥିଲେ ହେଁ ତତ୍ତ୍ୱଗତ ପ୍ରଭେଦ ଦେଖି ହୁଏନାହିଁ । ତେଣୁ କବୀରଙ୍କ ମତରେ ସାକାରର ସେବାକରି ନିରାକରର ଜ୍ଞାନ ଲାଭ କରିବା ପ୍ରକୃଷ୍ଟ ପନ୍ଥା । ପରାତ୍ପର ପରମେଶ୍ୱର ଉଭୟ ସଗୁଣ ଓ ନିର୍ଗୁଣର ଉର୍ଦ୍ଧ୍ୱରେ । ଉପଲବ୍ଧି କ୍ରମରେ ସାକାରରୁ ନିରାକାର ଓ ତଦୁର୍ଦ୍ଧ୍ୱ ନିର୍ଗୁଣ ପରମାତ୍ମା ପରଂବ୍ରହ୍ମଙ୍କର ଜ୍ଞାନଲାଭ ହୋଇଥାଏ । ସେହି ପରଂବ୍ରହ୍ମ ପରମାତ୍ମାଙ୍କ ଅଂଶବିଶେଷ ରୂପେ ଜୀବାତ୍ମା ଜୀବ ଅନ୍ତରରେ ବିରାଜିତ । ତାଙ୍କୁ ହିଁ ଆତ୍ମାରାମ ରୂପେ କବୀର ନିର୍ଦ୍ଦିଷ୍ଟ କରିଛନ୍ତି । ପ୍ରତି ପ୍ରାଣୀ ଅନ୍ତରରେ ବିରାଜିତ ଆତ୍ମାକୁ ଜ୍ଞାନକରିବା ଆତ୍ମତତ୍ତ୍ୱ ରୂପେ ଅଭିହିତ କରିଛନ୍ତି ।

 

ପଞ୍ଚସଖାଙ୍କ ମତରେ-

୧)

ଦୁଇ ଯେ ଡେଣାରେ ପକ୍ଷୀ ଉଡ଼ି କରି ଯାଇ ।

 

ଦୁଇ ଯେ ଚକ୍ଷୁରେ ସେହି ସଂସାରେ ଖେଳଇ ।।

 

ଏକ ଯେ ନ ଥିଲେ କଣା ଦୁଇ ଗଲେ ଅନ୍ଧ ।

 

ଏଣୁ କରି ସଗୁଣ ନିର୍ଗୁଣ ସେହି ଭେଦ ।

୨)

ନିରାକାର ବ୍ରହ୍ମ ପଦେ ସର୍ବ କର୍ମ ଦେଇ ।

 

ରହ ତୁ ନିଶିନ୍ତେ ତୋର ଭୟ କିଛି ନାହିଁ ।

(ଅଚ୍ୟୁତ)

୩)

ଶୂନ୍ୟରେ ଶୂନ୍ୟରେ ଦେଉଳ ହୋଇଛି ଦେଉଳ ଗୋଟିକ ଆଗେ ନିର୍ମାଣ ।

 

ଭଲା ସେ ବିନ୍ଧାଣୀ ଗଢ଼ି ଅଛି ପୁଣି, ଅମୁହଁ ଦେଉଳେ ଦିଅଁ ଦର୍ଶନ ।।

(ଅଚ୍ୟୁତ)

୪)

ନିତ୍ୟ ନିସ୍ପୃହ ନିର୍ଗୁଣ ଅଟଇ ନିର୍ଲେପ ।। (ଅଚ୍ୟୁତ)

 

ପଞ୍ଚସଖା ଭକ୍ତଗଣ ନିର୍ଗୁଣ ବ୍ରହ୍ମବାଦୀ ଥିଲେ ହେଁ ସମସ୍ତଙ୍କର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଠାରେ ଗଭୀର ଭକ୍ତି ଥିଲା ଓ ସେମାନେ ଶ୍ରୀଜଗନ୍ନାଥଙ୍କର ବହୁ ଜଣାଣ ରଚନା କରିଥିଲେ । ଦୃଷ୍ଟାନ୍ତ ସ୍ୱରୂପ –

 

୧)

ଦୀନବନ୍ଧୁ ହେ ମୋ ଦୁଃଖ ନଗଲା ଯେ ।

 

ତୁମେ ଦୀନବନ୍ଧୁ ମୋ ବନ୍ଧୁ ନୋହିଲେ, ମୋ ବନ୍ଧୁ ହୋଇବ କେ (ଅଚ୍ୟୁତ)

୨)

ଶ୍ରୀଜଗନ୍ନାଥଙ୍କ ରୂପ             ଅଶେଷ କରୁଣା କୂପ

ସକଳ ମନ୍ତ୍ରଙ୍କ ଭୂପ ଷୋଡ଼ଶାକ୍ଷର ।।

(ଜଗନ୍ନାଥ)

୩)

ଠୁଳ ଶୂନ୍ୟ ନାହିଁ ଯାର ଅନାମରେ ଜ୍ୟୋତି ।

 

ପାଦ ପାଣି ନାହିଁ ଯାର ଅନାମରେ ସ୍ଥିତି ।।

 

ଦେହ ନାହିଁ ଅଦେହରେ କରିଅଛି ବାସ ।

 

ଅଜପା ଅକର୍ମା ଅଣ ଅଭ୍ୟାସ ଅଦୃଶ୍ୟ ।।

 

xx            xx            xx

 

ପୂଜା ବ୍ରତ ତୀର୍ଥ ଯଜ୍ଞ ତ୍ରିଗୁଣ ବାବର ।

 

ବ୍ରହ୍ମା ବିଷ୍ଣୁ ମହେଶଙ୍କୁ ନ ହେଲା ଗୋଚର ।।

 

କଥନ ନୁହଇ ଅକଥନ ଅପ୍ରମିତ ।

 

ଯଶୋବନ୍ତେ ବୁଝାଇଲେ ପ୍ରଭୁ ଜଗନ୍ନାଥ ।। ଯଶୋବନ୍ତ।

 

ପଞ୍ଚସଖା ଭକ୍ତଗଣ ଜଗନ୍ନାଥ ମହାପ୍ରଭୁଙ୍କୁ ଇଷ୍ଟ ଦେବର ଭକ୍ତି ସମର୍ପଣ କରୁଥିଲେ । ଯଶୋବନ୍ତଙ୍କ ଉଲ୍ଲିଖିତ (୩) ପଦରେ ସେ ଶ୍ରୀଜଗନ୍ନାଥଙ୍କୁ ଶୂନ୍ୟ ପରମେଶ୍ୱର ରୂପେ ବର୍ଣ୍ଣନା କରିଛନ୍ତି ।

 

ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ଗୁଣ ନିରାକାରଙ୍କ ପ୍ରତୀକ ରୂପେ ପ୍ରତୀୟମାନ ହୋଇଥିବା ସମ୍ଭବ । ସନ୍ଥକବୀର ମଧ୍ୟ ଶ୍ରୀମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ଭାବରେ ଆପ୍ଳୁତ ହୋଇ ବହୁ ଭଜନ ମାଧ୍ୟମରେ ତାହା ପ୍ରକାଶ କରିଥିଲେ । ଶ୍ରୀଜଗନ୍ନାଥଙ୍କ ବିଗ୍ରହ ତାଙ୍କୁ ମଧ୍ୟ ନିର୍ଗୁଣ ନିରାକାରଙ୍କ ପ୍ରତୀକ ସ୍ୱରୂପ ପ୍ରତୀୟମାନ ହୋଇଥିବାର ଅନୁମାନ ।

 

ଡ)      ଯୋଗ ସାଧନା ଓ ହାସ୍ୟବାଦ

କବୀରଙ୍କ ଦୃଷ୍ଟିରେ –

୧)

ରସ ଗଗନ ଗୁଫାମୈ ଅଜର ଝରୌ

 

ବିନ ବାଜା ଝନକାର ଉଠେ ଜହଁ, ସମୁଝିପରେ ଯବ ଧ୍ୟାନ ଧରୈ ।।

 

ଦସବେ ଦ୍ୱାରୀ ତାରୀ ଲାଗୀ । ଅଲଖ ପୁରୁଖ ଜାକେ ଧ୍ୟାନ ଧରୈ ।

 

କାଲ କରାଲ ନିକଟ ନହିଁ ଆବୈ, କାମ କ୍ରୋଧ ମଦ ଲୋଭ ଜରୈ ।।

 

XX            XX            X

୨)

ତଁବିର ସାଁ ଝକା ଗହୀରା ଆବୈ, ଛାବୈ ପ୍ରେମତନ ମନ ମୈଁ ।

 

ପଚ୍ଛିମ ଦିସକୀ ଖିଡ଼କୀ ଖୋଲୋ, ଜୁବହୁ ପ୍ରେମ ଗଗନ ମେଁ ।।

 

ଚେତ କଁବଲ ଦଲ ରସ ପୀୟୋରେ, ଲହର ଲେହୁ ୟାତନ ମୈଁ ।

 

ସଂଖ ଘଣ୍ଟା ସହନାଇ ବାଜୈ, ସୋଭା ସିନ୍ଧ ମହଲ ମୈଁ ।।

 

କହେ କବୀର ସୁନୋଭାଇ ସାଧୋ, ଅମର ସାହବ ଲଖ ଘଟ ମୈଁ

 

କବୀର ତାଙ୍କର ଆଧ୍ୟାତ୍ମିକ ସାଧନ ପଥରେ ନାଥପନ୍ଥୀ ଯୋଗୀମାନଙ୍କର ଯୋଗସାଧନା ମାର୍ଗ ଓ ରହସ୍ୟବାଦ ପ୍ରତି ଆକୃଷ୍ଟ ହୋଇଥିବାର ଦେଖାଯାଏ । ଅନାହତ ବାଣୀ ଓ ଅମୃତ ରସର ନିର୍ଝର ଇତ୍ୟାଦିର ଉଲ୍ଲେଖ ତାଙ୍କର କେତେକ ରଚନାରେ ଲକ୍ଷ୍ୟ କରାଯାଏ । ସେ ହଂ-ଯୋଗାଭ୍ୟାସାଦି କରିଥିବାର ମଧ୍ୟ ଜଣାଯାଏ ।

 

ପଞ୍ଚସଖାଗଣଙ୍କ ଦୃଷ୍ଟିରେ-

୧)

ଇଙ୍ଗଳା ପିଙ୍ଗଳା ସୁଷୁମ୍ନା ତିନି, ଉଜାଣି ପବନେ ଛାଡ଼ ।

 

ଏଥର ପାଣି ଉପରକୁ ଉଠିଲେ ତେବେ ଅଜରାମର କାଢ଼ ।।

(ବଳରାମ)

 

୨)

ନିଶ୍ଚଳେ ଆସନେ ବସି ସାଧନ ଶିଖିବ,

 

ମେରୁକୁ ସଳଖି ବ୍ରହ୍ମରନ୍ଧ୍ରେ ଦୃଷ୍ଟି ଦେବ ।

 

ଯେତେବେଳେ ମନ ତୋର ନାସାଗ୍ରେ ରହିବ,

 

ତ୍ରିକୁଟ ସନ୍ଧିରେ ତୋର ଅଗ୍ନି ବାହାରିବ ।।

(ଅଚ୍ୟୁତ)

 

 

ଢ)      ଜ୍ଞାନମିଶ୍ର ଭକ୍ତିର ସ୍ୱରୂପ

ସନ୍ଥକବୀରଙ୍କ ଦୃଷ୍ଟିରେ-

୧)

ଅବଧୂ ଭଜନ ଭେଦ ହୈ ନ୍ୟାରା ।

 

XX            XX            XX

 

କ୍ୟା ସଂଧ୍ୟା ତରପନ କେ କିହ୍ନେ, ଜୋ ନାହିଁ ତତ୍ତ ବିଚାରା ।

 

ଜ୍ଞାନ, ଦାନ କା ମରମ ନ ଜାନୈ ବାଦ କରୈ ଅନ୍ଧାରା ।।

 

ସୋ ପାୟେ ଜୋ କରେ ଆଧାର, କେବଲ ସତ୍ୟ ବିଚାରା ।।

 

X      X      X

୨)

ଜା ବିଧି ମନ କୋ ଲଗାବୈ, ମନକୋ ଲଗାୟେ ପ୍ରଭୁ ପାବୈ ।

 

x      x      x

 

ଧୂପ ଦୀପ ନୈବେଦ ଅରଗଜା, ଜ୍ଞାନ କା ଆରତୀ ଲାବୈ ।।

 

କହେ କବୀର ସୁନୋଭାଇ ସାଧୋ, ଫେର ଜନ୍ମ ନାହିଁ ପାଦୈ ।।

୩)

କୌନ ବିଚାରି କରତ ହୋ ପୂଜା, ଆତିମ ରାୟ ଆବର ନହୀଦୁରି ।

 

ବୀନ ପ୍ରତୀତେ ପାନୀ ତୋଡ଼ୈ, ଜ୍ଞାନ ବୀନ ସିର ଫୋଡ଼ୈ ।।

ଅର୍ଥାତ୍, ଅଜ୍ଞାନ ଅନ୍ଧକାରଗ୍ରସ୍ତ ସାଧକର ସାଧନା ନିଷ୍ଫଳ ପ୍ରୟାସ ମାତ୍ର । ଜ୍ଞାନ ଓ ବିଶ୍ୱାସ ସକଳ ଆଧ୍ୟାତ୍ମିକ ପ୍ରୟାସ ନିରର୍ଥକ । ସତ୍ୟ ବିଚାର ଓ ଜ୍ଞାନାଲୋକ ପ୍ରୟୋଜନ ।

 

ପଞ୍ଚସଖା ଭକ୍ତଗଣଙ୍କ ଦୃଷ୍ଟିରେ-

୧)

ନେଚେତି ଅଜ୍ଞାନ ନ ଭଜିଲେ ନାମ, ମାୟା ମୋହେନାଶ ଯାଇ ।

(ଅଚ୍ୟୁତ)

୨)

ଅଖଣ୍ଡ ବ୍ରହ୍ମେ ପ୍ରୀତିକର, ହେତୁକୁ ଘେନିଣ ବିହର ।

(ଅଚ୍ୟୁତ)

୩)

ଗୀତା ଭାଗବତ ପୁରାଣ ପଢ଼ିବା କହିବା ଚାତୁରୀ ଥିବ ।

 

ତତ୍ତ୍ୱ ଅଣାକାର ନାମ ବ୍ରହ୍ମଭେଦ ନ ପାଇ ବିଅର୍ଥ ହେବ ।।

 

x            x            x

 

ସମ୍ପୂର୍ଣ୍ଣ ଲହରୀ କୂଳକୁ ପ୍ରବେଶ ମଧ୍ୟରୁ କେ ଭାଙ୍ଗି ଯାଇ ।

 

ତେସନ ତତ୍ତ୍ୱ ନ ପାଇଲେ ବ୍ରହ୍ମ ଯେ ନିକଟୁ ଦୂରକୁ ଯାଇ ।।

 

x x                  x x

୪)

ଅଇରି ତୋ କଳପଣା । ଛେଦି ପକା ବେନି ଡେଣା ।

ଶୂନ୍ୟରେ ବାଜୁଛି ବୀଣା ଶୁଭୁ ନାହିଁ କି ?

ହାଟେର ପାଞ୍ଚ ପାଇକ ହେଉଛନ୍ତି ଡାକ ହାକ,

ହାଟ ସରିଲେ ବଣିକ ଆଉ ଥାଇ କି ?

(ଜଗନ୍ନାଥ)

ଉଲ୍ଲିଖିତ ମତେ ସନ୍ଥକବୀର ଓ ପଞ୍ଚସଖା ଭକ୍ତଗଣଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହମତ ଥିବାର ଲକ୍ଷ୍ୟ କରାଯାଏ । ତଦ୍‌ବ୍ୟତିତ ତତ୍ତ୍ୱଜ୍ଞାନପୂର୍ଣ୍ଣ ଏବଂ ରହସ୍ୟବାଦ ସମ୍ବଳିତ କେତେକ ପଦରେ ଉଭୟଙ୍କର ରଚନା ଶୈଳୀ ତଥା ଚିନ୍ତାଧାରାର ସାମଞ୍ଜସ୍ୟ ଥିବା ମଧ୍ୟ ଦେଖାଯାଏ । ସାନ୍ଧ୍ୟ ଭାଷା ବା ଓଲଟା ବାଣୀ ପ୍ରଯୁକ୍ତ ଏତାଦୃଶ ରଚନାଗୁଡ଼ିକରୁ ଗୋଟିଏ ଲେଖାଏଁ ଦୃଷ୍ଟାନ୍ତ ସ୍ୱରୂପ ଉଲ୍ଲେଖେଯୋଗ୍ୟ ।

ସନ୍ଥ କବୀରଙ୍କ ରଚନାରେ

କୈସେ ନଗରୀ କରୌ କୁଟଓ୍ୟାରୀ

ଚଞ୍ଚଲ ପୁରିଷ ବିଚକ୍ଷଣ ନାରୀ

।।

ବୈଲ ବିୟାଇ ଗାଇ ଉଇ ବାଁଝ

ବାଛରା ଦୁହେଁ ତୀୟ ସାଁଝ୍

।।

ମକଡ଼ୀ ଘରି ମାସୀ ଛିଛିହାରୀ

ମାସ ପସାରି ଚିଲହ ରଖଓ୍ୟାରୀ

।।

ମୂଷା ଖେବଟ ନାଦ ବିଲଇୟା

ମାଁ ଡକ ସୋବୈ ସାପ ପହରିୟା

।।

ନିତଉଠ ସ୍ୟାଲ ସିଂହ ସେ ଜୁଝେ

କହେ କବୀର କୋଇ ବିରଲା ବୁଝେ

।।

 

ଅଚ୍ୟୁତାନନ୍ଦଙ୍କ ରଚନାରୁ –

ବାଇମନ ହୋ ବସି ଅବନା ବନ ।

 

 

ଅବନା ବନିଲେ ଅମିଶା ମିଶିବ

ଅମାପରେ ମାପ ହେବ ତୋ ଧନ

।।

ଅମାସ୍ୟା ନିଶିରେ ଷୋଳ କଳା ଚନ୍ଦ୍ର

ସର୍ବଦା ନିଶିରେ ରବି ଦର୍ଶନ

।।

ଅହର୍ନିଶି ଯହିଁ ପ୍ରଦୀପ ଜଳୁଛି

ଦୀପ ତେଜେ ଅଣଚାଶ ପବନ

।।

ନିର୍ଝର କନ୍ଦରେ ହଂସ ପହଁରୁଛି

ଅଗାଧ ଜଳେ ହରିଣୀ ଆସୀନ

।।

ଶତେ ଛୁଆ ଧରି ଖେଳୁଛି ହରିଣ

ବ୍ୟାଘ୍ର ଆଣିଦିଏ ତାକୁ ଭୋଜନ

।।

ନିଶବଦ ଘରେ ନାମ ସଂକୀର୍ତ୍ତନ

ଶବଦରେ ନାହିଁ ହରି ଭଜନ

।।

ଚାରି ମେଘ ମିଳି ଜଳ ବରଷନ୍ତି

ମରୁଡ଼ିରେ କୃଷି ହେଲା ଦହନ

।।

ଶୂନ୍ୟରେ ଶୂନ୍ୟରେ ଦେଉଳ ହୋଇଛି

ଦେଉଳ ଗୋଟିକ ଆପେ ନିର୍ମାଣ

।।

ଭଲା ସେ ବିନ୍ଧାଣୀ ଗଢ଼ି ଅଛି ପୁଣି

ଅମୁହାଁ ଦେଉଳେ ନିଅଁ ଦର୍ଶନ

।।

 

      x      x      x      x      x      x      x

 

ସାନ୍ଧ୍ୟ ଭାଷା ସମ୍ବଳିତ ପଦମାନଙ୍କରେ ବ୍ୟବହୃତ କେତେକ ଶବ୍ଦର ସାଙ୍କେତିକ ଅର୍ଥ ଥିବାର ଲକ୍ଷ୍ୟ କରାଯାଏ, ଯଥା – ହଂସ ଜିବାତ୍ମ, ଗାଇ-ମନ । ବାଛୁରୀ- ଇନ୍ଦ୍ରିୟଗଣ । ନାରୀ-କମଳା, ଇତ୍ୟାଦି । ବିଭିନ୍ନ ପରିପ୍ରେକ୍ଷୀରେ ଶବ୍ଦାର୍ଥ ଭିନ୍ନ ଭିନ୍ନ ହେବାର ମଧ୍ୟ ଦେଖାଯାଏ । ସେ ଯୁଗର ଆଧ୍ୟାତ୍ମିକଗଣ ସାନ୍ଧ୍ୟ ଭାଷା ବା ଓଲଟବାଣୀ ପ୍ରୟୋଗ କରି ତାଙ୍କ ରଚିତ ପଦମାନଙ୍କରେ ନିହିତ ଗୂଢ଼ ତତ୍ତ୍ୱକୁ ଅସ୍ପଷ୍ଟ ରଖିବାର ଲକ୍ଷ୍ୟ କରାଯାଏ ।

 

ସନ୍ଥ କବୀର ଓ ପଞ୍ଚସଖା ଭକ୍ତକବିଗଣଙ୍କ ମଧ୍ୟରେ ସାକ୍ଷାତ, ଆଳାପ, ଆଲୋଚନା ହୋଇଥିବା ପରିପ୍ରେକ୍ଷୀରେ ଉଲ୍ଲିଖିତ ଭାଗବତ ଓ ରଚନା ଶୈଳୀଗତ ଐକ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମନେ ହୁଏ । ସନ୍ଥ କବୀରଙ୍କ ପରିଣତ ବୟସ ଓ ପରିପକ୍ୱ ଆଧ୍ୟାତ୍ମିକ ଜ୍ଞାନ, ତଥା କବି ପ୍ରତିଭାର ଉତ୍କର୍ଷ ଦୃଷ୍ଟେ କେହି କେହି ସୂଚାଇ ଥାଆନ୍ତି ଯେ ତାଙ୍କ ବିଚାରଧାରା ପଞ୍ଚସଖା ଗଣଙ୍କ ଦୃଷ୍ଟିକୋଣକୁ ପ୍ରଭାବିତ କରିଥିବା ସମ୍ଭବ । ପଞ୍ଚସଖା ଭକ୍ତ ଗୋଷ୍ଠିର ଅନ୍ୟତମ ସଦସ୍ୟ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସାଧନା ପୀଠ ନେମାଳଠାରେ ଅନ୍ୟ ଦେବାଦେବୀଙ୍କ ସହିତ ସନ୍ଥ କବୀରଙ୍କ ଗାଦି ସ୍ଥାପନା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ରୂପେ ଗୃହୀତ ହୁଏ ।

 

ଉଲ୍ଲିଖିତ ଦ୍ୱାଦଶାଧିକ ମୁଖ୍ୟ ବିଷୟବସ୍ତୁରେ ଉଭୟଙ୍କର ଦୃଷ୍ଟିକୋଣର ସହମତତା ବାସ୍ତିବିକ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ । ମାତ୍ର ତହିଁରୁ କିଏ କିପରି ଭାବରେ କେତେଦୂର କାହା ଦୃଷ୍ଟିକୋଣକୁ ପ୍ରଭାବିତ କରିଥିବା ସମ୍ଭବ କି ନା, ଅଭିଜ୍ଞ ଗବେଷକଙ୍କ ଦ୍ୱାରା ପୁଙ୍ଖାନୁପୁଙ୍ଖ ଗବେଷଣା ବିନା କୌଣସି ମତବ୍ୟକ୍ତ କରିବା ସମୀଚୀନ ମନେ ହୁଏନାହିଁ । ବର୍ତ୍ତମାନ ପରିସ୍ଥିତିରେ ଏତିକି ମାତ୍ର ନିଃସନ୍ଦେହରେ କୁହାଯାଇ ପାରେ ଯେ ସେମାନଙ୍କ ମଧ୍ୟରେ ହୋଇଥିବା ଆଳାପ, ଆଲୋଚନା ଦ୍ୱାରା ପରସ୍ପରର ଆଧ୍ୟାତ୍ମିକ ବିଚାର ଧାରା ପରିପୁଷ୍ଟ ହୋଇଥିବା ସ୍ୱାଭାବିକ ।

 

ସନ୍ଥ କବୀରଙ୍କର ଆମ ରାଜ୍ୟର ଶ୍ରେଷ୍ଠ ଆଧ୍ୟାତ୍ମିକ ସମ୍ପଦ ପୁରୁଷୋତ୍ତମକ୍ଷେତ୍ର ପୁରୀ ସହିତ ଘନିଷ୍ଠ ସମ୍ପର୍କ ଓ ଶ୍ରୀମନ୍ଦିରର ସୁରକ୍ଷା ନିମିତ୍ତ ତାଙ୍କର ବିଶେଷ ଅବଦାନ ଦୃଷ୍ଟେ ଏ ଦିଗରେ ଗବେଷଣା ହେବା ସମୁଚିତ ମନେ ହୁଏ । ବିଶେଷକରି ଉଭୟ ସନ୍ଥ କବୀର ଓ ପଞ୍ଚସଖା ଭକ୍ତଗଣଙ୍କର ଆଧ୍ୟାତ୍ମିକ ସାହିତ୍ୟକୁ ଅତୁଳନୀୟ ଅବଦାନ ଦୃଷ୍ଟେ ଏ ଦିଗରେ ପ୍ରୟାସ ବାଞ୍ଛନୀୟ ।

 

ଲୁଇସରୋଡ଼

ଭୁବେନଶ୍ୱର

***

 

Unknown

କିମ୍ବଦନ୍ତୀଭିତ୍ତିରେ ଓଡ଼ିଆ ସାହିତ୍ୟ

ଶ୍ରୀ ସୀମାଞ୍ଚଳ ପ୍ରଧାନ

 

ସମାଜର ବାସ୍ତବ ପ୍ରତିଛବି ସାହିତ୍ୟ ମୁକୁରରେ ପ୍ରତିବିମ୍ବିତ ହୁଏ । ତେଣୁ ସାହିତ୍ୟ ହେଉଛି ସମାଜର ମୁକୁର । ଇଂରାଜୀ ସମାଲୋଚକ ମାଥ୍ୟୁ ଆର ନୋଲ୍‌ଡ଼ ସାହିତ୍ୟ ସମ୍ପର୍କରେ କହନ୍ତି – “Literature is the mirror of society” । ସମାଜର ଉତ୍‌ଥାନ ପତନ, ଦୁଃଖଦୁର୍ଦ୍ଦଶା ଇତ୍ୟାଦିକୁ ନିୟନ୍ତ୍ରଣ କରିବା, ମାନବ ମନରେ ଅନ୍ୟର ହସ କାନ୍ଦ, ସୁଖ ଦୁଃଖ ଇତ୍ୟାଦି ନିମିତ୍ତି ସମ୍ବେଦନା ଜାଗ୍ରତ କରାଇ ଆନନ୍ଦ ସଞ୍ଚାର କରିବା ହେଉଛି ସାହିତ୍ୟ ସୃଷ୍ଟିର ବିଶେଷତ୍ୱ । ତାହା ଅପେକ୍ଷା କିମ୍ବଦନ୍ତୀ ଭିତ୍ତିକ ସାହିତ୍ୟ ସୃଷ୍ଟିର ବିଶେଷତ୍ତ୍ୱ ଅନ୍ୟାନ୍ୟ ସାହିତ୍ୟ ସୃଷ୍ଟି ଅପେକ୍ଷା କୌଣସି ଦିଗରୁ ମଧ୍ୟ କମ୍ ନୁହେଁ । କୁହାଯାଇଛି, ସମଗ୍ର ପୃଥିବୀର ଭାଷା ଓ ସାହିତ୍ୟରେ କିମ୍ବଦନ୍ତୀମାନ ରହିଆସିଛି ଓ ଅଧିକାଂଶ ସାହିତ୍ୟକ କିମ୍ବଦନ୍ତୀମାନଙ୍କୁ ଭତ୍ତିକରି ସେମାନଙ୍କର ସାହିତ୍ୟମାନ ସୃଷ୍ଟି କରି ଅଛନ୍ତି ।

 

କିମ୍ବଦନ୍ତୀ ଭିତ୍ତିକ ସାହିତ୍ୟ ସୃଷ୍ଟି କରିବାର ମୁଖ୍ୟ ବିଶେଷତ୍ୱ ହେଉଛି ସେହି ନିର୍ଦ୍ଦିଷ୍ଟ ସ୍ଥାନ, କାଳ, ପାତ୍ର ଇତ୍ୟାଦିର ମହନୀୟତା ପ୍ରକାଶ କରିବା ଓ ସେହିମାନଙ୍କ ଜରିଆରେ ସମାଜକୁ ସୁଦୂର ଅତୀତର ଜନଜୀବନ ସହିତ ସମନ୍ୱିତ କରିବା । ପୁଣି ଏହି ସାହିତ୍ୟର ଅନ୍ୟ କେତୋଟି ବିଶେଷତ୍ୱ ହେଲା – (୧) ଜାତିର ବର୍ତ୍ତମାନ ବଂଶଧରମାନଙ୍କ ମାନସପଟ୍ଟରେ ଅତୀତ ଗୌରବର ସ୍ମୃତି ଜାଗ୍ରତ କରାଇବା । (୨) ଏହା ମଧ୍ୟରେ ଜାତି ପ୍ରୀତି ଜାଗ୍ରତ କରାଇବା । (୩) ଗୋଟିଏ ଜାତିର ପାଠକମାନଙ୍କ ପାଇଁ ତା’ର ପରିଚିତ ତଥା ପ୍ରିୟ କଥାବସ୍ତୁ ମଧ୍ୟରେ କିଛି ଉପଦେଶାତ୍ମକ ବାଣୀ ଶୁଣାଇବା । (୪) ଅତୀତର ପ୍ରେରଣାଦ୍ୱାରା ଜାତିର ଭବିଷ୍ୟତ ବଂଶଧରମାନଙ୍କର ପୂର୍ବ ଗୌରବ ଫେରାଇ ଆଣିବା ନିମିତ୍ତି ପ୍ରେରଣା ଦେବା ଓ (୫) ସୁପ୍ତଜାତିର ତନ୍ଦ୍ରାଳୁ ମନକୁ ଜାଗ୍ରତ କରିବା ।

 

ଏହି ପ୍ରକାର କିମ୍ବଦନ୍ତୀ ଭିତ୍ତିକ ରଚନାରେ ସ୍ରଷ୍ଟା ଉପରୋକ୍ତ ମର୍ମବାଣୀକୁ ଆଖି ଆଗରେ ରଖି ଗଳ୍ପ, ଉପନ୍ୟାସ, କାବ୍ୟ, କବିତା, ନାଟକ ଓ ପ୍ରବନ୍ଧ ଇତ୍ୟାଦି ସାହିତ୍ୟସୃଷ୍ଟି କରିଥାନ୍ତି । ଏସବୁର ଦୃଷ୍ଟାନ୍ତ ଆମ ସାହିତ୍ୟରେ କାହିଁକି ପୃଥିବୀର ପ୍ରାୟ ସମସ୍ତ ସାହିତ୍ୟରେ ଊଣା ଅଧିକେ ଦୃଷ୍ଟିଗୋଚର ହୁଏ । ଉଦାହରଣ ସ୍ୱରୂପ ଦେବୀ ସାରଳାଙ୍କ କୃପାରୁ କିପରି ସାରଳା ଦାସଙ୍କ କବି ପ୍ରତିଭାର ବିକାଶ ସାଧନ ହୋଇଥିଲା ଓ ପୁଣ୍ୟଭୂମି ଭାରତବର୍ଷର ଆଦରଣୀୟ ଗ୍ରନ୍ଥ ମହାଭାରତ ଓ ଚଣ୍ଡୀପୁରାଣ ତାଙ୍କ ଦ୍ୱାରା ରଚିତ ହୋଇ କିପରି ଏ ଜାତିକୁ ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରି ପାରିଥିଲା, ତାହା ତାଙ୍କ ରଚନାଦ୍ୱୟର ଅନୁଶୀଳନରୁ ସ୍ପଷ୍ଟ ପ୍ରତିଭାତ ହୁଏ । ସାରଳାଙ୍କ ରଚନା ତାଙ୍କ ବଂଶଧରମାନଙ୍କ ମାନସପଟ୍ଟରେ ଅତୀତର ସ୍ମୃତି ଜାଗ୍ରତ କରିବା ସଙ୍ଗେ ସଙ୍ଗେ ଏ ଜାତି ପ୍ରାଣରେ ଏକ ଗୌରବର ବାର୍ତ୍ତା ପହଂଚାଇ ଦେଇଥିଲା । ଆଜକୁ ଦୀର୍ଘ ପାଞ୍ଚଶହ ବର୍ଷ ବିତିଗଲାଣି-। ଏ ଧୁଳି ଧୂସରିତ ଧରଣୀର ମାଟିରେ ସାରଳା ଦାସଙ୍କ ଜୀବନ୍ତ ଶରୀର କେଉଁଆଡ଼େ ବିଲୀନ ହୋଇଗଲାଣି କିନ୍ତୁ ତାଙ୍କ ଦ୍ୱାରା ରଚିତ ଅମୂଲ୍ୟ ଗ୍ରନ୍ଥ ଦୁଇଟିରେ ସେ ଯେପରି ଭାବେ ସେହି ସମୟର ପ୍ରାଣ ସ୍ପନ୍ଦନ ଓ ତାଙ୍କ ବଂଶଧରମାନଙ୍କର ପରିଚୟ ଉପସ୍ଥାପନ କରିଛନ୍ତି ତାହା ଏ ଯାଏଁ ବିଲୀନ ହୋଇନାହିଁ କିମ୍ବା ହେବ ନାହିଁ । ତାଙ୍କ ସାହିତ୍ୟ ସଦା ସର୍ବଦା ସତ୍ୟ, ଶିବ, ସୁନ୍ଦର ହୋଇ ରହିଅଛି ଓ ରହିଥିବ ମଧ୍ୟ । ସେହି ସାହିତ୍ୟକୁ ଲୋକେ ପାଠକରି, ଶ୍ରବଣକରି ଆଜି ତା’ର ଅଭୁଲା ସ୍ମୃତିକୁ ପୁନଃରାୟ ଆଖିଖୋଲି ଦେଖିବାର ସୁଯୋଗ ଲାଭ କରିଥାନ୍ତି । ତେଣୁ ଏହି ପ୍ରକାର ସାହିତ୍ୟର ବିଶେଷତ୍ୱ କୌଣସି ଦିଗରୁ କମ୍ ଗୌରବାନ୍ୱିତ ନୁହେଁ ।

 

ଜାତିପ୍ରୀତି ଜାଗ୍ରତ କରାଇବା କିମ୍ବଦନ୍ତୀମୂଳକ ସାହିତ୍ୟର ଅନ୍ୟ ଏକ ବିଶେଷତ୍ୱ । ଉଦାହରଣ ସ୍ୱରୂପ ସତ୍ୟବାଦୀ ସାହିତ୍ୟର ପ୍ରତିଟି ରଚନାକୁ ଗ୍ରହଣ କରାଯାଇପାରେ । ସେଥିମଧ୍ୟରୁ ଗୋଟିଏ ହେଉଛି ଗୋପବନ୍ଧୁଙ୍କ ‘ଧର୍ମପଦ’ରେ ଅନୁରଣିତ ଜାତି ପ୍ରୀତି । ‘‘ବାରଶ ବଢ଼େଇରେ ଦାୟ ନା ପୁଅରେ ଦାୟ’’ । (୧) ଏହି ଗୋଟିଏ ମାତ୍ର ସଂଳାପ ଗୋପବନ୍ଧୁ ‘ଧରମା’ ମୁହଁରେ ଖଂଜିଦେଇ ଉତ୍କଳୀୟ ଜନତାର ମନରେ କାହିଁକି ସାରା ବିଶ୍ୱପ୍ରାଣରେ ଜାତି ପ୍ରୀତିର ଭାବଧାରା ଛୁଟାଇ ପାରିଛନ୍ତି । ବାର ବରଷର ବାଳକ ଧରମା ଯେପରି ଭାବେ ସମଗ୍ରକୁଳର ପ୍ରାଣରକ୍ଷା କରିବା ପାଇଁ ଗୋଟିଏ ଆତ୍ମାକୁ ସମୁଦ୍ରର ଅତଳ ଜଳ ରାଶି ମଧ୍ୟେର ବିସର୍ଜନ କରି ଦେଇଥିଲା, ତାହାକୁ ଏ ଜାତି କେବେ ହେଁ ଭୁଲିବାର ନୁହେଁ । ସେହିପରି ଗୋଦାବରୀଶ ମିଶ୍ରଙ୍କ ଦୁଖିଧନ, ଅଭିରାମ ସିଂହ, ଗାଲମାଧବ ଇତ୍ୟାଦି କବିତାକୁ ଜାତିପ୍ରୀତିର ନିଚ୍ଛକ ପ୍ରତିଛବି ରୂପେ ଗ୍ରହଣ କରାଯାଇ ପାରେ ।

 

ପୁଣି ସ୍ରଷ୍ଟା ଉପଦେଶାତ୍ମକ ବାଣୀକୁ ସମାଜ ମଧ୍ୟରେ ଶୁଣାଇବା ପାଇଁ ତା’ ସୃଷ୍ଟି ସମ୍ଭାର ମଧ୍ୟରେ କିମ୍ବଦନ୍ତୀର ଆଶ୍ରୟ ଗ୍ରହଣ କରିଥାଏ । ଏହି ଉପଦେଶାତ୍ମକ ବାଣୀକୁ ହୃଦୟଙ୍ଗମ କରି ସାମାଜିକ ପ୍ରାଣୀ ତା’ ଅନ୍ତରରେ ଥିବା ଦୋଷ ଦୁର୍ବଳତାକୁ ଦୂର କରିବା ସଙ୍ଗେ ସଙ୍ଗେ ଉଚିତ୍ ମାର୍ଗର ଅନୁଗାମୀ ହେବା ପାଇଁ ଚେଷ୍ଟା କରିଥାଏ । ଏହି ପ୍ରକାର ରଚନା ଆଦିକବି ବାଲ୍ମିକୀ, ସାରଳା ଦାସ, ଚୈତନ୍ୟ, ଶଙ୍କରାଚାର୍ଯ୍ୟ, ନିଗମାନନ୍ଦ, ଭୀମଭୋଇ, ଗାନ୍ଧୀ, ଗୋପବନ୍ଧୁ ପ୍ରଭୃତି ମନୀଷୀ ସଂପର୍କରେ ଯେଉଁସବୁ କିମ୍ବଦନ୍ତୀ ଏ ଦେଶରେ ପ୍ରଚଳିତ ହୋଇ ଆସୁଅଛି, ସେଗୁଡ଼ିକ ଯେ ଦେଶବାସୀଙ୍କ ପ୍ରାଣରେ ଆଦର୍ଶର ବୀଜ ବପନ କରିବା ପାଇଁ ସମର୍ଥ ହେବେ ଏହା ନିଶ୍ଚିତ ଭାବେ ସ୍ୱୀକାର କରାଯାଇପାରେ ।

 

କିମ୍ବଦନ୍ତୀ ଭିତ୍ତିକ ସାହିତ୍ୟ ମଧ୍ୟେର ଗୋଟିଏ ଦେଶର ଅତୀତ ଗୌରବ ପୁନଃ ଜାଗରିତ ହେବା ଲକ୍ଷ୍ୟ କରାଯାଏ । ପ୍ରତ୍ୟେକ ଜାତି ବା ପ୍ରତ୍ୟେକ ଦେଶର ଭାଗ୍ୟରେ ଉତ୍‌ଥାନ ପତନ ଲାଗି ରହିଅଛି । ଆଜି ଯେଉଁ ଜାତି ବା ଯେଉଁ ଦେଶ ଅନୁନ୍ନତ କିମ୍ବା ବିଲୁପ୍ତ ପ୍ରାୟ ତାହା ଯେ ଦିନେ ସମୃଦ୍ଧ ଥାଇପାରେ ଏପରି ଅନୁମାନ କରିବା ଅଯୌକ୍ତିକ ନୁହେଁ । ବର୍ତ୍ତମାନର ସୁପ୍ତ ପ୍ରାୟ ଜାତି ପ୍ରାଣରେ ତା’ର ଅତୀତର ଗୌରବାବହ ସ୍ମୃତି ଜାଗ୍ରତ କରାଇ ତାକୁ ନୂତନ ପ୍ରାଣ ସତ୍ତାରେ ଚଳଚଞ୍ଚଳ କରିବା ନିମିତ୍ତ କିମ୍ବଦନ୍ତୀ ଭିତ୍ତିକ ସାହିତ୍ୟର ଅବଦାନ କିଛି କମ୍ ନୁହେଁ । ‘ଖାରବେଳ’ଙ୍କଠାରୁ ଆରମ୍ଭ କରି ସୂର୍ଯ୍ୟବଂଶୀ ଗଜପତିମାନଙ୍କ ପର୍ଯ୍ୟନ୍ତ ବହୁ ରାଜ, ରାଜପୁରୁଷ କିମ୍ବା ସେମାନଙ୍କର ଅମର କୀର୍ତ୍ତି ସଂପର୍କରେ ଯେଉଁସବୁ କିମ୍ବଦନ୍ତୀ ପ୍ରଚଳିତ ଅଛି, ସେଗୁଡ଼ିକର ସ୍ମୃତି ବର୍ତ୍ତମାନର ଓଡ଼ିଆମାନଙ୍କ ପାଇଁ କମ୍ ପ୍ରେରଣାଦାୟକ ନୁହନ୍ତି । ଏସବୁ ମାଧ୍ୟମରେ ଓଡ଼ିଆ ଜାତିକୁ ଅଗ୍ରଗାମୀ କରାଇବା ନିମତ୍ତି ସତ୍ୟବାଦୀ ଗୋଷ୍ଠୀର ଲେଖକବୃନ୍ଦ ଥିଲେ ଅତ୍ୟନ୍ତ ସଚେତନ-

 

ପୁଣି କିମ୍ବଦନ୍ତୀଗୁଡ଼ିକ ବିଭିନ୍ନ ସ୍ଥାନ, ମନ୍ଦିର, ଦେବାଦେବୀ, ପର୍ବତ ନଈବାଲି ଝରଣା, ଜଡ଼ବସ୍ତୁ ଇତ୍ୟାଦିକୁ କେନ୍ଦ୍ର କରି ଗଢ଼ି ଉଠିଥାଏ । ଏଗୁଡ଼ିକ ମଧ୍ୟରେ ସ୍ରଷ୍ଟା ବିଭିନ୍ନ ପ୍ରକାର ଉପଦେଶାତ୍ମକ ବାଣୀ, ଅଲୌକିକତା, ମହନୀୟତା ଇତ୍ୟାଦିର ପ୍ରତିଷ୍ଠା କରିଥାଏ । ସେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ କିମ୍ବଦନ୍ତୀଟିଏ ସୃଷ୍ଟି କରିବାକୁ ଗଲାବେଳେ ନିଜର ସୁଚିନ୍ତନ ଶକ୍ତି ବଳରେ ଏପରି ଏକ କଳ୍ପିତ କାହାଣୀ ତା ସହିତ ସଂଯୋଜିତ କରିଥାଏ ଯାହାଦ୍ୱାରା ପାଠକ ଶ୍ରୋତା ମନରେ ସତ୍ୟର ପ୍ରତୀତି ଜାଗ୍ରତ ହୋଇଥାଏ । କିନ୍ତୁ ସେହି କିମ୍ବଦନ୍ତୀ ଭିତରେ ସ୍ଥାନଟିର ମହନୀୟତା ପ୍ରକାଶ କରିବା ନିମିତ୍ତ ଅଥବା କୌଣସି ଦେବଦେବୀଙ୍କର ଅଲୌକିକତାକୁ ବିଶ୍ୱାସ କରାଇବା ପାଇଁ ଏହି ଶ୍ରେଣୀର କିମ୍ବଦନ୍ତୀ ଭିତ୍ତିକ ସାହିତ୍ୟ ସୃଷ୍ଟି କରାଯାଇଥାଏ । ଏହି ପ୍ରକାର ସାହିତ୍ୟର ସଂଖ୍ୟା ମଧ୍ୟ ପୃଥିବୀର ବିଭିନ୍ନ ସାହିତ୍ୟରେ କମ୍ ନୁହେଁ । ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କଲେ କିମ୍ବଦନ୍ତୀ ଭିତ୍ତିକ ସାହିତ୍ୟ ସୃଷ୍ଟିର ବିଶେଷତ୍ୱ ଅନସ୍ୱୀକାର୍ଯ୍ୟ ବୋଲି ମନେ ହୁଏ ।

 

ଅନ୍ୟାନ୍ୟ ସାହିତ୍ୟତୁଲ୍ୟ ଓଡ଼ିଶାର ସାହିତ୍ୟକମାନେ ନିଜ ଜାତିର ଐତିହ୍ୟ, ପରମ୍ପରା, ନିଜ ଆରାଧ୍ୟ ଦେବତାଙ୍କ ଅଲୌକିକତା, ଶିଳ୍ପ, କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ପ୍ରଭୃତିକୁ କେନ୍ଦ୍ର କରି କିମ୍ବଦନ୍ତୀ ଭିତ୍ତିକ ସାହିତ୍ୟ ସୃଷ୍ଟି କରିଯାଇ ଅଛନ୍ତି । ସମ୍ପ୍ରତି ଜନସମାଜ ସେ କିମ୍ବଦନ୍ତୀ ଭିତ୍ତିକ ସାହିତ୍ୟ ଅନୁଧ୍ୟାନ କରି ଅନ୍ୟଜାତି ନିକଟରେ ନିଜ ଜାତିର କଳାକୁଶଳତା, ଉଦାରତା, ଦୟା, କ୍ଷମା, ସହିଷ୍ଣୁତା ଓ ଜାତିପାଇଁ ଜୀବନକୁ ଉତ୍ସର୍ଗ କରିବାର ଚରମ ସତ୍ୟତାକୁ ପ୍ରକାଶ କରୁଅଛି ।

 

ଓଡ଼ିଆ ସାହିତ୍ୟର ପ୍ରାରମ୍ଭ କାଳରୁ ଉତ୍କଳର ପୁରପଲ୍ଲୀରେ ପ୍ରଚଳିତ କିମ୍ବଦନ୍ତୀଗୁଡ଼ିକୁ ନେଇ ବିଭିନ୍ନ ଶ୍ରେଣୀର ସାହିତ୍ୟ ସୃଷ୍ଟି ଲାଭ କରିଥିବା ଲକ୍ଷ୍ୟ କରଯାଏ । ଓଡ଼ିଆ ଭାଷାର ପୁରାଣ ଯୁଗରେ ରଚିତ ହୋଇଥିବା ରାମାୟଣ, ମହାଭାରତ ଠାରୁ ଆରମ୍ଭ କରି ସାମ୍ପ୍ରତିକ ସାହିତ୍ୟର ଗଳ୍ପ, ଉପନ୍ୟାସ, ନାଟକ, କାବ୍ୟ, କବିତା ପର୍ଯ୍ୟନ୍ତ ବହୁ ସାହିତ୍ୟକ ସୃଷ୍ଟିରେ ବହୁ କିମ୍ବଦନ୍ତୀର ସନ୍ଧାନ କରାଯାଇ ପାରେ । ସ୍ଥାନ, କାଳ, ପାତ୍ର, ଦେବଦେବୀ ଇତ୍ୟାଦିକୁ ଭିତ୍ତିକରି ଯେଉଁସବୁ କିମ୍ବଦନ୍ତୀମାନ ସୃଷ୍ଟି କରାଯାଇଛି, ସେଗୁଡ଼ିକ ମଧ୍ୟରେ ଭୁବେନଶ୍ୱରସ୍ଥିତ କେଦାର ଗୌରୀ, ବିନ୍ଦୁସାଗର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭାଗା, ପୁରୀର ଜଗନ୍ନାଥ ମନ୍ଦିର, ଇନ୍ଦ୍ରଦ୍ୟୁମ୍ନ ପୋଖରୀ, ସାକ୍ଷୀଗୋପାଳର ଗୋପାଳ ଓ ରାଧା ବିଗ୍ରହ, କଟକର ବାରବାଟୀ ଦୁର୍ଗ, ଝଙ୍କଡ଼ର ସାରଳା, ଓଡ଼ିଶାର ସମ୍ରାଟ୍ କପିଳେନ୍ଦ୍ର ଦେବ, କୋଣାର୍କର ରାମଚଣ୍ଡୀ, ଚିଲିକାର କାଳିଜାଇ, ଯାଜପୁର ବିରଜା, ସମ୍ବଲପୁର ସମଲାଇ, ବାଲେଶ୍ୱରର ଖିରିଚୋରା ଗୋପୀନାଥ, ବାଣପୁରର ନାରାୟଣୀ, ଖଲ୍ଲିକୋଟ ଅନ୍ତଗର୍ତ ଛତ୍ରଗଡ଼ ଘାଟି, ଚିଲିକା ନିକଟବର୍ତ୍ତୀ ମାମୁ ଭଣଜା ଓ ଖଣ୍ଡାହଣା ପର୍ବତ, ଭୁବେନଶ୍ୱର ନିକଟସ୍ଥ ଖଣ୍ଡଗିରି, ଗଞ୍ଜାମ ଜିଲ୍ଲାର ମହେନ୍ଦ୍ରଗିରି, ମହେନ୍ଦ୍ର ତନୟା ନଈ, ସେଠାରେ ଥିବା ଭୀମ, ସହଦେବ, କୁନ୍ତୀ ଇତ୍ୟାଦିଙ୍କ ଦେଉଳ ପ୍ରଭୃତି ଅନ୍ତର୍ଭୁକ୍ତ । ବର୍ତ୍ତମାନ ଓଡ଼ିଆ ସାହିତ୍ୟରେ ବିଭିନ୍ନ ସମୟରେ ସୃଷ୍ଟି ଲାଭ କରିଥିବା କିମ୍ବଦନ୍ତୀ ଭିତ୍ତିକ ସାହିତ୍ୟ ଇତ୍ୟାଦିର କେତେଗୋଟି ଉଉଦାହରଣ ଉପସ୍ଥାପନ କରାଯାଇପାରେ ।

 

ସାରଳା ଯୁଗ:-

ଏହି ଯୁଗର ସର୍ବଶ୍ରେଷ୍ଠ ସାଧକ ସାରଳା ଦାସ । ସେ ନିଜକୁ ମୂର୍ଖ ବୋଲି ଚଣ୍ଡୀ ପୁରାଣରେ ଉଲ୍ଲେଖ କରିଅଛନ୍ତି । (୨) ବର୍ତ୍ତମାନ ସାରଳା ଦାସଙ୍କ ଉଦ୍ଧୃତି ପାଠ କରି ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ସାରଳା ଚଣ୍ଡୀଙ୍କ ଅଲୌକିକତାକୁ ପ୍ରକାଶ କରିବା ନିମନ୍ତେ ଅନେକ ପ୍ରକାର କିମ୍ବଦନ୍ତୀ ସୃଷ୍ଟିଲାଭ କରିଥିବା ପରିଲକ୍ଷିତ ହୁଏ । ପଣ୍ଡିତ ସୂର୍ଯ୍ୟକାନ୍ତ ଦାସ ତାଙ୍କ ଓଡ଼ିଆ ସାହିତ୍ୟର ଇତିହାସ (ପ୍ରଥମ ଭାଗ)ରେ ସାରଳା ଦାସଙ୍କ ଉପରେ ଗଢ଼ି ଉଠିଥିବା ପାଞ୍ଚ ସାତଟି କିମ୍ବଦନ୍ତୀକୁ ଉଲ୍ଲେଖ କରିଥିବା ଜଣାଯାଏ ।

 

ସାରଳା ଦାସଙ୍କ ପାଣ୍ଡିତ୍ୟ ପ୍ରଖ୍ୟାପନ ନିମିତ୍ତ ସୃଷ୍ଟିଲାଭ କରିଥିବା କିମ୍ବଦନ୍ତୀ ସମୂହ ମଧ୍ୟରୁ ଗୋଟିଏ ହେଲା- ଦିନେ ସିଦ୍ଧେଶ୍ୱର ପରିଡ଼ା (ସାରଳା ଦାସ ଉତ୍‌ଫୁଲ୍ଲିତ ଚିତ୍ତରେ ଗୀତ ଗାଇଗାଇ ଜମି ଚାଷ କରୁଥାନ୍ତି । ସେହି ସମୟରେ ଜଣେ ବୃଦ୍ଧା ସିଦ୍ଧେଶ୍ୱରଙ୍କ ନିକଟରେ ଉପସ୍ଥିତ ହୋଇ ଗୀତଟି ପୁନରାୟ ଆବୃତ୍ତି କରିବା ପାଇଁ କହିଲେ । ବୃଦ୍ଧାଙ୍କ କହିବା ଅନୁସାରେ ସେ ଗୀତଟି ଗାନ କଲେ । ସେହି ଗୀତର ସ୍ୱର ମୂର୍ଚ୍ଛନାରେ ବୃଦ୍ଧା ବିହ୍ୱଳିତ ହୋଇ ସିଦ୍ଧେଶ୍ୱରଙ୍କୁ ଆଶୀର୍ବାଦ କରି କହିଲେ ଯେ, ତୁମେ ମହାଭାରତ ରଚନା କରି ମହାକବି ରୂପେ ପରିଚିତ ହେବ । ସତକୁ ସତ ସିଦ୍ଧେଶ୍ୱର ଦେବୀଙ୍କ ଅନୁଗ୍ରହରୁ ପାଣ୍ଡିତ୍ୟ ଅର୍ଜ୍ଜନ କରି ମହାଭାରତ ରଚନା କଲେ ଓ ପରେ ସାରଳା ଦାସ ସ୍ୱ-ରଚିତ ଗ୍ରନ୍ଥରେ ନିଜକୁ ମୁର୍ଖ ବୋଲି ସ୍ୱୀକାର କରିଥିବାରୁ ସାରଳା ଦାସଙ୍କ ମୃତ୍ୟୁପରେ ଅନ୍ୟାନ୍ୟ ଲେଖକମାନଙ୍କୁ ତାଙ୍କରି ସମ୍ପର୍କରେ କିମ୍ବଦନ୍ତୀମାନ ସୃଷ୍ଟି କରିବା ଦିଗରେ କୌଣସି ଅସୁବିଧା ହେଲା ନାହିଁ । କିନ୍ତୁ କେବଳ ସାରଳାଙ୍କ ସଂପର୍କୀୟ କିମ୍ବଦନ୍ତୀ ନୁହେଁ, ସେ ସମୟରେ ପ୍ରଚଳିତ ବହୁ କିମ୍ବଦନ୍ତୀ ସାରଳାଙ୍କ ମହାଭାରତ ଓ ବଳରାମ ଦାସଙ୍କ ଦାଣ୍ଡୀ ରାମାୟଣରେ ମଧ୍ୟ ଦେଖିବାକୁ ମିଳେ । ସାରଳା ଦାସ ନିଜେ ମଧ ତାଙ୍କ ରଚିତ ମହାଭାରତରେ କେତେଗୋଟି କିମ୍ବଦନ୍ତୀ ସୃଷ୍ଟି କରି ଅଛନ୍ତି ଯାହାକି ମୂଳ ସଂସ୍କୃତ ମହାଭାରତର ପୃଷ୍ଠାରେ ଦୃଷ୍ଟିଗୋଚର ହୁଏ ନାହିଁ । ଏ ସମ୍ପର୍କରେ ଡକ୍ଟର ମାୟାଧର ମାନସିଂହ କହନ୍ତି – ‘ସାରଳାଙ୍କ ମହାଭାରତର ବନ ପର୍ବରେ ଆମେ ସତ୍ୟାମ୍ବ ଗଳ୍ପ ପାଉ, ଯାହା ମୂଳ ମହାଭାରତରେ ନାହିଁ । ଏହା ଏକ ଅକଳ୍ପନୀୟ ବ୍ୟାପାର । ‘‘ସତ୍ୟାମ୍ବା ଗଛ ଓଡ଼ିଶାର ରୂପକଥା ଦେଇ ପ୍ରତି ଓଡ଼ିଆ ନିକଟରେ ପରିଚିତ । ଦାସେ ଓଡ଼ିଶାର ଏହି ଫକ୍‌ଟେଲ ବା ଲୋକଗଳ୍ପକୁ ନେଇ ମହାଭାରତରେ ଭର୍ତ୍ତିକରି ଦେଇଛନ୍ତି ଏବଂ ତା’ନେଇ ବୀର, ଶୂର, ପାଣ୍ଡବ ଓ ସତୀ ଦ୍ରୌପଦୀଙ୍କୁ ଏକ ଅଗ୍ନିମୟ ଆତ୍ମ ପରୀକ୍ଷାରେ ପକାଇ ଅଛନ୍ତି ।’’ (୪) ସେହି କେତୋଟି କିମ୍ବଦନ୍ତୀ ମଧ୍ୟରୁ ସତ୍ୟଆମ୍ବ ଉପାଖ୍ୟାନ ଅନ୍ୟତମ ।

 

୧.

ଧର୍ମପଦ – ଗୋପବନ୍ଧୁ ଦାସ – ପୃଷ୍ଠା ୩୨

୨.

‘‘ଜନ୍ମରୁ ମୂରୁଖ ମୁହିଁ ମୋର ନାହିଁ ଶାସ୍ତ୍ର ଜ୍ଞାନ,

ତୁ ଯାହା କହୁ ମୁଁ ତାହା କରଇ ଲେଖନ ।’’

୩.

ଓଡ଼ିଆ ସାହିତ୍ୟର ଇତିହାସ–ସୂର୍ଯ୍ୟ ନାରାୟଣ ଦାସ-ପୃଷ୍ଠା ୨୦୧-୨୦୭

୪.

ମାଟିର ମହାକବି ସାରଳା ଦାସ – ଡଃ ମାୟାଧର ମାନସିଂହ ପୃଷ୍ଠା – ୪୩

୫.

ଓଡ଼ିଆ ସାହିତ୍ୟର ଇତିହାସ (୨ୟ ଭାଗ); ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ, ପୃ ୩୪୩ ।

୬.

ଡଗର କିମ୍ୱଦନ୍ତୀ ଓ ମେହେର ସାହିତ୍ୟ – ଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ୩୧ଶ ବର୍ଷ ୮ମ ସଂଖ୍ୟା; ପୃଷ୍ଠା-୧

 

ରୀତିଯୁଗ-

ଏହି ଯୁଗର ଶେଷ ପାଦରେ ଦେଖା ଦେଇଥିବା ସ୍ୱନାମଧନ୍ୟ କବି ବଳଦେବ ରଥଙ୍କୁ ଉପଜୀବ୍ୟ କରି ଅଜା ତ୍ରିପୁରାରୀ ଓ ତାଙ୍କ ଆରାଧ୍ୟ ଦେବୀ ‘କାଳୀ’ଙ୍କର ମହିମା ପ୍ରକାଶ କରିବା ନିମିତ୍ତ କିମ୍ବଦନ୍ତୀଟିଏ ସୃଷ୍ଟି କରାଯାଇଥିବା ମନେ ହୁଏ । ତାହାର କାହାଣୀ ଭାଗଟି ହେଉଛି-ଶୈଶବ ଅବସ୍ଥାରେ ଦିନେ ବଳଦେବ ସାଙ୍ଗସାଥିମାନଙ୍କ ସହ ବାଣ ଫୁଟାଇବା ପାଇଁ ସ୍ଥିର କରିଥିଲେ । ଦୈବାତ୍ ସେଦିନ ଏକ ଝଡ଼ର ସୂତ୍ରପାତ ହେଲା । ବହୁ ଯୋରରେ ପବନ ବହିଲା । ଅଜା ତ୍ରିପୁରାରୀ ସେହି ପବନର ବେଗ ଦେଖି ବଳଦେବଙ୍କୁ ବାଣ ଫୁଟାଇବା ପାଇଁ ମନାକଲେ । କିନ୍ତୁ ଶିଶୁ ବଳଦେବ ଜିଦ୍‌ ଧରି ବସିଲେ ଯେ, ବାଣ ନ ଫୁଟାଇବା ଯାଏଁ ସେ କୌଣସି କାର୍ଯ୍ୟ କରିବେ ନାହିଁ ସେ ପିଲାଟିର ବିରସ ବଦନକୁ ଲକ୍ଷ୍ୟକରି ପବନର ଗତିକୁ ବନ୍ଦ କରିବା ପାଇଁ ଦେବୀଙ୍କୁ ତନ୍ତ୍ର ସାଧନା ଦ୍ୱାରା ପୂଜାକଲେ । କ୍ରମଶଃ ପବନର ଗତି କମି ଆସିଲା । ଶିଶୁ ବଳଦେବ ସେହିଦିନ ବାଣ ଫୁଟାଇ ଆନନ୍ଦିତ ହେଲେ । ତହିଁ ଆରଦିନ ବଳଦେବ କୁଆଡ଼େ ଅଜାଙ୍କ ଆଦେଶରେ ଦୁଧ ପୂର୍ଣ୍ଣ ପାତ୍ରଟିଏ ନେଇ ଦେବୀଙ୍କୁ ଦେଲେ । ଦେବୀ ଆନନ୍ଦରେ ସେ ଦୁଧତକ ପାନକଲେ ଓ ଅଜାଙ୍କ କଥାରେ ବଳଦେବ ପୁନରାୟ ଦେବୀଙ୍କୁ ଦୁଧ ମାଗିବାରୁ ଦେବୀ ସଙ୍କେତରେ ତାଙ୍କ ସ୍ତନ ନିକଟକୁ ପାତ୍ରଟି ଆଣିବା ନିମନ୍ତେ କହିଥିଲେ । ସେତେବେଳେ ଦେବୀଙ୍କ ସ୍ତନରୁ କୁଆଡ଼େ ଦୁଧଝରି ଆସି ପାତ୍ରଟି ପୂର୍ଣ୍ଣ ହୋଇ ଯାଇଥିଲା ।

 

ଏହି ଯୁଗର ଅନ୍ୟତମ କବି ଉପେନ୍ଦ୍ର ଭଞ୍ଜଙ୍କ ବଂଶାବଳୀ ସମ୍ପର୍କରେ ମଧ୍ୟ ବହୁ କିମ୍ବଦନ୍ତୀ ଦେଖିବାକୁ ମିଳେ (୫) ସେହି କିମ୍ବଦନ୍ତୀଗୁଡ଼ିକୁ ଅନୁଧ୍ୟାନ କଲେ ସେହି ସମୟର ପ୍ରାଣସ୍ପନ୍ଦନକୁ ଜାଣିହୁଏ । ସେତେବେଳେ ଯେଉଁ କେତୋଟି କିମ୍ବଦନ୍ତୀ ଭିତ୍ତିକ କାବ୍ୟ ରଚନା କରାଯାଇଥିଲା, ସେଥି ମଧ୍ୟରେ ’ଚାଟଇଚ୍ଛାବତୀ’ ଓ ‘ଶଶିସେଣା’ ଇତ୍ୟାଦି ଉଲ୍ଲେଖନୀୟ । ଚାଟଇଚ୍ଛାବତୀକୁ ପ୍ରଥମ ଐତିହାସିକ କିମ୍ବଦନ୍ତୀ ମୂଳକ କାବ୍ୟ ବୋଲି ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ‘ଡଗର’ ପତ୍ରିକାରେ ଉଲ୍ଲେଖ କରି କହନ୍ତି – ‘ଯାହାହେଉ କିମ୍ବଦନ୍ତୀ ମୂଳକ ଓଡ଼ିଶାର ଇତିହାସ ଉପରେ ଯେଉଁସବୁ କାଳ୍ପନିକ କାବ୍ୟ ଲିଖିତ ହୋଇଛି, ତାହା ଉପରେ ପ୍ରାଚୀନ ସାହିତ୍ୟରେ ଐତିହାସିକ କିମ୍ବଦନ୍ତୀମୂଳକ ’ଚାଟ-ଇଚ୍ଛାବତୀ’ ବ୍ୟଥିତ ଆଉ କିଛି ଗ୍ରନ୍ଥ ରଚିତ ହୋଇଇିବାର କଥା ମୋର ଦୃଷ୍ଟିରେ ପଡ଼ିନାହିଁ (୬) ନିମ୍ନରେ କିମ୍ବଦନ୍ତୀ ଭିତ୍ତିକ କାବ୍ୟ ‘ଚାଟ ଇଚ୍ଛାବତୀ’ ବିଚାର୍ଯ୍ୟ ।

 

ଚାଟ-ଇଚ୍ଛାବତୀ:-

କୌଣସି ଏକ ରାଜ୍ୟରେ ରାଜାଟିଏ ଥିଲେ । ତାଙ୍କ ନାମଥିଲା ମଦନ ବ୍ରହ୍ମ । ଚାରୁ ବ୍ରହ୍ମ ନାମରେ ତାଙ୍କର ଗୋଟିଏ ପୁଅଥିଲା । ଦେଖିବାକୁ ଖୁବ୍ ସୁନ୍ଦର । ରାଜା ମଦନ ବ୍ରହ୍ମ ପୁଅର ବିବାହ ନିମନ୍ତେ ବହୁରାଜ୍ୟରୁ ରାଜକନ୍ୟାମାନଙ୍କର ଚିତ୍ରପଟଗୁଡ଼ିକୁ ଆଣି ପୁଅକୁ ଦେଖାଇଲେ । କୌଣସି ଚିତ୍ରପଟରେ ଚାରୁବ୍ରହ୍ମର ମନ ମାନୁନଥାଏ । ସେ ମତବ୍ୟକ୍ତ କରି କହିଲେ ଯେଉଁକନ୍ୟା ସୁନ୍ଦରୀ ଓ ସତ୍‌ଚରିତ୍ରା ହୋଇଥିବା ତାହାକୁ କେବଳ ସେ ବିବାହ କରିବେ । ପୁଅଠାରୁ ଏହିପ୍ରକାର ଉତ୍ତର ଶୁଣି ରାଜା ରାଗାନ୍ୱିତ ହୋଇ ପୁଅକୁ କୁପୁତ୍ର ବୋଲି କହିଲେ ।

 

ପିତାଙ୍କର ସାମାନ୍ୟ କଥାରେ ଚାରୁବ୍ରହ୍ମ ସ୍ୱ-ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କଲେ । ଯାଉ ଯାଉ ବାଟରେ ଦାନ୍ତୁଆଣି ନଗର ପଡ଼ିଲା । ସେଠାରେ ରାଜା ହେଉଛନ୍ତି ଭୋଜ । ସେହି ନଗରୀରେ ଦ୍ୱିଜ କରୁଣାକର ଗୁରୁ ନିକଟରେ ସେ ଆଶ୍ରୟ ନେଲେ ଗୁରୁ, ଚାରୁବ୍ରହ୍ମଙ୍କଠାରୁ ପରିଚୟ ପାଇ ତାଙ୍କ ଧର୍ମ ପୁତ୍ର କରି ରଖିଲେ । ସେହି ନଗରୀର ରାଜାଙ୍କ କନ୍ୟା ଇଚ୍ଛାବତୀ ସହିତ ଅନ୍ୟ କେତେକ ପିଲାଙ୍କୁ ଗୁରୁ ଶିକ୍ଷା ଦେଉଥାନ୍ତି । ଚାରୁବ୍ରହ୍ମ ମଧ୍ୟ ଚାଟଶାଳୀକୁ ପାଠ ପଢ଼ିବା ପାଇଁ ଗଲା-। ସେଠାରେ ଇଚ୍ଚାବତୀ ଓ ଚାରୁବ୍ରହ୍ମ ଉଭୟଙ୍କ ଦେଖାସାକ୍ଷାତ ପରେ ପ୍ରେମଭାବ ଉଦ୍ରେକ ହେଲା । ଦିନକର କଥା । ସେଦିନ ଚାଟଶାଳୀରେ ଇଚ୍ଛାବତୀ ଲେଖୁଥିବା ସମୟରେ ଖଡ଼ିଟି ତଳେ ଗଡ଼ିଯିବାରୁ ଚାରୁବ୍ରହ୍ମଙ୍କୁ ଗୋଟେଇ ଆଣିବା ପାଇଁ କହିଲା । ଚାରୁବ୍ରହ୍ମ ଇଚ୍ଛାବତୀର ପ୍ରତିଜ୍ଞାପରେ ଖଡ଼ିଟି ଗୋଟାଇ ଆଣିଦେଲା । ଏହି ପ୍ରତିଜ୍ଞା ମଧ୍ୟରେ ଦୁହିଁଙ୍କର ବିବାହ କରିବା କଥା ସ୍ଥିର ହୋଇଥିଲା । ଦିନକୁ ଦିନ ଉଭୟଙ୍କ ମଧ୍ୟରେ ପ୍ରେମ ତରଙ୍ଗ ଉଛୁଳି ଉଠିଲା । ଗୁରୁ ଜାଣିବାକୁ ପାଇଲେ ରାଜକୁମାରୀ ଚାରୁବ୍ରହ୍ମ ପ୍ରତି ଆସକ୍ତ । ରାଜା ଜାଣିଲେ ନିଶ୍ଚୟ ଦଣ୍ଡ ଦେବେ । ତେଣୁ ସେ ଚାରୁବ୍ରହ୍ମକୁ ଚାଟକୁ ଯିବା ବନ୍ଦ କରିଦେଲେ । ଚାରୁବ୍ରହ୍ମର ଅନୁପସ୍ଥିତିରେ ଇଚ୍ଛାବତୀ ବିରହ କାତରା ହୋଇପଡ଼ିଲା । ଇଚ୍ଛାବତୀର ମନୋବେଦନା କଥା ତା’ର ପ୍ରିୟସଖୀ ଅମୂଲ୍ୟବତୀ ପଚାରିବାରୁ ଇଚ୍ଛାବତୀ ଗୋଟିଗୋଟି କରି ସମସ୍ତ କଥା କହିଲା । ସଖୀ ରାଜକୁମାରୀଙ୍କ ଇଚ୍ଛା ଜାଣିପାରି ଗୋପନରେ ଇଚ୍ଛାବତୀ ଦେଇଥିବା ବରଣମାଳା ଚାରୁବ୍ରହ୍ମଙ୍କ ଗଳାରେ ଲମ୍ବାଇ ଦେଲା ଓ ସନ୍ଧ୍ୟା ସମୟରେ ଗୋପନରେ ଇଚ୍ଛାବତୀପୁରକୁ ଯିବା ପାଇଁ ନିର୍ଦ୍ଦେଶ ଦେଲା ।

 

ଚାରୁବ୍ରହ୍ମ ଦିନେ ଗୋପନରେ ଇଚ୍ଚାବତୀର ଅନ୍ତଃପୁର ମଧ୍ୟରେ ପ୍ରବେଶ କଲା । ସନ୍ଧ୍ୟା ହେବାରୁ ଚାଟ (ଚାରୁବ୍ରହ୍ମ) ଘରକୁ ଫେରିବା ବିଳମ୍ବ ଦେଖି ଗୁରୁ ଦ୍ୱିଜ କରୁଣାକର ପଣ୍ଡା ବଡ଼ ଚିନ୍ତିତ ହୋଇ ପଡ଼ିଲେ । ସେ ତନ୍ତ୍ର ସାଧନା ଦ୍ୱାରା ଜାଣିପାରିଲେ ଯେ, ଚାରୁବ୍ରହ୍ମ ଜେମା ଅନ୍ତପୁରରେ ଗୋପନ ଭାବେ ପ୍ରବେଶ କରିଅଛି । ଏକଥା କାନକୁ କାନ ହୋଇ ରାଜାଙ୍କ ନିକଟକୁ ଗଲା । ରାଜା କଟୁଆଳ ଡକାଇ ଚୋର ଓ ଇଚ୍ଛାବତୀକୁ ଧରି ଆଣିଲେ । ରାଜା ଚାରୁବ୍ରହ୍ମକୁ କ’ଣ ବା ଦଣ୍ଡ ଦେବେ ? ତା’ର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ନିଜ କନ୍ୟା ଇଚ୍ଛାବତୀ ସହ ଚାରୁବ୍ରହ୍ମର ପିତାକୁ ଡକାଇ ବିବାହ କାର୍ଯ୍ୟ ସମାପନ କରିଦେଲେ ।

 

ନବଦମ୍ପତ୍ତି ଗୁରୁଙ୍କୁ ଧନରତ୍ନ ଦେଇ ଆଶୀର୍ବାଦ ଗ୍ରହଣ କରିବା ପରେ ସ୍ୱଦେଶକୁ ପ୍ରତ୍ୟାଗମନ କଲେ । ପୁତ୍ରର ପ୍ରତ୍ୟାବର୍ତ୍ତନ ଦେଖି ପିତା, ମାତା ସନ୍ତୁଷ୍ଟ ହେଲେ ଓ ପୁତ୍ରକୁ ରାଜ୍ୟଭାର ଅର୍ପଣ କଲେ ।

 

କବି ବନମାଳୀ ଦାସ ପ୍ରଚଳିତ କିମ୍ବଦନ୍ତୀଟିକୁ କାବ୍ୟିକ ରୂପଦେଇ ଏଥିରେ କେତୋଟି ଐତିହାସିକ ସ୍ଥାନର ନାମୋଲ୍ଲେଖ କରିଥିବା ଜଣାଯାଏ । ଦର୍ପକନଗର କଟକ ଜିଳ୍ଲାର ଦର୍ପଣୀ ରାଜ୍ୟର ରାଜଧାନୀ ଦର୍ପଣୀ । ଭୋଜରାଜାଙ୍କ ରାଜ୍ୟ ଦାନ୍ତୁଆଣୀ ବାଲେଶ୍ୱର ଜିଲ୍ଲାର ଉତ୍ତରରେ । ବର୍ତ୍ତମାନ ବଙ୍ଗପ୍ରଦେଶାନ୍ତର୍ଗତ ମେଦିନିପୁର ଜିଲ୍ଲାର ଦାନ୍ତୁନୁ ସହର । (୭) କବିଙ୍କ ଉକ୍ତ କାବ୍ୟରୁ ଜଣାଯାଏ ଯେ, ସେ ଇତିହାସ ଓ କିମ୍ବଦନ୍ତୀର ଆଶ୍ରୟରେ ଆଲୋଚ କାବ୍ୟଟିକୁ ରଚନା କରି ଅଛନ୍ତି । ଏଥିରେ ସେ ସମୟର ପ୍ରାଣସ୍ପନ୍ଦନ ଓ ପ୍ରେମର ଚିତ୍ର ଦେଖିବାକୁ ମିଳେ । ରୀତିଯୁଗର ଅବସାନ ପରେ ଯେଉଁ ଆଧୁନିକ ସାହିତ୍ୟ ମୁଣ୍ଡ ଟେକି ଉଠିଲା ସେଥିରେ ମଧ୍ୟ କିମ୍ବଦନ୍ତୀର ସଂଖ୍ୟା କୌଣସି ପରିମାଣରେ କମ୍ ନୁହେଁ ।

 

ଆଧୁନିକ ଯୁଗ :-

ରୀତିଯୁଗୀୟ ପରମ୍ପରାର ମୋଡ଼ ପରିବର୍ତ୍ତନ କରି ରାଧାନା ରାୟ ଯେଉଁ ସାହିତ୍ୟ ସୃଷ୍ଟି କଲେ ତାହା ଆଧୁନିକ ସାହିତ୍ୟ ନାମରେ ନାମିତ ହହେଲା । ଏହି ଯୁଗୀୟ ସାହିତ୍ୟର ସମସାମୟିକ ଲେଖକଗୋଷ୍ଠୀ ମଧ୍ୟରେ ମୁଣ୍ଡଟେକି ଉଠିଲେ ଫକୀର ମୋହନ, ନନ୍ଦକିଶୋର, ପଦ୍ମଚରଣ ପ୍ରଭୃତି ରଚୟିତାଗଣ । ଏମାନଙ୍କ ରଚନାବଳୀ ମଧ୍ୟରେ ବି ପ୍ରଚଳିତ କିମ୍ବଦନ୍ତୀର ଚିତ୍ର ଦେଖିବାକୁ ମିଳିଥାଏ । କିନ୍ତୁ ଏକଥା ସତ୍ୟ ଯେ, ଯୁଗସ୍ରଷ୍ଟା ରାଧାନାଥ ପ୍ରଥମ କରି ତାଙ୍କ ସାହିତ୍ୟ ରଚନା କେଦାର ଗୌରୀ, ଉଷା, ପାର୍ବତୀ, ନନ୍ଦିକେଶ୍ୱରୀ, ଚନ୍ଦ୍ରଭାଗା, ଚିଲିକା ପ୍ରଭୃତି କାବ୍ୟରେ କିମ୍ବଦନ୍ତୀଗୁଡ଼ିକୁ ଆଶ୍ରୟ କରି ଉତ୍କଳୀୟ ମାଟି, ପାଣି, ପବନରେ ସେମାନଙ୍କୁ ଗଢ଼ି ତୋଳିବାର ପ୍ରୟାସ କରିଥିଲେ । ଏ ସମ୍ପର୍କରେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ କହନ୍ତି ‘‘ଆଧୁନିକ ଯୁଗର ଓଡ଼ିଆ କବିମାନଙ୍କ ମଧ୍ୟରେ ପ୍ରଥମେ ରାଧାନାଥ ରାୟ ‘‘ମାଦଳା ପାଞ୍ଜି’’ର କିମ୍ବଦନ୍ତୀରୁ କାବ୍ୟର ନାୟକ ନାୟିକା ଓ ବିବରଣ ସଂଗ୍ରହ କରି କେଦାର ଗୌରୀ, ନନ୍ଦକିଶୋରୀ, ପାର୍ବତୀ, ଯଯାତି କେଶରୀ ପ୍ରଭୃତି କାବ୍ୟ ରଚନା କରିଥିଲେ । ‘ଉଷା’ରେ ମୟୁରଭଞ୍ଜ ରାଜବଂଶର କେତେକ କିମ୍ବଦନ୍ତୀ ସ୍ଥାନ ପାଇଛି । ‘ଚିଲିକା’ରେ ମଧ୍ୟ ମାଦଳା ପାଞ୍ଜିର କିମ୍ବଦନ୍ତୀ ବର୍ଣ୍ଣିତ ଅଛି । ଜାତୀୟ କିମ୍ବଦନ୍ତୀର ଉପାଦାନ ସାହିତ୍ୟ ସୃଷ୍ଟି ପାଇଁ ରାଧାନାଥ ବେଶ୍ କୃତିତ୍ୱ ଦେଖାଇ ଅଛନ୍ତି । ତାଙ୍କରି ପ୍ରଭାବ ପରବର୍ତ୍ତୀ ସମସ୍ତ ଲେଖଙ୍କ ଉପରେ ପଡ଼ିଛି ।’’ (୮) କବିଙ୍କ କିମ୍ବଦନ୍ତୀ ଭିତ୍ତିକ ରଚନା ଗୁଡ଼ିକ ମଧ୍ୟରୁ ‘ଚନ୍ଦ୍ରଭାଗା’ କାବ୍ୟକୁ ବିଚାର କରାଯାଇପାରେ ।

 

୭.

ଓଡ଼ିଆ ସାହିତ୍ୟର ଇତିହାସ–(ତୃତୀୟ ଭାଗ) ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ – ପୃଷ୍ଠା ୨୨୯

୮.

‘ଡଗର’ : କିମ୍ୱଦନ୍ତୀ ଓ ମେହେର ସାହିତ୍ୟ-ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ୩୧ଶ ବର୍ଷ ୮ମ ସଂଖ୍ୟା, ପୃଷ୍ଠା-୨

 

କବିଙ୍କ ଚନ୍ଦ୍ରଭାଗା କାବ୍ୟର କଥାବସ୍ତୁ ଗ୍ରୀକ୍ ସାହିତ୍ୟକୁ ଇଂରାଜୀରେ ଅନୂଦିତ ଓଭିଡ଼ଙ୍କର ‘ମେଟାମରଫସିସ୍’ କାବ୍ୟର ଛାୟାରେ ରଚିତ ହୋଇଥିଲେ ମଧ୍ୟ ଓଡ଼ିଶାର କିମ୍ବଦନ୍ତୀ ସହ ତା’ର ଯେଉଁ ପ୍ରକାର ସମାବେଶ ରାଧାନାଥ କରି ପାରିଛନ୍ତି, ତାହା ଅନ୍ୟତ୍ର ବିରଳ ମନେହୁଏ । କିନ୍ତୁ ଚନ୍ଦ୍ରଭାଗାର ଗଳ୍ପାଂଶଟି ରାଧାନାଥ କେଉଁଠାରୁ ସଂଗ୍ରହ କରିଥିଲେ ତାହା ଅଜ୍ଞାତ । (୯) ଗ୍ରୀକ୍ ସାହିତ୍ୟରେ ସୁନ୍ଦରୀକନ୍ୟା ‘ଡାଫ୍‌ନି’ର ସୌନ୍ଦର୍ଯ୍ୟରେ ବିହ୍ୱଳିତ ହୋଇ ‘ଆପୋଲ’ ତାଙ୍କ ପଛେ ପଛେ ଗୋଡ଼ାଇଛନ୍ତି ଓ କନ୍ୟା ଡାଫନି ‘ଆପୋଲ’ କବଳରୁ ନିଜକୁ ରକ୍ଷା କରିବା ନିମନ୍ତେ ଲରେଲ ବୃକ୍ଷରେ ପରିଣତ ହୋଇ ଯାଇଛନ୍ତି । ସେହିପରି ରାଧାନାଥ ଆମ ସାହିତ୍ୟରେ ତପସ୍ୱୀ ମନୁଙ୍କର କନ୍ୟା ସୁନ୍ଦରୀ ଚନ୍ଦ୍ରଭାଗାଙ୍କ ପ୍ରେମରେ ସୂର୍ଯ୍ୟ ଜର୍ଜରିତ ହୋଇ ତା ନିକଟକୁ ଆସିଥିବା କଥା ଉଲ୍ଲେଖ କରିଛନ୍ତି । ଚନ୍ଦ୍ରଭାଗା ସୂର୍ଯ୍ୟ ଦେବଙ୍କର ଏତାଦୃଶ ଆଚରଣ ଦେଖି ସମୁଦ୍ରରେ ଲୀନ ହୋଇଯାଇଛି । ରାଧାନାଥ ଏଠାରେ ବୈଦେଶିକ ସାହିତ୍ୟର ପ୍ରଭାବରେ ପ୍ରଚଳିତ କଥାବସ୍ତୁକୁ ଏକ ନୂତନ ରୂପ ଦେବାପାଇଁ ଚେଷ୍ଟା କରିଅଛନ୍ତି ।

 

କେଦାରଗୌରୀ ମଧ୍ୟ କବିଙ୍କ ନିଜ ସୃଷ୍ଟି ଏକ ଅଭିନବ କିମ୍ବଦନ୍ତୀ । ବର୍ତ୍ତମାନ ଏହା ବିଷୟରେ ଯେଉଁ କିମ୍ବଦନ୍ତୀଟି ସେଠାକାର ପଣ୍ଡାମାନଙ୍କ ମୁଖରେ ପ୍ରଚଳିତ ତାହା ରାଧାନାଥଙ୍କ କେଦାରଗୌରୀର କଥାବସ୍ତୁ ଉପରେ ଆଧାରିତ । କବିଙ୍କ ସମଗ୍ର କିମ୍ବଦନ୍ତୀମୂଳକ ଆଖ୍ୟାନର କାହାଣୀ ଭାଗ ପାଇଁ ‘‘ଯୁଗ ପ୍ରବର୍ତ୍ତକ ସ୍ରଷ୍ଟା ରାଧାନାଥ’’, ଯୁଗଜ୍ୟୋତି ରାଧାନାଥ, ଓଡ଼ିଆ ସାହିତ୍ୟରେ ତ୍ରିବେଣୀ ଯୁଗ ଓ ରାଧାନାଥ ଜୀବନୀ ଦ୍ରଷ୍ଟବ୍ୟ । (୧୦)

 

ସେହିପରି ପଦ୍ମଚରଣଙ୍କ ଧଉଳି ପାହାଡ଼, ତ୍ରିବେଣୀ ଘାଟ, ଇତ୍ୟାଦି ରଚନାରେ ଉତ୍କଳୀୟ କିମ୍ବଦନ୍ତୀ ପ୍ରଭାବ ରହିଥିବା ଜଣାଯାଏ । ଆଜିର ସୁପ୍ତ ଓଡ଼ିଆ ଜାତିକୁ ଉଦ୍‌ବୁଦ୍ଧ କରାଇବା ନିମିତ୍ତ ପଦ୍ମଚରଣ ଧଉଳି ପାହାଡ଼କୁ ଆହ୍ୱାନ କରିଛନ୍ତି । ଏଥିରେ ବର୍ଣ୍ଣିତ କାହାଣୀର କଥାଭାଗ ଇତିହାସ ସମ୍ମତ ହେଲେ ମଧ୍ୟ କବି କଳ୍ପନାରେ ଏହା ଅଭିନବ ରୂପ ଲାଭ କରିଅଛି । ଏହାର ପରବର୍ତ୍ତୀ ସମୟରେ ସାହିତ୍ୟର ପରିସର ଅତ୍ୟନ୍ତ ପରିବ୍ୟାପ୍ତ ହୋଇଅଛି । ଲେଖଙ୍କଙ୍କର ସଂଖ୍ୟା ବୃଦ୍ଧି ସାହିତ୍ୟ ସୃଷ୍ଟିରେ ମଧ୍ୟ ବହୁ ବିଚିତ୍ର ଉପାଦାନର ଉପସ୍ଥାପନା ସମ୍ଭବପର ହୋଇ ପାରିଅଛି । ଲେଖକମାନେ ଏ ଦେଶର ଅତୀତକୁ ଆଲୋଡ଼ନ କରି ବହୁ କିମ୍ବଦନ୍ତୀ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ଅବଲମ୍ବନରେ ନୂତନ କିମ୍ବଦନ୍ତୀମାନ ସୃଷ୍ଟି କରି ଯାଇ ଅଛନ୍ତି । ଡକ୍ଟର କୁଞ୍ଜବିହାରୀ ଦାଶ, କବି ରାଧାମୋହନ ଗଡ଼ନାୟକ, ସ୍ୱର୍ଗତ ମାୟାଧର ମାନସିଂହ ଏପରିକି ବେଣୁଧର ରାଉତ୍, ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥଙ୍କ କବିତାରେ ମଧ୍ୟ ଏହି କିମ୍ବଦନ୍ତୀର ପ୍ରଭାବ ପରିଲକ୍ଷିତ ହୋଇଥାଏ । କିମ୍ବଦନ୍ତୀ ସହ ସାହିତ୍ୟର ସମ୍ପର୍କ ଯେ ଅଙ୍ଗାଙ୍ଗି ଭାବେ ଜଡ଼ିତ, ଏହାକୁ ଅସ୍ୱୀକାର କରାଯାଇ ନ ପାରେ ।

 

୯.

ରାଧାନାଥ ଜୀବନୀ–ଦୁର୍ଗା ଚରଣ ରାୟ-ପୃଷ୍ଠା ୬୪୨

୧୦.

i

ଯୁଗ ପ୍ରବର୍ତ୍ତକ ସ୍ରଷ୍ଟା ରାଧାନାଥ –ଡ. ନଟବର ସାମନ୍ତରାୟ ପୃ-୨୭-୭୬

 

ii

ଯୁଗଜ୍ୟୋତି ରାଧାନାଥ-ଦେବେନ୍ଦ୍ର ମହାନ୍ତି-ପୃଷ୍ଠା ୯୪-୧୪୧

 

iii

ଓଡ଼ିଆ ସାହିତ୍ୟରେ ତ୍ରିବେଣୀ ଯୁଗ-ଯଦୁନାଥ ଦାଶମହାପାତ୍ର-ପୃଷ୍ଠା-୬୨-୧୦୫

 

iv

ରାଧାନାଥ ଜୀବନୀ-ଦୁର୍ଗାଚରଣ ରାୟ

 

* ସହାୟକ ଗ୍ରନ୍ଥସୂଚୀ:

୧)

ଆଚାର୍ଯ୍ୟ ବୃନ୍ଦାବନ ଚନ୍ଦ୍ର – ସତ୍ୟବାଦୀଯୁଗ – ୧୯୬୩

୨)

ଦାସ ଗୋପବନ୍ଧୁ – ଧର୍ମପଦ – ୧୯୭୭

୩)

ଦାଶ ସୂର୍ଯ୍ୟନାରାୟଣ (ପଣ୍ଡିତ)- ଓଡ଼ିଆ ସାହିତ୍ୟର ଇତିହାସ ୧୯୭୮

୪)

ଦାଶ ମହାପାତ୍ର ଯଦୁନାଥ – ଓଡ଼ିଆ ସାହିତ୍ୟରେ ତ୍ରିବେଣୀ ଯୁଗ – ୧୯୮୦

୫)

ମହାନ୍ତି ଦେବେନ୍ଦ୍ର – ଯୁଗଜ୍ୟୋତି ରାଧାନାଥ – ୧୯୭୧

୬)

ମାନସିଂହ ମାୟାଧର (ଡକ୍ଟର) – ମାଟିର ମହାକବି ସାରଳା ଦାସ

୭)

ରାୟ ଦୁର୍ଗାଚରଣ – ରାଧାନାଥ ଜୀବନୀ – ୧୯୪୧

୮)

ସାମନ୍ତରାୟ ନଟବର (ଡକ୍ଟର) –ଯୁଗ ପ୍ରବର୍ତ୍ତକ ସ୍ରଷ୍ଟା ରାଧାନାଥ – ୧୯୭୦

 

ପତ୍ରିକା:-

୯)

ଡଗର, ୩୧ଶ ବର୍ଷ ଅଷ୍ଟମ ସଂଖ୍ୟା, ଫେବୃୟାରୀ ୧୯୬୮

 

ଗବେଷକ, ଓଡ଼ିଆ ବିଭାଗ,

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

***

 

କବିତା

ଅପରାହ୍ନର ଆବେଗ

ରବି ସିଂ

ଜୀବନର ଅପରାହ୍ନରେ

ହଠାତ୍ ମୁଣ୍ଡଟେକି ଅନାଇଁଲି;

କିନ୍ତୁ ୟେ କ’ଣ ?

ଖଣ୍ଡେ ପୁରୁଣା ଲୁଗାପରି ଆକାଶଟା ଚିରିଯାଇଛି ଯେ !

ଅବାକ୍ ବିସ୍ମୟରେ ପୁଣି ଭାବିଲି;

ମାଟିର ମଣିଷ ମୁଁ

ମାଟିରେ ମୋର ଜୀବନ ଅଙ୍କୁରିତ,

କ୍ରମବର୍ଦ୍ଧିତ... ବିକଶିତ ।

ଆକାଶଟା ଚିରିଗଲା ! ଚିରୁ !

ଚିରା ସମାଜ, ଚିରା ସଭ୍ୟତାରେ ତାଳି ପକାଇବା,

ଫଟା କାନ୍ଥରେ ଗୋବର ନେସିବା ପରି ନିରର୍ଥକ ।

ତଥାପି

ମୋର ଆଶାର ଦିଗ୍‌ବଳୟ କିନ୍ତୁ ଅନ୍ତହୀନ ।

ନୂଆ ଏକ ଅକ୍ଷତ ଆକାଶ

(ଯେଉଁ ଆକାଶ ତଳେ ନ ଥିବା ଆଜିର ଆବର୍ଜନା,

ଗ୍ଳାନି, ଆତ୍ମକୈନ୍ଦ୍ରୀକତା, ଶୋଷଣ, ଲୁଣ୍ଠନ, ରାହାଜାନୀ,

ଶଠତା, ବଂଚନା ଏବଂ ପ୍ରତାରଣା,

ମଣିଷ ଉପରେ ମଣିଷର ନିର୍ଯାତନା)

ସେପରି ଅନାଗତ ଏକ ସୁନ୍ଦର ସାମ୍ୟ ଆକାଶ

ହୁଏତ ଜନମ ନେବ ନିଶ୍ଚୟ !

ତା’ର ତଳର ସୁଖୀସୁନ୍ଦର ସମାଜ ଓ ତାର ଜନଗଣଙ୍କୁ

ମୁଁ ଅଭିନନ୍ଦିତ କରେ ମୋର ବଦ୍ଧମୁଷ୍ଟି ଉଠାଇ।

ମଣିଷ,

ତାର ମନୀଷା,

ତାର ସୃଷ୍ଟି ଓ କୃଷ୍ଟି,

ତାର ଗରିମାମୟ ସଂଗ୍ରାମୀ ଇତିହାସର

ମୁଁ ଜଣେ ବଶମ୍ବଦ ଛାତ୍ର

ଆଜନ୍‌ମରୁ

****

ଚିରି ଯାଇଛି ଆକାଶ ।

ମଣିଷର ପ୍ରତିଭା,

ସାମାଜିକ-ଚୈତନ୍ୟ ତଥା ସୃଷ୍ଟିଶୀଳତା ଉପରେ

ଘୋଟି ଆସିଛି ଯେଉଁ ସ୍ତବ୍‌ଧତା,

ଯେଉଁ ମୂକତ୍ୱର କଳାମେଘ;

ସାମୟିକ ହେଲେ ବି

ଜୋର୍‌ ଆଘାତ ଳାଗିଛି ପ୍ରାଣରେ ।

ଆକାଶ ଅଛି

ଆକାଶ ଥିଲା

ଆକାଶ ଥିବ ।

ତା ସହିତ ମୋର କାମ ବା କ’ଣ ?

ମୁଁ ଆଜିଠୁଁ ଏ ଚିରା ଆକାଶଟାକୁ

      ଆଉ ଅନାଇଁ ବି ନାହିଁ ।

କାରଣ, ପାଦତଳର ବାସ୍ତବିକା ମାଟି ବନ୍ଧୁର କଂକରିଳ ।

ଖାଲ, ଖମା, ଗଡ଼ାଣି-ଉଠାଣି, ବିପଦ-ଆପଦରେ ଭରା ।

ମାଟି,

ସିଏ ମୋର ବାକ୍‌ଶକ୍ତିହୀନ, ଲୌହଗର୍ଭା, ବନାନୀବିଭୁଷା,

କାଳ୍‌ପନିକ ସ୍ୱର୍ଗର ସେବାଦାସୀ ଦୁଃଖିନୀ ଜନନୀ,

ମାଟି,

ସଂପ୍ରତି ନରସୃଷ୍ଟ ନରକର ମସ୍ତ ଏକ ଘାଟି ।

****

ମା ! ତୋର ଯନ୍ତ୍ରଣା ଅସୀମ,

ତୋର ଦୁଃଖ ଅନ୍ତହୀନ ।

ମୁଁ ତାର ଏକ ଜାନ୍ତବ ପ୍ରତିବାଦ ।

ମୋର ଜୀବନ ଆଉ ଯୌବନ,

ମୋର ଅବିଜିତ ଲେଖନୀ ଓ ପ୍ରଜ୍ଞା

ମୋର ଅବିଜିତ ଲେଖନୀ ଓ ପ୍ରଜ୍ଞା,

ମୋ ବେସାଲିସୀ ବିଦ୍ରୋହୀ କବିତ୍ୱ

ତୋର ଅନ୍ତହୀନ ଦୁଃଖିର ପ୍ରତିବାଦ ମା

 

ମା !

ଆଜି ବଡ଼ କ୍ଳାନ୍ତ ମୁଁ ।

ମୋ ପ୍ରେରଣାର ସମସ୍ତ ଗୋପନ ଉପାଦାନ ଉପରେ

ଆସି ଅଜାଡ଼ି ହୋଇ ପଡ଼ିଛି

ସୃଷ୍ଟିପାପ-ଅଭିଶାପର ଜ୍ୱଳନ୍ତ ଅଂଗାର ।

ଭଣ୍ଡ ‘‘ସହଯୋଦ୍ଧା’’ର ଦଳ,

ତଥା କଥିତ ‘ପ୍ରିୟଜନ’

‘ଆତ୍ମାର ଆତ୍ମୀୟ’ ନାମଧାରୀ ବିଶ୍ୱାସ ଘାତକ

ସମସ୍ତେ ଆଜି ଜୀବନ ବିରୋଧୀ ଦୁଃଶାସନର ପଦଲେହୀ ।

ମା ! ମୁଁ ପୂର୍ବବତ୍ ମୋର ଜ୍ୱାଳାର ଜଗତ୍,

ମୋ ରୁଦ୍ରସାଧାନାର ଦଗ୍‌ଦ-ତପୋବନରେ ଉର୍ଦ୍ଧ୍ୱବାହୁ ।

ମୋର ପ୍ରିୟ ଦୁର୍ଗମଗିରି ପଥରେ

ଆଜି ବି ମୁଁ ଅନାହତ ପଥିକ ।

 

କାଳ୍ପନିକ ସ୍ୱର୍ଗର ସାମ୍ରାଜ୍ୟବାଦ ବିରୁଦ୍ଧରେ

ତୋତେ ତା କବଳରୁ ମୁକ୍ତ କରିବା ପାଇଁ

ମୋ ଶପଥବଦ୍ଧ ବଦ୍ଧ ମୁଷ୍ଟି ଆଜି ବି ନିବିଡ଼ ।

ପାଦରେ ମୋ ମାତୃଶକ୍ତିର ସେଇ ମଦମତ୍ତ ବୁଟ୍,

ଦେହରେ ମୋର ସୈନିକର ସେଇ ଧୂସର ପୋଷାକ,

ହାତରେ ଦୁର୍ଦ୍ଧର୍ଷ ଟେଲିସ୍କୋପିକ୍ ରାଇଫଲ

ମୁଁ ପୂର୍ବବତ୍ ମୋର ଆଦର୍ଶର ଶୂଚ୍ୟାଗ୍ରରେ ଠିଆ ।

 

ଅପରାହ୍ନ,

ସୂର୍ଯ୍ୟ ଅସ୍ତାଚଳ ଗାମୀ

ମୁଁ ସେ ସବୁକୁ ଭ୍ରୁକ୍ଷେପ କରେନା

ଅନ୍ଧକାର ହିଁ ସତ୍ୟ,

ଅନ୍ଧକାର ଭିତରୁ ହିଁ ଆଲୋକର ଜନ୍ମ

 

ନିଃସଙ୍ଗ ନିବାସ

ନୂଆପଡ଼ା, କଟକ – ୧୦

***

 

ପୃଥ୍ୱୀକୁ କହିଲି.....

ଡଃ ପ୍ରତିଭା ଶତପଥୀ

 

ଚାଲିଯାଉଛି ମୁଁ

ତୋଠାରୁ ଅନେକ ଦୂର

ଏଣିକି ତୋଠାରୁ

କିଛି ପାଇବା ହରାଇବାର

ସମ୍ଭାବନା ମୋଟେ ନାହିଁ

ତୋ’ ମୋ’ ଭିତରେ

କିଛି ନିର୍ଭର ଶୀଳତା

ରହିଥାଉ ବୋଲି

ଏଣିକି ମୁଁ ଆଶାକରୁ ନାହିଁ ।

 

ତୋ ସଂକୀର୍ଣ୍ଣ ଗଳିରାସ୍ତାରେ

କେବେ ସେ ଆସିଯିବେ

ୟେ ବିଶ୍ୱାସ ହରାଉବା ଦିନୁଁ

କଠୋର ନିରାଶାରେ

ମୁଁ ଭିଜି ଭିଜି

ବାହାରି ଆସିଚି

ଶୂନ୍ୟରୁ ଶୂନ୍ୟକୁ

ଟଣା ହୋଇଥିବା

ସରଳରେଖାଟେ ପରି

ଲମ୍ବିଚି, ମୋର ଯେ

ଆଦିନାହିଁ ଅନ୍ତନାହିଁ

ଆପଣାର ବୋଲି କେହି ନାହିଁ ।

 

ଏଠି ମଧ୍ୟ

ଗଭୀରତମ ନିରାଶା-ମେଘ ଘୋଟେ

ସାରା ରାତି ଭାଙ୍ଗିପଡ଼େ

ଅସ୍ଥିର ଝଡ଼ରେ ।

ବର୍ଷା ହୁଏ ଘୋର ବର୍ଷା

କରୁଣ ଆଖି ସମାନ

ଟୋପା ଟୋପା ବର୍ଷା

ଖସିପଡ଼େ

ସକାଳୁ ସକାଳୁ ପୁଣି

ଅଶ୍ରୁସ୍ନାତ ଦିଗ୍‌ବଳୟ ତଳେ

ଇଷତ୍ ହଳଦୀ କୁହୁଡ଼ି ଘେରିଯାଏ

କୋଟି କୋଟି ବର୍ଷରେ ଥରଟେ

କୋଉଠୁ ମୁହୂର୍ତ୍ତଟିଏ

ଛପି ଛପି ଆସେ

ସୁନେଲି ଆଲୋକ ଖିଏ

ମୋ ଦେହେର ହୃଦୟରେ

ମୋ ଚାରିପାଖର

ସଦ୍ୟ ଉର୍ବର ମାଟିରେ

ତାଙ୍କ ନାଆଁ ଲେଖି ଲେଖି ଯାଏ.....

 

କିଏ ବୋଲି ପଚାରୁଚୁ ? ଶୁଣ୍,

ସେ ପରା ମୋ ଭିତରର

ଆଲୋକ ବର୍ଷ ବର୍ଷର

ନିବିଡ଼ ଦୂରତ୍ୱ

ପୁଣି ମୁଖରିତ

ଏକା ଏକା ପଣ !

ସବୁ ସମ୍ପର୍କର ଖିଅ

ଛିଣ୍ଡିଗଲା ପରେ

ତଥାପି ମୋ ଅସ୍ତିତ୍ୱକୁ

ପ୍ରସ୍ତ ପ୍ରସ୍ତ ଛନ୍ଦିଥିବା

ସ୍ୱେଚ୍ଛା କୃତ, ନିଷ୍ଠୁର ବନ୍ଧନ

 

ସି-୩୦, ବାଣୀବିହାର କ୍ୟାମ୍ପସ

***

 

ଏ ପ୍ରଥମ ସକାଳର-ପ୍ରଥମ ବିହଙ୍ଗ

ମମତା ଦାଶ

 

ଆଜି ରାତି ଶେଷ ରାତି,

କାଲିର ସକାଳ ହେବ

ମୋର ନୂଆ ଆୟୁଷର ପ୍ରଥମ ସକାଳ ।

ମିଛ ହୋଇପାରେ ନାହିଁ ।

ସୂର୍ଯ୍ୟ ହିଁ କହିଛି ମୋତେ,

ବିତିବ ବିତିବ ହୁଏ କୁଣ୍ଠିତ ପ୍ରହର ।

ମୋର ଏଇ ଦୁଇ ହାତ

ବିପୁଳ, ଅତି ବିସ୍ତୃତ

ମୁଁ ଏଥିରେ କୁଆ, କୁମ୍ଭାଟୁଆ

ପେଚା ଓ ସାପ, ମର୍କଟ

ଶାଗୁଣା, ପୋକଜୋକଙ୍କୁ

ମୋ ଛାଇରେ ରହିଥିବା ସିନ୍ଦୁର ବୋଳା ପଥର

ମଣିଷ ପଶୁଙ୍କୁ ଏକାଥରେ

ଆବୋରି ଧରିବି ଆଉ ଠିଆ ହେବି ।

ମୋ ଏହି ବୃକ୍ଷରୂପ ଭିତରୁ ମୁଁ

ଧୀରେ ଧୀରେ ଉଛୁଳି ପଡ଼ିବି ।

ଏ ଜାଗାର ସୀମା ଡେଇଁ,

ଅଲଗା ଏକ ଭୁଇଁରେ,

ଶୁଆଇ ଦେବି ଏସବୁ ନିଦ୍ରିତ ଶରୀର,

କିମିତି ସହିପାରିବି ଏଭଳି ବିଦାୟ ବେଳ ?

ମୁଁ ସିନା କେବଳ ଜାଣେ,

କିପରି ହେବାକୁ ହୁଏ, ଏକାବେଳେ,

ବ୍ୟାକୁଳ ଓ ଛଟପଟ,

ନିର୍ମମ,କଠୋର !

ଆଉ କିଛି ଉପାୟ ଥିଲା କି ମୋର ?

ଯେତେବେଳେ, ମୁଁ ଦେଖିଲି,

ମୋ ମାତୃତ୍ୱରେ ଆଉ ଦୁଇବୁନ୍ଦା କ୍ଷୀର

ଅଛି ଅବଶିଷ୍ଟ,

ସ୍ନେହରେ ବହେନା ରକ୍ତ,

ମୋ ପ୍ରାଣ କହୁଚି ସିଏ ଏମିତି କ୍ଳାନ୍ତ ଯେ,

ପ୍ରସ୍ତୁତ ହେବା ଆଗରୁ

କାଳେ ଯଦି ଆସିଯାଏ ଈପ୍‌ସିତ ମୁହୂର୍ତ୍ତ !

ଯୁଗଯୁଗ ଧରି ବ୍ୟବହୃତ କୋଳ ମୋର

ଖାଲି ହୋଇଯିବ ଏବେ,

ଖୋଜିବ ଝୁରିବ ମୋତେ,

ଏକୁଟିଆ ଅସହାୟ ଏ ଶିଶୁ ସଂସାର,

ଆଉ କିଛି ଉପାୟ ଥିଲା କି ମୋର ?

ଯେତେବେଳେ ସୂର୍ଯ୍ୟ ହିଁ କହିଚି ମୋତେ,

କାଲିର ସକାଳ ହେବ

ମୋର ନୂଆ ଆୟୁଷର ପ୍ରଥମ ସକାଳ ।

 

(୨)

ସାରା ପୃଥିବୀର ବଛା ବଛା ଫୁଲର ସମ୍ଭାର ଏବେ

କୁସୁମିତ ଅର୍ଦ୍ଧେକ ଡାଳରେ ମୋର,

ନିଟୋଳ, ବିଚିତ୍ର ଫଳ ବାକୀ ଅଧକରେ,

ପତ୍ରର ଆଞ୍ଜୁଳାଧରେ ଆନନ୍ଦିତ ଲୁହଧାର,

ସତେ କି ଶିଶିର ଜଳ,

ଧୂସର କାଠ ଉପରେ ଜଡ଼ିଯାଏ କଅଁଳ ଶ୍ୟମା ବକ୍‌ଳ,

ଶିହରିତ ଚେର, ମୂଳ ।

 

କିଏ ସେ କରେ କୁହୂକ ?

ସ୍ୱୟଂ ଋତୁରାଜ ?

ଏ ପାଖରେ ନିଆଁ ଜଳେ,

ଅତୀତର ଚିତା ଅବା ଭବିତବ୍ୟ ପ୍ରାଙ୍ଗଣରେ

ହେଉଥିବା ନିରନ୍ତର ହୋମଯଜ୍ଞ

 

କିଏ ସେ କରେ କୁହକ ?

ଅଜସ୍ର ରଙ୍ଗଛିଟାରେ ଅଙ୍କିତ ହୋଇଯାଉଛି

ସ୍ତର ପରେ ସ୍ତର ଏହି ଅଶେଷ ମହାଦିଗନ୍ତ,

ରଙ୍ଗର ପ୍ରତ୍ୟେକ ଢେଉ ଭେଦ କରି

ଉଡ଼ିଆସେ ଏ ପ୍ରଥମ ସକାଳର ପ୍ରଥମ ବିହଙ୍ଗ ।

ମୁକ୍ତାର ଏକ ମୟୁର,

ବିସ୍ତାରିତ ପକ୍ଷ ତାର,

ଶୁଭ୍ରତାରେ ଝଲମଲ, ରମ୍ୟ, ଚମତ୍କାର ।

ମୁକ୍ତାର ମୟୁର ଧରି

ସୁସଜ୍ଜିତ ବରଦାନ କେଉଁ ଦୂର ଦୁଲୋକର,

ଆସିବେ, ଜାଣିଛି

ତମେ ଟିକିଏ ଅପେକ୍ଷା କର,

 

ଖୁବ୍‌ଶୀଘ୍ର ପିନ୍ଧିନେବି ମୋ ଯୋଗ୍ୟ ଶରୀର ।

 

ଅପୋଜିଟ୍ ସେଲ୍‌ଟାକ୍ସ ଅଫିସ

ବ୍ରହ୍ମପୁର-୧୦, ଗଞ୍ଜାମ

***

 

ଦେବଗଡ଼

ଫଣୀନ୍ଦ୍ର ଭୂଷଣ ନନ୍ଦ

 

ସାଂପ୍ରତିକତାର ଧୂଆଁ ବାଣରେ

ଅତିଷ୍ଠ ଦେବଗଡ଼

ଅତିକ୍ରାନ୍ତ ଅତୀତକୁ ଫେରିପାଉ

ଫେରିପାଉ ଅପହୃତ ସଂସ୍କୃତିର

ସୁନେଲି ସକାଳ ।।

            *

 

ଅତୀତ :

ସୁଦୂରର କମନୀୟ ସ୍ୱପ୍ନ

 

ମୁଠାମୁଠା ବିଚତ୍ର ବାସ୍ନାରେ

 

ଆମୋଦିତ ଆକାଶର ସାମିଆନାତଳେ

 

ସାଧକର ପବିତ୍ର ପ୍ରଣବ

 

ରଙ୍ଗମଖା ସ୍ମୃତିର ଉଦ୍ୟାନ ।।

ବର୍ତ୍ତମାନ :

ଅନାସକ୍ତ କାମଳ ରୋଗୀର

 

ଅପହୃତ ଇଚ୍ଛାଙ୍କ ବହ୍ନିରେ

 

ନିୟମିତ ଫୁଟୁଥିବା ରୋମାଞ୍ଚ ପାଖୁଡ଼ା

 

ହିଂସୁକୀ ସମୟର କାନି ପଣତରେ

 

ଅଳୀକର ଉଚ୍ଚାଟନ

 

ଅନ୍ତହୀନ ଆଶଙ୍କା ଓ ନିରୁଦ୍‌ବିଗ୍ନ

 

ଆତ୍ମାର ଦହନ ।

ଏବଂ

 

ଭବିଷ୍ୟତ :

ସମୟର ଅଜ୍ଞାତବାସରେ

 

ସଢ଼ୁଥିବା ଯନ୍ତ୍ରଣାର ପୁରାତନ କ୍ଷତ

 

ଉଦାସୀନ ତଟସ୍ଥ ମୁଦ୍ରାରେ

 

ସମ୍ମିଳିତ ଦାୟାଦଂକ ପଙ୍ଗୁ ଘୋଡ଼ାନାଚ

 

ଏସବୁର ଏକ ସରଳ ସମୀକରଣ ହିଁ

ଦେବଗଡ଼ :

ଦେବଗଡ଼ ଏକ ଅସହାୟ ବାଣୀ ମନ୍ଦିର

 

ନା, କବିର ଶବ୍‌ଦ ଝଙ୍କାର

 

ନା, ସାହିତ୍ୟିକର ସ୍ୱାଭିମାନ

 

ବରଂ ଏକ ସାମୂହିକ ଗଣଧର୍ଷଣରେ

 

ଧର୍ଷିତା କିଶୋରୀ ପରି ପଡ଼ିଛି ଦେବଗଡ଼ ।

 

ଅଭିଶପ୍ତ ବୃହନ୍ନଳା ପରି

 

ଗୁପ୍ତ ବନବାସ କାଟୁଛି

 

ବିରାଟ ଦେଶରେ ।।

ଦେବଗଡ଼ :

ନାମ ସହିତ ଏକ ମୂର୍ଛିତ ଅତୀତର

 

ପଲ୍ଲବନ

 

ସୁଦୂର ପ୍ରସାରୀ ଦିଗଂତର ସବୁଜିମା

 

ଢଳଢଳ ପ୍ରପାତର ଶୁଭ୍ର ଜଳରାଶି ।।

ଦେବଗଡ଼ :

ମାତୃହୀନ ହରିଣ ଶାବକର

 

ଡବ ଡବ କରୁଣ ଚାହାଁଣୀ-

 

ଅସହାୟ କୋଣାର୍କର

 

ଭଗ୍ନ ମୁଖଶାଳା ।।

ଦେବଗଡ଼ :

ଜଙ୍ଗଲ ସାରା ହୁତୁ ହୁତୁ ନିଆଁ

 

ସହର ସାରା ଧର୍ଷଣ ଛୁରାମାଡ଼

 

ବୋତଲର ଠୁଣ୍ ଠାଣ୍

 

ନୀରିହ ଅର୍କ୍ଷିତ ମଣିଷ

 

ଅପରଛନିଆ

 

ବାକି ସବୁ ଦୃପ୍ତ ବେପରଓ୍ୱା ।।

 

ଦେବଗଡ଼ ଭବିତବ୍ୟର ଦାବି ସାବ୍ୟସ୍ତକରେ

 

ପାର୍ଥର ସାମର୍ଥ ନେଇ ନୁହଁ

 

ପିତାମହଂକୁ ନିରସ୍ତ୍ର କରିବାର କୌଶଳ ନେଇ ।

 

ଦେବଗଡ଼

 

ସ୍ମୃତିରେ ସ୍ମୃତିରେ

 

ଅପୂର୍ବ ତଲ୍ଲୀନତା

 

ସାଧନାର

 

ପ୍ରଜ୍ଞା ପାରମିତ ।।

 

ଗ୍ରାମ:ପୋ: ବାରକୋଟ

ଜି: ସମ୍ବଲପୁର – ୭୬୮୧୧୦

***

 

ଗଳ୍ପ

ଗୋପନୀୟମ୍‍

ଚନ୍ଦ୍ରଶେଖର ରଥ

 

ମତେ ଦେଖୁ ଦେଖୁ ସେ ସିଗ୍ରେଟ୍ ମୁଣ୍ଡିଟାକୁ ପାଟିରୁ କାଢ଼ି ଫୋପାଡ଼ିଲା ପରେ ଧୂଆଁ ଛାଡ଼ି କହିଲେ, ‘‘କିରେ ଭଲ ଅଛୁ !’’

 

ତା’ପରେ ପଛକୁ ଲେଉଟି ଚାହିଁଲେ ।

 

ମୁଣ୍ଡ ବୋଝିଆ କୁଲିଟିଏ ଦିଟା ମଧ୍ୟମ ଧରଣର ସୁଟକେଶ୍‍ ଏବଂ ଯୋଡ଼ାଏ ବେଗ ଧରି ଆମ ଦୁଆରେ ଟଳମଳ ହୋଇ ଠିଆ ହେଲା ।

 

‘‘ଆରେ ଠିଆ ହେଲୁ କାହିଁକି ? – ଭିତରକୁ ଆଣ୍... ... ’’

 

ଗୋଟାଏ ଚୌକିରେ ବସି ଖୁବ୍ ଗୋଡ଼,ହାତ ଓସାରି କାନ୍ଥ ବାଡ଼ ଛାତକୁ ଚାହିଁ କହିଲେ ‘‘ଆଃ ତୋ’ ବାପାତ ଏଇନେ ପୂଜାରେ ବସିଥିବ । ସାଢ଼େ ଛ’ରୁ ଆଠ । ଲେମ୍ବୁ ପଣା ପିଇ ବସିଥିବ-। ଆସିଲେ ଖାଇବ ଖଇ ଆଉ ଖିର । ଗୋଟାଏ ଯନ୍ତ୍ର ତ, ଟିକିଏ ଏପଟ ସେପଟ ନାଇଁ । ତମ ଘରେ ଆସ୍‌ଟ୍ରେ ନାହିଁ ମୁଁ ଜାଣେ । ତେବେ ସେ ସାନ ଷ୍ଟୁଲ୍‌ଟା ମୋ ପାଖରେ ଥୁଅ । ଆଉ ସେ କୁଲିକୁ ତୁଟେଇ ଦେଇଛି ଚାରିଟଙ୍କା ହେଇ ନେ ତା’ଠୁ ବାକି ପଇସା ନେଇ ଆଣ ।

 

ମୁଁ ଆଶ୍ଚର୍ଯ୍ୟ ହେଇ ତାକୁ ଚାହିଁଥାଏ । ଏଭଳି ଏକ ଅଚାନକ ଘଟଣାରେ ମୋ ଭିତର ବାହାର ସ୍ତବ୍‌ଧହେଇ ଯାଇଥାଏ । କିଏ ସେ ମାନନୀୟ ଭଦ୍ରଲୋକ ? ମୁଁ ତ’ ତାକୁ କସ୍‌ମିନ କାଳେ ଦେଖି ନ ଥିଲି । କିନ୍ତୁ ଆମ ପରିବାର ସହିତ ଏତେ ଘନିଷ୍ଠତା, ଏତେ ନିବିଡ଼ ସମ୍ପର୍କ, ଏତେ ଆପଣାପଣ, ଏତେ ସହଜ ଆତ୍ମୀୟତା, ମୋତେ ଚକିତ କରି ଦେଉଥାଏ ।

 

ଭଦ୍ରଲୋକଙ୍କୁ ବୟସ ପଚାଷ ପାଖାପାଖି । ତାଙ୍କ ଗୋରାମୁହଁ, ଠିଆନାକ ଏବଂ ବଡ଼ ବଡ଼ ଆଖିକୁ ପରାସୀ ଦାଢ଼ି ନିଶ ଭାରି ଚମତ୍କାର ମାନୁଥାଏ । ମୁଣ୍ଡବାଳ ଟେରିକଟା ଧଳା କଳା ମିଶା, କିନ୍ତୁ ବେଶ୍ ସଂଯତ, ସୁବିନ୍ୟସ୍ତ । ପୋଷାକ ବି ଖୁବ୍ ରୁଚିପୂର୍ଣ୍ଣ । ଗାଢ଼ ଆକାଶୀ ରଙ୍ଗର ପୁରାହାତ ସାର୍ଟ । ତା ସିଲେଇ କନା, ଏବଂ ପାଲିସ ଦୃଷ୍ଟିରୁ ବିଦେଶୀ, ବିଦେଶୀ ପାଉଁଶିଆ ରଙ୍ଗର ପେଣ୍ଟ । ଖୁବ୍ ଦାମୀ ଏବଂ ସିନ୍ଦରୁ ଯୋତା ଆଉ ମୋଜା । ବାଁ ହାତ ଆଙ୍ଗୁଠିରେ ଗନ୍‌ମେଟାଲ ବସିଥିବା ମାନିଲା ଭଳି ଗୋଟିଏ ସୁନାମୁଦି ।

 

ଦେଖିଲା ମାତ୍ରେ ଯେ କେହି ଖୁସି ହେଇ ଯିବ ! ସେ ଚେହେରା ମୋତେ ବଶୀଭୁତ କରି ସାରିଥିଲା । ମୁଁ ପ୍ରାୟ ମୁଗ୍‌ଧ ହୋଇ ସାମ୍ନାରେ ଠିଆ ହୋଇ ବେକୁବ୍ ଭଳି ତାଙ୍କୁ ଚାହିଁ ରହିଥିଲି ।

 

‘‘କିରେ ଠିଆ କ’ଣ ହୋଇଚୁ ? ବସୁନୁ...!!... ନା’ ଘରେ ଖବର ଦେଇ ଆସିବୁ ମୁଁ ଆସିଚି ବୋଲି ! ମୋର ବର୍ତ୍ତମାନ କିଛି ଦର୍କାର ନାଇଁ । ମୁଁ ସକାଳୁ ଚା’ ଖାଇ ସାରିଚି । କିଛି ସମୟ ପରେ ଆଉ କପେ ଚା’ ହେଲେ ନିତ୍ୟକର୍ମ ଆରମ୍ଭ ହେବ । ମୁଁ କଣ ବାପାଭଳି ଚଢ଼େଇଙ୍କ ସାଙ୍ଗେ ବାଦ କରି ପାହାନ୍ତିଆକୁ ଉଠେ ନାହିଁ, କି ବଡ଼ିଭୋର୍‌ରୁ ନିଜକୁ ଦଣ୍ଡ ଦେଲା ପରି ଥଣ୍ଡାପାରି ଗାଧାଏ ନାହିଁ-। ସେଥିରେ ଯେ ପୁଣ୍ୟ ଗୋଟାଉଛନ୍ତି ଗୋଟାନ୍ତୁ । ମୋର ସେଥିରେ ଜମା ବିଶ୍ୱାସ ନାହିଁ । ତୋ ସାନଝିଅର ଦାନ୍ତଉଠା ଝାଡ଼ା ହଉଁଥିଲା । ତୁ ସେଥିରେ ମହାବ୍ୟସ୍ତ ହେଇ ରାତିସାର ଶୋଇଲୁ ନାହିଁ-। ମୁଁ ଦେଖୁଛି ତୁ ତୋ ବାପଭଳି ମହା ଛେରକୁରା । ଅଳ୍ପ କଥାରେ ଏମିତି ଘବରେଉଛୁ କାହିଁକି ?’’

 

ମୁଁ ଏ କଥାରେ ଛାନିଆ ହୋଇ ଯାଉଥାଏ । ଘରର ଏତେ କଥା ସେ ଜାଣିଲେ କେମିତି-? ଅଥଚ ମୁଁ ତାଙ୍କୁ କେବେ ହେଲେ ଦେଖି ନାହିଁ । କି ଆଶ୍ଚର୍ଯ୍ୟ ! ଘରେ ଜଣେ ନ ରହିଲେ ତ’ ଏ ସବୁକଥା ଜାଣିବ ନାହିଁ । କିନ୍ତୁ ମୋର କୌତୂହଳ ପ୍ରକାଶ କରିବାର ଧୃଷ୍ଟତା ନ ଥାଏ । ତାଙ୍କର ‘ସେ ଗଭୀର ଆପଣା ପଣରେ ମୁଁ ପରାସ୍ତ ବୋଧ କରୁଥାଏ ଏବଂ ମୋ ଜିଭ ଆଗରେ ଝୁଲି ରହିଥାଏ ସେ ସରଳ ଅଥଚ ମାରତ୍ମକ ପ୍ରଶ୍ନ ‘‘ଆପଣ କିଏ ?’’ ମୋ ଶିରା ପ୍ରଶିରା ଟଣକୁ ଥାଏ ସେ ପ୍ରଶ୍ନର ଉତ୍ତର ଏବଂ ଓଜନରେ । ଭାରି ଅସହ୍ୟ ହେଉଥାଏ । ମନେ ହେଉଥାଏ ଯେ ମୁଁ ପଚାରିବା ଆଗରୁ ସେ ପ୍ରଶ୍ନ ବଳେ ମୋତ ବିଦୀର୍ଣ୍ଣ କରି ପଚାରି ହୋଇଯିବ । କିନ୍ତୁ ତାକୁ ଲୁହା ବାଡ଼ ଭିତରେ ଲୁହା ଜଞ୍ଜିର ପକେଇ ମୁଁ ସମ୍ଭାଳି ରଖିଥାଏ ।

 

ସବୁ ସତ୍ତ୍ୱେ ମୁଁ ଲକ୍ଷ୍ୟ କରୁଥାଏ ଯେ ସେ ମଧ୍ୟ କୌଣସି ଗୋଟାଏ ଉଦ୍‌ବେଗକୁ ବହୁକଷ୍ଟରେ ଚାପି ରଖିଥାନ୍ତି । ସିଗ୍ରେଟ୍ ଟାଣିବା ଢଙ୍ଗରୁ ମୋଡ଼ ବଦଳ କରିବା, ଛାଟିବା ଢଙ୍ଗରୁ ଅନୁମାନ କରି ହେଉଥାଏ । ମୁଁ କିଛି ସମୟ ପରେ ଲକ୍ଷ୍ୟ କଲି ଯେ ତାଙ୍କ କପାଳରେ ଚିକ୍‌ ଚିକ୍‌ ବାଳ ଜକେଇଲା । ମୁଁ ହୁଏତ କହିଥାନ୍ତି । କିନ୍ତୁ ସେ ପୁଣି ଆରମ୍ଭ କଲେ ।

 

‘‘ତୋ ସ୍ତ୍ରୀ ସାଙ୍ଗରେ ମୋ ମା’ର କ’ଣ ଟିକିଏ ଅପଡ଼ ହଉଛି ! ତୁ ଜାଣୁ ରାତିରେ ଭିତର ପାଖ ବରଣ୍ଡାରେ ଏକୁଟିଆ ବସି ତୋ ମା’ କାନ୍ଦେ ? ଏବେ କିଛି ଦିନ ହେଲା ସେଇ ରାତିରେ ଚା’ ପିଏ ମୁଣ୍ଡ ବଥାଏ ବୋଲି ? ତା’ର ସେଭଳି ଅଭ୍ୟାସ କେବେ ନ ଥିଲା ।’’

 

ମୁଁ ବୋଧେ ଖୁବ୍ ଅସ୍ଥିର ହୋଇ ଉଠି ପଡ଼ିଲି । ସେ ହାତ ଇଙ୍ଗିତରେ ମୋତେ କହିବାକୁ କହି କିଛି ସମୟ ଚୁପ୍‌ଚାପ୍ ସିଗ୍ରେଟ୍ ଟାଣିଲେ । ଆଚ୍ଛା ସେ କଥା ଛାଡ଼୍ । ଶୀତଦିନେ କାମକୁ ଗଲାବେଳେ ତୋର ଜର୍କିନଟାଏ ଦର୍କାର ଥିଲା ନା, ମୁଁ ଆଣିଦେଇଛି । ଗୋଟାଏ କାନଟୋପି ବି ଆଣିଚି । ଇଟାଲୀରେ ସେଗୁଡ଼ା ବେଶ୍ ଶସ୍ତା ।.... ଦେଖିଲୁ, ସେ ବଡ଼ ସୁଟ୍‌କେସଟା ଖୋଲ । ନେ ଏ ଚାବି ।’’

 

ମୋର ସମଗ୍ର ସତ୍ତା ଟଣକି ରହିଥାଏ । ପ୍ରତି ମୁହୂର୍ତ୍ତରେ ଫାଟି ପଡ଼ିବାକୁ ମୋ ଭିତର ଟକମକ ହେଉଥାଏ । ଚମକି ଠିଆ ହୋଇ ପଡ଼ନ୍ତି, ହାତ ଗୋଡ଼ ଟାଣି ବେକ ଶିରା ଫୁଲେଇ ମୁଁ ଚିତ୍କାର କରନ୍ତି କି ‘‘ଆପଣ କିଏ ? – କାହିଁକି ଆସିଛନ୍ତି ? କେମିତି ଆମ ଘର ବିଷୟରେ ଆପଣ ଏତେ କଥା ଜାଣିଲେ ?’’ ସେ ତାଙ୍କର ବଡ଼ ବଡ଼ ଆଖି ଖୋଲି ମୋତେ ଚାହାନ୍ତେ ଅଳ୍ପ ହସନ୍ତେ ତା’ର ଅର୍ଥ ବୋଧହୁଏ ହୁଅନ୍ତା ‘‘ଛି ଛି ଛି ତୁଟା ଏଡ଼ିକି ହୁଣ୍ଡାଟାଏ । ତୁ ତୋ ଗୁରୁଜନଙ୍କୁ ଘରର ମୁରିବିମାନଙ୍କୁ ନ ଚିହ୍ନିଲୁ ନାହିଁ, ତାଙ୍କ ସାଙ୍ଗେ କେମିତି ବ୍ୟବହାର କରାଯାଏ ତା’ବି ଜାଣିଲୁ ନାହିଁ, ରହ ମୁଁ ତୋ ବାପା ମା’ଙ୍କୁ ଏକାଠି ବସେଇ ପଚାରୁଛି।’’

 

ମୁଁ ଶଙ୍କି ଗଲି ସ୍କୁଲ ପିଲାଟିଏ ପରି । ମୋ ତୁଣ୍ଡରୁ ବାକ୍ୟ ସ୍ଫୁରିଲା ନାହିଁ । ତାଙ୍କ ହାତରୁ ଚାବି ନେଇ ବାକ୍‌ସ ଫିଟେଇଲି । ବହୁ ଜିନିଷ ଚିପି ଚାପି ତା ଭିତରେ ଭର୍ତ୍ତି ହୋଇଥିଲା ।

 

‘‘ସେଇ ସାଲଟା ତୋ ବାପା ପାଇଁ । ଲଦାଖ୍ ଅଞ୍ଚଳରେ ବୁଣାହୁଏ । ସେ ଉଲରେ ମିଶାମିଶି ନାହିଁ । ତା ତଳେ ସୁଟ୍ କନା ଯାକ ଅଛି ଆଡ଼େଇ ଦେ । ସେ ଗୁଡ଼ାକ ସବୁ ତୋର । ସେ କଞ୍ଜିବରମ୍ ଶିଲ୍‌କ ଥାକଟା ବୋହୁ ପିଲାର ମାନେ ତୋ ସ୍ତ୍ରୀର... ଆଉ... ଆଉ... ଛାଡ଼ ସବୁ ତୋ ସ୍ତ୍ରୀର ... ସେ ଅଳଙ୍କାର ସେଟ ସେ ବାସନ୍ତୀପାଟ ସେ ବନାରୀ ସେ ସବୁ ତା’ର ମାନେ ରୁନିର ମାନେ ତୋ ମା’ର... ତାଙ୍କର ସେ ଇତସ୍ତତଃ ଭାବ ଭିତରେ କ’ଣ ଏ ଥର ଥର କହୁଥିବାର ମୁଁ ଅନୁଭବ କଲି ଏବଂ ପଛକୁ ବୁଲି ଚାହିଁଲି ତାଙ୍କ ମୁହଁକୁ ।

 

ମୁଁ ଚାହିଁଦେବାରେ ସେ ସାମାନ୍ୟ ଅପ୍ରତିଭ ହୋଇଗଲା ପରି ମୋତେ ଜଣାଗଲେ, କାରଣ ଗାଲ ବେକ, କପାଳ ଫଗୁ ବୁଣି ହେଲା ପରି ଲାଲ ଦେଖା ଯାଉଥିଲା । ସେ ଅନ୍ୟଆଡ଼େ ସାମାନ୍ୟ ଅନ୍ୟମନସ୍କ ଚାହିଁ ରହିଥିଲେ ତାଙ୍କ ହାତରେ ସିଗ୍ରେଟ୍ କୁହୁଳୁଥିଲା ।

 

ସେ ଯେ କେହି ହୁଅନ୍ତୁ, କେଡ଼େ ସୌମ୍ୟ ଦର୍ଶନ ସୁପୁରୁଷ ସେ ସେ ଦେଖିବାକୁ । ସେ ତାଙ୍କ ନାଁଟା ନ କହିଲେ କଣ ହେଲା, ସେ ଯେ ଆମ ନିଜ ଲୋକ ଏଥିରେ କଣ ଆଉ ସନ୍ଦେହ ଥାଇପାରେ । ସେ ମା’କୁ ‘ରୁନି’ ବୋଲି ଡାକୁଛନ୍ତି ମାନେ ଏ ନିଶ୍ଚୟ ତାଠାରୁ ବୟସରେ ବଡ଼ ଏବଂ ସେ ତାକୁ ମାନ୍ୟ କଲା ଭଳି କେହି ଜଣେ । ହୋଇପାରେ ତା ଭାଇନା ତା’ ହେଲେତ ମୋ ମାମୁଁ । କିନ୍ତୁ ବାପା ତ କେବେ ଆମ ମାମୁ ଘର କଥା କହନ୍ତି ନାହିଁ । ବରଂ କହନ୍ତି ଯେ ଆମର କେହି ମାମୁଁ ନାହାନ୍ତି । ତା ବି ଠିକ୍ । ଅଜାଙ୍କର ତ ଏଇ ଗୋଟିଏ ମାତ୍ର ଝିଅ । ଆଉ କେହି ନାହିଁ । ଅଜାତ କୋଉ କାଳୁ ମଲେଣି । ତେବେ... ଏ ବୋଧେ ଲେଖା ଯୋଖା ଭାଇ ହେଇଥିବେ । ନ ହେଲେ ଏତେ ମୁରବିପଣ ଏତେ ସ୍ନେହାଧିକାର କେମିତି ସମ୍ଭବ ହୁଅନ୍ତା ?

 

ମୋର ହଠାତ୍ ମନେ ପଡ଼ିଗଲା । ଅନେକ ଦିନ ତଳେ ଶୁଣିଥିଲି ଯେ ବାପା ମା ପ୍ରେମ ବିବାହ କରିଥିଲେ । ସେ ବିଷୟରେ କେବେ ଆଉ ଉଠେ ନାହିଁ କି ଉଠିବାର ପ୍ରୟୋଜନ ନ ଥାଏ । ... ତେବେ କଣ...

 

‘‘.... କିରେ କ’ଣ ସେମିତି ଅନେଇଚୁ ? ତୁ ପରା ତୋ ଜର୍କିନ୍ କାଢ଼ୁଚୁ ! ମୁଁ ଚମକିଲା ପରି ତଳକୁ ଚାହିଁ ଜିନିଷ ବାହାର କଲି । ପାଞ୍ଚ ଛ’ଟା ଅଳଙ୍କାର ସେଟ୍ ବେଶ୍‍ ବଡ଼ବଡ଼ । ତା’ତଳେ ଜର୍କିନ୍ । ଇସ୍‌ କି ବଢ଼ିଆ ଜିନିଷ । ମୁଁ ପିଲାଙ୍କ ପରି ଖୁସିଟାଏ ହେଇଗଲି । ଜର୍କିନ୍‌କୁ ହାତରେ ଧରି ତାଙ୍କୁ ଚାହିଁବାରୁ ଜଣାଗଲା ସତେବା ସେ ଶୁଣି ପାରିଲେ ‘‘ମଉସା, ଆପଣ ସତେ କି ବଢ଼ିଆ- ଇସ୍ ଏଇଟା କି ସୁନ୍ଦର ହେଇଚି !’’ ସେ ଅଳ୍ପ ହସି ସିଗ୍ରେଟ୍ ଟାଣୁଥାନ୍ତି ।

 

ମୋର ସେଇଠି ଭାରି ଇଚ୍ଛା ହେଲା ପାଟିରେ ସମସ୍ତଙ୍କୁ ଡାକି ଦେବାକୁ ‘‘ଆସ ସବୁ, ଦେଖ କିଏ ଆସିଚନ୍ତି । ସମସ୍ତେ ତାଙ୍କୁ ଘେରି ଏଇଠି ଠିଆ ହୋଇଯାନ୍ତେ । ସେ ଯାହା ଉପହାର ଦେଇ ଖୁସି ହୁଅନ୍ତେ । ମଉସାଙ୍କ ପାଇଁ ଧାଁ ଦଉଡ଼ ହୁଅନ୍ତା । ସେ ଖାଇବେ କ’ଣ ? ଶୋଇବେ କୋଉଠି, ଗରମ ପାଣି, ଅଣ୍ଡା, ମାଛ, ମାଂସ, ଆଉ କ’ଣ ଆଉ କ’ଣ-

 

‘‘ସେ ଜର୍କିନ୍ ପଦାରେ ଥାଉ । ବାକି ସେ ଭିତରେ ପୁରେଇଦେ; ଆମ ଘର ଭିତରକୁ ନେଇ ଯା !... ନା ବରଂ... ’’

 

ସେ କିଛି କହିଲେ ନାହିଁ । କିନ୍ତୁ ବୁଝିଗଲି । ପ୍ରଥମେ ହୁଏତ ସେ ସଙ୍କୋଚ କଲେ ଯେ ଆସୁ ଆସୁ ଏମିତି ପସରା ମେଲିଲା ପରି କାହିଁକି ଏଗୁଡ଼ାକ ଏଠି ପଡ଼ିଥିବା ବରଂ ସମସ୍ତେ ଘରେ ନେଇ ଖୋଲନ୍ତେ ଖୁସି ହୁଅନ୍ତେ । ତା’ପରେ ହୁଏତ ଭାବିଲେ । କ’ଣ ଯାଏ ଆସେ ? ଖୋଲା ତ ହେଇ ସାରିଲାଣି । ବରଂ ଏଠିକି ସମସ୍ତେ ଚାଲିଆସିଲେ ଭଲ । ଦାଣ୍ଡ ଦୁଆରଟା ବନ୍ଦ କରିଦେଲେ ଏ ବୈଠକ ଘରଟା କ’ଣ ମନ୍ଦ ହେଇଚି ।

 

ମଝିରେ ମଝିରେ କିନ୍ତୁ ଏ ବନ୍ୟାଜଳକୁ ଭେଦ କରି ଅମାନିଆଁ ଢିମା ପଥରଟାଏ ପରି ଦେଖା ଯାଉଥିଲା ସେଇ ମୂଳ ପ୍ରଶ୍ନ । ମୁଁ ତାଙ୍କୁ ଦେଖିବା ମାତ୍ରେ ପୁଣି ବିବ୍ରତ ହୋଇ ପଡ଼ୁଥିଲି । ଏ ସତେ କିଏ ? କ’ଣ ସମ୍ପର୍କ ୟାଙ୍କର ଆମ ସାଥିରେ ? ଏ ନିଶ୍ଚୟ ଆମଠାରୁ ଯଥେଷ୍ଟ ବେଶୀ ବଡ଼ଲୋକ, ଖୁବ୍ ପଇସା ବାଲା । ଅନେକ ରାଜ୍ୟ ବୁଲିଚନ୍ତି । ଅନେକ କଥା ଜାଣିଛନ୍ତି । କିନ୍ତୁ... ଅନେକ ଦିନ ପର୍ଯ୍ୟନ୍ତ ମାନେ, ବୋଧହୁଏ ମୋ ଜନ୍ମହେବା ଆଗରୁ ସେ ଆସି ନ ଥିଲେ । ଆଜି ଆସିଛନ୍ତି... କାହିଁକି ? ଆସି ନ ଥିଲେ ସୁଦ୍ଧା କୋଉ ଟିକିନିଖି ଭଲା ସେ ନ ଜାଣିଚନ୍ତି ଆମ ବିଷୟରେ ?... ବଡ଼ ଆଶ୍ଚର୍ଯ୍ୟ କଥା... ଏତେ ଦିନପରେ ଯେହେତୁ ଆସିଛନ୍ତି, ତାଙ୍କ ପିଲା ପିଲିଙ୍କୁ ସାଙ୍ଗରେ ଆଣିବା ଉଚିତ୍ ନ ଥିଲା କି ? ତା’ନହେଲ କ’ଣ ସେ ବିବାହ କରି ନାହାନ୍ତି ?... ଏକୁଟିଆ ଅଛନ୍ତି ଏ ଯାଏଁ । କାହିଁକି ?....

 

‘‘ଆଛା ଠିକ୍ ଅଛି ସବୁ ସେ ବାକ୍ସରେ ଭର୍ତ୍ତି କରିଦେ ଆଉ ଘରେ ଯାଇ କହି ଦେ ମୁଁ ଆସିଚି ବୋଲି । କହିବୁ ରାଖାଲ ଦାସ ଆସିଛନ୍ତି । ଅବଶ୍ୟ ‘ସୋମୁ’ ଆସିଛି କହିଲେ ସେ ବୋଧେ ବେଶୀ ଖୁସି ହୁଅନ୍ତା ।’’

 

ମୁଁ ଛାନିଆ ହେଲାପରି ପୁଣି ଶୂନ୍ୟକୁ ଚାହିଁ ରହିଲି । ‘ରାଖାଲ ଦାସ’? ‘ସୋମୁ’ ?? ଏ ନାଁ ତ’ ଆମଘରେ କେବେହେଲେ କେହି କହିବାର ମୁଁ ଶୁଣିନାହିଁ... ତା’ପରେ ବିଜୁଳୀ ମାରିଲା ପରି ମୋର ମନେ ପଡ଼ିଗଲା ଗୋଟିଏ ଅତି ଛୋଟିଆ ଘଟଣା । ଆମ ବଡ଼ ପୁଅ ରାଜେଶର ନା ଦିଆ ଚାଲିଥାଏ । ଅନେକେ ଅନେକେ ନା ସବୁ କହୁଥାନ୍ତି । ବୋଧହୁଏ ମା ଥରେ କହିଥିଲା... ୟା ଡାକ ନାଁ ‘ସୋମୁ’ ହେଲେ ଭାରି ଭଲ ହୁଅନ୍ତା । ‘‘ବାପା ପୁଣି ଠୋ ଠୋ ହସିଥିଲେ ତା’ପରେ ଗମ୍ଭୀର ହୋଇ କହିଥିଲେ ‘‘ହେ ସେ ନାଁଟା ଜମା ଚଳିବ ନାହିଁ ।’’- ତା’ହେଲେ କଣ ମା’ ୟାଙ୍କ ସ୍ମୃତିରେ ମୋ ପୁଅକୁ ନାଁ’ ଦେବାକୁ ଚାହୁଁଥିଲା ?? କାହିଁକି ? ବୋଝେଇ ହେଇ ରହିଥିବା ସବୁ ଭିତର ଅମାପ ଚାପକୁ ମୁଁ ଦୀର୍ଘ ଶ୍ୱାସଟିରେ ଖଲାସ କରିପାରିଲି ନାହିଁ । ତଥାପି ବସିପଡ଼ି ସେ ସବୁ ଖୋଲାରେ ପଡ଼ିଥିବା ଜିନିଷକୁ ପୁଣି ବାକ୍‌ସରେ ପୁରାଇ ବନ୍ଦ କରିବାକୁ ପଡ଼ିବ ତ’ ସେ କାର୍ଯ୍ୟକରିବା ଭିତରେ ମୁଁ ଆଉ ଅନେକ କଥା ଭାବି ଯାଉଥାଏ ।

 

ବହୁବର୍ଷ ପୂର୍ବେ, ହୁଏତ ମୋ ଜନ୍ମ ହେବାର ଆଠ ଦଶବର୍ଷ ପୂର୍ବରୁ ଏମାନେ ସମସ୍ତେ ତରୁଣ ଥିଲେ । ଏ ରାଖାଲ ଦାସ ସେତେବେଳେ ଅସାମାନ୍ୟ ସୁନ୍ଦର ଯୁବକ । ମା ବି ତାଙ୍କ ବାପଘର ଫଟୋଭଳି ସୁନ୍ଦର ଏବଂ ବାପା ଜଣେ ଖେଳୁଆଡ଼ ଚକ୍ରବାହୁ ଦନ୍ତା ଟୋକା । ହୁଏତ ସେମାନେ ଏକାଠି ପଢ଼ୁଥିଲେ । କିମ୍ବା ଏକା ସହରରେ ପାଖାପାଖି ରହୁଥିଲେ ହୁଏତ ଦେଖାସାକ୍ଷାତ ହେଉଥିଲା । ହୁଏତ....

 

ମୋ ହାତ କେତେବେଳୁଁ ସ୍ଥିର ରହି ଯାଇଥିଲା । ମୁଁ ଚିତ୍ର ପ୍ରତିମା ପରି କେବଳ ଆଗକୁ ଏବଂ ଶୂନ୍ୟକୁ ଚାହିଁ ରହିଥିଲି । ମୋ ଭିତରେ ଦୃଶ୍ୟ ପରେ ଦୃଶ୍ୟ ଗୋଟିଏ ସମ୍ଭାବୀ ନାଟକ ଅଭିନୀତ ହୋଇ ଯାଉଥିଲା ।

 

କଣ ଗୋଟାଏ ଶବ୍ଦରେ ମୋର ଧ୍ୟାନ ଭାଙ୍ଗିଲା । ବୋଧହୁଏ ଘରେ ଶବ୍ଦ ହେଲା । ମା’ରନ୍ଧାଘରେ ଟ୍ରେଟାକୁ ଟାଣିନେଲା ସିମେଣ୍ଟ ଉପରେ କିମ୍ବା ବାପା ଦିଅ ଘରେ ରେକାବିରେ ପାଦୁକ ପାଣି ରଖି ଘୁଞ୍ଚାଇ ଦେଲେ । ଏପରି ଗୋଟାଏ ଭୂଇଁ ସାଙ୍ଗରେ ଘୋସାରି ହେବାର ଶବ୍ଦ ହେଲା । ମୁଁ ଭାରି ଅଶ୍ୱସ୍ଥି ଅନୁଭବ କଲି ।

 

ଏତିକି ବେଳେ କେହି ଆଉ ଜଣେ ପରିବେଶକୁ ପଶି ଆସିଥିଲେ ମୁଁ ଅନେକ ଆଶ୍ୱସ୍ତ ହୋଇଥାନ୍ତି । ହୁଏତ ମୋର ମସ୍ତିଷ୍କ କାମ କରିଥାନ୍ତା । ପାଟି ଫିଟିଥାନ୍ତା । କିନ୍ତୁ କାହିଁ । ପୁଅ ସ୍କୁଲରୁ ଫେରିବା ପାଇଁ ଆଉ ତିନିଘଣ୍ଟା । ସ୍ତ୍ରୀ ତ ଏଘରକୁ ଆସି ପାରିବ ନାହିଁ । ବାପା ତ ପୂଜାରେ । ମା କ’ଣ ଆସି ପାରନ୍ତା ନାହିଁ ? ସେଇଠି ଥାଇ ବଡ଼ ପାଟିରେ ମା’କୁ ଡାକ ପକେଇବାକୁ ମନ ହେଲା । କିନ୍ତୁ ଆଗନ୍ତୁକଙ୍କ ବ୍ୟକ୍ତିତ୍ୱ, ତାଙ୍କ ଭଦ୍ରତା ମୋତେ ଅଦୃଶ୍ୟ କାଚ ବଡ଼ ପରି ବାରଣ କଲା କୌଣସି ସୀମା ଲଙ୍ଘନ କରିବାକୁ ।

 

ଯାହା ହେଉ ବାକ୍ସ ବନ୍ଦ କରି ଜର୍କିନଟାକୁ ତା ଉପରେ ଏକ ରକମ କଚି ଥୋଇ ଦେଇ ଉଠିବା ଉପକ୍ରମ କରୁଚି ।

 

‘‘ହଉ, ତୁ ଘରେ ଖବର ଦେ, ମୁଁ ଏଇ ପାନ ଦୋକାନରୁ ଆସୁଛି,’’ ଆଚ୍ଛା ଗୋପାଳକୁ ଟିକିଏ ସେଠିକି ସାଙ୍ଗେ ସାଙ୍ଗେ ପଠେଇ ଦେ ।

 

ଗୋପାଳ ଆମର ପୁରୁଣା ନୌକର । କାହିଁ କୋଉ କାଳୁ ଅଛି । ଭାରି ଭଦ୍ର । ଖୁବ୍ କାମିକା । ତା ନିଜ ଘରେ ରହେ । ବେଶ ପଢ଼ାପଢ଼ି କରିଚି । ଘରର ଯାବତୀୟ କାର୍ଯ୍ୟ କରେ । ତା’ ଉପରେ ସମସ୍ତଙ୍କର ଅଗାଧ ବିଶ୍ୱାସ । ତା’ଉପରେ ସମସ୍ତେ ନିର୍ଭରଶୀଳ । ସବୁ କାମକୁ ଗୋପାଳ-। ତାର ପରିବାର ନାହିଁ । ସେ ଏକୁଟିଆ... ତା ହେଲେ ଗୋପାଳକୁ ମଧ୍ୟ ଏ ଜାଣନ୍ତି !!

 

ରାଖାଲ ଦାସ ଓରଫ୍ ସୋମୁ । କିଏ ଏ ଲୋକ ? ମୁଁ ଘର ଭିତରକୁ ପଶିଗଲା ବେଳେ ଦେଖିଲି ଯେ ତଳ ପିଣ୍ଡା ପାଖରେ ମା’ କ’ଣ ଟଙ୍କା ଦଉଚି ଗୋପାଳକୁ । ବୋଧହୁଏ ବଜାର ପଠଉଚି ।

 

ମୁଁ ସେଆଡ଼କୁ ଯାଉ ଯାଉ ବାଟରୁ କହିଲି, ‘‘ଗୋପାଳ କକା (ଆମେ ସେମିତି ତାକୁ ଡାକୁ)- ତତେ କିଏ ଜଣେ ରାଖାଲ ଦାସ ଡାକୁଛନ୍ତି ।’’ ଝଣ ଝାଣ ସବୁ ପଇସା ତଳେ ପଡ଼ିଗଲା ।

 

ମା ଏବଂ ଗୋପାଳ କକା ବିଜୁଳୀତାର ଛୁଇଁଦେଲା ପରି ଚମକି ପଡ଼ିଲେ ମୁଁ କିନ୍ତୁ ଚାରି ପାଞ୍ଚ ପାହୁଣ୍ଡ ପାରିହେବା ଭିତରେ ମା’ଖୁବ୍ ସଂଯତ ସ୍ୱରରେ କହିଲା ‘‘ଓହୋ ଏମିତି ହୁଣ୍ଡାଙ୍କ କରି କ’ଣ ପାଟି କରୁଚୁ । କିଏ ଆସିଚି ଯଦି ତୁ ବୁଝିଲୁ ନାହିଁ, ଗୋପାଳ କ’ଣ କରିବ ।

 

ଗୋପାଳ କକା ମୁହଁ ଶେତା ପଡ଼ି ଯାଇଥାଏ । ସେ କିଛି କହି ନ ପାରି କେବଳ ବଲବଲ ଚାହିଁଥାଏ ମୋ ମୁହଁକୁ ।

 

‘‘ସେ ପରା ଏଇନା ଆସି ପହଞ୍ଚିଲେ ବୋଧେ ଟ୍ରେନରୁ ସିଧା ଆସିଚନ୍ତି । ଅନେକ ଜିନିଷ ଆଣିଚନ୍ତି । କହିଲେ ଘରେ ଯାଇ କହିଦବୁ ‘‘ସୋମୁ’’ ଆସିଚି ।’’

 

ଗୋପାଳ ପ୍ରାୟ ଦୌଡ଼ିଲା ପରି ଟାଉ ଟାଉ ଦାଣ୍ଡ ଆଡ଼େ ବାହାରି ଗଲା । ମା’ର ପଇସା ଗଣୁଥିବା ହାତ ଆସ୍ତେ ଓହଳି ପଡ଼ିଲା ତା ଆଖି ନଇଁଗଲା ତଳକୁ ।

 

‘‘ଆ ଦେଖିବୁ ସେ କେତେ କ’ଣ ଆଣିଚନ୍ତି ଆମ ପାଇଁ । ଆଉ ଆଶ୍ଚର୍ଯ୍ୟ କଥା ମା, ସେ ଆମ ଘରକଥା ସବୁ ଜାଣିଚନ୍ତି । ଆମ କୁନିଆ’ର ଝାଡ଼ା ହେବାଠଉ, ତୁ କୁଆଡ଼େ ରାତିରେ ମୁଣ୍ଡବଥା ପାଇଁ ଚା ପିଉଛୁ ଏପର୍ଯ୍ୟନ୍ତ ସବୁ ତାଙ୍କୁ ଜଣା । ମୁଁ ତାଙ୍କ କଥା ଶୁଣି, ତାଙ୍କ ଢଙ୍ଗଢାଙ୍ଗ ତାଙ୍କ ଚେହେରା ଦେଖି ଅବାକ୍ ହେଇ ଯାଇଚି । ତୁ ଆସିଲୁ ଦାଣ୍ଡ ଘରକୁ ଆ ।’’

 

ମୁଁ ମା’ର ହାତ ଧରି ପ୍ରାୟ ଟାଣିଲାପରି ନେଇ ଯାଉଥିଲି । ଦୁଆରବନ୍ଧ ପାଖରେ ସେ ଠିଆ ହେଇ ଶାଢ଼ୀ ପଣତଟାକୁ ମୁଣ୍ଡକୁ ଟାଣି ଆଣିଲା ଏବଂ ଖୁବ୍ ଗୋଟାଏ କ’ଣ ବିଶିଷ୍ଟ ଘଟଣା ଘଟିବାକୁ ଗଲାଭଳି ସେ ବଖରା ଭିତରକୁ ପଶିଲା । ସେଠି କେହି ନ ଥିଲେ । କେବଳ ଦିଖଣ୍ଡ ବଡ଼ ସୁଟ୍କେସ ଏବଂ ଦୁଇଟା ବେଗ୍ ମଝିରେ ଥୁଆ ହୋଇଥିଲା । ମୁଁ ଦାଣ୍ଡ ଆଡ଼େ ଯିକିଏ ଉଣ୍ଡି ଦେଇ କହିଲି ।

 

‘‘ଏ ତ ’ ଭାରି ଅଦ୍ଭୁତ ଲୋକ-ଏ ସୁଟକେସଟା ଭର୍ତ୍ତି ଖାଲି ଦାମୀ କପଡ଼ା ଆଉ ଅଳଙ୍କାର ସେଟ୍‌ରେ । ଆର ବାକ୍ସଟାରେ କଣ ଥିବ କେଜାଣି ।’’

 

ମୁଁ ମା’କୁ ଚୌକି ଉପରେ ବସାଇ ପୁଣି ବାକ୍ସଟିକୁ ଖୋଲି ପକାଇଲି । ମୋର ମନେ ହେଉଥିଲା ଯେ ତାଙ୍କ ଜିନିଷ ସବୁ ସେପରି ଖୋଲିବା ମୋର ଅଧିକାର ଭୁକ୍ତ । ସେ ଯେମିତି ଅତି ସହଜ ଭାବରେ ତାଙ୍କ ଆପଣାପଣକୁ ଜାହିର କରିଛନ୍ତି । ତାକୁ ନିଜର ଏବଂ ଅତି ଘନିଷ୍ଠ ଭାବରେ ଆତ୍ମୀୟ କରି ନେବା ଛଡ଼ା ଅନ୍ୟ ଉପାୟ ନାହିଁ ।

 

ମୁଁ କୌତୁହଳରେ ସବୁଠାରୁ ବଡ଼ ଅଳଙ୍କାର ବାକ୍ସଟିକୁ ଖୋଲି ଦେଇ ଆଶ୍ଚର୍ଯ୍ୟ ହୋଇଗଲି । ଦାମୀ ଭେଲଭେଟ ଉପରେ ଦାଉ ଦାଉ ଚମକୁଥାଏ ଐଶ୍ୱର୍ଯ୍ୟ । ଆଖି ଝଲସି ଯାଉଥାଏ । ମା ତାକୁ ଥରେ ଚାହିଁଦେଇ ଆଖି ତଳକୁ କରିନେଲା । ହଠାତ୍ ବିମର୍ଶ ଦେଖାଗଲା । ମୁଁ ତା’ପରେ ଦେଖିଲି ଯେ ସେଥିରେ ମାର ଗୋଟିଏ ରଙ୍ଗୀନ ଫଟୋ ଲାଗିଛି ଏବଂ ତା ତଳେ ଲେଖା ହେଇଛି ୧୯୫୩ ମା କୁ ଚିହ୍ନି ହଉନାହିଁ । ବରବଧୁ ବେଶରେ ଯେ କେହି ଅଲଗା ଦିଶିବା କଥା ।

 

ମୁଁ ଆଉ ପାଞ୍ଚଟା ଅଳଙ୍କାର ବାକ୍ସକୁ ଦେଖାଇ କହିଲି ଏ ସବୁଯାକ ମୋ ପାଇଁ ଆଣିଛନ୍ତି । ଏଥିରୁ ସେ ଗୋଟାକ କେବଳ ତୋ ବୋହୁ ପାଇଁ । ମୁଁ ସେଥିରେ ସାମାନ୍ୟ କ୍ଷୁର୍ଣ୍ଣ ହେଲାପରି କହିଲି କି ? କେଜାଣି ! ମଣିଷର ତ ବିଚିତ୍ର ପ୍ରକୃତି କେତେବେଳେ କାହାକୁ ନେଇ ମୁଣ୍ଡରେ ବସାଏ ।

 

ରାଖାଲ ଦାସ ବୋଧହୁଏ ସେଇ କାଳୁ ବିଦେଶରେ ଅଛନ୍ତି । ବିଭିନ୍ନ ସମୟରେ ଏ ଉପହାର ସବୁ କିଣିଛନ୍ତି କିନ୍ତୁ ପଠାଇ ନ ପାରି ସାଇତି ରଖିଛନ୍ତି । ଚିଠି ପତ୍ର ବି ହୁଏତ ଦେଇ ନାହାନ୍ତି । ଦେଇଥିଲେ ବି ଅବଶ୍ୟ ନାଁ ଟା ମୋର ପରିଚିତ ହୋଇଥାନ୍ତା ଏ ଚଉଁତ୍ରିଶବର୍ଷ ଭିତରେ । ସେ ବି ଜଣା ଯାଉଛନ୍ତି ବିଦେଶରେ ଥିଲା ଭଳି । କିନ୍ତୁ ଏତେଦିନ ପରେ ସେ କାହିଁକି ଆସିଚନ୍ତି ? ହଁ, ଆସିଛନ୍ତି, କାରଣ ଆସିବାରେ ବାଧା ନାହିଁ । ୟା ପୂର୍ବରୁ ମଧ୍ୟ ଆସି ପାରିଥାନ୍ତେ । ଏ ସମସ୍ତ ଘଟଣାର ମୂଳ ରହସ୍ୟ ହେଲା ଯେ ସେ ଦୂରରେ ଥାଇ ଏତେ ଘନିଷ୍ଠ ସମ୍ପର୍କ ଯୋଡ଼ି ରଖି ପାରିଛନ୍ତି-। ସେ କ’ଣ ଏଇଠି ଆମ ଭିତରେ ଅଶରୀର ଆତ୍ମା ହୋଇ ଘୁରି ବୁଲୁଛନ୍ତି ଏତେ କାଳ ?

 

ମା କିଛି ନ କହି ସେମିତି ତଳକୁ ଚାହିଁ ରହିଥାଏ । କ’ଣ ଦେଖୁଥାଏ କେଜାଣି । ମୁଁ ଉସୁକେଇଲା ପରି ପଚାରିଲି –‘‘ଏ ଆମର କ’ଣ ହେବେ କି ? କୋଉଠି ଥାଆନ୍ତି ଇଏ ?

 

ମା କିଛି ନ କହିବାରୁ ମତେ କେମିତି ମଡ଼େଇ ପଡ଼ିଲା ପରି ଲାଗିଲା । ମୁଁ ସେ ଚାରିଟା ସାମାନ୍ କାନ୍ଥ କଡ଼କୁ ଘୁଞ୍ଚେଇ ଦେଇ କହିଲି ମୁଁ ଦେଖେ ସେ କୁଆଡ଼େ ଗଲେ ଏବଂ ବାହାରକୁ ଚାଲିଆସିଲି । ମୋତେ ଗୋଟାଏ ଅଦୃଶ୍ୟ ଜାଲ ଗୁଡ଼େଇ ହେଲା ପରି ଲାଗୁଥିଲା । ଜାଲ ସାରା ଗଣ୍ଠି ମୁଁ ଅନୁଭବ କରୁଥିଲି । ଖସିଯିବାକୁ ଚାହୁଁଥିଲି ଜାଲରୁ, ମୋ ନିଜଠାରୁ ।

 

ମୁଁ ମନେ ମନେ ଅଦ୍ଭୁତ କଥା ସବୁ ଭାବି ଯାଉଥିଲି । ସବୁ ସମ୍ଭବ ଅସମ୍ଭବକୁ ମିଶେଇ ନାନାଦି ଚିତ୍ର ଗଢ଼ୁଥିଲି ଏବଂ ସବୁ ଲିଭିଗଲା ପରେ ପୁଣି ସେଇ ମୂଳରହସ୍ୟକୁ ଫେରି ଆସୁଥିଲି । ଅନ୍ଧାର ଘରେ ବାରମ୍ବାର ଝୁଣ୍ଟୁଥିଲି ।

 

ରାଖାଲ ଦାସ କିମ୍ବା ଗୋପାଳ ପାନ ଦେକାନ ପାଖରେ ନ ଥିଲେ । ଆମ ସହରର ସେ ସାହିରେ ଦୋକାନପତ୍ର ନାହିଁ । ରାସ୍ତା ଦୁଇପାଖେ କେବଳ ଛୋଟବଡ଼ ଘର । ସେ ଭିତରେ ଛୋଟବଡ଼ ଅନେକ ଲୋକ । ମୁଁ ରାସ୍ତା ଉପରକୁ ଆସୁ ଆସୁ ଅନୁଭବ କଲି ଯେ ସମସ୍ତ ଦୁଆର ପିଣ୍ଡାରେ ଝରକାରେ ଲୋକ ମୋରିଆଡ଼େ ଚାହିଁ ରହିଛନ୍ତି । ମୋତେ ନିଶ୍ଚୟ ଅଡ଼ୁଆ ଲାଗିଲା । ଚିହ୍ନା ଲୋକ ଗୁଡ଼ାକ ଅଚିହ୍ନା ଢଙ୍ଗରେ ଚାହିଁଲେ ଯାହା ଲାଗେ । ଭାବିଲି ଯେ ସେମାନେ ରାଖାଲ ମଉସାଙ୍କୁ ଦେଖିଲା ପରେ ଏମିତି କୌତୁହଳୀ ହୋଇ ଯାଇଛନ୍ତି । ସେଥିରେ ଆଶ୍ଚର୍ଯ୍ୟ ହେବାର ମଧ୍ୟ କିଛି ନାହିଁ । ସେଭଳି ଜଣେ ଲୋକ ଚାଲିଗଲେ ତ ଶହେଜଣ ଅନେଇବେ । ମୁଁ ଖୁବ୍ ଗୋଟାଏ ଟାଣପଣରେ ଖୋଜି ପକେଇଲି ପଛରୁ ଜଣେ ଦିଜଣ ହସିଲେକି ମୋ ଆଣ୍ଠୁ ପୁଣି ହୁଗୁଳା ହୋଇଗଲା । କାହିଁକି ହସୁଛୁବେ ସାଲା ଏକ କାହାଁକା । ଅସହଣିକ ଶଳାଙ୍କର କିଛି କାମ ନାହିଁ । କାହାରି ଶିରି ଦେଖିଲେ ସହି ପାରିବେ ନାହିଁ । କ’ଣ ନା ସେତିକି ମାତବ୍‌ବର ଲୋକଟେ କାହିଁକି ନବଘର ସାଆନ୍ତ ଘରେ ପସିଲା ଆଉ କ’ଣ ତୁମ ଘରେ ପଶିଥାନ୍ତା ଶାଲା ଲୋଚା ଚୁଚୁନ୍ଦ୍ରା ବେହି ପେ....

 

ଆମ ସାହି ମୋଡ଼ ପାଖରେ ଅପୂର୍ବ ପାତ୍ର ଦୋକାନ । ସେ ମୋତେ ଦେଖୁ ଦେଖୁ ଡାକ ପକେଇଲା । ‘‘ହେଇ ସାନବାବୁ ଆସ ଆସ ଏଣିକି ତମ ଗୋପାଳ କକା ତମକୁ କହିଚନ୍ତି । ଏ ଚିଠି ଆଉ ଏ ଡିବା । ତାଙ୍କ ସାଙ୍ଗରେ ଜଣେ ସାଇବ ଲାଖି ଲୋକ ଥିଲେ ସେ କିଏ କି ?’’

 

ସେ ହାତ ବଢ଼େଇ ଯାହା ଦଉଥିଲା ମୁଁ ନ ନେଇ ତାକୁ ପଚାରିଲି ‘‘ସେମାନେ ଗଲେ କୁଆଡ଼େ ?’’

 

‘‘ସେ ସାଇବର ଗୋଟାଏ କଳା ନୂଆ ଧରଣର ଗାଡ଼ି ଆସି ଏଇଠି ଠିଆ ହେଲା । ସେ ଗୋପାଳ କକାର ହାତ ଧରି ଭିତରକୁ ଟାଣି ନଉଥିଲେ । ଗୋପାଳ କାନ୍ଦ କାନ୍ଦ ହେଇ ତମରି ସାଇଆଡ଼େ ଓଟାରି ହେଇ ଚାହୁଁଥିଲା । ତା ଉତ୍ତାରୁ ଦୁହେଁ ଭିତରେ ବସି କବାଟ ପକେଇଲେ । ଏଇଆଡ଼େ ସେ ଗାଡ଼ି ଚାଲିଗଲା ।’’

 

ମୁଁ ଝାମ୍ପିଲା ପରି ସେ ଚିଠିଟାକୁ ପ୍ରଥମେ ଟାଣିନେଲି । ଡବାଟିକୁ ତା ଟଙ୍କା ବାକ୍ସ ଉପରେ ଥୋଇ ଅପୂର୍ବ ପାତ୍ର ଅପକ୍ଷା କଲା ।

 

ଚିଠିଟା ମୋ ପାଖକୁ

 

‘‘ବୁନୁ

ଶେଷକୁ ଅନ୍ୟ ପ୍ରକାର ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି । ଯଦି ମୁଁ ଯାଉଯାଉ ଅଚାନକ ତୋ ସାଙ୍ଗେ ଦେଖା ନ ହୋଇ ରୁନି ସହିତ ସାମ୍ନାସାମ୍ନି ହୋଇ ଯାଇଥାନ୍ତା ମୁଁ ହୁଏତ ସମ୍ଭାଳି ଯାଇଥାନ୍ତି । କାରଣ ସେଥିପାଇଁ ପ୍ରସ୍ତୁତ ହୋଇ ଆସିଥିଲି ! ସେଥିପାଇଁ ମୋତେ ଅନେକ ବର୍ଷ ଲାଗିଥିଲା । କିନ୍ତୁ ତା ହୋଇ ପାରିଲା ନାହିଁ । ତତେ ଘର ଭିତରକୁ ପଠାଇ ମୁଁ ତା ପାଇଁ ସେଇଠି ଅପେକ୍ଷା କରି ବସିବା ଏବଂ ହୁଏତ ଭିତର ପିଣ୍ଡାରୁ ପାହୁଣ୍ଡ ପକେଇ ପଇଁତ୍ରିଶ ବର୍ଷ ପାରି ହେଇ ସେ ମୋ ସାମ୍ନାରେ ଆସି ଠିଆହେବା ଏ କଥା ମୁଁ ସମ୍ଭାଳିବା ସମ୍ଭବ ନ ଥିଲା ।

 

ମୁଁ ଗୋପାଳକୁ ନେଇ ଯାଉଛି, କାରଣ ୟା ପରେ ସେ ବି ଏଠି ରହି ପାରିବ ନାହିଁ । ତୁମମାନଙ୍କୁ ଖୁବ୍ ଅସୁବିଧା ହେବ । କିନ୍ତୁ ଉପାୟ ନାହିଁ । ଗୋପାଳର ହାରନିଆ ବେଲ ଆଜି ବାହାରିଗଲା । କାରଣ ସେ କେବେ ହାରନିଆ ପାଇଁ ତାକୁ ପିନ୍ଧି ନ ଥିଲା ସେଥିରେ ଗୋଟିଏ ଗୋଇନ୍ଦା କ୍ୟାମେରା ଖଞ୍ଜା ହୋଇଥିଲା । ସେ ଗତ ତିରିଶ ବର୍ଷର ପ୍ରାୟ ତିନିହଜାର ଫଟୋ ମୋ ପାଖକୁ ପଠାଇଚି । ମୁଁ ତାକୁ ଆଉ ଗୋଟିଏ ଠିକଣାରେ ମାସକୁ ହଜାରେ ଟଙ୍କା ଦେଇ ଏ କାମରେ ନିଯୁକ୍ତ କରିଥିଲି । ତୁ ମୋତେ ଭୁଲ ବୁଝିବୁ ନାହିଁ । ମୋର ଆଉ ଅନ୍ୟ ଉପାୟ ନ ଥିଲା ।

 

ଆର ସୁଟକେସ ଖୋଲିଲେ ସବୁ ଜାଣି ପାରିବ । ତୋ ବାପା ଅତି ଉତ୍ତମ ମଣିଷ । ରୁନି ତାକୁ ଅତ୍ୟନ୍ତ ଭଲପାଏ । କିନ୍ତୁ ତୋ ବାପା ଅପେକ୍ଷା ଗୋପାଳ ରୁନିକୁ ଅନେକ ବେଶୀ ଭଲ ପାଉଥିଲା । ସେଥିପାଇଁ ସେବା କରି ଆସିଥିଲା ଏ ଅସଂଖ୍ୟ ବର୍ଷ । ମୋ ସେବା କରି ଆସିଥିଲା । ମୁଁ ତାକୁ ମୋ ସାଙ୍ଗରେ ନେବା ପାଇଁ ଆସିଥିଲି । ଏପର୍ଯ୍ୟନ୍ତ ଏଇଠାରେ ହିଁ ସରିଲା ।

 

ମୁଁ ଅଣାୟତ୍ତ ବେଳାମାନଙ୍କରେ କିଛି ଚିଠି ଲେଖିଥିଲି । କୌଣସିଟି ପଠାଇ ନାହିଁ । ସେ ସବୁ ଏକ ବାସ୍କେଟ୍‌ରେ ଦଉଚି । ମା ହାତରେ ଦେଇଦବୁ । ଗୋପାଳର ବି ଦି ଖଣ୍ଡ ଚିଠି ଅଛି । ସେ ତାକୁ ସବୁବେଳେ ବୁକୁ ପକେଟରେ ଧରି ବୁଲୁଥିଲା । ତାକୁ ଅଲଗା ଖାମ ଭିତରେ ଦେଇଚି । ତା ବି ଦେଇଦେବୁ ।

 

ତୁ ଜନ୍ମ ହେଲାଦିନୁ ଏ ଯାବତ୍ ତୋ ବିଷୟରେ ମୁଁ ସବୁ କଥା ଜାଣେ । ସବୁ ଦିନ ଡାଏରୀ ଲେଖି ଗୋପାଳ ମୋ ପାଖକୁ ପଠାଏ । ତୁ ଭାରି ଭଲ ପିଲା । ତୋ’ର କୌଣସି ଅସୁବିଧା ହେବ ନାହିଁ । ମୁଁ କିଛି ପଇସା ତୋ ନାଁରେ ଚେକ୍‌ରେ ଜମା କରି ଦେଇଚି । କାଗଜାତ ସେଇ ବାକ୍ସରେ ।’’ ଈଶ୍ୱର ତୋର ମଙ୍ଗଳ କରନ୍ତୁ । ମୁଁ ପୂଜାକରେ ନାହିଁ ସତ, କିନ୍ତୁ ପ୍ରାର୍ଥନା କରେ । ମୋର ଗୋଟିଏ ଅନୁରୋଧ – ବେଳ ପାଇଲେ ତୋ’ ମାଆ ପାଖରେ ଟିକିଏ ବସିବୁ । ଭଲମନ୍ଦ ଟିକିଏ ବୁଝୁଥିବୁ । ତାକୁ କାନ୍ଦିବାକୁ ଦେବୁ ନାହିଁ ।

 

ଇତି

ରାଖାଲ ଦାସ ।’’

 

ମୁଁ ସେ କାଗଜ ଗୁଡ଼ିଆ ହେଇଥିବା ବାସ୍କେଟକୁ ଉଠାଇଲା ବେଳେ ମସ୍ତବଡ଼ ଓଜନ ଭାରରେ ନଇଁ ଯାଉଥିଲି । ମୋ ମୁଣ୍ଡ ଉପରେ ଆଉ ଗୋଟାଏ ପୃଥିବୀ ମଡ଼େଇ ହୋଇ ପଡ଼ିଥିଲା-। ମୁଁ ଟଳମଳ ଠିଆ ହେଲି । ଏବଂ କୌଣସି ମତେ ଘରେ ପହଞ୍ଚିଲା ବେଳକୁ ମନେ ହେଲା ସବୁ କେମିତି ସ୍ତବ୍ଧ ହୋଇ ଯାଇଚି । ଦାଣ୍ଡ ଘରେ ମା’ ବସି ରହିଚି ସେଇ ଚୌକିରେ । ବାପା ଧୋତୀ ଚାଦର ପିନ୍ଧି ପଛରେ ହାତ ଛନ୍ଦି ଠିଆ ହୋଇଛନ୍ତି । ମୁଁ କିଛି ଭାବିବା ପୂର୍ବରୁ ମୋର ଖୋଲା ଚିଠିଟା ତାଙ୍କୁ ବଢ଼େଇ ଦେଲି ।

 

ସେ ପଥର ମୂର୍ତ୍ତିପରି ନିଶ୍ଚଳ ଠିଆ ହେଇ ଆମୂଳଚୂଳ ପଢ଼ିଗଲେ । ପଢ଼ିସାରି ହାତ ବଢ଼େଇଲେ ମୋ ଆଡ଼େ । ମୁଁ ଉପରୁ କାଗଜ ଖୋଳଟି କାଢ଼ି ଦାଉ ଦାଉ ଚମକୁ ଥିବା ରୂପା ବାସ୍କେଟ୍‌କୁ ଧରେଇ ଦେଲି । ସେ ନୀରବ ମା’ ସାମ୍ନାକୁ ଚାଲିଯାଇ ଠିଆ ହେଲେ । ମା ନରମ ମହମ କଣ୍ଢେଇ ଭଳି ଆସ୍ତେ ଠିଆ ହେଲା । ବାପା ଦୁଇ ହାତରେ ସବୁ ସମର୍ପି ଦେବା ଭଙ୍ଗୀରେ ଠିଆ ହେବା ଦେଖି କେଜାଣି କାହିଁକି ମୋର କୋହ ଉଠିଲା । ମୁଁ ସେ ଗଭୀର ଗମ୍ଭୀର, ମାନନୀୟ ମୁଖଟିକୁ ଆଉ ଚାହିଁ ପାରିଲି ନାହିଁ। ।

 

ତରବର ହୋଇ ଚାଲିଗଲି ଘର ଭିତରକୁ । ଆଖିରୁ ଡବ୍ ଡବ୍ ତାତିଲା ଲୁହ ନିଗିଡ଼ ଗଲା-। କାହା ପାଇଁ କେଜାଣି !

 

ଏ/୩୨, ଏନ-୧

ନୂଆପଲ୍ଲୀ, ଭୁବନେଶ୍ୱର-୧

***

 

Unknown

ଗଣ୍ଠି

ଶ୍ରୀ ରବି ପଟ୍ଟନାୟକ

 

ଟାଇର ନଟ୍‌ଟିକୁ ଠିକ୍ କରୁ କରୁ ଅସୀମର ହଠାତ୍ କାହିଁକି ମନେ ହେଲା ମଣିଷ ନିଜ ପାଇଁ କେତେ ସମୟ ବଞ୍ଚେ ?

 

କମ୍ପାନୀର ଚେଆରମେନ ମି: ମୋଦି ଏ ସବୁ ବେଶ ପୋଷାକ ପ୍ରତି ଭାରି ରକ୍ଷଣଶୀଳ । ଯଦି କେହି ଠିକ୍ ଭାବରେ ସୁଟ୍‌ଟା ନ ପିନ୍ଧିଛି, ଟାଇ ନଟ୍‌ଟା ଯଦି ଠିକ୍ ନ ହୋଇଛି, ଯଦି ସୁଟ୍ ସାଙ୍ଗରେ ଟାଇଟା ମେଚିଂ ନ ହୋଇଛି, ଯୋତା ଯଦି ଚିକ୍ ମିକ୍ ନ ମାରୁଛି, ଭୀଷଣ ବିରକ୍ତ ହୁଅନ୍ତି । ଏସବୁ କ୍ରମାଗତ ଅବହେଳା ଫଳରେ ଜଣେ ଦି ଜଣଙ୍କର ଚାକିରୀ ଯିବାକଥା ସେ ଜାଣେ । ଗୋଟାଏ ଅଦ୍ଭୁତ ଅବସେନ୍ସ ତାଙ୍କର ଏଇ ଡ୍ରେସ୍ ପ୍ରତି ।

 

ଆଉ ଏଇ କଥାଟା ଜାଣେ ବୋଲି ଅସୀମର ଯେତେକ ଟେନ୍‌ସନ । ସବୁଦିନ ତାର ଟାଇ ନଟ୍‌ଟା ଠିକ୍ ପଡ଼େ ଅଥଚ ଠିକ୍ ଆଜି ପରା ଦିନରେ ତାର ସବୁ ଗୋଳମାଳ ହୋଇଯାଏ । ଗୋଟାଏ ଅଜଣା ଅସ୍ଥିରତାରେ ତାର ଅଭ୍ୟସ୍ତ ହାତ ଗୁଡ଼ାକ ବି କେମିତି ବିଶ୍ୱାସ ଘାତକତା କରନ୍ତି ।

 

ସେ ଚିତ୍କାର କରି ଡାକିଲା ‘‘ସୁମିତ୍ରା, ଟିକେ ଶୁଣିଲ ।’’ ଏମିତି ଦିନମାନଙ୍କରେ ସେ ସୁମିତ୍ରାର ସାହାଯ୍ୟ ବିନା କିଛି କରିପାରେ ନାହିଁ ।

 

ଅବଶ୍ୟ ସମୟ ହୋଇନାହିଁ । ପ୍ଲେନ୍ ଆସିବ ନଅଟା ବାଉନ୍‌ରେ । ବର୍ତ୍ତମାନ ସାଢ଼େ ଆଠଟା । ଏରୋଡ଼୍ରମ୍ ପହଞ୍ଚିବାକୁ ଲାଗିବ ପନ୍ଦର ମିନିଟ୍ । ସେ ସାଢ଼ ନଅଟା ବେଳକୁ ଗଲେ ବି ଚଳିବ । କିନ୍ତୁ ନା, ତାକୁ ନଅଟା ବେଳକୁ, ଖୁବ୍ ବେଶୀ ହେଲେ ନଅଟା ପନ୍ଦର ବେଳକୁ ବାହାରି ଯିବାକୁ ପଡ଼ିବ । ବାଟେ ଯଦି ଗାଡ଼ି ଖରାପ୍ ହୋଇଯାଏ- କିମ୍ବା କିଛି ଗୋଟାଏ ଆକ୍‌ସିଡ଼େଣ୍ଟ ହୋଇଯାଏ । ନା ଏ ଅସ୍ଥିରତା ଭିତରେ ଜୋର୍‌ରେ ଗାଡ଼ି ଚଳେଇବା ଉଚିତ୍‌ ନୁହେଁ । ତେଣୁ ଆଗରୁ ଯିବା ହିଁ ଭଲ । ଧୀରେ ସୁସ୍ଥେ । ସେଇଠି ବରଂ ଅପେକ୍ଷା କଲେ ଚଳିବ ।

 

ମଣିଷ କେତେ ସମୟ ନିଜ ପାଇଁ ବଞ୍ଚେ । ନିହାତି ସ୍ୱାର୍ଥପର ମଣିଷଟିଏ ବି କେବଳ ନିଜ ପାଇଁ, ଏକାନ୍ତ ଭାବରେ ନିଜ ପାଇଁ ବଞ୍ଚେ ନାହିଁ । ସେ ତାର ସ୍ତ୍ରୀ, ପ୍ରେମିକ, ପରିବାର, ସନ୍ତାନମାନଙ୍କ ପାଇଁ ହିଁ ଆହରଣ କରେ ।

 

ତା’ର ବର୍ତ୍ତମାନ ପ୍ରବଳ ଇଚ୍ଛା ହେଉଛି ଲୁଙ୍ଗିଟିଏ ମାରି ଅଗଣାରେ ସପ ଉପରେ ବସି ମୁଢ଼ି ପକୁଡ଼ି କଞ୍ଚାଲଙ୍କା ଖାଇବାକୁ । ତାପରେ କପେ ଗରମ ଚା ପିଇ, ସିଗାରେଟ ଖଣ୍ଡେ ଧରାଇ ସେଇ ସପ ଉପରେ ହିଁ ଗଡ଼ି ଯିବାକୁ । ଡିସେମ୍ବର ଶୀତ ସକାଳର ଉଷୁମ ଖରାରେ ଅଳସ ଭାବରେ ପଡ଼ି ରହିବାକୁ । କିଛି ଭାବନା ନାହିଁ, ଚିନ୍ତା ନାହିଁ, ତରତର ନାହିଁ, ଦକ ଦକ ନାହିଁ । ଚୁପଚାପ ଚିନ୍ତାହୀନ ଭାବରେ ଅନେକ ଅନକେ ସମୟ ଧରି ଖାଲି ସେମିତି ପଡ଼ି ରହିବାକୁ ।

 

ଅସୀମ ସାମଲର ସେ ସ୍ୱାଧୀନତା କାହିଁ ?

 

-ହେଲେ, ଶୁଣୁଛ’ ! ତମ ବ୍ରେକଫାଷ୍ଟ ଟେବୁଲରେ ରଖି ଦେଲିଣି । ଶୀଘ୍ର ଆସ । ନ ହେଲେ ଟୋଷ୍ଟଗୁଡ଼ା ଥଣ୍ଡା ହୋଇଯିବ । ପୋଚ୍ ଥଣ୍ଡା ହୋଇଯିବ ।

 

ସୁମିତ୍ରା ଡାଇନିଂ ରୁମ୍‍ରୁ ଡାକ ଛାଡ଼ିଲାଣି ।

 

ଅଥଚ ଟାଇ ନଟ୍‌ଟା ଠିକ୍ ହେବାକୁ ନାହିଁ । ଦି ତିନିଥର ଖୋଲି ସାରିବା ପରେ ସେଥିରେ ଭାଙ୍ଗ ପଡ଼ି ଯାଉଛି ।

 

-ସୁମିତ୍ରା, ଆସ ଟିକିଏ – ଏଇ ଟାଇ ନଟ୍‌ଟା-

 

ଆଗ ଖାଇସାରି । ଗଲାବେଳକୁ ଠିକ୍ କରି ଦେବିନି ! ସବୁକଥାକୁ ତ ଖାଲି ତରତର !

 

ଅସୀମ ସାମଲ । ଏକ ବିଖ୍ୟାତ ସର୍ବଭାରତୀୟ କମ୍ପାନୀର ଜେନେରାଲ ମେନେଜର । ପ୍ରଚୁର ଦରକାର । ସେହି ଅନୁଯାୟୀ ସୁଖ ସ୍ୱାଚ୍ଛନ୍ଦ୍ୟ । ଘର, ଗାଡ଼ି, ଟଙ୍କା ପଇସା କୋଉଥିରେ ଉଣା ନାହିଁ । ଅଭାବ ନାହିଁ । ଘରେ ସୁନ୍ଦରୀ ସ୍ତ୍ରୀ । ପୁଅଟିଏ, ଝିଅଟିଏ । ଭଗବାନ ଓ ଭାଗ୍ୟ କୋଉଆଡ଼ୁ ତାକୁ ଉଣା କରି ନାହାନ୍ତି ।

 

ଅଥଚ ଚେଆରମେନ କମ୍-ମେନେଜିଙ୍ଗ ଡାଇରେକ୍ଟରଙ୍କ ସାମ୍ନାରେ ଟାଇନଟ୍‌ଟି ପାଇଁ ତାର କେତେ ଭୟ । କେତେ ଉଦ୍‌ବେଗ । ସତେ ଯେମିତି, ସେଇ ନଟ୍‌ଟି ଉପରେ ତାର ଭଗବାନ ଓ ଭାଗ୍ୟ ଉଭୟ ନିର୍ଭର କରୁଛନ୍ତି ।

 

ସୁମିତ୍ରା ଗପି ଚାଲିଛି ।

 

‘‘ମନେ ଅଛି ନା, କାଲି ‘ପିକି’ର ସ୍କୁଲ୍‌ରେ ‘ଆନୁଆଲ ଡ଼େ’ । ଯେମିତି ହେଲେ ଯିବାକୁ ପଡ଼ିବ । ନ ହେଲେ ‘ପିକି’ ମନ ଦୁଃଖ କରିବ । ଜାଣିଛ ସେ ‘ଏଲିସ’ ରୋଲ କରୁଛି । ତାର ଜାମାପଟା ସବୁ ଆଜି ଆଣିବାକୁ ପଡ଼ିବ । ରିଙ୍କୁର କ୍ଲାସ ଟିଚର ଖବର ପଠେଇଥିଲେ । ସେ ମେଥ୍‌ସରେ ବହୁତ୍ ଖରାପ୍ କରୁଛି । ଟ୍ୟୁସନ ଦେବାକୁ ପଡ଼ିବ । ଯଦି ତମେ ତମର ‘ବସ’ କୁ ଆଜି ଡିନର ପାଇଁ ନିମନ୍ତ୍ରଣ କରିବ ତେବେ ମୋତେ ଅନ୍ତତଃ ଗୋଟାକ ପୂର୍ବର ଖବର ଦେବ । ନ ହେଲେ ମୁଁ ଜମା ପ୍ରସ୍ତୁତ ହୋଇ ପାରେନି । ଗାଡ଼ିଟା ବି ପଠେଇ ଦେବି । ମାର୍କେଟିଂ କରିବାକୁ ପଡ଼ିବ । ପାରିବ ଯଦି ଅବଦୁଲାକୁ ପଠେଇବ । ବଳିଆ ଦେଇ ଏ କାମ ହେବ ନାହିଁ । ହଁ, ଶୁଣ, ଆସିଲା ବେଳେ ଲଣ୍ଡ୍ରିରୁ ମୋ ଶାଢ଼ୀଗୁଡ଼ା ନେଇ ଆସିବ । ନ ହେଲେ ମୋର ପିନ୍ଧିବାକୁ କିଛି ଭଲ ଶାଢ଼ୀ ନାହିଁ । ହଁ, ଏତେ କି କହିଲି ଠିକ ସମୟରେ ଘରକୁ ଟଙ୍କାଟା ମନିଅର୍ଡ଼ର କରି ଦେବ । ହେଲା ନାହିଁ । ବାପା ଚିଠି ଦେଇଛନ୍ତି । ଆଜି କାଲି ଭିତରେ ଯେମିତି ମନିଅର୍ଡ଼ର କରି ଦେବ । ମିନି ଟେଲିଫୋନ କରିଥିଲା – ତାର ସଦଖିଆ ୨୫ ତାରିଖ । ଯେତେହେଲେ ନିଜ ଭଉଣୀ ତମର । ଯିବାକୁ ପଡ଼ିବ । ତା ପାଇଁ ପୁଣି ଶାଢ଼ୀ କିଣିବାକୁ ପଡ଼ିବ । ହଉ, ସେ ତ ଡେରି ଅଛି । କିନ୍ତୁ ଆଜିକା କଥା ଯେମିତି ଭୁଲି ନ ଯାଅ ।’’

 

ଅସୀମ ସାମଲର ନିଜ ପାଇଁ ଭାବିବାର ସମୟ କାହିଁ ? ଷ୍ଟେନୋ ଟେଲିଫୋନ କରିଛି । ‘‘ସାର, ଆଜି ଦଶଟା ବେଳେ ଏମ୍‌ଡ଼ିଙ୍କ ସହିତ ଡିସକସନ୍ – ସାଢ଼େ ଏଗାରଟା ବେଳକୁ ସେଲସ୍‍ ରିପ୍ରେଜେଣ୍ଟେଟିଭ୍ ସହିତ ଆଲୋଚନା –ସାଢ଼େ ବାରଟା ଡିରେକ୍ଟର ବୋର୍ଡ଼ ମିଟିଂ । ତିନିଟା ବେଳେ ଫାଇନେସ୍ ସେକ୍ରେଟେୀଙ୍କ ସହିତ ଆପଏଣ୍ଟମେଣ୍ଟ-’’

 

ନା’ ଅସୀମ ସାମଲର ସତରେ ନିଜ ପାଇଁ ଭାବିବାର ସମୟ ନାହିଁ ।

 

ବେଳେବେଳେ ତାର ମନେ ହୁଏ ସେ ପଳେଇ ଯାଆନ୍ତା କେଉଁ ଏକ ଦୁର୍ଭେଦ୍ୟ ଅଗନାଅଗନି ବନସ୍ତକୁ । ସେଇଠି କୋଟପେଣ୍ଟ ଟାଇ ସବୁ ଫୋପାଡ଼ି ଦେଇ ଖୋଲା ଲଙ୍ଗଳା ହୋଇ ହାଣ୍ଡିଆ କି ସରାପ ପିଇ ଧାଙ୍ଗଡ଼ା ଧାଙ୍ଗଡ଼ୀ ସାଙ୍ଗରେ ନାଚ କରନ୍ତା ନିଶ୍ଚିନ୍ତ ମନରେ । କିମ୍ବା କେଉଁ ଏକ ନିରଜନ ଦ୍ୱୀପରେ ହେନ୍ତାଳ ବଣର ବେଳାଭୂମି ଭିତରେ ନିଖୋଜ ହୋଇ ଯାଆନ୍ତା । ବାଲୁକା ଶଯ୍ୟା ଉପରେ ଖାଲି ଶୋଇ ଆକାଶର ତାରା ଗଣନ୍ତା । ଶୀତୁଆ ହେମାଳ ପବନର ସିତ୍‌କାର ଭିତରେ ଅନୁଭବ କରନ୍ତା ସୀମାହୀନ ଅନନ୍ତ ଆକାଶର ନୀଳିମାକୁ । ଆଦିଗନ୍ତ ବିସ୍ତୃତ ନୀଳ ସବୁଜ ସମୁଦ୍ରର ଅସୀମତା ଭିତରେ ନିଶ୍ଚିହ୍ନ ହୋଇ ଯାଆନ୍ତା ।

 

ସେଇ ଅନନ୍ତ, ସୀମାହୀନ ବିସ୍ତୃତ ଭିତେ ସବୁ କିଛି ଭୁଲି ଯାଇ ଅନୁଭବ କରନ୍ତା ଅସୀମ ସାମଲ ନାମକ ଜଣେ ବ୍ୟକ୍ତିର ଭିତରେ, ଦୂର ଆକାଶର ଏକଣିଆ ତାରାଟି ପରି, ଦୁକ୍ ଦୁକ୍ ହେଉଥିବା ଚେତନାଟିକୁ ।

 

ନାମହୀନ, ଗୋତ୍ର ପରିଚୟ ହୀନ, ସାଧାରଣ ଜାତିବାଚକ ବିଶେଷ୍ୟ ‘ମଣିଷଟିଏ’ରେ ପୁନର୍ବାର ରୂପାନ୍ତରିତ ହୋଇଯାଇ ଆବିଷ୍କାର କରନ୍ତା ନିଜର ବ୍ୟକ୍ତି ଚେତନାଟିକୁ । ନିଜକୁ ଫେରି ପାଆନ୍ତା । ନିଜକୁ ଖୋଜି ପାଆନ୍ତା ।

 

ସାମାଜିକ ଘଟାଟୋପ ଭିତରେ ‘‘ଅସୀମ ସାମଲ’’ ଷ୍ଟାମ୍ପ ମରା ବ୍ୟକ୍ତିଟିର ଖୋଳଟିକୁ ଉତାରି ଦେଇ ଫିଙ୍ଗି ଦିଅନ୍ତା ଆକାଶର ତାରାଶୂନ୍ୟ ଭିତରକୁ- ସମୁଦ୍ରର ଦିଗହଜା ଗଭୀର ବ୍ୟାପ୍ତି ଭିତରକୁ ।

 

ତା ପରେ ସେଇ ନିଆଁ ଝୁଲ ପରି ଦପ୍‌ଦପ୍‌ କରିଥିବା ‘ମୁଁ ଅଛି’ ମୁଁ ଅଛି ବୋଲି ଚିତ୍କାର କରୁଥିବା ଚେତନାଟିକକୁ ମୁହାଁମୁହିଁ ପଚାରନ୍ତା – ତୁ କିଏ ? ତୁ କିଏ ?

 

ପ୍ଲେନ୍ ଆସିବାକୁ ଆହୁରି ପଇଁଚାଳିଶ ମିନିଟ ବାକି ।

 

ଅଧ ଘଣ୍ଟାଏ ଲେଟ୍

 

ଆସିଲା ବେଳେ ଘରଟା ଆଡ଼େ ଟିକିଏ ବୁଲି ଆସି ପାରିଥାନ୍ତ। । ଭଡ଼ାବାଲା ନୋଟିସ ଦେଇ ସାରିଲାଣି । ଆଉ ଜଣେ ଭଡ଼ାଟିଆ ଖୋଜିବାକୁ ପଡ଼ିବ । ଏମିତି ସେମିତି ଲୋକକୁ ଦେଇ ଲାଭ ନାହିଁ । ଘରଟା ନଷ୍ଟ କରିଦେବ । ତା ଛଡ଼ା ଏତେ ସୁନ୍ଦର ବଗିଚା । ସମସ୍ତେ ଚାହିଁ ରହନ୍ତି । ପଚାରନ୍ତି ‘‘ଏଇଟା କାହା ଘର ? କି ସୁନ୍ଦର ।’’

 

‘‘ମୋ ଘର’’ କହିଲା ବେଳେ ଅସୀମର ଛାତି ଭିତରେ ଗର୍ବ ଓ ଗୌରବର ଗୋଟାଏ ଆତ୍ମତୃପ୍ତିର ଭାବ ତାକୁ ବିହ୍ୱଳିତ କରିଦିଏ । ଯେମିତି ତାକୁ ବିହ୍ୱଳ କରେ ତାର ସୁନ୍ଦରୀ ସ୍ତ୍ରୀ କି ଯେତେବେଳ ଇଣ୍ଟ୍ରୋଡ଼୍ୟୁସ କରେ ‘ମୋ ସ୍ତ୍ରୀ’ ବୋଲି ।

 

‘‘ମୋର ସୁନ୍ଦର ଘର, ମୋର ସୁନ୍ଦର ସ୍ତ୍ରୀ, ମୋର ସୁନ୍ଦର ସନ୍ତାନ, ମୋର ସୁନ୍ଦର ରଙ୍ଗର ଗାଡ଼ି । ମୋର ସୁନ୍ଦର ଚେହେରା । ମୋର ମୋଟା ଦରମା ବାଲା ଚାକିରୀ’’ – ଏସବୁ କଥା ଅପରକୁ କହିଲାବେଳେ ସେ ଯେତେ ଆନନ୍ଦ ଅନୁଭବ କରେ, ଏକୁଟିଆ ନିରୋଳାରେ ଭାବି ବସିଲେ କିନ୍ତୁ ତାକୁ ଏତେ ଆନନ୍ଦ ଲାଗେନାହିଁ ।

 

ମଣିଷ ବୋଧ ହୁଏ ନିଜକୁ ନିଜେ ନେଇ ଆନନ୍ଦ ପାଏ ନାହିଁ । ତାର ଲୋଡ଼ା ହୁଏ ଅନ୍ୟ ଏକ ତୁଳନୀୟ ବସ୍ତୁ । ଆପେକ୍ଷିକ ସମ୍ବନ୍ଧର ବନ୍ଧନ ହିଁ ସେ ଦୋଳାୟିତ । ଆପେକ୍ଷିକତା ନ ହେଲେ, ତୁଳନା ନ କଲେ ସେ ସୁଖୀ ହୁଏ ନା କି ଦୁଃଖୀ ବି ହୁଏନା ।

 

ନ ହେଲେ ମହେନ୍ଦ୍ର ଶତପଥୀର ଘର ଦେଖି ସେ ଏତେ ଦୁଃଖ ପାଇଥାନ୍ତା କେମିତି ? ମହେନ୍ଦ୍ର ତାଠାରୁ ଆହୁରି ସୁନ୍ଦର ଡିଜାଇନ୍‍ର ଘର କରିଚି । ତା ବଗିଚା ଠାରୁ ଆହୁରି ଚମତ୍କାର ବଗିଚା କରିଛି । ସେମିତି ମିସେସ୍ ଅନୀତା ରାଏନା ଦେଖି ବା ସେ ଦୁଃଖ ଅନୁଭବ କରିଥାନ୍ତା କାହିଁକି ? ଅନୀତା ସତରେ ଅପରୂପା । ଶ୍ରୀନଗରର ଝିଅ । ରଙ୍ଗ, ରୂପ. ଫିଗର- ଅଜନ୍ତାର ଗୁମ୍ଫାରୁ ଓହ୍ଲେଇ ଆସିଛି ଯେପରି ।

 

ବୋଧହୁଏ ‘ସୌନ୍ଦର୍ଯ୍ୟ’ରେ ବି ଆନନ୍ଦ ନାହିଁ । ଆପେକ୍ଷିକ ସୌନ୍ଦର୍ଯ୍ୟରେ ହିଁ ନିହିତ ରହିଛି ପ୍ରକୃତ ଆନନ୍ଦ । ଯେତେବେଳେ ଯାଏଁ ଅନୀତା ରାଏନା ପ୍ରେକ୍ଷାପଟକୁ ଆସି ନ ଥିଲେ ସେତେ ବେଳ ଯାଏ ‘ସୁମିତ୍ରା’ ଆନନ୍ଦର ବସ୍ତୁ ଥିଲା । ସୁଖର ଘର ଥିଲା । ଏବେ ସୁମିତ୍ରାକୁ କେମିତି ନିଷ୍ପ୍ରାଣ ଲାଗେ ।

 

ମିଃ ମୋଦି ବୋଧହୁଏ ଏଥର ମି ରାଏନାଙ୍କ ଘରେ ଡିନରର ଅତିଥି ହେବ । ହାୟ ସୁମିତ୍ରା ।

 

ସୁନ୍ଦର, ସୁପୁରୁଷ ବୋଲି ମଧ୍ୟ କମ ଖାତିର ଥିଲା ‘ଅସୀମ ସାମଲ’ର । ଅଥଚ ଅନୀଲ କୁମାର ରାଏନା ଆସିବା ପରେ ତାଙ୍କର ସୌନ୍ଦର୍ଯ୍ୟ ଯେମିତି ମଳିନ ପଡ଼ିଯାଇଛି । ଏବେ ସେ ନିଜକୁ ଦେଖି ପୂର୍ବପରି ଆଉ ଉତ୍‌ଫୁଲିତ ହୋଇ ପାରୁନାହାନ୍ତି ।

 

‘ସୁନ୍ଦର’, ‘ସୁନ୍ଦରତର’, ‘ସୁନ୍ଦରତମ’ ଏଇ ଶବ୍ଦ ଗୁଡ଼ାକ ବାୟୁ ମଣ୍ଡଳରେ ଏକ ଫମ୍ପା ଧ୍ୱନି ମାତ୍ର । କିନ୍ତୁ ବ୍ୟକ୍ତିଗତ ସାମାଜିକ ଜୀବନରେ ଏଇ ଶବ୍ଦଗୁଡ଼ିକ ଯେ କେତେ ବିଦ୍ରାହ, ବିଦ୍ୱେଷ ସୃଷ୍ଟି କରନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।

 

କଣ ହେଲା ସେଇଠୁ ଯଦି ଅନୀଲ ରାଏନା ସୁନ୍ଦରତର ? କ’ଣ ଭାସିଗଲା ସେଇଠୁ ଯଦି ଅନୀତା ସୁମିତ୍ରା ଠାରୁ ସୁନ୍ଦରୀ !

 

ଅସୀମ ସାମଲ ସୁନ୍ଦର

ସୁମିତ୍ରା ସୁନ୍ଦର ।

 

ଅଥଚ ଅସୀମ ସାମଲ କି ସୁମିତ୍ରା ତାକୁ ନେଇ ସୁଖୀ ହୋଇ ପାରନ୍ତି ନାହିଁ ।

 

ମନର କୋଉ କୋଣରେ ଈର୍ଷାର କଣ୍ଟାଟିଏ ଖଚ୍ ଖଚ୍ କରେ । ସୌନ୍ଦର୍ଯ୍ୟର ଫୁଲର ପୋକ ଧରିଯାଏ । ସୌନ୍ଦର୍ଯ୍ୟହିଁ ବିସ୍ୱାଦର କାରଣ ହୋଇଯାଏ ।

 

ନା, ଏଥର ଆଉ କିଛି ଭାବିବ ନାହିଁ ଅସୀମ ସାମଲ । କାହା କଥା ନୁହେଁ । ସେ ନିଜେ ନିଜ କଥାହିଁ ଭାବିବ । ସାରା ଜୀବନ ଖାଲି ବେଠି ବେଗାରି କରି ଆସିଛି ସେ । ବାପା ମା ବନ୍ଧୁ ବାନ୍ଧବର ବେଗାରି ଖଟିଛି । ସ୍ତ୍ରୀ ସନ୍ତାନର ବେଗାରୀ ଖଟୁଛି । ତାର ସହକର୍ମୀ ଚେୟାରମେନ ଅଧସ୍ତନ କର୍ମଚାରୀ ସମସ୍ତଙ୍କର ବେଗାରୀ ଖଟୁଛି ସେ । ସମାଜର ବେଗାରୀ, ଦେଶର ବେଗାରୀ ।

 

ନା ଆଉ ନୁହେଁ ।

 

ସେ ଏକାକୀ ନିଜର କଥା ହିଁ ଭାବିବ । କିନ୍ତୁ ସେ ଏକାକୀ କି ? ହଁ ସେ ଏକା ଆସିଛି – ଏକା ହିଁ ଯିବ । ଜନ୍ମେବେଳେ ସେ ଏକୁଟିଆ ଆସିଥିଲା – ମୃତ୍ୟୁବେଳକୁ ସେ ଏକୁଟିଆ ହିଁ ଯିବ ।

 

ଅତଏବ ତାର ନିଜ ଏକୁଟିଆର କଥା ସେ ଭାବିବ । ଅପରର କଥାପାଇଁ ସେ ଘାଣ୍ଟି ହେବ ନାହିଁ କି ?

 

କିନ୍ତୁ ଅସୀମ ସାମଲ – ବୋକା । ତୁ ମଣିଷ ଛୁଆ । ଜନ୍ମ ଜାନୁଆର ନୁହେଁ । କୁକୁଡ଼ା ପରି ଏକାବେଳକେ ପଲେ ନୁହେଁ – ଘୁଷୁରି ପରି ପୁଞ୍ଜାଏ ନୁହେଁ ଗୋଟିଏ ମାତ୍ର ।

 

ସେମାନେ ପଲେ ହେଇ ଜନ୍ମ ନିଅନ୍ତି । କିଛିଦିନ ପରେ ଏକୁଟିଆ ହୋଇ ଯାଆନ୍ତି । ତାଙ୍କର ସମାଜ ନାହିଁ – ଜ୍ଞାନ ନାହିଁ । ତୁ କିନ୍ତୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପର୍କିତ । ଯେତେ କହିଲେ ବି ତୁ ପୃଥିବୀରେ ଏକୁଟିଆ ନୋହୁଁ । ତୋର ଏକୁଟିଆ ସତ୍ତା ନାହିଁ । ମୃତ୍ୟୁ ପରେ ବି ତୋ ମୁକ୍ତି ନାହିଁ । ତୋତେ ତୋର ଉତ୍ତର ଦାୟାଦ ମାନେ ବର୍ଷକୁ ବର୍ଷ ଶ୍ରାଦ୍ଧ ଦେଇ ସମ୍ପର୍କିତ କରି ରଖିଥିବେ । ଚିରୁଦାବଳୀ ଲେଖି ପଥରରେ ଖୋଦିତ କରି ରଖିଦେବେ ।

 

ତୁ କେବେ ଏକୁଟିଆ ନ ଥିଲୁ ରହି ବି ପାରିବୁ ନାହିଁ । ଗଣ୍ଠି ପଡ଼ିଛି । ସହସ୍ର ସହସ୍ର ଶତାବ୍ଦୀର ଗଣ୍ଠି । ସହସ୍ର ସହସ୍ର ବନ୍ଧନର ଗଣ୍ଠି । ଏଥିରୁ ମୁକୁଳି ଯିବା କଣ ଏଡ଼େ ସହଜ ।

 

ପ୍ଲେନ୍ ଆସିବାକୁ ଆହୁରି ପନ୍ଦର ମିନିଟ ବାକି । ଏସବୁ ଅଜବ ଚିନ୍ତାଗୁଡ଼ିକ ଯେ ଏମିତି ଅସମୟରେ କାହିଁକି ତା ମୁଣ୍ଡରେ ପଶେ ସେ ବୁଝି ପାରେ ନାହିଁ । ତାର ବର୍ତ୍ତମାନ ଭାବିବା ଉଚିତ୍ ମିଃ ମୋଦିଙ୍କୁ ସେ କଣ କହି କରମର୍ଦ୍ଦନ କରିବ ? ରାସ୍ତାରେ ଯାଉ ଯାଉ ତାଙ୍କୁ କୋଉ କୋଉ ବିଷୟରେ ତଥ୍ୟ ପ୍ରଦାନ କରିବ । ଅସୀମ ସାମଲ । ଆଉ କିଛି ନୁହେଁ ବିଖ୍ୟାତ କମ୍ପାନୀର ଜେନେରାଲ ମ୍ୟାନେଜର ମାତ୍ର ।

 

ଆକାଶରେ ମେଘ ଘୋଡ଼ାଇଲାଣି ? ଡିସେମ୍ବର ମାସରେ ବି କଳା ଘୁମର ମେଘ ସାରା-। ଆାକାଶ ଛାଇ ଗଲାଣି । ଟିକିଏ ଫାଙ୍କରେ ଦେଖାଯାଉଛି ବିନ୍ଦୁଏ ନୀଳ ଆକାଶ ।

 

ମେଘ ଘୋଡ଼େଇଚି ବୋଲି କଣ ନୀଳ ଆକାଶ ସତ୍ୟ ନୁହଁ ? ଗଣ୍ଠି ପଡ଼ିଚି ବୋଲି କଣ ମୁକ୍ତି ବୋଲି କିଛି ନାହିଁ ।

 

ମନେ ହେଉଛି ତାର ହୃଦୟର କେଉଁ କୋଣରେ, ନୀଡ଼ ଭିତରେ ପକ୍ଷୀଶାବକଟିଏ ପରି କିଛି ଗୋଟାଏ ଖୁଜୁବୁଜୁ ହେଉଛି । ବାହାରି ଆସିବାକୁ ଚାହୁଁଛି । ଡେଣାମେଲି ନୀଳ ଆକାଶରେ ଉଡ଼ି ଉଡ଼ି ବୁଲିବା ପାଇଁ ବ୍ୟଗ୍ର ହୋଇ ଉଠୁଛି । ନୀଡ଼ ଭିତରେ ଜନ୍ମ ନେଇଛି ବୋଲି, ନୀଡ଼ ଭିତରେ ବଢ଼ିଛି ବୋଲି ପକ୍ଷୀତ ଆଉ ନୀଡ଼ର ନୁହେଁ । ସାରା ଆକାଶ-ସାରା ପୃଥିବୀ ତାର ଚରାଭୁଇଁ ।

 

ଅସୀମ ସାମଲ ହଠାତ୍ ବୁଝିପାରିଲା କାହିଁକି ଏମିତି ତାକୁ ପଳେଇ ଯିବାକୁ ଇଚ୍ଛା ହୁଏ ଅଗନାଗ୍ନି ବନସ୍ତକୁ । ନିର୍ଜନ ବେଳାଭୂମିକୁ ଆକାଶର ନୀଳିମା ଭିତରକୁ- ସାଗରର ଗଭୀରତା ଭିତରକୁ । ଚେତନାର ଚଢ଼େଇଟି ଦେହରେ ଖୋଳପାର ବନ୍ଦୀଶାଳା ଭିତରକୁ କିନ୍ତୁ ପାଇବାକୁ ଚାହେଁ, ବିସ୍ତାରିତ ହେବାକୁ ଚାହେଁ ଏରୋପ୍ଲେନର ଶବ୍ଦରେ ଅସୀମ ସାମଲର ତନ୍ଦ୍ରା ଭାଙ୍ଗିଗଲା ।

 

ଅଜାଣତରେ ତାର ହାତ ଉଠିଗଲା ନେକ୍‌ଟାଇର ଗଣ୍ଠିକୁ ଠିକ୍ କରିବାକୁ । ଗଣ୍ଠି ପଡ଼ିଗଲା ଚେତନାର ଦ୍ୱାରରେ । ଅସୀମ ସାମଲ ତରତର ହୋଇ ଗେଟ୍ ପାଖକୁ ଆଗେଇ ଗଲା ରିସିଭ୍ କରିବାକୁ ।

 

ଇଉନିଟ୍-୯,

ଭୁବନେଶ୍ୱର

***

 

ପୁସ୍ତକ ସମୀକ୍ଷା

ଶିଖରମୟ ପାଦଦେଶ:

କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କାବ୍ୟଗ୍ରନ୍ଥ

 

ଶୈଳକଳ୍ପ

ଭାଗୀରଥି ମିଶ୍ର

 

‘‘ଗୋଟିଏ ଗୋଟିଏ ଭୂମି ଆସେ ଜୀବନରେ, ଯେତେବେଳେ

ପହଞ୍ଚି ଯିବାର ବିଭ୍ରମ ଜାଗେ ଅର୍ଦ୍ଧ ପଥରେ ।

 

ସେଇ ମାୟାଭୂମିରୁ ଦିଶିଯାଏ ଶିଖର ଆଉ ଦିଶିଯାଏ

ସୁଗଭୀର ତଳ ବିତଳ । ଦ୍ୱିଧା ବିଭକ୍ତ ହୋଇ ମାଡ଼ିଯାଏ

ମୁଁ ସେତେବେଳେ, ଅଲୌକିକ ଗୋଟିଏ ପକ୍ଷୀ ଆଉ

ପ୍ରଖର ଗୋଟିଏ ଗିରି ନିର୍ଝର ପରି, ଉତ୍‌ଥାନ ଆଉ ପତନ

ଉଭୟ ଆଡ଼େ, ସମାନ ବେଗରେ ।।

 

ସେଇ ଗତି ସେଇ ଦୁର୍ଗତି କିନ୍ତୁ ବସାଇଦେଇ ପାରେନା

ମୋତେ ଶିଖରରେ, କି ନିପାତ କରିଦେଇ ପାରେନା

କଚାଡ଼ି ଦେଇ ସବାତଳ ବିନ୍ଦୁରେ । ଫେରିଆସେ ମୁଁ

ଉଭୟ ଆଡ଼ୁ, ପୁଣିଥରେ ବିପରୀତ ଗତିରେ ।।

 

ରେ ମାତୃଭୂମି ! ଶୈଳକଳ୍ପ’ ମୋର ନିବେଦିତ ହେଉ

ତୋ’ରି ଉଦ୍ଦେଶ୍ୟରେ । ତୁ ଏମିତି ଆସି ଯାଉଥା ବେଳେ

ବେଳେ ଯାତ୍ରାପଥରେ’’

 

(ଶୈଳକଳ୍ପର’ର ଉତ୍ସର୍ଗ ପତ୍ର)

 

ଅଦ୍ଭୁତ ଏ ଯାତ୍ରାପଥ । ଉତ୍‌ଥାନ ଆଉ ପତନ ସହ ଚିରକାଳ ପାଥେୟ ଯହିଁ ଭାବମୟ ଜଗତ । ଯାଉ ଯାଉ ହଠାତ୍ ମାୟାଭୂମିରେ ପଡ଼ିଯାଏ ପାଦ ଏବଂ ନିମିଷ ଝଲକରେ ଯାତ୍ରୀ ଦେଖିପାରେ ଶିଖର ଏବଂ ସୁଗଭୀର ତଳ ବିତଳ । ଶିଖରରେ ସ୍ଥାପିତ ହେବା ଅଥବା ଶିଖରର ଉଚ୍ଚତାକୁ ଉପଲବ୍ଧି କରିବା ପ୍ରତିଟି ଯାତ୍ରୀର ବ୍ୟକ୍ତିଗତ ସାମର୍ଥ୍ୟ ଉପରେ ନିର୍ଭର କରେ । କାରଣ ବେଳେବେଳେ ପାଦଦେଶ ବି ତ ଶିଖରମୟ ଦିଶେ, ଯେମିତି କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କାବ୍ୟଗ୍ରନ୍ଥ ‘ଶୈଳକଳ୍ପ’ ଏବଂ ତହିଁରେ ସନ୍ନିବେଶିତ କବିତା ଗୁଡ଼ିକର କାବ୍ୟ ସଂସାର।

 

ସେହି କାବ୍ୟ ସଂସାରରେ ସାର୍ବଜନୀନ ଜୀବନର ଉପଲବ୍ଧି ଓ ତା’ର ସ୍ପଷ୍ଟତମ ପରିପ୍ରକାଶ ଦୁଇଟି ସ୍ତରରେ ଘଟିଚି । ପ୍ରଥମ ସ୍ତରଟି ଅତ୍ୟନ୍ତ ସରଳ, ସାଧାରଣ ଓ ବାହ୍ୟ ଜୀବନର-। କେଉଁଠି କାବ୍ୟ ପୁରୁଷ ଜୀବନ ସମ୍ପର୍କରେ କହୁଚି ତ ଆଉ କେଉଁଠି ଶୈଶବମୟ ପୃଥିବୀ, ଘଣ୍ଟାତରିତ ହେବାର କାହାଣୀ, ଶିଖର ଓ ଅବସାନ କଥା କହୁଛି । ଦ୍ୱିତୀୟ ସ୍ତରଟି ଅତ୍ୟନ୍ତ ଗଭୀର, ଅସାଧାରଣ, ଅର୍ଥପୂର୍ଣ୍ଣ ଓ ଅଂତର୍ଜୀବନର । ସେଇଠି କାବ୍ୟପୁରୁଷ ଜୀବନର ମଂଜ ଭିତରକୁ ପଶି ଏନ୍ତୁଡ଼ିର ନାଭି ନାଡ଼ଠୁ ଆରମ୍ଭ କରି ଶ୍ମଶାନର ମୃତ୍ୟୁ ଗାଡ଼ି ପର୍ଯ୍ୟନ୍ତ, ଆତ୍ମାତରିତ ହେବାର ଉପଲବ୍ଧି, ଶିଖରୋଚିତ ବଜ୍ରପାତ ଓ ଅବସାନ ପର ଅଦ୍ଭୁତ ଉଦୟ କଥା କହୁଚି । ମଣିଷ ଜୀବନର ସାଧାରଣ ଘଟଣା ଓ ଉପଲବ୍ଧିକୁ ଏକ ଅସାଧାରଣ ଉଚ୍ଚତାକୁ ଉଠାଇ ନେଇଚି ପ୍ରତିଟି କବିତାରେ । ଏଇ ଉଭୟ ସ୍ତରରେ ଥାଇ ‘ଅଲୌକିକ ଗୋଟିଏ ପକ୍ଷୀ ଆଉ ପ୍ରଖର ଗୋଟିଏ ଗିରି ନିର୍ଝର ପରି, ଉତ୍‌ଥାନ ଆଉ ପତନ ଉଭୟ ଆଡ଼େ, ସମାନ ବେଗରେ ମାଡ଼ିଯାଏ ସେ । ପ୍ରତ୍ୟେକ କବିତାରେ ଏଇ ଉଭୟ ସ୍ତରର ସମନ୍ୱୟ ଏତେ ଅଦ୍ଭୁତ ଆଉ ଅପୂର୍ବ ଯେ ନିଜେ ପକ୍ଷୀଟିଏ ଆଉ ଗିରି ନିର୍ଝରଟିଏ ପରି ନ ହେଲ ସେ ଦୃଶ୍ୟଗୁଡ଼ିକ ଦିଶିବ ନାହିଁ, ସେ ଧ୍ୱନିଗୁଡ଼ିକ ଶୁଭିବ ନାହିଁ । କାରଣ ଏଠି ପ୍ରତିଟି ପାଦଦେଶ ଶିଖରମୟ । କାରଣ ଏଠି ସବାତଳ ବିନ୍ଦୁ ବି ସମତଳ । କାରଣ ଏଠି ସମତଳ ଭୁଇଁ ବି ଉଚ୍ଚତମ ଶିଖର ।

 

ସେଇ ଅଦ୍ଭୁତ ବେଗବାନ୍‍ ଗତି ଯାହା ପାଦଦେଶକୁ ବି ଶିଖରଭୟ କରି ଗଢ଼ି ତୋଳେ ଏବଂ ସେଇ ଗତି ଭିତରେ ନିହିତ ଥିବା ଉଭୟ ସ୍ତରର ଭାବସତ୍ତା ସମ୍ପର୍କରେ ଏକ କ୍ଷୀଣ ଆଭାସ ଦେବାର ପ୍ରୟାସ କରାଯାଉଛି ଏଇ ଆଲୋଚନାରେ । ପ୍ରତିଟି କବିତାର ବାହ୍ୟ ଅନ୍ତଃ ରୂପକୁ ପରଖୁ ପରଖୁ କାଳେ ଆସି ଯାଇପାରେ ଉପଲବ୍ଧିର ଚରମ ମୁହୂର୍ତ୍ତ; କାଳେ ପକ୍ଷୀଟିଏ ଆଉ ଗିରି ନିର୍ଝରଟିଏ ପରି ହୋଇ ଦୃଶ୍ୟ-ଧ୍ୱନିମୟ କାବ୍ୟ ସଂସାରକୁ ଦେଖି ଶୁଣି ହେବ । କାଳେ ମାୟାଭୂମିରୁ ମାଡ଼ି ଯାଇହେବ ଉତ୍‌ଥାନ ଆଉ ପତନକୁ ଏକାଥରେ ସମାନ ବେଗରେ । ଏଇ ଆଲୋଚନାଟି ସେଇ ପ୍ରୟାସରେ ।

 

ଯିବାକୁ ହବ ଦୂର ବହୁଦୂର

‘ଜୀବନ ପ୍ରତି’ ଝିଅ ପାଇଁ ଗୋଟିଏ କବତା, ‘ଭୁବେନଶ୍ୱର’ ଓ ‘ସତ୍ୟଆଂବ’ ଚାରୋଟି ଯାକ କବିତାର ଭାବସତ୍ତା ଜୀବନ । ‘ଜୀବନ ପ୍ରତି’ରେ ପ୍ରତ୍ୟକ୍ଷ ଭାବରେ ଚଉତିରିଶ ବର୍ଷର ଅତୀତ ଜୀବନ କାହାଣୀ କହି ‘ଝିଅ ପାଇଁ ଗୋଟିଏ କବିତାରେ’ ଭବିଷ୍ୟତ ଜୀବନ ଜୀଇଁବାକୁ ଯାଉଥିବା ଝିଅକୁ ପ୍ରେରଣା ଓ ପ୍ରବୋଧନା ଦିଆଯାଉଛି । ‘ଭୁବନେଶ୍ୱର’ କବିତାରେ ବର୍ତ୍ତମାନ ଜୀବନର ସବିଶେଷ ବିବରଣୀ ଦେବା ସଂଗେ ସଂଗେ ।

 

‘ସତ୍ୟଆମ୍ବ’ କବିତାରେ ସାମଗ୍ରିକ ଜୀବନର ଅଦ୍ଭୁତ ଆକର୍ଷର କଥା କୁହାଯାଉଛି । ସର୍ତ-ଦାବୀହୀନ ହେଇ ଜନ୍ମ ନବାପରେ ଜୀଇଁବାକୁ ହୁଏ ଜୀବନ । ଓସାରିଆ ଦୃଷ୍ଟିଭୂମିରେ ଶୈଶବ, ଫଳବାସ୍ନାରେ କୈଶୋର, ରଙ୍ଗବେରଙ୍ଗ ସ୍ୱପ୍ନରେ ଯୌବନ ବିତେଇବାକୁ ହୁଏ । ଗାଁ ଗଣ୍ଡାର ଉଜୁଡ଼ିଯିବାର ଦୃଶ୍ୟରେ ପ୍ରତ୍ୟକ୍ଷ ହୁଏ ମହାପ୍ରଳୟର ଖଣ୍ଡିତ ରୂପ । ପ୍ରେମ – କବିତା ଜୀବନର ଆକର୍ଷଣରେ ପୁନଃପୁନଃ ସର୍ଜନା, ଶ୍ମଶାନରେ ଏନ୍ତୁଡ଼ିଶାଳର ଭସ୍ମ ଓ ଭଙ୍ଗା ଜଳଜଳା ହାଣ୍ଡି ଖପରା ସନ୍ଧିରେ ଅଳିଅଳ ଚାରା, ଭୋକ-ଉପାସ-ରୋଗ-ଯନ୍ତ୍ରଣା- ଅନ୍ୟାୟ ଅତ୍ୟାଚାରଗ୍ରସ୍ତ ବୁଢ଼ା ଲୋକଟିର ବିଭୋର ଜଣାଣ ଏବଂ ମନୋହର ମୁକ୍ତାଟିଏ ପାଇଁ ଶାମୁକା ଦି’ଫାଳ ହେବାର କଷ୍ଟ କହିଦେଇ ଥାଏ – ଦୁଃଖ ଏକ ପ୍ରସ୍ତୁତି ମାତ୍ର, ମହାସୁଖ ପାଇଁ । ମୋକ୍ଷ ଫୋକ୍ଷ ମୋର ଲୋଡ଼ା ନାହିଁ ।

 

ଏକ ବ୍ୟକ୍ତିଗତ ପୃଷ୍ଠଭୂମିରେ ଜୀବନ ପ୍ରତି ଉଚ୍ଚାରିତ ଶବ୍ଦଗୁଡ଼ିକ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିର ଜୀବନ-ପରିସର ଭିତରେ ସୀମିତି ନୁହେଁ । ବ୍ୟକ୍ତିଗତ ସ୍ତରରୁ ମୁକୁଳିଯାଇ କବିତା ଅନ୍ୟ ଏକ ଉଚ୍ଚତର ସ୍ତରରେ ଜୀବନକୁ ସାର୍ବଜନୀନ କରି ଗଢ଼ି ତୋଳୁଛି । ଯେଉଁଠି ପ୍ରତିଟି ସହଜୀବୀ କହେ- ‘ମୁଁ ଅଙ୍ଗୀକାର କରୁଛି, ଜୀବନ ମୁଁ ତତେ ଭଲପାଏ’ । ଜୀବନର ଉଗ୍ର ଆଉ ଶାନ୍ତ, ପ୍ରେମିତ ଆଉ ଘୃଣିତ, ଭଷ୍ମ ଆଉ ଶୀତଳ ରୂପ ଭିତରେ ଅତି ଛୋଟ ଏକ ହୁଲିଡ଼ଙ୍ଗାଟିଏ ଉଲ୍ଲାସରେ ବେଦନାରେ ନାଚେ, ସିଏ, ଘୁରୁଥାଏ; ଛିଟ୍‌କୁ ଥାଏ । ଜୀବନର ଅଥଳ ଅଥୟ ଡଅଁର ଭିତରୁ ମୁକ୍ତି ପାଇଁ ମୋକ୍ଷ ଫୋକ୍ଷ ତା’ର ଲୋଡ଼ା ନ ଥାଏ ।

 

ଏ ଜୀବନର ଯାତ୍ରା ଅନିବାର୍ଯ୍ୟ । ଯିବାକୁ ହେଲେ ଯାତ୍ରାରେ ଠାଏ ଠାଏ ଫୁଲଫଳ ଏବଂ କଣ୍ଟାର ସମ୍ଭାର ବି ମେଲିଦେବାକୁ ହୁଏ । ଲହୁ ଲୁହାଣ ମହୁମୁହାଣା ହୋଇ ଜୀବନକୁ ଗ୍ରହଣ କରିବାକୁ ପଡ଼େ । କାରଣ ଏଠି ଜାଲ ଭିତରେ ପଡ଼ିଥିବା ଛଟପଟ ପତଙ୍ଗଟିର ଅପୂର୍ବ ଜୀଜୀବିଷା କହିଦେଇ ଥାଏ ଯନ୍ତ୍ରଣାରେ ଯେତିକି ଶିହରଣ, ଉଲ୍ଲାସରେ ତା’ଠୁଁ ଅଧିକ । ତେଣୁ ମାଟିକୁ ଫାଟି ଯା’ ବୋଲି ନ କହି ନିଜେ ଫାଟି ଯାଇ ଈଶ୍ୱରଙ୍କ ଜନ୍ମ ପାଇଁ ଦ୍ୱାର ମେଲି ଦେବାକୁ ହେବ । ‘ତତଲା ତାଓ୍ୱା’ ଉପରେ ମାଛଖଣ୍ଡେ ଭାଜି ଦେବା ପରି’ ଯହିଁ କାନ୍ଥ-ଛାତି-ଚଟାଣ-ବିଛଣା, ଜହ୍ନ ବି ଅନ୍ଧାର ପରି ଗାଢ଼ କଳା, ସେଠାରେ ଶରତର ଜହ୍ନରାତି ପୁହାଇବାକୁ ହେବ । କାରଣ ‘ଯିବାକୁ ହେବ ଦୂର ବହୁ ଦୂର ।

 

ଦୁଃଖ-ଅନ୍ୟାୟ-ହାହାକାର ଭିତରେ ବି ଅଙ୍ଗୀକାର କରିବାକୁ ହୁଏ ଜୀବନକୁ । ଚାଖିବାକୁ ହୁଏ ତାର ସୁଖକୁ ସୁଆଦକୁ’। ମଧୁର ପ୍ରେମର କବିତା ଲେଖିବାକୁ ପଡ଼େ ‘ଅଦ୍ଭୁତ-ବୀର-ବିଭତ୍ସ-କରୁଣ ରସର କବିକୁ’ । ଖାତିର କରେ ନା କବି ରାଜଧାନୀ-ଆଡ଼କୁ ମାନଚକ୍ର ବର୍ତ୍ତୀମାନଙ୍କୁ ଓ ସାହିତ୍ୟର ସିହାଣା ସୌଦାଗରମାନଙ୍କୁ । ପ୍ରହ୍ଲାଦର ହରିଭକ୍ତ ପରି ତା’ର କବିତା-ପ୍ରୀତି । ଭୁବନେଶ୍ୱର ଗଢ଼ିଦିଏ ଯଥାଯୋଗ୍ୟ ପରିବେଶ, ପ୍ରେମ ପାଇଁ, କବିତା ପାଇଁ, ଜୀବନ ପାଇଁ । କବିର ସକଳ ପ୍ରିୟ ଓ ପବିତ୍ର ପାପର କୁଟୁଣୀ ଓ ସହକାରିଣୀ ହୋଇଥାଏ । ଓହରି ଯାଏ ଭୁବନେଶ୍ୱର ପ୍ରତି ଥିବା କବିର କ୍ରୋଧପୂର୍ଣ୍ଣ ଦୃଷ୍ଟିଭଙ୍ଗୀ, ‘ପରମ ସୋହାଗ’ରେ ପରିଣତ ହୁଏ ।

 

ଏ ଜୀବନ ହିଁ ଅମୃତ, ତା’ର ଅନେକ ସ୍ୱାଦ । ବେଳେବେଳେ ତୃପ୍ତିର ଏଭଳି ସହ ଆଂବିଳ ହାକୁଟି ଆସେ ତ ବେଳେବେଳେ ଇଷି ଆଉ ଥୁ ଥୁ । କଷି, କଞ୍ଚାସୁଆଦି, କରାଡ଼ିଆ, କୋଇଲି ପାରଡ଼ା; ଦର ପାଚିଲା, ସିନ୍ଦୁରି, ଖରଖରି, ସବୁ ଚାଖିବାକୁ ପଡ଼େ, ଅଙ୍ଗେ ନିଭେଇବାକୁ ହୁଏ । ତଥାପି ଅଇଁଠା ହୁଏନା ଜୀବନାମୃତ । କାରଣ ସେ ହିଁ ମାୟାବୃକ୍ଷ, ସ୍ୱୟଂ ସତ୍ୟ ଆଉ ମିଥ୍ୟା ।

 

‘ଜୀବନ ପ୍ରତି’ରେ ସାଧାରଣ ଅଭିଜ୍ଞତା ଓ ଅନୁଭୂତିରୁ ଚରମ ଉପଲବ୍ଧି, ‘ଝିଅପାଇଁ ଗୋଟିଏ କବିତା’ରେ ସେଇ ଉପଲବ୍‌ଧିରୁ ଝିଅକୁ ପ୍ରେରଣା ଓ ପ୍ରୋତ୍ସାହନ ପ୍ରଦାନ, ‘ଭୁବନେଶ୍ୱର’ କବିତାରେ ରାଜଧାନୀର ଗତାନୁଗତିକ ଜୀବନ ସହ ବ୍ୟକ୍ତିଗତ କାବ୍ୟିକ ଜୀବନର ସମନ୍ୱୟ, ‘ସତ୍ୟଆମ୍ବ’ କବିତାରେ କାହାଣୀ ପରି ସହଜ ଓ ସରଳ କଥନ ଶୈଳୀର ଆଢ଼ୁଆଳରେ ଜୀବନାମୃତର ସ୍ୱାଦ ପାଇବା ଓ ଦେବା- ଦୁଇଟି ସ୍ତରର ଏକ ସମନ୍ୱିତ ଭାବ ବିନାସ । ଯେଉଁଠି ଜୀବନ ଇ ଜୀବନ କେବଳ । ଅତୀତ-ଭବିଷ୍ୟତ-ବର୍ତ୍ତମାନ ଓ ସାମଗ୍ରିକ ଜୀବନକୁ ଅତି ସରାଗରେ ଗ୍ରହଣ କରି ଭୋଗିବାର ଇଚ୍ଛାରେ ସାର କଥାଟି କୁହାଯାଇଛି,

 

‘‘ଯାହା ପାଉଛ ସବୁ ଅପୂର୍ବ

      ଭୁଞ୍ଜି କୃତଜ୍ଞ ହୁଅ....

କେମିତି: ନା ଏମିତି:

ଚୁମୁ ଚୁମୁ ଯଦି ହିକ୍‌କାଟିଏ ଆସି

ଓଠ ଥାପି ହୋଇଗଲା ସିଂଘାଣିନାକୀର

ନାକ ପୁଡ଼ାରେ ଓହରି ଆସନା

ଚୁମ, ଲେହ !’’

 

କାରଣ ଓହରି ନ ଆସି ଚୁମିବାରେ ଓ ଲେହିବାରେ ଇ ଜୀବନାମୃତର ସ୍ୱାଦ । ଅଦ୍ଭୁତ ଆଉ ଅପୂର୍ବ ।

 

ମୁଁ ପ୍ରେମିକ ତୁମର: ପୂଜାରୀ ତୁମର, ଆସ....

 

‘‘ଶିଶୁ’ ଏବଂ ‘ସୁନ୍ଦର’ ଉଭୟ କବିତାର ଭାବସତ୍ତାରେ ଏକ ଅପୂର୍ବ ଆବାହନର ଉଚ୍ଚାରଣ-। ଶୈଶବମୟ ସାମ୍ରାଜ୍ୟରେ ଶିଶୁ ହିଁ ତ ସମ୍ରାଟ । ଇଚ୍ଛା-ଜନ୍ମର ବରରେ ବଳୀୟାନ ଶିଶୁ, ମୃତ୍ୟୁ ବି ଡରେ ତାକୁ । ତା’ର କୁଆଁ, କୁଆଁ ଡାକ ଆଦିମ ଓ ମୌଳିକ ତମ କବିତା ତାର ନାଭିନାଥ କଟିଗଲେ ପରମ ବାଞ୍ଛନୀୟ ମୁକ୍ତାୟନର ସମାପ୍ତି । ଶିଶୁ ହିଁ ସ୍ୱୟଂ କର୍ତ୍ତା, କାରଣ ଅଧିକରଣ ସଂପ୍ରଦାର ଅପାଦାନ କର୍ମ କାରକ । ସାରା ବିଶ୍ୱ ସାହିତ୍ୟ ଓ ସମଗ୍ର ଭାଷାକୋଷ ତାର ମୁଲାୟମ ଦରୋଟିରେ ତା’ର ଚାଲିବାକ୍ରୀୟାରେ ସାରା ସୃଷ୍ଟି ଓ ସ୍ରଷ୍ଟା ଇହକ୍ଷଣାର ବିନ୍ଦୁରେ । ପିତା ଆଉ ମାତା ଉଭୟ ପାଲଟି ଯାଇ ସ୍ୱାଗତ କରିବାକୁ ହୁଏ ତାକୁ । ପ୍ରତି ଲୋମକୂପକୁ ଦ୍ୱାର କରି ମେଲି ଦେବାକୁ ପଡ଼େ ତା’ର ଆଗମନ ପାଇଁ । ଅସତ୍ୟ-ଅଶିବ-ଅସୁନ୍ଦର ଆଉ ଦୁଃଖ ସୃଜି ପାରିପାର କ୍ଷମତାରେ ଶିଶୁ ଈଶ୍ୱରଠୁଁ ବି ବଡ଼ । ତେଣୁ ଶୈଶବମୟ ହୋଇ ରହିଥାଉ ସମଗ୍ର ସୃଷ୍ଟି ସବୁ ମଲାଲୋକ ଓ ବଡ଼ ମଣିଷ ଶିଶୁ ପାଲଟି ଯାଆନ୍ତୁ, ସବୁ ଶିଶୁ କବି ହୋଇ ରହିଥାଆନ୍ତୁ ।

 

ଯେତେବେଳ ନିଦରେ ବିଭୋର ସମସ୍ତେ, ସେବେଳେ ସାରା ରାତିର ପ୍ରତୀକ୍ଷାରେ ଭୋର୍ ହେଉଛି ଭୋର ଏବଂ ତଥାପି ଜଣେ କିଏ ସୁନ୍ଦରର ଆବାହନ କରି ଚାଲିଛି । ସୁନ୍ଦରର ଅଦ୍ଭୂତ ଘଟ ଆଉ ଅପୂର୍ବ ଆତ୍ମାର ସ୍ୱରୂପ ବଖାଣି ତା’ର ଆଗମନ ପାଇଁ, ଅପେକ୍ଷା କରି ରହିଛି । ଦିଶିଯାଉଛି ଆପଣାର ଅକ୍ଷମତା ଆଉ ଅସାମର୍ଥ୍ୟ ଏବଂ ଶ୍ରାବଣ ଓ ହୁତାଶନ ଏକ ହୋଇ ଜଳୁଚି ତାର ଘଟରେ-। ପରିପ୍ରକାଶର ବ୍ୟାକୁଳତାରେ ପ୍ରତି ଲୋମ ମାଗୁଛି ମୂରତି ଆଉ ମୁକ୍ତି । ସୁନ୍ଦର ଆସିଲେ ଇ ସୃଷ୍ଟି ଓ ପ୍ରଳୟ । ଆପଣାର ଅଭିଶାପରେ ସେ ଅନ୍ତର୍ହିତ ପ୍ରାୟ । ତିରୋଧାନର ଆବିର୍ଭାବର ଘଡ଼ିସନ୍ଧିରେ ମହାମିଳନର ମୁହୂର୍ତ୍ତ । ଯେଉଁଠି ସୃଷ୍ଟି, ସ୍ରଷ୍ଟା ଓ ନିଜେ ଖୋଦ୍ ସୁନ୍ଦର ପରମ ଆନନ୍ଦରେ ଆବାହୂତ ଓ ଏକୀଭୂତ ।

 

‘ଶିଶୁ’ ଓ ‘ସୁନ୍ଦର’ ଉଭୟ ବ୍ୟାହତ ଏକ ଆବାହନୀ କବିତା ’ଶିଶୁ’ କବିତାର ପ୍ରଚ୍ଛଦ ପଟରେ ଜଟିଳ ଜୀବନର ଯୌବନ ଓ ଜରାସ୍ପଷ୍ଟ ରୂପେ ଦିଶେ । ‘ସୁନ୍ଦର’ କବିତାରେ ଭଙ୍ଗୁର ଘଟରୁ ଏକ ଅଭଙ୍ଗୁର ଆତ୍ମାର ଅସ୍ପଷ୍ଟ ଝଲକ ଜନ୍ମ ନିଏ । ଉଭୟ ଶିଶୁ ଆଉ ସୁନ୍ଦରକୁ ଲକ୍ଷ୍ୟ କରି କବି କହେ:-

 

‘‘ମୃତ୍ୟୁ ଯେଉଁଠି ମହାଜୀବନର ସ୍ତରରେ

ଅମୃତମୟ ବିନ୍ଦୁରେ,

ସେଇଠି ତୁ, ସେଇଠି ତୁ, ତୁ ସେଇଠି !

 

ତା’ ସହିତ ମହାମିଳନର ମୁହୂର୍ତ୍ତ ପାଇଁ ଏଇ ଅନନ୍ତ ଶୈଶବ ବିନିଦ୍ର ରାତି ପାହିବା ପରେ ସୁନ୍ଦରମୟ ଉଷାକାଳ । ଶିଶୁ ଆଉ ସୃଷ୍ଟି ମାତ୍ରକେ ଇ ତ ସକାଳ !

 

ଭାରି ଶୋଷ, ଦେହି ଦେହି...

‘ଜରତା’, ‘ରାଗ ସୋହିନୀ’ ଏବଂ ‘ବିଷକନ୍ୟା’ କବିତାରେ ଭାବସତ୍ତା ଏକ ଅଦ୍ଭୁତ ଘଣ୍ଟାତରିତ ହେବାର ଉପଲବ୍ଧିରେ ନିହିତ । ଜରତା, ବେଶ୍ୟା ଓ ବିଷକନ୍ୟା ତିନି ହେଁ ଯେମିତି ତୃଷାର୍ତ୍ତ, ଶୋଷ ବିକଳ । ଏକ ନିଆରା ଘଟାନ୍ତରିତ ନ ହେଲେ ସେ ତୃଷ୍ଣା ମେଣ୍ଟିବ ନାଇଁ । ‘ଜରତା’ କବିତାରେ ସୁଦୀର୍ଘ ବୈଶାଖୀର ତୃଷାତୁର ମୁହୂର୍ତ୍ତଗୁଡ଼ିକ ପରେ ଝରିପଡ଼ୁଛି ଶ୍ରାବଣ । ଶାକ ଶସ୍ୟ ସବୁଜିମାରେ ଭରି ଯାଉଛି ସମଗ୍ର ଭୂବନ । ଏକ ଅପୂର୍ବ ପ୍ରାପ୍ତିରେ ଜରତା ପାଲଟି ଯାଉଛି ‘ବୟସହୀନା ଚିରତରୁଣୀ’, ‘ମାତର୍ଷି’, ‘ଲୋକେଶ୍ୱରୀ’ । ଘଟାନ୍ତରିତ ହେବାକୁ ତୃଷ୍ଣା ଏମିତି ମେଣ୍ଟୁଚି-

 

’ରାଗ ସୋହିନୀ’ କବିତାରେ ସାମୟିକ ସ୍ୱପ୍ନ ମେଣ୍ଟାଇ ଦେଉଛି ଗୋଟେ ବେଶ୍ୟାର ଘରସଂସାର-ଅନ୍ତରଙ୍ଗ ପୁରୁଷ ଓ ଆତ୍ମୀୟତାର ତୃଷା । ହଠାତ୍ ଭାଜି ଯାଉଛି ସ୍ୱପ୍ନ, ହଜି ଯାଉଛି ଜେମାର ଜେନାମଣୀ । ଶେଷ ଗରାଖଟିର ଛେପ ଝାଳ ମଦ ଗନ୍ଧ, ମାଉସୀର ହିସାବ ନିକାଶ ଏବଂ କମଳା କୌଶଲ୍ୟା ଚାମେଲୀ ବିନୋଦିନୀ ସହ ‘କଲରୋଳର କାବ୍ୟ’ ପ୍ରଭୃତିଙ୍କ ଗହଣରେ ଅଣନିଶ୍ୱାସୀ ହେଇ ଉଠୁଛି ବେଶ୍ୟାଟି । ଅପରାହ୍ନ ଗଡ଼ିଗଲେ, ସାଜସଜ୍ଜା ପାଇଁ ଦର୍ପଣ ଆଗରେ ଛିଡ଼ା ହେଲେ ପୁଣିଥରେ ବେଶ୍ୟାଟିକୁ ଘାରେ ସେଇ ସ୍ୱପ୍ନାୟିତ ମୁହୂର୍ତ୍ତ । ଶୂରସୁନ୍ଦର ଜେନାମଣି ପୁଣିଥରେ ଆସିଗଲେ ତା’ରି ଲାଗି । ସଞ୍ଜ ଗଡ଼ିଗଲେ ଇ ତ ରାତି । ପୁଣିଥରେ ପୂତି ଓ ବିଭୂତି । ବେଶ୍ୟାଟିର ତୃଷା ମେଣ୍ଟେନାହିଁ ସାମୟିକ ସ୍ୱପ୍ନରେ । କ୍ରୁର ବାସ୍ତବତା ହାତଠାରି ଡାକେ ତାକୁ ପୁଣିଥରେ ।

 

ବିଷକନ୍ୟାର କଂଠରେ ଓଠରେ ‘ସାତ ସମୁଦ୍ର ତେର ନଈ ପିଇଯିବାର ଶୋଷ । ପ୍ରତିଟି ଲୋମକୂପରେ ଫୁରେ ମୃତ୍ୟୁର ମହକ ।’ ଆରୋପିତ ଉଲ୍ଲାସକୁ ଶହେ ଗୁଣ ବଳି ପଡ଼ୁଥାଏ ଯାତନା-। ପରବର୍ତ୍ତୀ ଚୋଟ ପାଇଁ ପ୍ରସ୍ତୁତ ହେଉ ହେଉ ଦଂଶିପାରେନା ସେ, ଫେରିଯାଏ ନିଜର ଏକାନ୍ତ ହଂସପୁରକୁ, ଦର୍ପଣ ଆଗରେ ଠିଆ ହୁଏ, ‘ମା’ ଡାକଦିଏ । ଉତାରିଦିଏ ନିଜର ଚନ୍ଦ୍ରଝୁଂପା, କାଂଚୁଲି, ସ୍ତନ, ମାଂସ ହାଡ଼ ଚର୍ମ, ପାଞ୍ଚ ମନ ପଚିଶ ପ୍ରକୃତି, ନିଜ ଭିତରୁ ନିଜକୁ ଉତାରି ପକାଏ । ଆଉ ଥରେ ପ୍ରସୁତା ହୋଇ ବାହାରେ ବିଷକନ୍ୟା ଜରାୟୁରୁ, ଅମୃତକନ୍ୟା ପାଲଟିଯାଏ । ସେତେବେଳକୁ ତୃଷା ଆଉ ନ ଥାଏ ।

 

‘ଜରତା’‘, ‘ରାଗ ସୋହିନୀ’ ଏବଂ ବିଷକନ୍ୟା କବିତାରେ କ୍ରୁର ବାସ୍ତବତା ଓ ସ୍ୱପ୍ନିଳ ପରିବେଶର କାବିକ୍ୟ ସମନ୍ୱୟ, ଘଟାଂତରିତ ହେଉ ହେଉ ଆତ୍ମାତରିତ ହେବାର ଉପଲବ୍ଧି, ଏବଂ ତୃଷାର ଯାତନା ଓ ତୃଷା ମେଣ୍ଟିବାର ଅପୂର୍ବ ଉଲ୍ଲାସ, ସମାନ୍ତରାଳ ଭାବେ ଦୁଇଟି ସ୍ତରରେ ସଂଜୀବିତ ହୋଇ ରହେ । ‘ବିଶ୍ୱାସର ଘନକୃଷ୍ଣ ଭାବ’ ଆବିଷ୍ଟକରେ ଜରତାକୁ, ବେଶ୍ୟାକୁ ବିଷକନ୍ୟାକୁ :

 

‘ପ୍ରାୟଲୋକ-ପ୍ରାୟାଂଧକାର

ଆଖି ଦରବୁଜା ଥାଇ

ସୁକୁମାର ଧଳା ଛାଇଟିଏ

ଜୀବଦଶା କାଟିଦିଏ

      କେଇ ନିମଷର ଆବେଗରେ

ଧରକ୍ରୀୟ ମୋହ ଲାସ୍ୟରେ

ନାଚି ନାଚି ନାଚି ନାଚି

      ମିଳେଇ ଯାଏ ପରେ ପରେ ମିଳେଇ ଯାଏ...’’

 

ନୂଆ ନଇଟିଏ ଫିଟି ପଡ଼େ, ମୁହାଣ ପାଇଯାଏ । ସଁବାଳୁଆଟିଏ ପ୍ରଜାପତି ହୋଇଯାଏ । ଜରତା ହୁଏ ମାତର୍ଷି, ଲୋକେଶ୍ୱରୀ । ବେଶ୍ୟାଟି ହୁଏ ସାମୟିକ ସ୍ୱପ୍ନରେ ରାଜଜେମା ଏବଂ ବିଷକନ୍ୟା ଅମୃତକନ୍ୟା ପାଲଟିଯାଏ ।

 

ଏକାଧାରାରେ ସମାହିତ ସୃଷ୍ଟି ସ୍ଥିତି ଲୟ....

‘ମୁଁ ତମର ତଟ ମାତ୍ର ? ଏବଂ ‘ଉପନଦୀ ପ୍ରତି ନଦୀ’ ଉଭୟ କବିତାର ଭାବସତ୍ତା ତଟ ଆଉ ସ୍ରୋତ ଓ ଉପନଦୀ ଆଉ ନଦୀର ସଂସର୍ଗିତ ସ୍ଥିତି ଏବଂ ତହିଁରୁ ଜାତ ତଟ ଓ ନଦୀର ବକ୍ତବ୍ୟ-। ସ୍ରୋତ ଗତିଶୀଳ ହେଲେ ତଟ ବି ସ୍ଥିର ପ୍ରବହମାନ । ଶିଖରରୁ ସମୁଦ୍ରକୁ ବହି ଯିବାରେ ଉଭୟଙ୍କର ଅପୂର୍ବ ସହ ଜୀବନ । ହଠାତ୍ ପ୍ରଖର ହୁଏ ସ୍ରୋତ, ପ୍ଳାବନରେ ଘୋଟିଯାଏ ମଧୁର ପ୍ରଳୟ । ‘ବ୍ୟାପ୍ତ’ ସହ ସୁଅ ଯିବ ଉପରକୁ ବୋଲି । ତଟ ସେଠି ତଳର ଚଟାଣ’ । ଅଦ୍ଭୁତ ପ୍ରବାହରେ ଥାଇ ଲୀନ ହେଇ ସ୍ରୋତ ଆଉ ତଟ ପରସ୍ପରକୁ କରନ୍ତି ଗ୍ରହଣ ।

 

‘ଉପନଦୀ ପ୍ରତି ନଦୀ’ କବିତାରେ ଉପନଦୀ ଓ ନଦୀ ବହିଆସନ୍ତି ‘ଦିହେଁ ଏକ ସଙ୍ଗରେ/ଡେଇଁ ନାଚି ଧାଇଁ ଧାଇଁ ପାଖରେ ପାଖରେ’ । ନଦୀପାଇଁ ସମୁଦ୍ର ସହ ମିଳନର ମୁହୂର୍ତ୍ତ ଯେତିକି ପାଖେଇ ଆସେ, ଉପନଦୀ ସହ ବହି ଆସିଥିବା ଅନ୍ତରଙ୍ଗ ମୁହୂର୍ତ୍ତଗୁଡ଼ିକ ତା’ର ମାନସ ପଟରେ ସେଭଳି ଝଲସେ । ଦିଗନ୍ତ ପରେ ଦିଗନ୍ତ, ମରୁମାୟାରେ ବଣା ହୋଇଯିବାର ଭୟ ଓ ସମୁଦ୍ର ପ୍ରତି ଅଚିହ୍ନା-ଅଜଣା ଭାବ ନଦୀକୁ ଘାରେ । ସ୍ପର୍ଶ, ପ୍ରତିଶ୍ରୁତି, ଉନ୍ମାଦ ଓ ଅନ୍ତହୀନ ପ୍ରବହତା ଭିତରେ ଉପନଦୀର ବିଲ ଓ ନଦୀର ପରାଜୟ । ସେତେବେଳକୁ ଉପନଦୀ ସ୍ୱପ୍ନ ବିସ୍ମୟ ଜୟ ପରାଜୟ ରୂପେ ନଦୀର ଆତ୍ମାର ପାରୁଶ ଥାଏ । ତଥାପି ନଦୀ ସମୁଦ୍ର ମିଳନ ପାଇଁ ବହି ଯାଉଥାଏ ।

 

‘ମୁଁ ତମର ତଟମାତ୍ର ? କବିତାରେ ଏକ ଅଦ୍ଭୁତ ଦୃଶ୍ୟରେ ସ୍ରୋତର ଉଭୟ ପାର୍ଶ୍ୱରେ ଦି’କୁଳ ହୋଇ ବହି ଯାଉଥିବା ତଟ ସ୍ରୋତ ଭିତରର ଆତ୍ମା ପାଲଟି ଯାଏ । ଏକାତ୍ମ ହୋଇଯାଆନ୍ତି ତଟ ଆଉ ସ୍ରୋତ । ଯୋଉଠି ପ୍ରବାହ ହୁଏ ଭୂମାରୂପୀ ପରମ ସଂଚାର । ଉପନଦୀ ପ୍ରତି ନଦୀ କବିତାରେ ଏକ ଅପୂର୍ବ ବିଚ୍ଛେଦରେ ଭୂମି ଏକାତ୍ମ ହୋଇ ଯାଆନ୍ତି ଉପନଦୀ ଆଉ ନଦୀ । ଥରେ ଏକାତ୍ମ ହୋଇଯିବା ପରେ ମିଳନ ଓ ବିଚ୍ଛେଦର ଭୂମି ଆଉ ନ ଥାଏ କାରଣ,

 

‘‘ପାଖେଇ ଆସିବାର ଭ୍ରମରେ

ଦୂର ଦୂରାନ୍ତରେ ହଜିଯିବା

ମହାମିଳନର ସ୍ୱପ୍ନ ଦେଖୁ ଦେଖୁ

ମିଳନ ବ୍ୟାଜରେ

ଚିର ବିରହର କରୁଣ ବିପ୍ରଲଂଭରେ

ରହିଯିବା ସେଇ ତ ନିୟତି ।’’

 

ଶୋଷ ଇ ଆଧେୟ ଯା ‘ର’ ଗତି ଯା ‘ର’ପାଦ ବେଡ଼ି, ସେ ବହିଯିବାକୁ ବାଧ୍ୟ । କାରଣ ପୃଷ୍ଟି-ସ୍ଥିତି-ବିଲୟରୁ ଏବଂ ନିଜର ସୁଅରୁ କାହାର ମୁକ୍ତି ନାହିଁ ।

 

ଫରୁଆ ଭିତରେ ଜୀବନର ଉକୁଣୀ

‘ପ୍ରିୟ ସହକବି !’ କବିତାରେ କବିର ଅସହାୟତା, ଅସାମର୍ଥ୍ୟ ଓ ପରାଜୟ ପୂର୍ଣ୍ଣ ଜୀବନର ବର୍ଣ୍ଣନା । ପ୍ରେମମୟ କାବ୍ୟ ସଂସାରରେ ବର୍ଣ୍ଣମାଳା ଅନିର୍ବାର୍ଯ୍ୟ ନିୟତିର ମୁକାବିଲା କରିବାକୁ ସଂପୂର୍ଣ୍ଣ ରୂପେ ଅକ୍ଷମ । କବିର ଖେଳ ଆରୋହଣ ନୁହେଁ, ରିଲେ । ହାତକୁ ବଢ଼ିଯାଏ କଲମ ନିର୍ଦ୍ଦିଷ୍ଟ ବିନ୍ଦୁରେ, ଜାଇ ରହିଥାଏ ଦୌଡ଼ । ‘ଉଷା’ କବିତାରେ ଏକ ଅନନ୍ତଗ ସକାଳର ବର୍ଣ୍ଣନା ଉଷା ଇ ‘ସକାଳ ଆଦି, ବର୍ତ୍ତମାନ’ ପ୍ରୟାସ ଓ ସମ୍ଭାବନାର ପ୍ରତୀକ ରୂପେ ଆସେ ଉଷା । ସମଗ୍ର ରାତିର ଅନ୍ଧାରକୁ ଧୋଇଦେଇ ସୂର୍ଯ୍ୟୋଦୟ ପାଇଁ ଦ୍ୱାର ଖୋଲିଦିଏ । ଢେଉ କବିତାରେ କ୍ଷଣସ୍ଥାୟୀ ଓ ଭଙ୍ଗୂରକୁ ଚିରସ୍ଥାୟୀ ଓ ଅଭଂଗୁର କରି ଗଢ଼ି ତୋଳିବାକୁ ପ୍ରାର୍ଥନା । ‘ଅଙ୍କୁରୋଦଗମ’ କବିତାରେ ମର୍ମବେଦନାର ଲାଳନ କରେ କାବ୍ୟପୁରୁଷ । ଲାଂଛିତ ହେଲେ ବି ନୂଆ ନୂଆ ସୃଷ୍ଟିର ସମ୍ଭାବନା ଥିବା ପର୍ଯ୍ୟନ୍ତ ବିଦାୟ ନେବାକୁ ସେ ଚାହେଁନା ।

 

‘ଆଶ୍ୱାସ’ କବିତାରେ ବିଷାଦଗ୍ରସ୍ତ ମଣିଷକୁ ଆଶ୍ୱାସନା ଦେବା ଛଳରେ ନିଜର କ୍ଷତ ଘା ପୋକ ନଖ ଦାନ୍ତ ଲିଙ୍ଗର ଦୁଃସହ ଅନିବାର୍ଯ୍ୟତାକୁ ସ୍ୱୀକାର କରିନିଏ କାବ୍ୟ ପୁରୁଷ । ଦୂରରୁ କେଉଁଠୁ ଭାସି ଆସେ ମହୋତ୍ସବ ପାଳନ ହେବାର କ୍ଷୀଣ ଆଭାସ । ‘ସେତିକି ଯଥେଷ୍ଟ’ କବିତାରେ ସମଗ୍ର କାବ୍ୟ ଜୀବନ ପାଇଁ ବର୍ଣ୍ଣମାଳାର ବିଭବ ଯଥେଷ୍ଟ ବୋଲି ଘୋଷଣା କରେ । ସେତିକି ମାତ୍ର ଜ୍ୟୋତିକୁ ପାଥେୟ କରି ମହା ତମିସ୍ରା ମଧ୍ୟ ଦେଇ ଚିର ସୂର୍ଯ୍ୟ ଅଞ୍ଚଳକୁ ସନ୍ତରି ଯାଇ ହୁଏ । ‘ପତ୍ନୀପ୍ରତି’ କବିତାରେ ପତ୍ନୀଠାରେ ନିଜର ପ୍ରଗାଢ଼ ବିଶ୍ୱାସ ପ୍ରକଟିତ ହୁଏ । ‘ପ୍ରାର୍ଥନା’ କବିତାରେ ନିଜର ଅହଂକାରର ବିନାଶ ପାଇଁ ପ୍ରାର୍ଥନା କରେ କାବ୍ୟ ପୁରୁଷ । ‘ମଣିଷ ଦେଖା’ କବିତାରେ ମଣିଷର ପ୍ରକୃତ ସ୍ୱରୂପକୁ ଚିହ୍ନିପାରେ ସେ । ‘ଜିଆ’ କବିତାରେ ଆତ୍ମା ପରି କୋମଳ ପବିତ୍ର ଜିଆକୁ ଦେଖି ପୁନର୍ଜନ୍ମରେ ଜିଆ ହେବାରେ ବାଂଛାକରେ । ‘ଜେମିସିସ୍’ କବିତାରେ ନିଜ ଉପରେ ଇ ପ୍ରତିଶୋଧ ପରାୟଣ କାବ୍ୟ ପୁରୁଷର ଏକ ଆତ୍ମଘାତୀ ଦୃଶ୍ୟ ବର୍ଣ୍ଣନା କରାଯାଇଛି ।

 

ଉପରୋକ୍ତ କବିତାଗୁଡ଼ିକର କଳେବର କ୍ଷୁଦ୍ର ହେଲେ ହେଁ ସେମାନଙ୍କର ଭାବ ସତ୍ତା ଅତ୍ୟନ୍ତ ମୁକ୍ତ ଓ ପ୍ରଶସ୍ତ । ଏକ ସାଧାରଣ ଅନୁଭୂତିକୁ ଅନନ୍ୟ କରି ଗଢ଼ି ତୋଳିବାରେ ସେମାନଙ୍କର ସାର୍ଥକତା । ‘ପ୍ରିୟ ସହକବି !ରେ ସାଧାରଣ ମଣିଷ ଓ କବି, ‘ଉଷାରେ ସଂଜ ଓ ସକାଳ, ଅନ୍ଧାର ଓ ଆଲୁଅ, ‘ଢେଉ’ରେ ଭଙ୍ଗୂର ଓ ଅଭଙ୍ଗୂର; ‘ଅଙ୍କୁରୋଦଗମ’ରେ ଆତ୍ମବେଦନା ଓ ସୃଷ୍ଟି ଜନିତ ଉଲ୍ଲାସ, ‘ଆଶ୍ୱାସ’ରେ ବିଷାଦଗ୍ରସ୍ତ ମଣିଷ ଓ ମହୋତ୍ସବର ଆଭାସ; ‘ସେତିକି ଯଥେଷ୍ଟ’ରେ କାରାୟନ ଓ ମୁକ୍ତାୟନ, ମହାତମିସ୍ରା ଓ ଚିରସୂର୍ଯ୍ୟ ଅଞ୍ଚଳ, ‘ପତ୍ନୀ’ ପ୍ରତିରେ ଅମୃତ ଓ ହଳାହଳ, ବିଶ୍ୱାସ ଓ ବିଶ୍ୱାସଘାତ, ‘ବଜ୍ରକୀଟ’ରେ ଫଳ ଓ କୀଟ; ‘ମଣିଷ ଦେଖା’ରେ ମଣିଷର ବାହ୍ୟ ଓ ଅନ୍ତରୂପ; ‘ଜିଆ’ରେ ମଣିଷର କଠୋରତା, ଅପବିତ୍ରତା ଓ ଜିଆର କୋମଳତା, ପବିତ୍ର; ନମସିସ୍’ରେ ଦେବୀ ଓ ପୂଜାରୀ, ବ୍ୟକ୍ତିଗତ ସ୍ଥିତି ସମର୍ପିତ ଭାବରେ ପ୍ରଭେଦ ସ୍ପଷ୍ଟ ବାରି ହୁଏ । ଏଇ ପ୍ରଭେଦ ଭିତରେ ଏକ ଅପୂର୍ବ ସମନ୍ୱିତ ସ୍ଥିତି ଫେଣ୍ଟି ହୋଇଥାଏ । ଦିଶୁଥିବା ଦୃଶ୍ୟ ଓ ଶୁଭୁଥିବା ଧ୍ୱନି ଆଢ଼ୁଆଳରେ ଗୋଟିଏ ଏକକ ଓ ଅଦ୍ୱୈତ ପ୍ରଚ୍ଛଦ ସ୍ପଷ୍ଟ ରୂପେ ଥାଏ । ଯହିଁରେ ସ୍ଥିର ଚିତ୍ରଗୁଡ଼ିକ ଭିତରେ ଭାବମୟ ଜଗତ ତରଙ୍ଗାୟିତ ହୁଏ ଅନୁକ୍ଷତା । ସେଇ ତରଙ୍ଗରେ ମିଶିଯିବା ପାଇଁ କେବଳ ଫରୁଆ ଭିତରେ ଥିବା ହୀବନର୍ତ୍ତ ଉକୁଣୀଟିକୁ ଠଉରାଇ ନେଇ ଲାଲନ କରିବାକୁ ପଡ଼େ ।

 

ଅନିବାର୍ଯ୍ୟ ବଜ୍ର ପାଇଁ ଅପେକ୍ଷା କରିଛି !

‘ପାରିବ ଯଦି, ଉଠାଇ ନିଅ କବି ! କବିତାରେ ଏକାକୀତ୍ୱର ଶିଖରରେ ରହିଥାଏ କବି । ମହାପ୍ରଳୟ ପରେ ପୁଣିଥରେ ସଜନା ପାଇଁ ଅଂଡ଼ରୂପୀ ବିପୁଳା ପୃଥିବୀକୁ ଶିଖରକୁ ଉଠାଇ ନେବାକୁ ଅନୁରୋଧ କରୁଛି ସବାଶେଷ ଲୋକ । ଶିଖରରେ ସ୍ଥାନିତ କବି ହିଁ ଅମୃତ ; ମୃତ୍ୟୁ, ସତ୍, ଅସତ୍, ଦୁଃଖ, ମହାସୁହ । ସୃଷ୍ଟି-ସ୍ଥିତି ପ୍ରଳୟର କ୍ରମଶଃ ଆଗମନରେ ସବୁଠାରେ ସେ । ସେ ହିଁ ସୃଷ୍ଟି-ପାଳନ-ସଂହାରକର୍ତ୍ତା । ନିଜେ ଇ ନିଜର ବିଧାତା ।

 

‘ଅଛି’ ବୋଲି କହି ଦିଅ’ କବିତାରେ ଏକ ନୀରବ ନିର୍ଜନ ରାତ୍ରୀରେ ଥରହର ମହାଯାତ୍ରୀ ଅନ୍ୱେଷଣ କରୁଚି ଏକ ଅଦ୍ଭୁତ ପୃଥିବୀ । ଯେଉଁଠି ଶ୍ମଶାନରେ ବି ଏନ୍ତୁଡ଼ର ଉଷ୍ମା, ଯେଉଁଠି ଶାକ ଶସ୍ୟ ସବୁଜିମାରେ ଭରପୁର ଅନନ୍ତ ସ୍ୱାଦ, ଯେଉଁଠି ଯୌବନ-ଜରା ଭିତରେ ଆନନ୍ଦମୟ ଚିରଶୈଶବ, ଦିଗ ମାତ୍ରେ ଇ ଯୋଉଠି ସୌରତୋରଣ, ଯେଉଁଠି ନାହିଁ ମାପଯୋଖରେ ସୀମିତ ମାନଚିତ୍ର, ସେମିତି ଏକ ପୃଥିବୀର ଅନ୍ୱେଷଣ ଜାରି ରହିଥାଏ । ମିଳେ କି ନ ମିଳେ ତାହା, ମହା ପୃଥିବୀର ମୁକ୍ତିପାଇଁ ବେଳ ଆଖର ହୋଇ ସାରିଥାଏ ।

 

‘ଆକାଶପାୟୀ’ ପାତାଳ ସ୍ପର୍ଶୀ, କବିତାରେ କାବ୍ୟପୁରୁଷର ଆତ୍ମ ଅନ୍ୱେଷା ବ୍ୟାପି ଯାଇଚି ଆପାତାଳ ଆକାଶ । କାରଣ ଏପରି ସନ୍ଧାନ ନାହିଁ ପ୍ରତ୍ୟେକ୍ଷ ବା ପରୋକ୍ଷରେ ଯାହା ନୁହେଁ ନିଜକୁ ଇ ସନ୍ଧାନ ନିଜର । ଆବେଗ-ଉଚ୍ଛ୍ୱାସମୟ ପରିଚୟର ବେଳ ଆଖର ହେଇନି ଏ ଯାଏଁ । ନିଜ ଶୋଷକୁ ପିଇ ଓ ନିଜ ଭୋକକୁ ଭୁଞ୍ଜି ‘ମାଆ-ମାଆ ପ୍ରକୃତିର ପୁଅ-ପୁଅ ଚେର’ଟିଏ ନିଜକୁ ଖୋଜେ ଅନୁକ୍ଷଣ । ଚିରକାଳ ଖୋଜିବାରେ ହିଁ ବିତିଯାଏ ତା’ର ଜୀବନ ମରଣ ।

 

‘ଶିଖରରେ ସହବାସ’ କବିତାରେ ଅନ୍ୱେଷାର ଚରମକ୍ଷଣରେ ନିରନ୍ତର ନିଜର ବିଷଥନକୁ ନିଜେ ଚୁଚୁମୁ ଥାଏ କାବ୍ୟ ପୁରୁଷ । ଶିଖରର ନୀଳ ଅହମିକାରେ ହିଁ ପରାସ୍ତ ହେବାର ମୁହୂର୍ତ୍ତ ପରାଜୟ । ସ୍ପଷ୍ଟ ଦିଶି ଆସୁଚି ନିଜର ରୂପ, ନିଜ ଭିତରେ ଇ ଶକଟା ବକ ଅର୍ଘା, ବଢ଼ୁଚି । ସତେ ଯେମିତି ନିଜ ଭିତରେ ଇ ମୃତ୍ୟୁ ଆଉ ମହାଜୀବନ, ବିଷ ଆଉ ପୀୟୁଷ । ମୃତ୍ୟୁ ଆଉ ଜୀବନର ଶିଖରରେ ଅଦ୍ଭୁତ ସହବାସ ।

 

‘ପତନ ଚିରନ୍ତନ‘ କବିତାରେ ‘ପତିଷ୍ଣୁ ନିୟତିରୁ ମୋର ନିସ୍ତାର ନାହିଁ’ ବୋଲି ଉପଲବ୍ଧି କରିପାରେ କାବ୍ୟ ପୁରୁଷ । ସାମାନ୍ୟ ଛତୁଠାରୁ ବି ନ୍ୟୁନତର ତା’ର ସ୍ଥିତି । ନିଜର ଶିଙ୍ଗ-ଆଙ୍ଗୁଠି- ନଖରେ ଭୁଷି ରାମ୍ପି ବିଦାରି ପକାଏ ସେ ଅନ୍ଧାରକୁ । ନୀରବତାର ଘଡ଼ଘଡ଼ିରେ ଥର ହରାଇ ଦିଏ ବୈକୁଣ୍ଠକୁ । ଆଦି ନାହିଁ ଅନ୍ତ ନାହିଁ, ‘ମଧ୍ୟ ଏକା ସର୍ବମୟ । ନିରନ୍ତନ ଗଗନେ ଉଠୁଚି ଆରୋହୀ ।

 

‘ଶୈଳକଳ୍ପ’ କବିତାରେ ଏକ ମହାନ୍ ଉଚ୍ଚତାରେ ସ୍ଥିର ହେଇ ଯାଇଛି ପର୍ବତ । କ୍ଳାନ୍ତପକ୍ଷୀ ଫେରି ଆସିଛି ନୀଡ଼କୁ । ଓହ୍ଲାଇ ଆସିଛି ପଶୁ ଗହନ ଗୁହାର ଅନ୍ଧାରକୁ । ଦୂରତା, ଶୀତଳତା, ଅପ୍ରାପ୍ତି, ପତନ, ପରାଜୟ, ମୃତ୍ୟୁ ଆଉ ଶୂନ୍ୟତାରେ ଭରପୂର ପର୍ବତର ଶିଖର । ଅଦ୍ଭୂତ ରୂପ ସମ୍ଭାରରେ ବିଭୂଷିତ ପର୍ବତ । ଆଶା ପରି ଆନନ୍ଦ ପରି, ‘ମୃତ୍ୟୁ ଅନ୍ନ ଜାଗରଣ ତପଶ୍ଚରତା ପରି, ‘ପ୍ରେମ ପରମ ମୌନ’ ପରି ହୁଅଇ ପ୍ରତୀତ । ନିଜସ୍ୱ ପରିଚୟ ମିଳିଯାଏ ପକ୍ଷୀକୁ, ପଶୁକୁ, ଶିଖରରେ ସ୍ଥାନିତ କବିକୁ । ନିର୍ଦ୍ଦିଷ୍ଟ ଏକ ଉଚ୍ଚତାରେ ସ୍ଥିର ଥାଇ ସେ ଅପେକ୍ଷା କରିଥାଏ ଅନିବାର୍ଯ୍ୟ ବଜ୍ରକୁ ।

 

‘ପାରିବ ଯଦି, ଉଠାଇ ନିଅ କବି । ‘ଅଛି ବୋଲି କହିଦିଅ’, ‘ଆକାଶପାୟୀ ! ପାତାଳ ସ୍ପର୍ଶୀ’, ‘ଶିଖରରେ ସହବାସ’, ‘ପତନ ଚିରନ୍ତନ’ ଓ ‘ଶୈଳକଳ୍ପ’ କବିତାଗୁଡ଼ିକର ଭାବସତ୍ତା ମୁଖ୍ୟତଃ ପତନ ଓ ଉତ୍‌ଥାନ, ଆରୋହ ଏବଂ ଅବରୋହ । ‘ଶିଖର ମାତ୍ର କେଇ ଆରୋହ୍ୟ ଭାବ କାବ୍ୟପୁରୁଷ ଆରମ୍ଭ କରେ ଆରୋହଣ । ଆରୋହଣର ପ୍ରତିଟି ମୁହୂର୍ତ୍ତରେ ନିଜକୁ ଇ ନିଜର ସନ୍ଧାନ ଓ ଶିଖରରେ ପହଞ୍ଚିଯିବା ପରେ ଅନିବାର୍ଯ୍ୟ ହୁଏ ଅବରୋହଣ । କବିତାଗୁଡ଼ିକର କାବ୍ୟ ସ୍ତରରେ ପ୍ରତ୍ୟକ୍ଷ ଭାବରେ ମଣିଷ ଓ ତା’ର ଜାଗତିକ ଜଞ୍ଜାଳ ଭିତରେ ଅନୁକ୍ଷଣ ଉନ୍ମୋଚିତ ହେଉଥିବା ନିଜର ସ୍ୱରୂପକୁ ଦେଖେ ଓ ବିପୁଳା ପୃଥ୍ୱୀ ସମ୍ମୁଖରେ ନିଜକୁ ନ୍ୟୁନ ମନେ କରେ । ଏକ ଭିନ୍ନ ସ୍ତରରେ, ଏଇ ଉପଲବ୍‌ଧିର ଗଭୀରତାର ଇ ନିହିତ ଥାଏ ଆରୋହ-ଅବରୋହ ବାହାର ଏକ ପୃଥିବୀ, ଯେଉଁଠି ଶିଖରୋତ୍ତର ହୋଇଯାଏ ସେ ଏବଂ ବିଜୟ-ପରାଜୟର ପୃଷ୍ଠ ଭୂମିରେ ଅବିଚଳିତ ଭାବରେ ସ୍ଥିର ହୋଇ ଠିଆ ହୁଏ । କହେ

 

‘‘ହଁ,

ସେତିକି ନିର୍ଦ୍ଦିଷ୍ଟ ଉଚ୍ଚତାରେ ମୁଁ

ସ୍ଥିର ହୋଇ ଯାଇଛି ।

ଅନିବାର୍ଯ୍ୟ ବଜ୍ରପାଇଁ ଅପେକ୍ଷା କରିଛି ।’’

 

ସେ ହିଁ ଶିଖରସ୍ଥ କବି ଉଠାଇ ନିଏ ଅନ୍ତରୂପୀ ବିପୁଳା ପୃଥ୍ୱୀକୁ । ମହାପୃଥିବୀର ମୁକ୍ତି ମନାସି ସେ ହିଁ ମହାଯାତ୍ରୀ, ଜାରି ରଖିଥାଏ ଅନୁସନ୍ଧାନ ତହିଁରେ ପ୍ରତିବିମ୍ବିତ ସାମଗ୍ରୀକ ଜୀବନ) ଭୂଇଁ-ଆକାଶ-ପାତାଳରେ । ଶିଖରରେ ଅଦ୍ଭୂତ ସହବାସ ହେଲେ ବି, ‘ପତିଷ୍ଣୁ ନିୟତି’ ଯୋଗୁଁ ତାର ଚିରନ୍ତନ ପତନ । ପତନ ମୁହୂର୍ତ୍ତରେ ହିଁ ଉତ୍‌ଥାନ ଏବଂ ଶିଖର । ସ୍ଥିରତାରେ ଇ କେନାଏ କୋମଳ କିଡ଼ାଳୟର ଅଦ୍ଭୂତ ବିଜୟ । ପୁନରାୟ ଉତ୍‌ଥାନ, ପଲ୍ଲବ ସମ୍ଭାରରେ ବିଭୂଷିତ ଶାଖା ପ୍ରଶାଖା ପ୍ରତିଟି ଡାଳ, ଉଁଚ୍ଚରୁ ଉଚ୍ଚତରକୁ ପ୍ରଖର ଗତି, ପ୍ରତିଟି ପ୍ରାକ୍ ଅବସ୍ଥାକୁ କହିପକାଏ ବିଦାୟ ବିଦାୟ । ସୃଷ୍ଟି-ସ୍ଥିତି ପ୍ରଳୟ ହିଁ ତ ସ୍ରଷ୍ଟାର ଆତ୍ମ ପରିଚୟ ।

 

ସୀମାନ୍ତ ପହଞ୍ଚି ଯାଏ ଦିନେ, ପହଞ୍ଚିଯାଏ

‘ଯୁବରାଜ’ କବିତାରେ ଅଭିଷେକ ମୁହୂର୍ତ୍ତରେ ଯୁବରାଜ ସିଂହାସନ ସାମ୍ରଜ୍ୟ ପ୍ରଜାପାଟିକକୁ ଛାଡ଼ି ଆଗେଇଯାଇ ସୀମାନ୍ତମୁହାଁ । ମନ୍ତ୍ରପାଠର ତ ରାଜ ପୁରୋହିତ, ସସ୍ମିତ ମନ୍ତ୍ରୀ, ବଶମ୍ବଦ ସେନାପତି, ଯୋଡ଼ହସ୍ତ ପାରିଷଦ ବର୍ଗ, ସାମନ୍ତକୁଳ, ଦାସଦାସୀ, ଭାଟ ଓ ପ୍ରଜାପାଟକଙ୍କର ଉତ୍କଣ୍ଠାକୁ ଉପେକ୍ଷିତ କରି ଛୁଟିଯାଏ ରାଜକୁମାର ଶାଣିତ-ଖଡ଼୍‌ଗ ମୁରୁଚା ଧରେ, ଧୂଳି ଧୂସର ହୁଏ ମହାର୍ଘ ସାଜ ପୋଷାକ ଶିରା-ଚକ୍ଷୁ-ଚର୍ମ-ମାଂସ ପଚେ ସଢ଼େ ହାଡ଼ ପଞ୍ଜରା କ୍ଷୟ ହୋଇଯାଏ । ସୀମାନ୍ତ ବିନ୍ଦୁରେ ପହଞ୍ଚି ସିଂହାସନ-ମୁକୁଟହୀନ ରାଜାଧିରାଜ ‘ନଗ୍ନ’ ସ୍ୱଚ୍ଛ, ଉଚ୍ଚତମ ହୁଏ ।

 

‘ଅଭିଯାନ ଦାକ୍ଷିଣାତ୍ୟ’ କବିତାରେ ମୁକୁଟ-କୁଣ୍ଡଳ-ମୁଦି-ସାଂଜୁ-ସାଜପୋଷାକ-ମାଳମାଳ ପଦକ ଭୂଷିତ ଖଡ଼୍‌ଗହସ୍ତ ସେନାପତି ଛୁଟିଯାଏ ଦକ୍ଷିଣମୁହାଁ । ଡମ୍ବରୁ ବୀରକାହାଳୀ ଟମକ ଦ୍ୱନ୍ଦୂଭି ବିନିଘୋଷ ରେରେକାର ହୁଙ୍କାର ହେଷା ହାକାର ସବୁ ନୀରବିଗଲାଣି । ‘ମୌନ ଇ ମୌନ ଦିଶା ଦିଶା ସର୍ବଦିଶା ଏବେ । ଇତିହାସ ଭିତରକୁ କିମ୍ବଦନ୍ତୀ ପରି ପ୍ରବେଶି ଯାଏ ତା’ର ଗଭୀର ଆତ୍ମବିଶ୍ୱାସ । ଖର୍ବତାରୁ କ୍ଳାନ୍ତିରୁ କର୍ଦମରୁ ପରାସ୍ତମନ୍ୟତାରୁ ବିଚ୍ୟୁତିରୁ ଗ୍ଳାନିରୁ ନିର୍ମମତାରୁ ବିଷାଦରୁ ବିଦାୟ ନିଏ ସେ । ସଜବାଜ ଯୁଦ୍ଧ ଭୂମୀରୁ ସୁଯୋଦ୍ଧା ଠାଣିରେ ବିଦାୟ ନେବା ଇ ବିଜୟ-। ଯେଉଁଠି ମନ-ଅପଘନ ସାମ୍ରାଜ୍ୟ-ସିଂହାସନ ନିମିଷକେ ଲଭେ ପରାଜୟ ।
 

‘ପଶ୍ଚିମାଶା ପୂର୍ବମୟ’ କବିତାରେ ଅନିବାର୍ଯ୍ୟ ପତନରୁ ସ୍ୱୀକାରିନିଏ କାବ୍ୟପୁରୁଷ । କହେ, ବିଷାଦ ନାଇଁ ଢଳିବାର’ । ହୃତ୍‌ପିଣ୍ଡ ଭିତରର ବିଦ୍ୟୁତର ବର୍ଣ୍ଣ ନୀଳ ହୋଇଯାଏ । ଅବଶୋଷ-ଆକ୍ରୋଷ-ଅନୁତାପ ବିହୀନ ଏକ ଅ୍ରପୂର୍ବ ସ୍ଥିତପ୍ରଜ୍ଞ ଭାବରେ ବୁଜି ହୋଇଯାଏ ପରାର୍ଦ୍ଧବଳ କମଳ । ମୌନ ଆଉ ସ୍ତବ୍ଧ ହୁଏ ନାଦକେନ୍ଦ୍ରର ପ୍ରେରଣିତ ଭ୍ରମର । ବିନା ଦ୍ୱିଧାରେ ଅଧରକୁ, ଘା’କୁ, ଶିଶିରକୁ, ସ୍ଫୁଲିଙ୍ଗକୁ, ତୁଳୀ ଆଉ ସଙ୍ଗୀନ ମୁନକୁ, ପୋକକୁ, ଭୁଜଙ୍ଗୀକୁ, ପୂର୍ବମୟ ପଶ୍ଚମାଶାକୁ, ସଭିଙ୍କୁ ସମସ୍ନେହରେ ସରାଗରେ ଛୁଇଁ ଛୁଇଁ ଯାଏ । ବିଦାୟ ନିଏ ।

 

‘ଯୁବରାଜ’, ‘ଅଭିଯାନ ଦାକ୍ଷିଣାତ୍ୟ,’ ଓ ‘ପଶ୍ଚିମାଶା ପୂର୍ବମୟ’ କବିତାଗୁଡ଼ିକରେ ଭାବସତ୍ତା ଏକ ଅପୂର୍ବ ବିଦାୟ । ବାହ୍ୟ ସ୍ତରରେ, ନିଛକ କାହାଣୀ ଭଙ୍ଗୀରେ ବିଦାୟର ଟିକି ନିକି ବର୍ଣ୍ଣନା ଯୁବରାଜ, ସେନାପତି ଓ କାବ୍ୟ ପୁରୁଷକୁ ପହଞ୍ଚାଇ ଦିଏ ସୀମାନ୍ତରେ । ସୀମାନ୍ତ ଔଜଲ୍ୟମୟ, ନାହିଁ ଯହିଁ ମିଳନ-ବିଦାୟ । ଅଂତଃସ୍ତରରେ, ଅଂତୁଡ଼ିରୁ ଶ୍ମଶାନ ପର୍ଯ୍ୟନ୍ତ ପ୍ରଳମ୍ବିତ ଶୈଶବ-ଯୌବନ-ଜରାର ପ୍ରଗଣା । ତହିଁରେ ମଣିଷର କାରୁଣ୍ୟ ଭରା ସ୍ଥିତି ଏବଂ ଅନିବାର୍ଯ୍ୟ ଇତି-। ଅଭିଷିକ୍ତ ହେବା ମୁହୂର୍ତ୍ତରେ ଯୁବରାଜ ପହଂଚି ଯାଉଚି ସୀମାନ୍ତ । ବିଜୟ-ପରାଜୟକୁ ଭୃକ୍ଷେପ ନ କରି ଯୁଦ୍ଧ ଭୂଇଁରୁ ଦକ୍ଷିଣ ମୁହାଁ, ଛୁଟି ଯାଉଚି ସେନାପତି । କୋଟି କୋଟି ବର୍ଣ୍ଣମାଳା, ଯୁକ୍ତାକ୍ଷର, ମାତ୍ରା, ଅନୁସ୍ୱାର’ ଚନ୍ଦ୍ରବିନ୍ଦୁ,ବିସର୍ଗରେ ଅନିର୍ବାର୍ଯ୍ୟ ନୀରବତା । ସେଇ ନୀରବତାର ଉପଲବ୍‌ଧିରେ ଅସ୍ତଗାମୀ କାବ୍ୟ ପୁରୁଷ ।

 

‘‘କେଜାଣି,

ପୂର୍ବ ନାମକ ଦିଗ

ଆଉ ରହିବ କି ନାଇଁ !

ଅନ୍ତିମ ଅସ୍ତିମା ଏଇ,

ଆଉ ନାହିଁ ନାହିଁ... ...

କାଲିଠାରୁ ଅନୁନୟ,

ନା,ଦୁଃଖ ନାଇଁ ।’’

 

ଶେଷ ସୂର୍ଯ୍ୟର ଶେଷ କିରଣର ସବାଶେଷ ବିନ୍ଦୁଟି ସେ ଦେଇଯାଉଛି ମଣିଷକୁ । ଆଗାମୀ ପୃଥିବୀର ଆଲୋକ ପାଇଁ ସେତିକି ଯଥେଷ୍ଟ । ସୂର୍ଯ୍ୟମୟ ଅସ୍ତୋତ୍ତରରେ ଅଦ୍ଭୂତ ଏଇ ବିଦାୟ ଯେଉଁଠି ସମଗ୍ର ପଶ୍ଚିମ ଦିଗ ହୁଏ ପୂର୍ବମୟ । ସବାଶେଷ କିରଣ ବିନ୍ଦୁରୁ ବିଛୁରିତ ଶତ ସହସ୍ର ସୂର୍ଯ୍ୟୋଦୟ । ପୁଣି ଥରେ ସିଂହାସନ-ସାମ୍ରାଜ୍ୟ, ଯୁଦ୍ଧ ଆଉ ଯୋଦ୍ଧା, କବିତା ଓ କବି ବର୍ଣ୍ଣମାଳାମୟ ।।’’

 

ବିନ୍ଦୁ ଭିତରେ ନିହିତ ବିଚିତ୍ର ମହାଭାରତ

କଳା ମେଘ ଘଡ଼ଘଡ଼ି ଅନ୍ଧାର ଗହଣରେ ନିମିଷକ ପାଇଁ ବିଜୁଳିର ଝଲକ ଝଲସାଇ ଦିଏ ସବୁ କିଛି । ସେଇ ଝଲକକୁ ସ୍ଥିର ରଖି ସମଗ୍ର ପୃଥିବୀକୁ ଆଲୋକମୟ କରି ଦେବାର ପ୍ରୟାସ ପ୍ରତିଟି ସତ୍ କବିର ଏକ ମାତ୍ର ଲକ୍ଷ୍ୟ । ସାମାନ୍ୟତମ ଝଲକାଏ ଦୃଶ୍ୟକୁ ଦେଖି, ପରଖି ନେବାବେଳକୁ, ହଠାତ୍ ପ୍ରସରିଯାଏ ଦିଗନ୍ତ ଆହୁରି ଆହୁରି । ସେଥି ପ୍ରସରିତ ଦୀଗନ୍ତରୁ ବର୍ଣ୍ଣମାଳା ମାଧ୍ୟମରେ ବର୍ଣ୍ଣନା କରିବାର ପ୍ରୟାସ ହୁଏ ପ୍ରତିଟି କବିତାରେ । କାଳେ ଜଣେ ସଚେତନ ସହୃଦୟ ସମ୍ବେଦନଶୀଳ ପାଠକ ସେଇ ଦିଗନ୍ତ ବ୍ୟାପୀ ରୂପକୁ ନିଜର କ୍ଷୁଦ୍ର କନିନିକାରେ କିଛିକାଳ ପାଇଁ ଧରି ରଖିପାରେ । ଏଇ ସମ୍ଭାବନା ପାଇଁ ହିଁ ଗଢ଼ି ତୋଳିବାକୁ ହୁଏ କାବ୍ୟର ନଅର ।

 

କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ‘ଶୈଳକଳ୍ପ’ ସେଇ ପ୍ରୟାସ ଓ ସମ୍ଭାବନାର ସ୍ପର୍ଶ ପାଇଁ ଦୁଇଟି ସ୍ତରରେ ଅଦ୍ଭୂତ ଭାବ ଓ ରସନିର୍ଯାସ ସହ ଉଛୁଳି ପଡ଼ୁଥାଏ । ଶିଶୁ ଓ ସୁନ୍ଦରର ଆଗମନ ପାଇଁ ପ୍ରତିଟି ଲୋମକୁପ ଘଟିଛି ମୁରତି ମାଗିବା ପରି, କାବ୍ୟ ପୁରୁଷ ବିଦୀର୍ଣ୍ଣ ହୋଇ ଦ୍ୱାର ହୋଇଯିବା ପରି, ଏକ ନିଆରା ଉନ୍ମୋଚନର ପ୍ରତୀକ୍ଷାରେ ତନୁ ମନ ଆତ୍ମାକୁ ଉନ୍ମୁକ୍ତ ରଖିବାକୁ ପଡ଼େ । ସକଳ ରୁଦ୍ଧତାରୁ ମୁକୁଳି ଆସିବାକୁ ହୁଏ ନିଭୃତରୁ ନିଖିଳକୁ । କାରଣ ଭଗରୁ ନଉଆଡ଼କୁ ଆମର ଯାତ୍ରା ଚିରକାଳ । ଏଇ ଯାତ୍ରାର ପଦେ ପଦେ ପଥେ ପଥେ ପ୍ରତିଟି ଯାତ୍ରୀ ଉପଲବ୍ଧି କରେ :

 

‘‘ଇନ୍ଦ୍ରଧନୁର ରଙ୍ଗ ନେଇ

      ଫୁଟୁଚି ଆତ୍ମାର ପୁଷ୍ପ

ଅର୍ବୁନ ଲହରୀରେ ଶିହରୀ ଯାଉଛି

      ଭିତରର ସୁକ୍ଷ୍ମ ପୁରୁଷ ।’’

 

ଫୁଟି ଯିବାକୁ ହେଲେ କଢ଼ ପରି ନିବୁଜ ଅନ୍ଧାର ଭିତରେ ପାଖୁଡ଼ା ମେଲି ହୋଇ ଯିବାର ଓ ଆଲୁଅର ଛୁଆଁ ବାଜିବାର ମୁହୂର୍ତ୍ତକୁ ଅସୀମ ଧୈର୍ଯ୍ୟସହ ଅପେକ୍ଷା କରିବାକୁ ହୁଏ । ଲହଡ଼ିମୟ ହେଉ ଶିହରିଯିବାକୁ ହେଲେ ସମୁଦ୍ରପରି ଅବିରତ ଚଳଚଞ୍ଚଳ ହୋଇ ରହି ବୁଦ୍‌ ବୁଦ୍‌ ଝରଣାର ଆତ୍ମାକୁ ନିଜର ହୃଦକନ୍ଦରରେ ଲାଳନ କରିବାକୁ ହୁଏ ।

 

ବେଳେବେଳେ ଏମିତି ମୁହୂର୍ତ୍ତ ଆସେ ଜୀବନରେ ଯେତେବେଳେ ବିଶ୍ୱରୂପ ଅଣୁରୂପ ହୁଏ ଜଣେ କାହାର ଆଧାର ବିନ୍ଦୁରେ ସେଠି ସେଇ ନିର୍ଦ୍ଦିଷ୍ଟ ବିନ୍ଦୁରୁ ଶୁଭେ, ଅନନ୍ତକାଳ ଶୁଭୁଥିବ ଗୋଟିଏ ମୃତ୍ୟୁର ନୀରବତା ।’’ ସେହି ନୀରବତାକୁ ଶୁଣୁ ଶୁଣୁ ଗୁଣୁ ଗୁଣେଇ ଯାଏ କବିତା । କବିତା ଭିତରେ କାବ୍ୟ ପୁରୁଷ ଓ ପ୍ରିୟ ମଣିଷ ପାଏ ନିଜର ଅଦ୍ଭୂତ ଉଚ୍ଛ୍ୱାସମୟ ପରିଚୟ ଏବଂ ସେତେବେଳେ

 

‘‘ବୁଡ଼ି ବୁଡ଼ି ମରିଯିବା ଆଉ ଉଡ଼ି ଉଡ଼ି ଉଠିଯିବା

ଉଭୟ ଭାବ

ଅନୁଭୂତ ହୁଏ ଏକାବେଳକେ

ଏଇ ଘଟରେ ।’’

 

ଏକା ଥରକେ ସ୍ୱଦେହରେ ଏକ ପ୍ରଖର ଗିରି ନିର୍ଝର ଓ ଅଲୌକିକ ଗୋଟିଏ ପକ୍ଷୀ ପାଲଟି ଯାଏ କାବ୍ୟପୁରୁଷ ଓ ତା’ସହିତ ପ୍ରିୟ ମଣିଷ ଉତ୍‌ଥାନ ଓ ପତନ ଆଡ଼େ ସମାନ ବେଗରେ ମାଡ଼ି ଯାଉ ଯାଉ ପ୍ରତିଟି ମୁହୂର୍ତ୍ତରେ ହୁଏ ‘‘ବିନ୍ଦୁ ବିନ୍ଦୁ ଦର୍ପଣାୟନ ବିନ୍ଦୁ ବିନ୍ଦୁ ଆତ୍ମମଜ୍ଜନ...... ’’

 

ଏମିତି ଭାବରେ ଆତ୍ମ ପରିଚୟ ଓ ଆତ୍ମଉପଲବ୍‌ଧି ପାଇଗଲେ ଶିଖରମୟ ହୁଏ ପାଦ ଦେଶ । ଯେମିତି ‘ଶୈଳକଳ୍ପ’ । ସେଇଠି ବର୍ଣ୍ଣମାଳା, ଯୁକ୍ତାକ୍ଷର, ମାତ୍ରା, ଅନୁସ୍ୱାର, ଚନ୍ଦ୍ରବିନ୍ଦୁ ଓ ବିସର୍ଗର ବେଡ଼ି ଭିତରୁ ମୁକୁଳି ଯାଆନ୍ତି କାବ୍ୟପୁରୁଷ ଓ ପ୍ରିୟ ମଣିଷ । ବୁଡ଼ି ବୁଡ଼ି ମରିଯିବା ଆଉ ଉଡ଼ି ଉଡ଼ି ଉଠିଯିବା ଭିତରେ ପହଞ୍ଚି ଯାଆନ୍ତେ ଉଭେୟେ ଏମିତି ଏକ ବିନ୍ଦୁରେ, ଯେଉଁଠି ଦ୍ୱୈତ ଭାବ ନ ଥାଏ । ଏକ ଇ ବିନ୍ଦୁରେ ବିଲୀନ ହୋଇଯାଏ ଉଭୟଙ୍କର ଘଟ ଆଉ ଆତ୍ମା ଏବଂ ସେଇ ନିର୍ଦ୍ଦିଷ୍ଟ ବିନ୍ଦୁରେ ଇ ତାଙ୍କର ସ୍ଥିତି ଆଉ ଜୀବନ । ତହିଁରେ ହିଁ ନିହତ ବିଚିତ୍ର ମହାଭାରତ । କାଳୋତ୍ତୀର୍ଣ୍ଣ ଏମିତି ମୁହୂର୍ତ୍ତ ନାହିଁ ଯହିଁ ଆଦ୍ୟ ଆଉ ଅନ୍ତ । ବିନ୍ଦୁ ଭିତରେ ମହାଭାରତ, ମହାଭାରତ ଭିତରେ ମହାଭାବ ମାତ୍ରକେ ଅନନ୍ତ ।

 

ଇଂରାଜୀ ଅଧ୍ୟାପକ,

ସୋନପୁର କଲେଜ, ସୋନପୁର ରାଜି,

ଜି-ବଲାଙ୍ଗିର- ୬୬୭୦୧୭

***

 

ସମ୍ପାଦକଙ୍କୁ ଚିଟାଉ

ଏକ ପ୍ରଚଣ୍ଡ ଛିଙ୍କ

 

୧୯୭୫ ମସିହା । ଦେବଗଡ଼ କଲେଜର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ରାମଚନ୍ଦ୍ର ବ୍ରହ୍ମା ତାଙ୍କର ଲିଖିତ ‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’ ଶୀର୍ଷକ ପୁସ୍ତକଟି ମୋତେ ଦେଇ ସେ ବିଷୟରେ କିଛି ମନ୍ତବ ଲେଖି ଦେବାକୁ ସନିର୍ବନ୍ଧ ଅନୁରୋଧ କଲେ । ମୁଁ ବହିଟି ପଢ଼ି ଖୁସି ହେଲି । ‘ବୁଧହଂସକେଳିସର’ ରୂପେ ବିଶେଷଣରେ ବିଭୂଷିତା ବାମଣ୍ଡା ବିଷୟରେ ଏ ପୁସ୍ତକଟି ଅଧ୍ୟୟନ କରି ମୁଁ ନିମ୍ନଲିଖିତ ମନ୍ତବ୍ୟଟି ସରଳ ବିଶ୍ୱାସରେ ଲେଖିଦେଲି:-

 

‘‘ମୋର ପୂଣ୍ଣ ବିଶ୍ୱାସ, ଏ ପୁସ୍ତକଟି ସାହିତ୍ୟକ, ଗବେଷଣାର ଏକ ଆଦର୍ଶ ରଚନା । ଏହା ଓଡ଼ିଆ ସାହିତ୍ୟକ, ସମାଲୋଚକ, ଅଧ୍ୟାପକ, ଛାତ୍ର ଓ ସାଧାରଣ ସୁଧୀ ସମାଜରେ ବିଶେଷ ଆଦର ଲାଭ କରିବ ବୋଲି ମୋର ବିଶ୍ୱାସ । ପଣ୍ଡିତ ବ୍ରହ୍ମାଙ୍କଠାରୁ ଆମେ ଏହିପରି ଆହୁରି ଅନେକ ଗବେଷଣାତ୍ମକ ପ୍ରବନ୍ଧ ଓ ପୁସ୍ତକ ଆଶା କରୁଁ ।’’

 

 

। ଇତି ।

ଶ୍ରଦ୍ଧାକର ସୁପକାର

୨୩-୪-୧୯୬୬

 

ମୋ ଭଳି ଆଉ ଚାରିଜଣ ବ୍ୟକ୍ତି: ସ୍ୱର୍ଗତ ଶଶୀଭୂଷଣ ଦେବ, ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି, ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ଓ କବି ଓ କବି ଶ୍ରୀ ବିନୋଦ ଚନ୍ଦ୍ର ନାୟକ ମଧ୍ୟ ଅନୁରୂପ ଅନୁକୂଳ ମନ୍ତବ୍ୟ ଦେଇଥିବା ଜାଣି ମୁଁ ଖୁସି ହୋଇଥିଲି ।

 

ଏବେ କିନ୍ତୁ କୋଣାର୍କ ପତ୍ରିକାରେ ଉକ୍ତ ପୁସ୍ତକ ବିଷୟରେ ରାଧାମୋହନ ଗଡ଼ନାୟକଙ୍କ (ଉପସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଇତ୍ୟାଦି) ଏକ ସମାଲୋଚନା ଅଧ୍ୟୟନ କରି ହଠାତ୍ ମନେହେଲା ଦଶବର୍ଷ ପୂର୍ବେ ଉକ୍ତ ମନ୍ତବ୍ୟଟି ଲେଖିଦେଇ ମୁଁ ଏକ ଅମାର୍ଜନୀୟ ଅପରାଧ କରିଥିଲି । ଅପରାଧ ଶୁଣି ଭାରତୀୟ ଦଣ୍ଡ ସଂହିତାର ୩୦୨ ଧାରା ଅର୍ଥାତ୍ ନିଚ୍ଛକ୍‍ ମର୍ଡ଼ର । କବି ଗଡ଼ନାୟକଙ୍କର ଆଶାକୁ ହତ୍ୟା କରିବା ଅପରାଧରେ ଆମେ ପାଞ୍ଚଜଣ ଅପରାଧୀ । ଓକିଲାତି ପାସ୍ କରି ନ ଥିଲେ ମୁଁ ଆଗୁଆ ଜାମିନ୍ ପାଇଁ ସେସନ୍‌ସ ଅଦାଲତରେ ଦରଖାସ୍ତ କରିଥାନ୍ତି ।

 

ଆମେ ପାଞ୍ଚଜଣ ପୁସ୍ତକଟିକୁ ଖାଲି ଆଖିରେ କିମ୍ବା ଚଷମା ଲଗାଇ ପଢ଼ିଥିଲୁ । କବି ଗଡ଼ନାୟକ ମହାଶୟ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପୁସ୍ତକଟି ପଢ଼ିଛନ୍ତି । ହୁଏତ ସେଥିପାଇଁ ସମାଲୋଚନା ଲେଖାଟି ଲେଖିବାକୁ ଦଶବର୍ଷ ଲାଗିଥିବ ।

 

ପୁସ୍ତକଟିକୁ କୁଆଡ଼େ ପ୍ରଣବରୁ ଅଶୁଦ୍ଧ । ‘‘ଆଧୁନିକ (୨) ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ପୁସ୍ତକଟିର ନାମ । ମାତ୍ର ବିଷୟବସ୍ତୁ ମୋଟେ ଆଧୁନିକ ନୁହେଁ । ସାହିତ୍ୟର ଆଧୁନିକ ଯୁଗର ଆରମ୍ଭ କେଉଁ ଦିନରୁ ? ସେହିପରି ବା ତାରିଖ ପୂର୍ବରୁ ଲେଖା ଯାଇଥିବା ସାହିତ୍ୟକୁ କଣ କୁହାଯିବ ? ଆଧୁନିକତାର ମାନ କଣ ! ରାଧାନାଥ ଆମକୁ ନ ଜଣାଇ ଆଧୁନିକ ଯୁଗରୁ ପ୍ରାଚୀନ ବା ମଧ୍ୟ ଯୁଗକୁ ଚାଲି ଯାଇଛନ୍ତି । ଏହା କଣ ତାଙ୍କ ପରି କବିବରଙ୍କ ପକ୍ଷରେ ଶୋଭନୀୟ କାର୍ଯ୍ୟ-?

 

ଅଧ୍ୟାପକ ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ ‘‘ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ’’ ନାମକ ପୁସ୍ତକରେ ଓଡ଼ିଆ ସାହିତ୍ୟର ଯୁଗବିଭାଗ ଅଧ୍ୟାପକ ୧ମ ଅଧ୍ୟାୟ ୧ମ ପୃଷ୍ଠା)ରେ ଲେଖିଛନ୍ତି ।

 

(୫) ଆଧୁନିକ ଯୁଗ – ଖ୍ରୀଷ୍ଟାବ୍ଦ ୧୮୮୦ ରୁ ଏ ପର୍ଯ୍ୟନ୍ତ । ସାହିତ୍ୟର ଗତି, ପ୍ରକୃତି ଓ ବିଶେଷତ୍ୱ ଦିଗରୁ ବିଚାର କଲେ ଓଡ଼ିଆ ସାହିତ୍ୟର ଆଧିନିକ ଯୁଗକୁ କେତୋଟି ଉପ ବିଭାଗରେ ଭାଗ କରିବାକୁ ହୁଏ ଯଥା:- (କ) ରାଧାନାଥ ଯୁଗ (ଖ) ସତ୍ୟବାଦୀ ଯୁଗ (ଗ) ସବୁଜ ଯୁଗ (ଘ) ପ୍ରଗତି ଯୁଗ ଓ (ଙ) ଅତ୍ୟାଧୁନିକ ଯୁଗ । ପୁଣି ଉକ୍ତ ପୁସ୍ତକର ୧୪ ପୃଷ୍ଠାରେ:-

 

‘‘କବିବର ରାଧାନାଥ ଓ ଆଧୁନିକ ଯୁଗର ସ୍ରଷ୍ଟା । ଦିବ୍ୟଦ୍ରଷ୍ଟା ରାଧାନାଥ ଆପଣାର ଅସାଧାରଣ ପାଣ୍ଡିତ୍ୟ ଓ କବିତ୍ୟ ବଳରେ ଆଧୁନିକ ଯୁଗର ଭିତ୍ତି ପ୍ରତିଷ୍ଠା କଲେ । ଆଧୁନିକ ଯୁଗର ପ୍ରଥମ ପର୍ବଟି ତେଣୁ ତାଙ୍କ ନାମରେ ନାମିତ ହୋଇଥାଏ ।

 

କବି ଗଡ଼ନାୟକ ଏକ ମତ ସହିତ ସହମତ ନୁହନ୍ତି । ତାଙ୍କ ମତରେ,

 

‘‘ରାଧାନାଥଙ୍କ ପରେ ଓଡ଼ିଆ ସାହିତ୍ୟକୁ କେତେକ କ’ଣ ପ୍ରବାହ ଆସି ସାରିଲାଣି, ତା ପରେ ଆସିଛି ଲୋହିତ ସାହିତ୍ୟ, ପରେ ପରେ ପୁଣି ସବୁଜ ସାହିତ୍ୟ, ତା ପରେ ହେଲାଣି ଧୂସର ସାହିତ୍ୟ । ଉପେନ୍ଦ୍ରଙ୍କ ପରେ ରାଧାନାଥ ଆଧୁନିକ ବୋଲି ଗୃହୀତ ହୋଇଥିଲେ, ଆଜି ହୋଇ ପାରିବେ କି ? ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ ବୋଲି କିଛି ହୋଇ ପାରିବ କି ? ତେଣୁ ‘‘ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ପୁସ୍ତକର ନାମ କରଣ ବୋଧହୁଏ ସମୀଚୀନ ହୋଇଥାନ୍ତା ।’’

 

ଓଡ଼ିଆ ସାହିତ୍ୟ ନିଶ୍ଚିତ ଭାବରେ ବର୍ଣ୍ଣାଢ଼୍ୟ । କିନ୍ତୁ ବୈକୁଣ୍ଠନାଥ ମାନସିଂହ-କାଳିନ୍ଦୀ ଚରଣ ଯୁଗକୁ ସାହିତ୍ୟକମାନେ ଯେପରି ସବୁଜ ଯୁଗ ବୋଲି ମାନୁଛନ୍ତି, ସେହିପରି ରାଧାମୋହନ-ସଚ୍ଚି ରାଉତରା-ସୀତାକାନ୍ତ-ରମାକାନ୍ତ-ରାଜେନ୍ଦ୍ର ପଣ୍ଡା ଯୁଗକୁ ସାହିତ୍ୟକମାନେ ଧୂସର ଯୁଗ ବୋଲି ମାନିବାକୁ ପ୍ରସ୍ତୁତ ହୋଇ ନାହାନ୍ତି ।

 

ରଙ୍ଗ ବିଷୟରେ ରାମଚନ୍ଦ୍ର ବ୍ରହ୍ମାଙ୍କର ଜ୍ଞାନ ଅତି ସୀମିତ । ଏବଂ ସେ ବିଶଷ କରି ରାଧାନାଥିଆ ସାହିତ୍ୟ ଉପରେ ଆଲୋଚନା କରିଛନ୍ତି । ବାମଣ୍ଡାର ସାହିତ୍ୟକାରଙ୍କ ମଧ୍ୟରୁ କେତେ ନାଲି ରଙ୍ଗର, କେତେ ସବୁଜ ରଙ୍ଗର ଓ କେତେଜଣ ଧୂସର ରଙ୍ଗର, ଏହା କବି ଗଡ଼ନାୟକ ବିଶ୍ଳେଷଣ କରି ଦେଖାଇଥିଲେ ସମାଲୋଚନା ପ୍ରବନ୍ଧଟି ଅତ୍ୟନ୍ତ ଉପାଦେୟ ହୋଇଥାନ୍ତା ।

 

ଅଧ୍ୟାପକ ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟଙ୍କ ପରି ପ୍ରାୟ ସମସ୍ତ ଆଧୁନିକ ଓଡ଼ିଆ ସାହିତ୍ୟିକ ବର୍ଣ୍ଣାନ୍ଧ ବା Colour blind । ଏମାନଙ୍କ ମଧ୍ୟରେ ମୁଁ ଜଣେ ବର୍ଣ୍ଣାନ୍ଧ । ତେଣୁ ରାମଚନ୍ଦ୍ର ବ୍ରହ୍ମା ଯଦି ୧୧୮୬ର ଧୁସରତା ଦେଖି ପାରୁ ନ ଥାନ୍ତି ତେବେ ମୁଁ ତାଙ୍କ ଉପରେ ହୋଇଥିବ କବି ଗଡ଼ନାୟକଙ୍କ ଆଶା ହତ୍ୟା ଅଭିଯୋଗକୁ ଅଦାଲତରେ ଖଣ୍ଡନ କରିବା ପାଇଁ ଓକିଲ ହିସାବରେ ପ୍ରସ୍ତୁତ ।

 

ଅଧ୍ୟାପକ ରାମଚନ୍ଦ୍ର ବ୍ରହ୍ମାଙ୍କର ପରବର୍ତ୍ତୀ ଗବେଷଣାମୂଳକ ପ୍ରକାଶନ ‘ଧୁସର ସାହିତ୍ୟକୁ କୁଚିଣ୍ଡାର ଦାନ’ ହେବ ବୋଲି ଆଶା କରୁଁ ଏଥିପାଇଁ ମୁଁ ଯଥାଶକ୍ତି ପ୍ରେରଣା ଦେଇପାରିବ ।

 

ବିଶଷଣ ପ୍ରତି ଅଧ୍ୟାପକ ବ୍ରହ୍ମାଙ୍କର ଦୁର୍ବଳତା ଅନସ୍ୱୀକାର୍ଯ୍ୟ କିନ୍ତୁ ମୁଁ ଏହାକୁ ଅକ୍ଷମଣୀୟ ଅପରାଧ ବୋଲି ମନେ କରେଁ ନାହିଁ । ଦୈତାରୀ ଦାଶ ନିଜ ପୁଅର ନାଆଁ ରଖିଲେ ଗୋପ । କିନ୍ତୁ ହଠାତ୍ ଦିନେ ଲୋକେ ସେ ପୁଅକୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ବୋଲି ଡାକିଲେ । ସେହିପରି ମୋହନ ଭାଇକୁ ମହାତ୍ମା ଗାନ୍ଧୀ, ହରିହରକୁ ଜଷ୍ଟିସ୍ ହରିହର ମହାପାତ୍ର, ଗୋଦାବରୀଶକୁ ପଣ୍ଡିତ ଗୋଦାବରୀଶ ବୋଲି ଡାକିଲେ । ଏସବୁ ଏତେ ଦେହସୁହା ହୋଇଯାଏ, ଯେ କେହି ଏହାକୁ ତେଲ ମାଲିସ ବୋଲି ଭାବନ୍ତି ନାହିଁ । ସେହିପରି ନୀଳବାବୁ ହେଲେ ନୀଳମଣି ବିଦ୍ୟାରତ୍ନ । ଅନ୍ୟ ଲୋକଙ୍କର ଦେଖାଶିଖା ଅଧ୍ୟାପକ ବ୍ରହ୍ମା ଯଦି ଖାଣ୍ଟି ତେଲ ମାଲିସ କରିବା ଉଦ୍ଦେଶ୍ୟର (ନୀଳ ମଣି ଓ (ବିଦ୍ୟା ରତ୍ନକୁ ଉଜ୍ଜ୍ୱଳ ବୋଲି କହିଥାନ୍ତି, ତେବେ ସେ ଅକ୍ଷମଣୀୟ ଅପରାଧ କରିଛନ୍ତି ବୋଲି କୁହାଯିବ ନାହିଁ । ଆଜି ଯଦି ନୀଳମଣି ବିଦ୍ୟାରତ୍ନ ବଞ୍ଚିଥାନ୍ତେ, ତେବେ ଅଧ୍ୟାପକ ବ୍ରହ୍ମା ଚାମଚାଗିରି ପାଇଁ ଆମଠାରୁ ଆହୁରି ଭଲ ସାର୍ଟିଫିକେଟ ବିଦ୍ୟାରତ୍ନଙ୍କଠାରୁ ପାଇଥାନ୍ତେ ।

 

ଉଜ୍ଜ୍ୱଳ ନୀଳମଣିଠାରୁ ଅନୁଜ୍ଜ୍ୱଳ ନୀଳମଣି ଭିନ୍ନବ୍ୟକ୍ତି ବୋଲି କବି ଗଡ଼ନାୟକଙ୍କର ଧାରଣା ।

 

‘‘ଅରସିକେଷୁ ରସସ୍ୟ ନିବେଦନମ୍’’ ବୋଲି ତାଙ୍କୁ କହିବାର ଧୃଷ୍ଟତା ଆମର ଏ ପ୍ରସଙ୍ଗରେ ହୋଇ ନ ପାରେ ।

 

ପଣ୍ଡିତ ଗୋପବନ୍ଧୁ ଓ ଉତ୍କଳମଣି ଗୋପବନ୍ଧୁଙ୍କୁ ଆମେ ଏକ ଓ ଅଭିନ୍ନ ବ୍ୟକ୍ତି ବୋଲି ଜାଣୁ । ତେଣୁ ଓଡ଼ିଶାର ଏକ ପ୍ରାତଃସ୍ମରଣୀୟ ନେତା ସାହିତ୍ୟକ, ସାମ୍ବାଦିକଙ୍କୁ ଯଦି ଆମେ ପଣ୍ଡିତ ଗୋପବନ୍ଧୁ ବୋଲି ଡାକୁ ବା ଉତ୍କଳମଣି ବୋଲି ଡାକୁଁ ତେବେ ସେଥିରେ ତାଙ୍କର ଅପ୍ରତିଦ୍ୱନ୍ଦ୍ୱୀ ନେତୃତ୍ୱରେ, ଅସାଧାରଣ ସାହିତ୍ୟିକତାରେ ବା ସାମ୍ବାଦିକତାରେ କୌଣସି ପାର୍ଥକ୍ୟ ପରିଲକ୍ଷିତ ହେବ କି ? ଉଜ୍ଜ୍ୱଳ ନୀଳମଣି ବିଦ୍ୟାରତ୍ନ ଯଦି Dr. Jeky ଓ ଅନୁଜ୍ଜ୍ୱଳ ନୀଳମଣି ବିଦ୍ୟାରତ୍ନ ଯଦି Mr. Hyde ହୋଇଥାନ୍ତେ ତେବେ ଭିନ୍ନ କଥା ହୋଇଥାନ୍ତା । ଅଧ୍ୟାପକ ରାମଚନ୍ଦ୍ର ବ୍ରହ୍ମାଙ୍କ ଦ୍ୱାରା ପ୍ରଯୁକ୍ତ ବିଶେଷ ‘ଉଜ୍ଜ୍ୱଳ ନୀଳମଣି’ରେ ଯଦି ନୀଳମଣି ବିଦ୍ୟାରତ୍ନଙ୍କ ବିଦ୍ୱତ୍ତା ବା ସମ୍ପାଦକୀୟ ଯୋଗ୍ୟତା ହ୍ରାସ ହେବା ସମ୍ଭାବନା ଥାନ୍ତା, ତେବେ ଅଧ୍ୟାପକ ବ୍ରହ୍ମା ଯେ କେବଳ ସମାଲୋଚନୀୟ ହୋଇଥାନ୍ତେ ତାହା ନୁହେଁ ନିନ୍ଦନୀୟ ମଧ୍ୟ ହୋଇଥାନ୍ତେ । କିନ୍ତୁ ସାଧାରଣ ପାଠକ ପାଠିକା ଏହି ଅଧିକ ବିଶେଷଣ ପ୍ରୟୋଗ ଫଳେର ବିଭ୍ରାନ୍ତ ହେବାର ସମ୍ଭାବନା ନାହିଁ – ଏକଥା ହୁଏତ କବି ଗଡ଼ନାୟକ ସ୍ୱୀକାର କରିବାକୁ କୁଣ୍ଠିତ ହେବେ ନାହିଁ ।

 

ପ୍ରଧାନ ପାଟ ପ୍ରପାତ ବିଷୟରେ ଆଲୋଚନା କରାଯାଇଛି ଦେଢ଼ ପୃଷ୍ଠା । ପ୍ରଧାନପାଟ ଜଳପ୍ରପାତକୁ ‘ପ୍ରଧାନ ପ୍ରପାତ’ ବୋଲି କହିବା ଦ୍ୱାରା ଅଧ୍ୟାପକ ବ୍ରହ୍ମା କବି ରାଧାମୋହନ ଗଡ଼ନାୟକଙ୍କୁ ମର୍ମେ ମର୍ମେ ହତାଶ କରିଛନ୍ତି ।

 

ପ୍ରଧାନ ପାଟକୁ ଭୁବେନଶ୍ୱର ବଡ଼ପଣ୍ଡା ପ୍ରଧାନପଟ୍ଟ ବୋଲି ଲେଖିବା ଦ୍ୱାରା ଅକ୍ଷମଣୀୟ ଅପରାଧ କରି ନାହାନ୍ତି କି ? ମଧୁସୁଦନ ରାଓ, ସଚ୍ଚିଦାନନ୍ଦ ତ୍ରିଭୁନବ ଦେବ, ରାଧାନାଥ ରାୟ, ଗଙ୍ଗାଧର ମେହେର, ଶଶିଭୂଷଣ ରାୟ ଆଦି ବିଖ୍ୟାତ ଲୋକେ ପ୍ରଧାନପାଟ କହୁଥିବା ବେଳେ ପଣ୍ଡିତ ଭୁବେନଶ୍ୱର ବଡ଼ପଣ୍ଡା ପ୍ରପାତର ଏତେ ପାଖରେ ଥାଇ ତାହାକୁ ପ୍ରଧାନ ପଟ୍ଟ ବୋଲି କହିବା ପଣ୍ଡିତଙ୍କ ପକ୍ଷରେ ପଲ୍ଲବଗ୍ରାହୀ ପାଣ୍ଡିତ୍ୟ ବୋଲି ଯଦି ମୁଁ କହେଁ ତେବେ ବିଦଗ୍‌ଧ ପାଠକ ମୋତେ କ୍ଷମା କରିପାରନ୍ତି । ମାତ୍ର ଏହି ତଥ୍ୟକୁ ଭିତ୍ତିକରି ଯଦି ମୁଁ କହେଁ ଯେ ତାଙ୍କର ଆନନ୍ଦ ଦାମୋଦର ଚମ୍ପୁ ବା ବାମଣ୍ଡା ରାଜବଂଶାନୁ ଚରିତ ଚମ୍ପୁ’ ଫମ୍ପା ସଂସ୍କୃତ, ତେବେ ହୁଏତ ‘‘ମହାଜନଃ ସ୍ମେର ମୁଖେ ଭବିଷ୍ୟତି ।’’

 

ଅଧ୍ୟାପକ ବ୍ରହ୍ମା ‘ପ୍ରଧାନ ପାଟକୁ’ ‘ପ୍ରଧାନ ପ୍ରପାତ’ କହି ଭୁଲ୍ କରିଛନ୍ତି । କିନ୍ତୁ ଏହାଦ୍ୱାରା ତାଙ୍କର ପୁସ୍ତକର ସାହିତ୍ୟିକ ମୂଲ୍ୟାୟନରେ ଶତକଡ଼ା କେତେ ଅବମୂଲ୍ୟନ ହେଉଛି ? ଏହି ସମସ୍ୟା ବିଷୟରେ କବି ରାଧାମୋହନ ଗଡ଼ନାୟକ ଓ ବିଦଗ୍‌ଧ ପାଠକ ମଣ୍ଡଳୀ ବିଚାର କରିବେ-

 

ଅଧ୍ୟାପକ ବ୍ରହ୍ମା ପୁସ୍ତକରେ ଗୋଟିଏ ସ୍ଥାନରେ ପଟ୍ଟନାୟକ ସ୍ଥାନରେ ନାୟକ (୧୩ ପୃଷ୍ଠା) ଓ ଅନ୍ୟ ଏକ ସ୍ଥାନରେ ୬୩ ପୃଷ୍ଠାରେ ଦୀନବନ୍ଧୁ ଗଡ଼ନାୟକ ସ୍ଥାନରେ ଦୀନବନ୍ଧୁ ନାୟକ ଲେଖିଛନ୍ତି ବୋଲି ସମାଲୋଚିତ ହୋଇଛନ୍ତି । ଯଦି ଅନ୍ୟ ସବୁ ସ୍ଥାନରେ ଚତୁର୍ଭୁଜ ପଟ୍ଟନାୟକ ଓ ଦୀନବନ୍ଧୁ ଗଡ଼ନାୟକ ବୋଲି ଛପା ଯାଇଛି, ତେବେ ଏ ଦୁଇଟି ମୁଦ୍ରଣ ପ୍ରମାଦ ପାଇଁ ସମାଲୋଚକଙ୍କର ମର୍ମଭେଦୀ ହତାଶା କେତେଦୂର ସଙ୍ଗତ ।

 

କେଉଁ ପୁସ୍ତକରେ ଆଜି କାଲି ମୁଦ୍ରଣ ପ୍ରମାଦ ନାହିଁ ?

ଗଛତଃ ସ୍ଖଳନଂ କ୍ୱାପି ଭବତ୍ୟେବ ପ୍ରମାଦ’ ।

 

ନିଜର ଅସାବଧାନତାରୁ ପାଦ ଖସି ଯିବା ଭିନ୍ନ କଥା କିନ୍ତୁ ରାସ୍ତାରେ କଦଳୀ ଚୋପାରେ ଗୋଡ଼ ଖସିବା ଲୋକକୁ ଅନ୍ଧ ବୋଲି କହିବା ଠିକ୍ ନୁହେଁ ।

 

ରାଧାନାଥ ରାୟଙ୍କ ରାୟ ବାହାଦୁର ଉପାଧି ପାଇବା ବିଷୟରେ ସମାଲୋଚନା ପରିସର ଦୁଇ ପୃଷ୍ଠାରୁ ଅଧିକ ବ୍ୟାପିଛି । କବିବର ରାଧାନାଥଙ୍କ ରାୟ ବାହାଦୁର ଉପାଧି ଲାଭରେ ବାମଣ୍ଡା ଦରବାରର ଆନନ୍ଦ ଉଲ୍ଲାସ ଓ ପ୍ରଚାରର ଭୂମିକା ବିଷୟରେ କବି ଗଡ଼ନାୟକ ନିଜେ ତାଙ୍କ ସମାଲୋଚନାରେ ଉଲ୍ଲେଖ କରିଛନ୍ତି । କାକିନାଡ଼ାରୁ ଜଣେ ତେଲେଙ୍କା ଲୋକ ସମ୍ବଲପୁର ହିତୈଷିଣୀକୁ ପତ୍ର ଲେଖିଚ ଓ କବି ଚିନ୍ତାମଣି ମହାନ୍ତିଙ୍କ କବିତାରୁ ପ୍ରମାଣିତ ହୁଏ ଯେ ବାମଣ୍ଡା ରାଜା ସୁଢ଼ଳ ଦେବଙ୍କର ଉପାଧି ଦେବାର କ୍ଷମତା ନ ଥିଲେ ମଧ୍ୟ ତାଙ୍କର ଗୁଣଗ୍ରାହିତା ଓ କବିବରଙ୍କ ସହିତ ଘନିଷ୍ଠତାର ପରିଚାୟକ ।

 

କବି ଗଡ଼ନାୟକଙ୍କର ମର୍ମଦାହୀ ହତାଶାର ପ୍ରଥମ କାରଣ ହେଲା ରାଧାନାଥ ରାୟ ଲର୍ଡ଼ ଏଲଗିଲ୍‍ଙ୍କଠାରୁ ରାୟ ବାହାଦୁର ଉପାଧି ପାଇଥିଲା ବେଳେ ଅଧ୍ୟାପକ କିପରି ବାମଣ୍ଡା ଦରବାର ରାୟବାହାଦୁର ଉପାଧି ଦେଇଥିବା କଥା ଲେଖିଲେ ? ଅନ୍ୟ ଯେଉଁ, କେତୋଟି କାରଣ ଦେଇଛନ୍ତି, ସେଥିରୁ ଦୁଇଟି ହେଲା ବିଶେଷଣ ପ୍ରୟୋଗର ଯଥାର୍ଥତା – ‘ଆଧୁନିକ’ ଓ ଉଜ୍ଜ୍ୱଳ । ବାର ପୃଷ୍ଠା ବିଶିଷ୍ଟ ଏହି ଆଲୋଚନାରେ ‘ପ୍ରଧାନ ପ୍ରପାତ’ । କୃଷ୍ଣ ପ୍ରେମ ତରଙ୍ଗୀଣୀର ରଚୟିତା ବିଷୟରେ ମଧ୍ୟ ଲମ୍ବା ଲେଖା ପରେ ପୁସ୍ତକ ବିଷୟରେ ଆଲୋଚକଙ୍କର ଶେଷ ମନ୍ତବ୍ୟ:-

 

‘‘ଗୋଦର ଗୋଡ଼ରେ ମାଉଁସ ଲାଗିଲେ

            ଦେହରେ କି ଶୁଭଗଣି ।’’

 

ଏ ସମ୍ପର୍କରେ ‘କୋଣାର୍କ’ର ୫୮ଶ ସଂଖ୍ୟାରେ ପ୍ରକାଶିତ ଡ. ହେମନ୍ତ କୁମାର ଦାସଙ୍କର ‘ସମାଲୋଚନାର ଭୂମିକା’ ପ୍ରବନ୍ଧରୁ କେତେ ପଙ୍‌କ୍ତି ଉଦ୍ଧାର କରୁଛି:-

 

‘‘ମକ୍ଷିକା ବୃତ୍ତି ସମାଲୋଚକର ଧର୍ମ ନୁହେଁ । କୁଉଦ୍ଦେଶ୍ୟ ପୋଷଣ କରି ଯେଉଁମାନେ ଏଥିରେ ପ୍ରବୃତ୍ତ ହୁଅନ୍ତି, ବହୁକାଳ ପୂର୍ବେ ‘ରାଜଶେଖର’ ସେମାନଙ୍କୁ ‘ମତ୍ସରୀ ସମାଲୋଚକଙ୍କ ଆଖ୍ୟା ଦେଇଛନ୍ତି । ସମାଲୋଚନା ଏକ କଠିନ କର୍ମ । .... ଏ ସମ୍ପର୍କରେ ଆଲୋଚକ ଦାସ ଆହୁରି କହନ୍ତି, ‘‘ଯେଉଁ ସମାଲୋଚନାରେ ଗ୍ରନ୍ଥ ବିଶେଷ ସମାଲୋଚକକୁ କିପରି ଲାଗିଛି – ଏହା ହିଁ ବଡ଼ କଥା, ତାହାକୁ ବ୍ୟକ୍ତିଗତ ସମାଲୋଚନା କୁହାଯାଏ । ସାହିତ୍ୟବିଚାରରେ ସମାଲୋଚକର ବ୍ୟକ୍ତିଗତ ପସନ୍ଦ ନାପସନ୍ଦ ଅବଶ୍ୟ ଉପେକ୍ଷଣୀୟ ନୁହେଁ, କିନ୍ତୁ ସମାଲୋଚକର ଶିକ୍ଷା, ସଂସ୍କୃତି, ଦୃଷ୍ଟି, ଉଦାରତା ଓ ସାହିତ୍ୟ ବୋଧ ଅଛି କି ନାହିଁ, ତାହା ଦେଖିବାକୁ ହେବ । ଅଧିକାର ହୀନ ସମାଲୋଚକର ସାହିତ୍ୟ ବିଚାର ଅନେକ ସମୟରେ ଲାଞ୍ଛନାରେ ପର୍ଯ୍ୟବେସିତ ହୋଇପାରେ ଏବଂ ବ୍ୟକ୍ତିଗତ ସମାଲୋଚନା ଅଧିକାଂଶ ସମୟରେ ଅତିରଞ୍ଜନକୁ ପ୍ରଶ୍ରୟ ଦେଇଥାଏ’’ – (ସାହିତ୍ୟ ସନ୍ଦର୍ଶନ-ଶ୍ରୀର୍ଶଚନ୍ଦ୍ର ଦାସ)

କୋଣାର୍କ- ୫୮ଶ ସଂଖ୍ୟା ୧୯୮୬-ପୃ-୫୯-୬୦

 

ମୋର ପ୍ରିୟ ବନ୍ଧୁ କବି ରାଧାମୋହନ ଗଡ଼ନାୟକଙ୍କ ଏହି ସମାଲୋଚନାକୁ ଏକ ପ୍ରଚଣ୍ଡ ଛିଙ୍କ ସହିତ ତୁଳନା କରାଯାଇପାରେ । ନସ୍ୟ ସେବନର ଦଶବର୍ଷ ପରେ ନାସିକାର ସୂକ୍ଷ୍ମ ସ୍ନାୟୁର ଉତ୍ତେଜନାରେ ଏହା ଅନିଚ୍ଛା ସତେ ଆସିଯାଏ । କିନ୍ତୁ ଆମର ଚିରାଚରିତ କୁସଂସ୍କାର ଯୋଗୁଁ ଆମେ ଏହାକୁ ଅଗ୍ରଗତିର ବାଧକ ବୋଲି ଭାବି ଛିଙ୍କିବା ଲୋକ ପ୍ରତି ଅଯଥା ଅସୂୟା ପ୍ରବଣ ହେଉ-। ଏଥିରେ ଛିଙ୍କିବା ଲୋକର କିଛି ଦୋଷ ନାହିଁ ।

 

ଡକ୍ଟର ଶ୍ରଦ୍ଧାକର ସୂପକାର

***

 

ତାଙ୍କ ସହ ସାକ୍ଷାତକାର

ଡଃ ସଚ୍ଚି ରାଉତରାୟଙ୍କ ସହିତ ସାକ୍ଷାତକାର

 

ପ୍ରଶ୍ନ ଓ ପରିଚାଳନା – ଶ୍ରୀ କୈଳାସ ବିହାରୀ ଦାସ

 

ପ୍ରଶ୍ନ

ପାରମ୍ପରିକ କାବ୍ୟାଦର୍ଶକୁ ଛାଡ଼ି ଆପଣ କାହିଁକି ଗଦ୍ୟ କବିତା ଲେଖିଲେ ।

ଉତ୍ତର

ଗଦ୍ୟ କବିତା ଲେଖିବାର କାରଣ ହେଉଛି ଗଦ୍ୟ କବିତାରେ ବାକ୍‌ଭଙ୍ଗୀ ପ୍ରଚଳନର ସୁବିଧା । ଯେଉଁ ବାକ୍‌ଭଙ୍ଗୀ ବା Speaking power ଗଦ୍ୟ କବିତା ବିକାଶ ପାଇଁ ଏକ ବଳିଷ୍ଠ ଉପାଦାନ ।

ପ୍ରଶ୍ନ

ଲେଖକ ତଥା ସ୍ୱାଧୀନତା ସଂଗ୍ରାମୀ ଭାବରେ ଗାନ୍ଧୀ-ବାଦୀ ଚିନ୍ତାଧାରା ଅପେକ୍ଷା ମାର୍କସ-ବାଦୀ ଚିନ୍ତାଧାରା ଆପଣଙ୍କୁ ଅଧିକ ପ୍ରଭାବିତ କରିଥିବା ଉକ୍ତିଟି ସତ୍ୟ କି ? ଏହାର କାରଣ କ’ଣ ?

ଉତ୍ତର

ମାର୍କସୀୟ ଚିନ୍ତାଧାରା ଜାତୀୟ ସୀମାନ୍ତକୁ ଛାଡ଼ି ସୁଦୂର ପ୍ରସାରିତ ଏବଂ ସମଗ୍ର ଆନ୍ତର୍ଜାତିକ ଚିତ୍ରପଟ ଏହାର ଅନ୍ତର୍ଗତ ବା ସୀମାବଦ୍ଧ । ତେଣୁ ଆଧୁନିକ ଚେତନା କେବଳ ଜାତୀୟ ସ୍ତରରେ ସୀମାବଦ୍ଧ ହୋଇ ନ ପାରେ । ଏହା ସମଗ୍ର ବିଶ୍ୱକୁ ଆବୃତ୍ତ କରି ତାହାର କାବ୍ୟାଦର୍ଶ ବାଛି ନେଇଛି । ସାହିତ୍ୟରେ ବିଶ୍ୱମୁଖୀ ଦୃଷ୍ଟିକୋଣ ପ୍ରତିଫଳିତ ହେବା ସ୍ୱାଭାବିକ ।

ପ୍ରଶ୍ନ

ସାହିତ୍ୟ ସହିତ ଆପଣଙ୍କ ମତରେ ସମାଜର କି ସମ୍ପର୍କ ରହିଛି ?

ଉତ୍ତର

ସାହିତ୍ୟ ସମାଜରୁ ହିଁ ସୃଷ୍ଟ । ଏହା ଏକ ବିଚ୍ଛିନ୍ନ ବସ୍ତୁଭଳି ଆକାଶରୁ ଖସି ନାହିଁ କେଉଁ ଠାରୁ ବାହାରି ନାହିଁ ମଣିଷ ସମାଜର ମସ୍ତିଷ୍କରୁ ହିଁ ଏହା ଆସିଛି । ସମାଜ ସହିତ ସାହିତ୍ୟର ଅଙ୍ଗାଙ୍ଗୀ ସମ୍ପର୍କ ରହିଛି । କବି ସମାଜରୁ ଯାହା ଆହରଣ କରିଥାଏ ତାକୁ କାବ୍ୟରସରେ ରସାଣିତ କରି ନିଜର ପ୍ରାଣରସରେ ଜାରିତ କରି ସମାଜକୁ ଫେରେଇ ଦିଏ ଯେଭିଳ ସୂର୍ଯ୍ୟ ପୃଥିବୀ ପୃଷ୍ଠରୁ ଜଳ ଗ୍ରହଣ କରି ପୁଣି ତାକୁ କିରଣ ମାଧ୍ୟମରେ ପୃଥବୀ ପୃଷ୍ଠକୁ ଫେରେଇ ଦେଇଥାଏ । ସାହିତ୍ୟକ ସେଇଭଳି କାବ୍ୟ ରୂପରେ ରୁପାନ୍ତରିତ କରି ଗ୍ରହଣ କରିଥିବା ସମସ୍ତ ଅନୁଭୁତି ସମାଜକୁ ଫେରେଇ ଦିଏ । ସେଥିପାଇଁ ସମାଜ-ନିରପେକ୍ଷ ସାହିତ୍ୟ କେବେ କଳ୍ପନା କରାଯାଇ ନ ପାରେ । ସାହିତ୍ୟ ସର୍ବଦା ଅଭିମୁଖୀ ଏବଂ ସମାଜ ସହିତ ତାର ସମ୍ପର୍କ ଅତି ନିବିଡ଼ ଓ ଜୈବିକ-

ପ୍ରଶ୍ନ

ସାମ୍ପ୍ରତିକ ଅନ୍ତର୍ଜାତୀୟ ସାହିତ୍ୟ ତଥା ଭାରତୀୟ ଭାଷାର ସାହିତ୍ୟ ସହିତ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ମାନକ ସମକକ୍ଷ କି ?

ଉତ୍ତର

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଯଥେଷ୍ଟ ଅଗ୍ରଗତି କରିଛି ଏଥିରେ ସନ୍ଦେହ ନାହିଁ । କିନ୍ତୁ ପୃଥିବୀର ବିଭିନ୍ନ ଭାଷାର ସାହିତ୍ୟ ତୁଳନାରେ ଓଡ଼ିଆ ସାହିତ୍ୟର ମାନକ ଯେ ସଙ୍ଗେ ସଙ୍ଗେ ସମକକ୍ଷ ହୋଇଯିବ ଏହା ଆଶା କରିବା ଠିକ୍ ହେବ ନାହିଁ । ଆମ ଓଡ଼ିଶାରେ ଆଧୁନିକତା ପ୍ରବେଶ କରେ ଯଥେଷ୍ଟ ଡେରିରେ । ସେଥିପାଇଁ ଓଡ଼ିଆ ସାହିତ୍ୟ ପ୍ରାଥମିକ ସ୍ତରରେ ଟିକେ ଅନଗ୍ରସର ଥିଲେ ମଧ୍ୟ ବର୍ତ୍ତମାନ ଏହା ବିଶ୍ୱସାହିତ୍ୟ ସହିତ ଏକ ସାମଞ୍ଜସ୍ୟ ବା ସମାନ୍ତର ସ୍ଥିତି ବଜାୟ ରଖି ଚାଲିଛି । ଆମର ଗଳ୍ପ ସାହିତ୍ୟ ବିଶଷ ଉନ୍ନତି କରିଛି ବୋଲି ମନେ କରାଯାଏ । ଇତିମଧ୍ୟେ ବହୁ ନୂତନ ଗାଳ୍ପିକ, ନୂତନ ଚିନ୍ତାଧାରାରେ ନୂତନ ରଚନା କୌଶଳରେ ଗଳ୍ପ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି-। କାବ୍ୟ ସାହିତ୍ୟରେ ମଧ୍ୟ ବହୁ ପ୍ରତିଭା ଉନ୍ମୁଖୀ କବି ପ୍ରତିନିଧିତ୍ୱ କରି ଏହାକୁ ସମୃଦ୍ଧ କରିଅଛନ୍ତି । ସମାଲୋଚନା ସାହିତ୍ୟରେ ମଧ୍ୟ ନୂତନ କୃତି ଓ ଚିନ୍ତାଧାରାର ପରିଚୟ ମିଳିଛି । ମୋଟ ଉପରେ କହିବାକୁ ଗଲେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥେଷ୍ଟ ଉନ୍ନତ ଓ ପରିପୁଷ୍ଟ ହୋଇ ଅନ୍ୟ ଭାଷାର ସାହିତ୍ୟ ସହ ସମକକ୍ଷ ହୋଇ ପାରିଛି ।

ପ୍ରଶ୍ନ

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଅନେକ ସ୍ୱୀକୃତ ସୃଷ୍ଟି ସାଧାରଣ ପାଠକ ପାଇଁ ସୁବୋଧ୍ୟ ହେଉନାହିଁ ଏହାର କାରଣ କ’ଣ ହୋଇପାରେ ବୋଲି ଆପଣମାନେ ମନେ କରନ୍ତି ? ଏହି ରଚନାଗୁଡ଼ିକ କେଉଁ ପାଠକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମନେ କରନ୍ତି ?

ଉତ୍ତର

ସାଧାରଣ ପାଠକମାନେ ନ ବୁଝି ପାରିବାଟା ଅନେକାଂଶରେ ସତ । ତା’ର କାରଣ ଆଧୁନିକ ସାହିତ୍ୟରେ ଅନେକ ଜିନିଷ ରହିଛି ଯାହାକି ଅଭ୍ୟସ୍ତ ପାଠକ ହଠାତ୍ ଗ୍ରହଣ କରିପାରୁ ନାହାନ୍ତି । ଆଧୁନିକ କବିତାରେ ଯେଉଁସବୁ ପ୍ରତୀକ ବା ଚିତ୍ରକଳ୍ପ ବ୍ୟବହାର କରାଯାଉଛି ସେ ସବୁ ସହିତ ସାଧାରଣ ପାଠକ ବିଶେଷ ଭାବରେ ପରିଚିତ ନୁହନ୍ତି । କାରଣ ପ୍ରତୀକ ଓ ଚିତ୍ରକଳ୍ପକୁ ଶବ୍ଦଭଳି ଅଭିଧାନିକ ଅର୍ଥରେ ବୁଜାଯାଏନି । ତାହାର ବିସ୍ତୀର୍ଣ୍ଣ ଚିତ୍ରପଟ ଅଭିଧାନିତ ଅର୍ଥକୁ ଟପି ଅନେକ ଦୂର ବିସ୍ତୃତ । ଶବ୍ଦଭଳି ,ଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ସୀମାବଦ୍ଧ ହୋଇନାହିଁ । ଏଗୁଡ଼ି ପାଠକ ମନରେ ବିଭିନ୍ନ ଅର୍ଥ ସଞ୍ଚାର କରିପାରେ । କିନ୍ତୁ ଆଧୁନିକ କବିତା ପାଇଁ ଏହି ଚିତ୍ରପଟ ଓ ପ୍ରତୀକର ବ୍ୟବହାର ଅପରିହାର୍ଯ୍ୟ । କାରଣ ନିଚ୍ଛୁକ ଶବ୍ଦ ମାଧ୍ୟମରେ ଯାହା ପ୍ରକାଶ କରିହୁଏ ନାହିଁ ଏହାର ମାଧ୍ୟମରେ ତାହା କୁହାଯାଇଥାଏ । ତେଣୁ ପାଠକ ଏହାକୁ ଗଭୀର ଭାବେ ଅନୁଧ୍ୟାନ କଲେ ଏହା କେବେ ଦୁର୍ବୋଧ୍ୟ ରହିବ ନାହିଁ । ଗଳ୍ପ ଓ ନାଟକରେ ମଧ୍ୟ ସେହିଭଳି ପ୍ରତୀକର ବ୍ୟବହାର ଦେଖାଯାଏ । ପ୍ରତୀକ ମାଧ୍ୟମରେ ହିଁ ବହୁକଥା ପ୍ରତିଫଳିତ ହୋଇ ପାରିଥାଏ । କାରଣ ଜୀବନର ସମସ୍ତ ଜିନିଷକୁ ନେଇ ଗଳ୍ପ ବା ନାଟକ ରଚନା କରିବା ସମ୍ଭବ ନୁହେଁ । ମଣିଷ ଜୀବନର କେବଳ ଭଗ୍ନାଂଶ ଓ କେତେକ ମୁହୂର୍ତ୍ତକୁ ରଚନା କରିବା ସମ୍ଭବ ନୁହେଁ । ମଣିଷ ଜୀବନର କେବଳ ଭଗ୍ନାଂଶ ଓ କେତେକ ମୁହୂର୍ତ୍ତକୁ ନେଇ ଗଳ୍ପ, ନାଟକ ଓ ଉପନ୍ୟାସରେ ରୂପ ଦିଆଯାଇପାରେ । ଯେଉଁ ଭଗ୍ନାଂଶ କି ସଂପୂର୍ଣ୍ଣ ପରିପୂର୍ଣ୍ଣ ବ୍ୟକ୍ତିସତ୍ତା ବା ସମାଜ ସତ୍ତାକୁ ପ୍ରକାଶ କରିପାରିବ । ସମଗ୍ର ସିନ୍ଧୁର ବର୍ଣ୍ଣନା ନକରି ଗୋଟିଏ ବିନ୍ଦୁର ବର୍ଣ୍ଣନା କରାଯିବ ଯେଉଁ ବିନ୍ଦୁ କି ସିନ୍ଧୁର ପ୍ରତିନିଧିତ୍ୱ କରିବ ଏବଂ ଯେଉଁଠାରୁ କି ସିନ୍ଧୁର ସଂପୂର୍ଣ୍ଣ ପରିଚୟ ମିଳିପାରିବ । ଏହିଭଳି ଆଜି କାଲି ନାଟକ, ଗଳ୍ପ, ଉପନ୍ୟାସ ଇତ୍ୟାଦି ଗୋଟିଏ ଗୋଟିଏ ଭଗ୍ନାଂଶକୁ ନେଇ ଆଧାରିତ । ଏହାକୁ ବୁଝିବା ପାଇଁ ନୂତନ ପାଠକ ଆବଶ୍ୟକ । ମୋର ବିଶ୍ୱାସ କିଛି ଦିନ ଅଭ୍ୟସ୍ତ ହେଲେ ପାଠକ ଏହା ବୁଝି ପାରିବ । ଏହା ଭିତ୍ତରେ ଦୁର୍ବୋଧ୍ୟତା ଥାଇପାରେ କିନ୍ତୁ ଅବୋଧ୍ୟତା କିଛି ନାହିଁ ।

ପ୍ରଶ୍ନ

ଆପଣଙ୍କ ଲେଖା ପଢ଼ିଲେ ଓଡ଼ିଆ ଯୁକ୍ତାକ୍ଷର ପ୍ରତି ଆପଙ୍କର ବିତୃଷ୍ଣା ରହିଥିବା ପ୍ରତୀୟମାନ ହୁଏ – ଏହାର କାରଣ କ’ଣ ?

ଉତ୍ତର

ପ୍ରାକୃତ ଭାଷାରୁ ହିଁ ଓଡ଼ିଆ ଭାଷାର ଜନ୍ମ । ସେତେବେଳେ ଅର୍ଥାତ୍ ଖ୍ରୀଷ୍ଟୀୟ ୧ମ ଶତକରୁ କାତ୍ୟାୟନ, ମହେନ୍ଦ୍ର ପ୍ରଭୃତି ପ୍ରାକୃତ ବ୍ୟାକରଣରୁ ସବୁ ଯୁକ୍ତାକ୍ଷର ଉଠେଇ ନେଇଛନ୍ତି । ଧ୍ୱନିଗତ ଉଚ୍ଚାରଣ ଆଉ ନାହିଁ । ସେଥିପାଇଁ ସେମାନେ ଏହା ଉଠାଇ ନେଇଛନ୍ତି । ବୁଦ୍ଧଦେବଙ୍କ ସମୟରୁ ପ୍ରାୟ ଯୁକ୍ତାକ୍ଷର ତାର ପ୍ରାଧାନ୍ୟ ହରାଇଛି । ପ୍ରଥମ ଶତକରୁ ଏହା ବ୍ୟାକରଣୁ ଗତ ସ୍ୱୀକୃତି ପାଇଲାଣି । ପ୍ରାକୃତ ଭାଷାର ବ୍ୟାକରଣ ସୂତ୍ର ମାନି ଓଡ଼ିଆ ଭାଷା ସାହିତ୍ୟ ରଚିତ ହେବା ଆବଶ୍ୟକ । ନାସିକ ଓ ଅନୁନାସିକ ବର୍ଣ୍ଣଭିତରେ କୌଣସି ପାର୍ଥକ୍ୟ ଆମ ଉଚ୍ଚାରଣରେ ଦେଖାଯାଉ ନାହିଁ । ଗୁଡ଼ାଏ ଯୁକ୍ତାକ୍ଷର ସୃଷ୍ଟି କରି ଅଯଥା କ୍ଳିଷ୍ଟତା ବଢ଼େଇବାରେ କିଛି ଯଥାର୍ଥତା ନାହିଁ । କାରଣ Type Machine, Monotype ପ୍ରଭୃତି ବିଭିନ୍ନ ପ୍ରକାର ମେସିନ୍ ଉଦ୍‌ଭାବନ କରିଗଲାଣି । ସୁବିଧା ଦୃଷ୍ଟିରୁ ମେସିନ୍‌ରେ ଟାଇପ କଲେ ଏହିସବୁ ଯୁକ୍ତାକ୍ଷରକୁ ବର୍ଜନ କରିବାକୁ ପଡ଼ିବ । ଯୁକ୍ତାକ୍ଷରଗୁଡ଼ିକ ପ୍ରାୟ ଅବୈଜ୍ଞାନିକ ମନେହୁଏ- ଉଦାହରଣ ସ୍ୱରୂପ ‘ଅନ୍ତ’ ଶବ୍ଦଟି ନିଆଯାଉ’ ଏଥିରେ ‘ନ୍’ ପରେ ତ ଆସୁଛି । ‘ତ’ ଅକ୍ଷରଟି ହେଉଛି ମୁଖ୍ୟ ଅକ୍ଷର । ‘ନ୍‌’ ଏଠାରେ ଗୌଣ । କିନ୍ତୁ ଗୌଣ ଅକ୍ଷର ‘ନ୍‌’ ପୁରାମାତ୍ରାରେ ରହି ମୁଖ୍ୟ ଅକ୍ଷର ତ ମାତ୍ର ଏକ ସାମାନ୍ୟ ‘ଚିହ୍ନ’ରେ ରହୁଛି-। ଏହି ଦୃଷ୍ଟିରୁ ଏହା ଅବୈଜ୍ଞାନିକ ମନେ ହୁଏ । ସେହିଭଳି ‘ଗର୍ତ୍ତ’ ‘ଅର୍ଦ୍ଧ’- ଏହି ଶବ୍ଦରେ ମାତ୍ରା ପରେ ଥିବା ଅକ୍ଷର ଅଦ୍ୱିତୀୟକ୍ଷର ହୋଇଯାଉଛି । ଯଥା ‘ଗର୍ତ୍ତ’ ‘ଅର୍ଦ୍ଧ’ ଏହି ଶବ୍ଦରେ ମାତ୍ରା ପରେ ଥିବା ଅକ୍ଷର ଦ୍ୱିତୀୟ ଅକ୍ଷର ହୋଇଯାଉଛି । ଯଥା ‘ଗର୍ତ୍ତ’ କିନ୍ତୁ ପାଣିନୀ ସଂସ୍କୃତ ବ୍ୟାକରଣରେ ଏହାକୁ ବିକଳ୍ପ ଭାବେ ବ୍ୟବହାର କରିଛନ୍ତି-। ତେଣୁ ଆମେ ଯେଉଁ ସବୁ ଯୁକ୍ତାକ୍ଷର ପରିତ୍ୟାଗ କରୁଛୁ ବା ବ୍ୟବହାର କରୁଛୁ ତାହା ବୈୟାକରଣ ଭତ୍ତି ଭୂମି ଉପରେ ପ୍ରତିଷ୍ଠିତ ହେବା ଉଚିତ୍ ।

ପ୍ରଶ୍ନ

ଆପଣ ପୃଥିବୀର ବହୁ ଦେଶ ଭ୍ରମଣ କରିଛନ୍ତି ଏବଂ ସାମ୍ପ୍ରତିକ ବିଶ୍ୱ-କାବ୍ୟଧାରା ସମ୍ପର୍କରେ ଅଧ୍ୟୟନ ଓ ଅନୁଧ୍ୟାନ କରିଛନ୍ତି: ବିଶ୍ୱ କାବ୍ୟଧାରା ଅନୁରୂପ ପ୍ରଗତିଶୀଳ ଚିନ୍ତାଧାରା ଆମର ସାମ୍ପ୍ରତିକ କାବ୍ୟ ସାହିତ୍ୟ ସୃଷ୍ଟିରେ ରହିଛି କି ?

ଉତ୍ତର

ବିଶ୍ୱ ଚିନ୍ତାଧାରା ଓ ପ୍ରଗତିଶୀଳ ଚିନ୍ତା ଭିନ୍ନ ଅଟେ । ବିଶ୍ୱ ଚିନ୍ତାଧାରାମାନେ କାବ୍ୟିକ ଚିନ୍ତାଧାରା । ନୂତନ ସମାଜ ସମ୍ପର୍କରେ, ମୂଲ୍ୟବୋଧ ବିଷୟରେ । ଏସବୁ ଆମେ କାବ୍ୟରେ ଦେଖୁଛୁ । ଏହା ପ୍ରଗତିଶୀଳ ସମାଜବାଦୀ ବାସ୍ତବତାକୁ ବୁଝାଇବ । ଆମ ଓଡ଼ିଆ ସାହିତ୍ୟର ଆଙ୍ଗିକ ବା Technical ଅଭିବୃଦ୍ଧି ବିଶ୍ୱ ସାହିତ୍ୟକୁ ଚାହିଁ ଯଥେଷ୍ଟ ହୋଇଛି । ବିଶ୍ୱ ସାହିତ୍ୟକୁ ଅନୁସରଣ କରି ଆମ ସାହିତ୍ୟରେ ନୂତନ ଦିଗନ୍ତ ପ୍ରତିଷ୍ଠିତ ହୋଇଛି । ଯେମିତି ରହସ୍ୟବାଦ ବଦଳରେ ନୂତନ ଦୃଷ୍ଟିଭଙ୍ଗୀ ଏବଂ ପରମ୍ପରାଗତ ଗଚ୍ଛିତ ଶବ୍ଦ ବଦଳରେ ଆଙ୍ଗିକର ପରିବର୍ତ୍ତନ କରାଯାଇଛି । କିନ୍ତୁ ପ୍ରଗତିଶୀଳତା ବୋଲି ଆମେ ଯାହାବୁଝୁ ତାହା ଆମ ସାହିତ୍ୟରେ, କାବ୍ୟରେ ବଳିଷ୍ଠ ଭାବରେ ପ୍ରକାଶ ପାଇ ପାରୁନି । ତା’ର କାରଣ ହେଲା ଆମର ଲେଖକମାନେ ଯେପରି କାବ୍ୟିକ ମହାସ୍ରୋତରୁ ବିଚ୍ଛିନ୍ନ ହୋଇ ଯାଉଛନ୍ତି । ସେମାନେ ପ୍ରାୟ ବ୍ୟକ୍ତି କୈନ୍ଦ୍ରିକ କବିତା ଲେଖୁଛନ୍ତି, ଯାହାକି ମଧ୍ୟବିତ୍ତ ତଥା ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ ପାଇଁ ପ୍ରତିନିଧିତ୍ୱ କରୁଛି । କିନ୍ତୁ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ ମଧ୍ୟରେ ଯେଉଁ ବୈପ୍ଳବିକ ଚିନ୍ତାଧାରା ରହିଛି ତା’ର ପ୍ରତିନିଧିତ୍ୱ କରିପାରୁନି । ତା’ର କାରଣ ହେଲା ସେମାନେ ସମସ୍ତେ ନିଜର ଛୋଟ ଛୋଟ ଜଗତ ଭିତରେ ବନ୍ଦୀ । କିଏ ଅଫିସର କିଏ ଅଧ୍ୟାପକ । ସେମାନେ ସାଧାରଣ ଜୀବନ ଧାରାରୁ ବଞ୍ଚିତ ଏବଂ ବିଚ୍ୟୁତ । ସେଥିପାଇଁ ସେମାନେ ସମାଜର ମହାସ୍ରୋତରୁ ବିଚ୍ଛିନ୍ନ ହେଲାପରି ଜଣାପଡ଼ୁଛି । ପ୍ରଗତିଶୀଳତା ସେମାନଙ୍କ କାବ୍ୟ କବିତାରେ ନାହିଁ ।

ପ୍ରଶ୍ନ

ସମ୍ପ୍ରତି ପ୍ରକାଶିତ ହେଉଥିବା ଓଡ଼ିଆ ସାହିତ୍ୟର ସମାଲୋଚନା ଓ ପର୍ଯ୍ୟାଲୋଚନା ପର୍ଯ୍ୟାୟଭୁକ୍ତ ରଚନା ଗୁଡ଼ିକରେ ସାହିତ୍ୟର ଯଥୋଚିତ ମୂଲ୍ୟାୟନ କରାଯାଉଛି ବୋଲି ଆପଣ ମନେ କରନ୍ତି କି ?

ଉତ୍ତର

ବର୍ତ୍ତମାନ ଅନେକ ଭଲ ସମାଲୋଚନା ବା ପର୍ଯ୍ୟାଲୋଚନା ଲେଖୁଛନ୍ତି । କିନ୍ତୁ ଯଥାର୍ଥ ମୂଲ୍ୟାୟନ କରାଯାଉଛି କି ନାହିଁ ସେ ବିଷୟରେ ମୋର ସନ୍ଦେହ । କେବଳ ଅଧ୍ୟାପକ ଗୋଷ୍ଠୀ ବହୁ ସମାଲୋଚନା ସାହିତ୍ୟ ଲେଖୁଛନ୍ତି । ତା’ର କାରଣ ହେଲା ଏମାନଙ୍କର ବହୁ ବ୍ୟକ୍ତିଗତ ସମସ୍ୟା ରହିଛି: ଯଥା- ବଦଳି, ପଦୋନ୍ନତି । ତେଣୁ ସେମାନେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ସଠିକ୍ ମୂଲ୍ୟାୟନ କରିପାରୁ ନାହାନ୍ତି । ସେମାନେ ଯାହା ଲେଖୁଛନ୍ତି ତାହା ସାହିତ୍ୟର ଗୁରୁତ୍ୱ ତୁଳନାରେ ଟିକେ ସମାନୁପାତିକ ହେଉନି । ତେଣୁ ପକ୍ଷପାତ ଦୋଷ ରହୁଛି । ତଥାପି ବହୁ ଗୋଷ୍ଠୀ-ନିରପେକ୍ଷ ସମାଲୋଚକ ବର୍ତ୍ତମାନ ବାହାରିଲେଣି ।

ପ୍ରଶ୍ନ

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ସାହିତ୍ୟର ମାନକ ସମ୍ପର୍କରେ ଆପରଣଙ୍କ ମତାମତ କ’ଣ ?

ଉତ୍ତର

ସାମ୍ପ୍ରତିକ ଗଳ୍ପ କ୍ରମେ ଆଧୁନିକ ଅବବୋଧ ପ୍ରକାଶ କରୁଛି । ପରମ୍ପରାଗତ ଅବବୋଧ ମଧ୍ୟରେ ବନ୍ଦୀ ନ ରହି ଗାଳ୍ପିକମାନେ କ୍ରମଶଃ ଜୀବନର ମୁକ୍ତାଙ୍ଗନକୁ ବର୍ତ୍ତମାନ ଆସୁଛନ୍ତି । କିନ୍ତୁ ଏହି ଆସିବା ଭିତରେ ଅନେକ ଗାଳ୍ପିକତା, ପ୍ଲଟ, time sequenceକୁ ଛାଡ଼ି ଦେଉଛନ୍ତି । ଏହାଦ୍ୱାରା ସବୁ ପାଠକ ଏହାକୁ ବୁଝିପାରୁ ନାହାନ୍ତି । ଫଳରେ ପାଠକ ଓ ଗାଳ୍ପିକଙ୍କ ମଧ୍ୟରେ ଏକ ଦ୍ୱନ୍ଦ୍ୱ ଦେଖାଦେଉଛି । କିନ୍ତୁ ଏହି ନୂତନ ଲେଖା ପଢ଼ିବାରେ ପାଠକମାନେ ଅଭ୍ୟସ୍ତ ହେଲେ ଏହା ବୁଝି ପାରିବେ ଏବଂ ପାଠକ ଓ ଗାଳ୍ପିକ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ଘୁଞ୍ଚିଯିବ ।

ପ୍ରଶ୍ନ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାହିତ୍ୟିକର ଭୂମିକା କ’ଣ ହେବା ଉଚିତ୍ ବୋଲି ଆପଣ ମନେ କରନ୍ତି ?

ଉତ୍ତର

ଗଣତାନ୍ତ୍ରିକ ରାଷ୍ଟ୍ରରେ ଅକ୍ଟୋପାସ ସ୍ଥିତାବସ୍ଥାକୁ ବଦଳାଇବାକୁ ଗଲେ ସାହିତ୍ୟର ବଳିଷ୍ଠ ଭୂମିକା ନେବା ଦରକାର । ଏହା ହେବାଦ୍ୱାରା କିଏ କହିପାରନ୍ତି ସାହିତ୍ୟ ପ୍ରଚାରମୂଳକ ହୋଇଗଲା । କିନ୍ତୁ ସାହିତ୍ୟ କେବଳ ପ୍ରଚାର ମୂଳକ ହୋଇ ପାରେନା । ସାହିତ୍ୟ କେବେ କଳ୍ପନା ବିଳାସୀ ବା ସ୍ୱପ୍ନଜୀବୀ ହୋଇ ପାରେନା । ସାହିତ୍ୟ ସର୍ବଦା ବାସ୍ତବ ଜୀବନକୁ ଆଶ୍ରୟ କରି ଗଢ଼ି ଉଠିବା ଉଚିତ୍ । ବାସ୍ତବ ଜୀବନର ଦ୍ୱନ୍ଦ୍ୱ ସଂଘର୍ଷ ଏ ସମସ୍ତ ସାହିତ୍ୟରେ ପ୍ରତିଫଳିତ ହେବା ଆବଶ୍ୟକ । ଯଦି ସେ ନିତ୍ୟାନ୍ତ ପଳାୟନପନ୍ଥୀ ବା ବିଚ୍ଛିନ୍ନତାବାଦୀ ନ ହୁଏ ତେବେ ପ୍ରତ୍ୟେକଟି ଲେଖକ ଜାଣତରେ ହେଉ ବା ଅଜାଣତରେ ହେଉ ସମାଜର ବାସ୍ତବତାକୁ ପ୍ରକାଶ କରିବା ଉଚିତ୍ । କିନ୍ତୁ ସେହି ପ୍ରକାଶ କରିବା ଭିତରେ ସାହିତ୍ୟର ଉତ୍କର୍ଷତା ନିର୍ଭର କରେ । ବର୍ତ୍ତମାନ ଶୋଷଣ ଓ ଦୁର୍ନୀତିରେ ଭରପୁର ସମାଜକୁ ବଦଳାଇବାରେ ସାହିତ୍ୟର ବଳିଷ୍ଠ ଭୂମିକା ରହିଛି । ଏହାଦ୍ୱାରା ସୁସ୍ଥ ସମାଜ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ସୁସ୍ଥ ତଥା ସର୍ବତୋମୁଖୀ ସାହିତ୍ୟ ସୃଷ୍ଟି ହୋଇପାରି ସମାଜକୁ ବଦଳାଇବା ପାଇଁ ସାହିତ୍ୟ କେବଳ ପ୍ରଚାରମୂଳକ ହେବା ଉଚିତ୍ ନୁହେଁ । ରାମାୟଣ, ମହାଭାରତ ଇତ୍ୟାଦି ବାସ୍ତବ ଘଟଣା ଉପରେ ଆଧାରିତ । ସାହିତ୍ୟ ସର୍ବଦା ବାସ୍ତବ ଘଟଣାକୁ ରୂପ ଦେଇଥାଏ । ପ୍ରତ୍ୟେକ ଲେଖକ ଏଭଳି ଭୂମିକା ନେବା ଦରକାର ଯେପରି ତା’ସାହିତ୍ୟ ସ୍ଥିତାବସ୍ଥା, ରୁଗ୍‌ଣ ସମାଜ ବ୍ୟବସ୍ଥାକୁ ବଦଳାଇ ଏକ ନୂତନ ଶୋଷଣ ହୀନ ଏବଂ ବନ୍ଧନହୀନ ସମାଜ ଗଢ଼ିବା ଦିଗରେ ସାର୍ଥକ ଭୂମିକା ନେଇ ପାରିବ ।

ପ୍ରଶ୍ନ

ଓଡ଼ିଶାରେ ସାହିତ୍ୟ ସୃଷ୍ଟିକୁ ଏକ ବୃତ୍ତି ଭାବରେ ଗ୍ରହଣ କରାଯିବାର କୌଣସି ଅନ୍ତରାୟ ରହିଛି ବୋଲି ଭାବୁଛନ୍ତି କି ? ଯଦି ଥାଏ ତାହା କିପରି ଭାବରେ ଦୂର କରାଯାଇ ପାରିବ ।

ଉତ୍ତର

ଓଡ଼ିଶାରେ ସାହିତ୍ୟକୁ ବୃତ୍ତି ଭାବେ ଗ୍ରହଣ କରିବାରେ ଏକମାତ୍ର ଅସୁବିଧା ହେଉଛି ପାଠକମାନେ ବହି କିଣନ୍ତିନି । ସରକାର ଯେଉଁ ବହି ସବୁ କିଣନ୍ତି ସେଥିରେ ଏତେ ଦୁର୍ନୀତି ଭଳି ରହିଥାଏ ଯେ ତାହା ଫଳରେ ଜଣେ ସଚ୍ଚୋଟ ସାହିତ୍ୟକ ବା ଭିତରୁ ବେଶୀକିଛି ଲାଭବାନ ହୋଇପାରେ ନାହିଁ । ତେଣୁ ସାହିତ୍ୟର ଦୁର୍ଗତି ଅବଶ୍ୟମ୍ଭାବୀ । ଓଡ଼ିଶାରେ ଜଣେ ସାହିତ୍ୟକର ଆୟ ଅତି ନଗଣ୍ୟ । ଯଦ୍ଦ୍ୱାରା ସେ ସାହିତ୍ୟକୁ ଜୀବିକାଭାବେ ଗ୍ରହଣ କରିପାରେନି । ସାହିତ୍ୟ ମଧ୍ୟ ଜୀବନର ପ୍ରକୃତି ପ୍ରତିଛବି ହୋଇ ପାରୁନି । ଯଦି ଲେଖକ, କବିମାନେ ସ୍ୱାବଲମ୍ବୀ ହୋଇ ପାରନ୍ତେ ତା’ହେଲେ ସାହିତ୍ୟ ପ୍ରକୃତିରେ ମୁକ୍ତ ବୋଲି କୁହାଯାଇ ପାରନ୍ତା । କିନ୍ତୁ ତାହା ସମ୍ଭବ ହେଉନି । ତେଣୁ ସ୍ୱାଧୀନ ଚିନ୍ତା ବ୍ୟାହତ ହେଉଛି ।

ପ୍ରଶ୍ନ

କାବ୍ୟ ସାହିତ୍ୟକୁ ଅଧିକ ସୁବୋଧ୍ୟ ଓ ଲୋକପ୍ରିୟ କରିବା ପାଇଁ ଗଦ୍ୟ କବିତା ଶୈଳୀର ପ୍ରବର୍ତ୍ତନ କରାଯାଇଥିଲା ବୋଲି କେହି କେହି ମତପୋଷଣ କରୁଥିବା ବେଳେ ଛନ୍ଦ ପରମ୍ପରାରୁ ବିଚ୍ୟୁତ ହେବାପରେ ଏହା ଆସ୍ତେ ଆସ୍ତେ ପାଠକ ସାଧାରଣଠାରୁ ବିଚ୍ଛିନ୍ନ ହୋଇ ପଡ଼ୁଥିବା ଉକ୍ତିଟି ସତ୍ୟ କି ? ଉକ୍ତିଟି ସତ୍ୟ ହୋଇଥିଲେ ଏହି ପରିପ୍ରେକ୍ଷୀରେ କାବ୍ୟ ରଚନା ଶୈଳୀର ପରିବର୍ତ୍ତନ କରାଯିବା ଆବଶ୍ୟକ ବୋଲି ଆପଣ ମନେ କରନ୍ତି କି ?

ଉତ୍ତର

ଗଦ୍ୟଶୈଳୀ ବା ଗଦ୍ୟଧର୍ମୀ କବିତା ଲେଖିବାର ଉଦ୍ଦେଶ୍ୟ କବି ସ୍ୱାଧୀନ ଭାବେ ଲେଖି ପାରିବ । ଛନ୍ଦ ବା ସାଙ୍ଗିତିକତା କବିତା ପାଇଁ ଅପରିହାର୍ଯ୍ୟ ନୁହେଁ । କିଛି ବର୍ଷ ତଳେ କବିତା ପ୍ରଚାର କରିବାର କୌଣସି ମାଧ୍ୟମ ନ ଥିଲା । ତେଣୁ କବିତା ସଙ୍ଗୀତକୁ ଆଶ୍ରୟ କରୁଥିଲା । ଯଦ୍ଦ୍ୱାରା ଭଞ୍ଜ ତଥା କବିସୂର୍ଯ୍ୟଙ୍କ କବିତା ଗୋଟିପିଲାଠାରୁ ଆରମ୍ଭ କରି ପାଲାବାଲାଠାରୁ ସହର ପର୍ଯ୍ୟନ୍ତ ପହଞ୍ଚି ପାରୁଥିଲା । କିନ୍ତୁ ବର୍ତ୍ତମାନ ସେଭଳି କିଛି ଅସୁବିଧା ଆଉ ନାହିଁ । ବର୍ତ୍ତମାନ ଆଧୁନକ ଯୁଗରେ ପତ୍ରପତ୍ରିକା, ରେଡ଼ିଓ ଏବଂ ଟିଭି ମାଧ୍ୟମରେ ଆମେ କବିତାକୁ ସହର ଓ ଗାଁ ଗହଳି ସବୁଠାରେ ପହଞ୍ଚାଇବାରେ ସମର୍ଥ ହୋଇ ପାରିଛୁ । ଛନ୍ଦୋବନ୍ଧ, ଯତିଥିବା କବିତା ଅବଶ୍ୟ ଶୀଘ୍ର ମନେରୁହେ, ତାକୁ ପଢି ଜଣେ ପାଠକ ଗାଇ ପାରେ । କିନ୍ତୁ ବର୍ତ୍ତମାନ ଆଧୁନିକ କବିତାରେ ଟିକେ ଅସୁବିଧା ହୁଏ । କିନ୍ତୁ ସାରଗର୍ଭକ ତଥା ହୃଦୟକୁ ଛୁଇଁଲାଭଳି ପଦଗୁଡ଼ିକ ଯଦିଓ ଛନ୍ଦମୁକ୍ତ ତଥାପି ପାଠକ ମନରେ ରହିଯାଏ । ବର୍ତ୍ତମାନ ଯୁଗରେ କବିତା ଆଉ ସଙ୍ଗୀତକୁ ଆଶ୍ରୟ କରିବା ଉଚିତ୍ ନୁହେଁ ।

ପ୍ରଶ୍ନ

ନୂତନ ଚିତ୍ରକଳ୍ପ, ରୂପକଳ୍ପ ଓ ଉପମା ବ୍ୟବହାର କରିବା ପାଇଁ ଆପଣ ସର୍ବଦା ଆଗ୍ରହ ପ୍ରକାଶ କରିଥା’ନ୍ତି ଏବଂ ଏହାଦ୍ୱାରା ଆପଣଙ୍କର ସାହିତ୍ୟ ସୃଷ୍ଟି କେତେକାଂଶରେ ସର୍ବସାଧାରଣ ପାଠକଙ୍କ ପାଇଁ ବୋଧଗମ୍ୟ ହୋଇ ନଥାଏ । ଉକ୍ତି ଯଦି ସତ୍ୟ ହୋଇଥାଏ, ତା’ହେଲେ ଆପଣ ବାରଶ ବଢ଼େଇଙ୍କୁ ଛାଡ଼ି, ‘ପୁଅରେ ବାୟ’ ବୋଲି କୁହାଯିବ କି ?

ଉତ୍ତର

 

କବିତାରେ ଏକ ପ୍ରସାଦଗୁଣ ରହନ୍ତି । ପ୍ରସାଦଗୁଣ ବିନା କବିତା ହୋଇପାରେନା । ତେଣୁ କବିତାରେ ଚିତ୍ରକଳ୍ପ ଉପମା, ଯଦି ନୂତନ ନ ହୁଏ ଏହା ସେପରି ଚିତ୍ତାକର୍ଷକ ହୋଇ ପାରିବ ନାହିଁ । ଟଙ୍କା ଯେପରି ପୁରୁଣା ହୋଇ ଘଷରା ହୋଇ ଅଚଳ ହୋଇଯାଏ ସେଭଳି ଯଦି ପରଂପରାଗତ ତଥା ପୁରୁଣା ଗଚ୍ଛିତ ଶବ୍ଦ, ବହୁ ବ୍ୟବହୃତ ଉପମାଦ୍ୱାରା କବିତା ରଚିତ ହୁଏ ତେବେ ତାହା ଆଦୃତ ହେବନାହିଁ କି ଚିତ୍ତାକର୍ଷକ ହୋଇ ପାରିବ ନାହିଁ । ନୂତନ ରୂପକଳ୍ପ ଦେବୀ, ଚିତ୍ରକଳ୍ପ, ଉପମା ବ୍ୟବହାର କରିବା ଦ୍ୱାରା କବିତା ପାଠକ ମନରେ ଏକ ନୂତନ କାବ୍ୟ ଚେତନା ସୃଷ୍ଟି କରିବାରେ ସମର୍ଥ ହୋଇଥାଏ । ନୁଆମିଥ୍. ଆର୍କିଟାଇପସ ଏବଂ ନୂତନ ପ୍ରତୀକକୁ ମୁଁ କବିତାରେ ବ୍ୟବହାର କରିଥାଏ । କବିତାକୁ ଶବ୍ଦଛଡ଼ା କିଛି କୁହାଯାଇ ପାରେନା । ତେଣୁ ଶବ୍ଦ ବୈଭବ ଯଦି ନଥାଏ ଶବ୍ଦରେ ଯଦି କିଛି ନୂତନତା ବା ମାଦକତା ନ ଥାଏ ତାହା ଯେତେ ଭାବଗର୍ଭ ହେଲେ ମଧ୍ୟ ପାଠକ ଚିତ୍ତକୁ ସ୍ପର୍ଶ କରି ପାରେ ନାହିଁ । ଭାଷାଗତ ସୌନ୍ଦର୍ଯ୍ୟକୁ ଛାଡ଼ି କବିତା କଳ୍ପନା କରାଯାଇ ପାରେନା ।

ପ୍ରଶ୍ନ

ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ ନକରି ରାଜନୀତି, ଉଚ୍ଚ ଚାକିରୀ ବା ବ୍ୟବସାୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିଲେ ଆପଣ ଅଧିକ ଆନନ୍ଦିତ ହୋଇଥାନ୍ତେ କି ?

ଉତ୍ତର

ମୁଁ କିଛିଦିନ ଚାକିରୀ କରିଥିଲି କିନ୍ତୁ ପରେ ଛାଡ଼ିଦେଲି । କାରଣ ସାହିତ୍ୟ ଏଭଳି ଏକ ଜିନିଷ ସେ ଚାହେଁ ସାହିତ୍ୟିକ କେବଳ ସାହିତ୍ୟ ଲେଖୁ, ଅନ୍ୟ କୌଣସି ପ୍ରତି ଧ୍ୟାନ ନ ଦେଉ । ସାହିତ୍ୟ ସାଧନା ଅତି କଠିନ । ସେଥିପାଇଁ ମୋତେ ବହୁ ଦୁଃଖ କଷ୍ଟ ସହିବାକୁ ପଡ଼ିଛି, ବହୁ ସଂଘର୍ଷ କରିବାକୁ ପଡ଼ିଛି । ବର୍ତ୍ତମାନ ମୁଁ ସେ ସବୁରୁ ପାର ହୋଇ ଯାଇଛି । ସାହିତ୍ୟକ ହିସାବରେ ସାର୍ଥକ ସାହିତ୍ୟ ସୃଷ୍ଟି କରିବା ମୋ ଜୀବନର ଏକମାତ୍ର କାମ୍ୟ ।

ପ୍ରଶ୍ନ

ବର୍ତ୍ତମାନ ଆପଣଙ୍କ ସାହିତ୍ୟ ସୃଷ୍ଟିର ଆଭିମୁଖ୍ୟ କ’ଣ ?

ଉତ୍ତର

ମୋ ସାହିତ୍ୟ ସୃଷ୍ଟିର ଆଭିମୁଖ୍ୟ ହେଲା ଐତିହାସିକ ବାସ୍ତବତା ବା ଦ୍ୱାନ୍ଦ୍ୱିକ ବାସ୍ତବତା-। ମୁଁ ସେହି ଦୃଷ୍ଟିକୋଣରୁ ସବୁ ମୂଲ୍ୟବୋଧକୁ ଦେଖେ । ଏ ସମସ୍ତଙ୍କୁ ମୁଁ ବର୍ଣ୍ଣନା କରେ । କାବ୍ୟକ ରୂପ ଦେବାକୁ ଚେଷ୍ଟା କରେ ଶ୍ଳେଷ ବା ବିଦ୍ରୁପ ଭିତରେ । ପ୍ରଗତିଶୀଳତା ହିଁ ମୋର ମୁଖ୍ୟ ଆଦର୍ଶ । ପରିବର୍ତ୍ତନର ଗତି ବା ମୂଳସ୍ତରକୁ କାବ୍ୟ କବିତାରେ ରୂପ ଦେବାକୁ ମୁଁ ଚେଷ୍ଟା କରେ ।

ପ୍ରଶ୍ନ

ଜଣେ ବିଶିଷ୍ଟ ପରିଣତ ଲେଖକ ଭାବରେ ଉଦୀୟମାନ ସାହିତ୍ୟ ସ୍ରଷ୍ଟାଙ୍କ ପାଇଁ ଏବଂ ଜନସାଧାରଣଙ୍କ ପାଇଁ ଆପଣଙ୍କର କୌଣସି ନିର୍ଦ୍ଦିଷ୍ଟ ବାର୍ତ୍ତା ଅଛି କି ?

ଉତ୍ତର

ଉଦୀୟମାନ ସାହିତ୍ୟିକମାନେ ଜାତୀୟ ଚେତନାର ମହାସ୍ରୋତରୁ ନିଜକୁ ବିଚ୍ଛିନ୍ନ ନ କରନ୍ତୁ । ସେମାନେ ମଣିଷ ମନର କଥା ହୃଦୟଙ୍ଗମ କରନ୍ତୁ । ସେମାନଙ୍କ ସାହିତ୍ୟରେ ମଣିଷ ଜୀବନର ଯନ୍ତ୍ରଣା, ଉପଲବ୍‌ଧି ଓ ଅନୁଭୂତ ପ୍ରତିଫଳିତ ହେଉ ଏବଂ ନିଷ୍ଠାପର ଭାବେ ସେମାନେ ସାହିତ୍ୟ ସାଧନା କରନ୍ତୁ । ବିଭିନ୍ନ କମିଟିରେ ରହି ନିଜକୁ ଜଣେ ଏକେଶ୍ୱର ସାହିତ୍ୟକ ଭାବେ ଜାହିର ନ କରି ସେମାନେ ନିରବଚ୍ଛିନ୍ନ ଭାବେ ସାହିତ୍ୟ ସାଧନା କରନ୍ତୁ । ସମାଜ ତଥା ଜାତି ଦିନେ ନିଶ୍ଚୟ ତାଙ୍କୁ ସ୍ୱୀକୃତି ଦେବ । ତାଙ୍କର କୃତି ଦିନେ ଆଦୃତ ହେବ ଏଥିରେ ସନ୍ଦେହ ନାହିଁ । ଜଣେ ସଂଗ୍ରାମଶୀଳ ସାହିତ୍ୟକ ଭାବରେ ନିଜକୁ ପ୍ରତିଷ୍ଠିତ କରନ୍ତୁ ।

ପ୍ରଶ୍ନ

ଆପଣଙ୍କ ପୂର୍ବସୂରୀ ଓଡ଼ିଆ ସାହିତ୍ୟିକମାନଙ୍କଠାରେ ଆପଣ କୌଣସି ଭାବରେ ଋଣୀ କି ?

ଉତ୍ତର

ପୂର୍ବସୂରୀଙ୍କ ପାଖରେ ଯେଉଁମାନେ ଋଣ ସ୍ୱୀକାର କରନ୍ତି ନାହିଁ ସେମାନେ ପ୍ରକୃତରେ ସାହିତ୍ୟକ ନୁହନ୍ତି । ଆମର ପୂର୍ବସୂରୀମାନେ ପ୍ରକୃତ ପୃଷ୍ଠଭୂମି ତିଆରି କରି ଯାଇଛନ୍ତି-। ତେଣୁ ସେମାନଙ୍କୁ ସ୍ୱୀକାର କରିବା ସାହିତ୍ୟିକର ପ୍ରଥମ କର୍ତ୍ତବ୍ୟ । ଜଣେ ସାହିତ୍ୟକ ନୂତନତା ସୃଷ୍ଟି କରିପାରେ କିନ୍ତୁ ପୁରାତନ ଭିତ୍ତିଭୂମି ଉପରେ ହିଁ ସେ ତାହା କରେ ସେମାନଙ୍କୁ ଯୁଗଭିତ୍ତିକ ଦୃଷ୍ଟିକୋଣରୁ ଦେଖି ଆଧୁନିକ କବି ତା’ର ଯାତ୍ରା ଆରମ୍ଭ କରିଥାଏ ।

ପ୍ରଶ୍ନ

ସାହିତ୍ୟ ସୃଷ୍ଟିକ୍ଷେତ୍ରରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ପ୍ରତିପାଦନ ପାଇଁ ନାନ୍ଦନିକତାକୁ ଉପେକ୍ଷା କରାଯାଇ ପାରେ କି ?

ଉତ୍ତର

ନାନ୍ଦନିକତା ବିନା ସାହିତ୍ୟକୃତ ସମ୍ଭବ ନୁହେଁ । ତାହା ଯଦି କାବ୍ୟରସରେ ରସାଣିତ ନ ହୁଏ କାବିକ ସାର୍ଥକତା ନ ପାଏ ତା’ହେଲ ସେ କାବ୍ୟ ବା ସାହିତ୍ୟ ହୋଇ ପାରେନା । ରସୋତ୍ତୀର୍ଣ୍ଣ କୃତି ହଁ ସାହିତ୍ୟ ପଦମର୍ଯ୍ୟାଦା ଲାଭ କରିଥାଏ ।

ପ୍ରଶ୍ନ

ଆପଣ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ସାହିତ୍ୟକ ସଂଗଠନ ସହିତ ସଂପୃକ୍ତ ରହି ଆସିଛନ୍ତି-ପୂର୍ବରୁ ଆପଣ ଏକାଡେମୀର ସଭାପତି ମଧ୍ୟ ଥିଲେ । ବର୍ତ୍ତମାନର ସାହିତ୍ୟ ସଂଗଠନ ସମ୍ପର୍କରେ କିଛି କହିବେ କି ?

ଉତ୍ତର

ପ୍ରକୃତ ସାହିତ୍ୟ ଅନୁଷ୍ଠାନ ଆମ ଦେଶରେ ବହୁତ କାମଅଛି । ତେଣୁ ଏମାନେ ଯେପରି ବଳିଷ୍ଠ ସାମାଜିକ ଭୂମିକା ପାଳନ କରି ପାରନ୍ତି ସେଥିପାଇଁ ସରକାର ସୁଯୋଗ ଦେବା ଉଚିତ୍ ।

ପ୍ରଶ୍ନ

ଆମ ସରକାରଙ୍କ କୌଣସି ନିର୍ଦ୍ଧାରିତ ସାଂସ୍କୃତିକ ନୀତି ରହିବା ଉଚିତ୍ ବୋଲି ଆପଣ ମନେ କରନ୍ତି କି ? ଆପଣଙ୍କ ମତରେ ନିର୍ଦ୍ଧାରିତ ନୀତିର ରୂପରେଖ କ’ଣ ହେବା ଉଚିତ୍ ?

ଉତ୍ତର

ସାହିତ୍ୟ ଓ ସଂସ୍କୃତିକୁ ଉତ୍ସାସିତ କରିବା ସରକାରଙ୍କର ନୀତି ହେବା ଉଚିତ । କିନ୍ତୁ ସେମାନଙ୍କର ସ୍ୱାଧୀନ ମନୋବୃତ୍ତି ଯେପରି କ୍ଷୂର୍ଣ୍ଣ ନ ହୁଏ ତାହା ମଧ୍ୟ ସରକାର ଦେଖିବା ଉଚିତ୍ । ସରକାର ସର୍ବଦା ସାହିତ୍ୟକମାନଙ୍କୁ ଉଦ୍ଦେଶ୍ୟ ହୀନ ସାହାଯ୍ୟ ଦେବା ଉଚିତ୍ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଅଭିଲେଖାରରେ ପରିରକ୍ଷଣ କରାଯାଇଥିବା

ଟେପରେକଡ଼ିଂରୁ ଗୃହୀତ

***

 

ସଂପାଦକୀୟ

କବିତାରେ ଏତିହ୍ୟ ଚେତନା ଓ ସାମ୍ପ୍ରତିକତା

 

‘‘No poet, no artist of any art has his complete meaning alone. His significance, his appreciation is the appreciation of his relations to the dead poet and artist.”

(Individual Talent-T.S. Eliot)

 

ଗତାନୁଗତିକ ଚେତନାଧାରାର ପ୍ରଭାବରୁ ସାମ୍ପ୍ରତିକ କବି ତଥା ଶିଳ୍ପୀ ନିଜକୁ ସଂମ୍ପୂର୍ଣ୍ଣ ବିଚ୍ଛିନ୍ନ କରି ସାର୍ଥକ ସୃଷ୍ଟି କରିପାରେନା । ଜଣେ ଆଜିକାର କବିଙ୍କୁ ମୂଲ୍ୟାଙ୍କନ ପାଇଁ ଅତୀତର କବିଙ୍କ ସହିତ ତୁଳନା କରିବାକୁ ହିଁ ହେବ, କାରଣ ଏହା ତାଙ୍କ ସୌନ୍ଦର୍ଯ୍ୟ ଚେତନା ଉପଲବ୍ଧି ପାଇଁ ନିତାନ୍ତ ଆବଶ୍ୟକ – ଇତିହାସର ଯୋଗସୂତ୍ର ରକ୍ଷାପାଇଁ ନିଶ୍ଚୟ ନୁହେଁ । କବି ଯଦି ନୂତନ ଭଙ୍ଗୀର କରିବା ଲେଖନ୍ତି – ଏହାର ନୂତନତ୍ୱ ଅତୀତର ସମସ୍ତ କବିତା ସତ୍ତାକୁ ପ୍ରଭାବିତ କରେ । କାରଣ ତତ୍‌କ୍ଷଣାତ ଅତୀତର ସୃଷ୍ଟିକୁ ନୂତନ ମାନଦଣ୍ଡ ଦେଇ ପୁନର୍ବାର ମୂଲ୍ୟାଙ୍କନ କରିବାକୁ ପାଠକ ପ୍ରସ୍ତୁତ ହୋଇ ପଡ଼ନ୍ତି ।

 

ଯେଉଁ କବି ଏହି ଅବଧାରଣାର ବଶବର୍ତ୍ତୀ ହୁଅନ୍ତି ଏ ଦିଗରେ ତାଙ୍କର ଦାୟିତ୍ୱ ବୋଧ ଏବଂ ଅଧ୍ୟବସାୟ ପ୍ରତି ମଧ୍ୟ ସଚେତନ ହୋଇଯାଆନ୍ତି ।

 

ବର୍ତ୍ତମାନ ପ୍ରଶ୍ନ ହେଉଛି – କବିଙ୍କୁ ନୂତନ ସୃଜନୀର ଦୃଷ୍ଟିଭଙ୍ଗୀ ଦିଏ କିଏ ? ସମୟ ? ରାଷ୍ଟ୍ର ଓ ସମାଜ ? ପରିବେଶ ନା ବ୍ୟକ୍ତିକ ଚେତନା ?

 

ପ୍ରତ୍ୟେକ ଜାତିର ସୃଜନଶୀଳ ମନୋଭାବ ତ ରହିଛି ଏବଂ ସମୟର ପ୍ରବହମାନ ଘଟଣା ସମ୍ପର୍କିତ ସଂଘର୍ଷ ବା ସାଧନା ଜନିତ ପୁରୋଦୃଷ୍ଟି ମଧ୍ୟ ଅଛି । ଅନ୍ୟ ଦିଗରେ କବିଙ୍କ ସ୍ୱତଃସ୍ଫୂର୍ତ୍ତ ମନନଶୀଳତା ମଧ୍ୟ ଅଛି । କିନ୍ତୁ କବିଙ୍କ ଅଭିନବ ସୃଜନ ପ୍ରତିଭା, ସମୟ, ରାଷ୍ଟ୍ର ଓ ସମାଜ ସମ୍ପର୍କିତ ପଟ୍ଟଭୂମି ଉପରେ ହିଁ ପ୍ରତିଷ୍ଠା କରିବାକୁ ପଡ଼େ । ଆମେ ଯେତେବେଳେ ଉପଲବ୍ଧି କରୁ କବି ତାଙ୍କ ନିକଟତମ ଐତିହ୍ୟରୁ ବିଚ୍ଛିନ୍ନ ଆମେ ପୁଲକିତ ହେଉ । ସଙ୍ଗେ ସଙ୍ଗେ ବିଚାର କରି ବସୁ ଐତିହ୍ୟରୁ କ’ଣ ବାଦ ଦେଇ ଆମେ ଆମର କବିଙ୍କୁ ଉପଭୋଗ କରିବା !

 

କବି ଯଦି ଚଳନ୍ତି ରୁଚିକୁ ଲକ୍ଷ୍ୟ ରଖି ନୂତନତ୍ୱ ନାମରେ ତାଙ୍କର ରଚନାକୁ ଚଳାଇ ଦିଅନ୍ତି – ତେବେ ତାହା ଠିକ୍ ଆର୍ଟ ବା କଳା ପର୍ଯ୍ୟାୟକୁ ଆସିବ ନାହିଁ କାରଣ ରୁଚି (fad)ର ଅଦଳବଦଳ ଅଛି – ଏବଂ ତା’ର ଚିରନ୍ତନତା ପ୍ରତି ସନ୍ଦେହ ହୁଏ । କେବଳ ରୁଚି ଉପରେ ସଂପୂର୍ଣ୍ଣ ନିର୍ଭର କବିତା ବେଳେବେଳେ ବାଚାଳତା (eccentricity) ବୋଲି ଉପଲବ୍‌ଧ ମଧ୍ୟ ହୋଇଥାଏ ।

 

ଐତିହ୍ୟ (tradition) ସହିତ ସଂପୂର୍ଣ୍ଣ ରୂପେ ମିଶିଯିବା ମଧ୍ୟ ଏକ ପ୍ରକାର ନିର୍ବୋଧତା-। ଅନେକ ନୂତନ ପ୍ରତିଭା ଅତୀତରେ ନିମଜ୍ଜିତ ହୋଇ ନିଷ୍ପ୍ରଭ ହୋଇ ଯାଇଛନ୍ତି । ପୁନରାବୃତ୍ତି ଅପେକ୍ଷା ନୂତନତ୍ୱ ବରଂ କାବ୍ୟ:-

 

Novbelity is better than repletion (Tradition and Individual Talend T.S. Eliot)

 

ଅତୀତକୁ ଉପଲବ୍ଧି କରିବା ବା ଅଧ୍ୟୟନ କରି ଏବଂ ବର୍ତ୍ତମାନର ଭୂମିକା ଉପରେ ତାହାର ନୂତନ ପ୍ରତିଷ୍ଠା କରିବା କବିଙ୍କ କର୍ତ୍ତବ୍ୟ । ଐତିହ୍ୟର ଅନ୍ଧ ସ୍ତାବକତା ନୁହେଁ ।

 

ଅତୀତର ପରମ୍ପରା ସହିତ ଆଜିକାର କବିଙ୍କର ଯେଉଁ ସମ୍ପର୍କ, ଆଜିକାର କବିଙ୍କ ସହିତ ଭବିଷ୍ୟତ କବିଙ୍କର ମଧ୍ୟ ସେହି ସମ୍ପର୍କ ରହିବ । ମୁଁ ଆଗାମୀ ଯୁଗର କବି କହି ବାହାସ୍ଫୋଟ ମାରିବା ଏକ ପ୍ରକାର ଅର୍ଥହୀନ । ଭବିଷ୍ୟତର କବି ଆଜିକାର ସାର୍ଥକ କବିଙ୍କୁ ମଧ୍ୟ ତାଙ୍କର ପ୍ରତିଭୂରୂପରେ ସ୍ୱୀକାର କରିବେ ନାହିଁ ।

 

In a peculiar sense he will be aware also that he must invariably be judged by the standard of the past. I say judged, not amputated by them, not judged to be as good as worse or better that the dead and certainly not judged by the cannon of the dead critics.

(Tradition and Individual Talent T.S. Eliot)

 

ସାଂପ୍ରତିକ ଓଡ଼ିଆ କବିତାରେ ଏଲିୟଟ ନୂତନ ଚେତନାର ବାହକ ରୂପେ ପ୍ରସିଦ୍ଧି ହାସଲ କରିଛନ୍ତି, ତେଣୁ ମୁଁ କେବଳ ତାଙ୍କର ଉକ୍ତି ସବୁ ଉଦ୍ଧାର କରୁଛି । କବିତା ରଚନା ସମ୍ପର୍କରେ ସେ କହିଛନ୍ତି ଯେ, କବିଙ୍କ ପ୍ରଥମ କର୍ତ୍ତବ୍ୟ – ଐତିହ୍ୟରୁ ପ୍ରାପ୍ତ ଭାଷାର ସଂରକ୍ଷଣ ଏବଂ ଅଭିବର୍ଦ୍ଧନ ।

 

Our concern was speech

      And speech impelled us

To purify the dialect of the tribe

And urge the mind to alter sight and foresight

(Four Quartets)

 

ସେ ନିଜେ ଅତୀତରୁ ବହୁ ଅପହରଣ କରି ନିଜସ୍ୱ କରି ଉପସ୍ଥାପନ କରି ଯାଇଛନ୍ତି ।

 

“Eliot has smuggled in the suggestion that the poetic heritage from the past is one of the poet’s great possession, which he must preserve and from which he draws part of his own being”

(Poetry and the poet Elizabeth Drew)

 

ଗୋଟିଏ ଘଟଣା ବା ସମ୍ବେଗ, ଚରିତ୍ର ବା ଦୃଶ୍ୟ, ଅନ୍ତର୍ଦୃଷ୍ଟି ବା ଭାବ କବିତାର ଭ୍ରୁଣ ରୂପେ ଯାହା ସଞ୍ଚରିତ ହେଉ ନା କାହିଁକି – ଏହା ଏକ ନିଃସଙ୍ଗ, ଦ୍ୱୀପ ନୁହେଁ । ତାହାର ଅନ୍ତଃଶୀଳତାର ଉତ୍ସ ବହୁଦୂରବର୍ତ୍ତୀ ସମୟ ଶୈଳରୁ ପ୍ରବହମାନ ।

 

ଏଲିଅଟ ଭବିଷ୍ୟତ ପ୍ରତି କବିର ଆଉ ଗୋଟିଏ କର୍ତ୍ତବ୍ୟ ନିର୍ଦ୍ଧାରଣ କରି କହିଛନ୍ତି ଯେ ଭବିଷ୍ୟତ ପାଇଁ କବିଙ୍କୁ ଭାଷାକୁ ଉନ୍ନତତର ପ୍ରୟୋଗସିଦ୍ଧ ଏବଂ ପୂର୍ବାପେକ୍ଷା ଅଧିକ ଶାଣିତ କରିବାକୁ ପଡ଼ିବ । କବିଙ୍କ କବିତ୍ୱ ପ୍ରତି ଏହା ତାଙ୍କ ଶ୍ରେଷ୍ଠତମ କୃତିତ୍ୱ । ଏ ଦିଗରେ ସେ ନିଜେ ସଫଳ କି ନା ସେ ଦିଗରେ ସେ ସନ୍ଦେହ ପ୍ରକାଶ କରିଛନ୍ତି:-

 

So here I am, in the middle way having twenty years.

Trying to learn to use words, and every attempt.

Is a wholly new start, and a different kind of failure.

Because one has only learnt to get the better words

For the thing one no longer has to say or the way in which.

One is no longer dispose, to say it And so each venture.

Is a new beginning, a raid on the articulate.

With shabby equipment always deteriorating

In the general mess of inprecision of feeling.

Undiscipline squards of emotion.

(East Coker, Four Quartetes)

ଏକପ୍ରକାର ହତାଶାରେ ବଶବର୍ତ୍ତୀ ହୋଇ ଅନ୍ୟତ୍ର ସେ କହିଛନ୍ତି ‘‘The pains of turning blood in to ink” ଆଜିର ‘ସାଂପ୍ରତିକତା’ ଯେତେବେଳେ ଐତିହ୍ୟ ପାଲଟିଯିବ ଭବିଷ୍ୟତ ‘ସାଂପ୍ରତିକତା’ ପଶ୍ଚାତ୍‌ରୁ କିଛି ଦିଗ୍‌ଦର୍ଶନ ନ ପାଇଁ ହୁଏତ ଚିତ୍କାର କରିବ:-

“They ain’t a thing you can do about it. So shut up” (The naked and the Deat Normal Miller)

ବିନୋଦ ଚନ୍ଦ୍ର ନାୟକ

***

 

ଏକାଡେମୀ ସମାଚାର

ଅନୁଗୋଳଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଆଲୋଚନାଚକ୍ର

 

ତା. ୩୦।୧।୮୮ ଓ ୩୧।୧।୮୮ ଦୁଇଦିନ ବ୍ୟାପୀ ଅନୁଗୋଳଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଆଧୁନିକ କବିତା-ଗତି ଓ ପ୍ରବୃତ୍ତି, ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । ତା. ୩୦।୧।୮୮ ରିଖ ପୂର୍ବାହ୍ନ ୯.୩୦ ସମୟରେ ଏକାଡେମୀରର ସଭାପତି ମହାପାତ୍ର ଶ୍ରୀ ନୀଳମଣି ସାହୁଙ୍କ ଅନିବାର୍ଯ୍ୟ କାରଣବଶତଃ ଅନୁପସ୍ଥିତି ହେତୁ ଉପସଭାପତି ଶ୍ରୀ ବିନୋଦଚନ୍ଦ୍ର ନାୟକ ଏହି ଆଲୋଚନା ଚକ୍ରଟି ଉଦ୍‌ଘାଟନ କରିଥିଲେ ।

 

ଶ୍ରୀ ନାୟକ ତାଙ୍କର ଅଭି-ଭାଷଣରେ କହିଥିଲେ ଯେ, ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ କାର୍ଯ୍ୟ ପରିସରକୁ ଜନସମ୍ପର୍କିତ କରିବା ପାଇଁ ରାଜ୍ୟର ଅଞ୍ଚଳରେ ଏହିଭଳି ଆଲୋଚନା-ଚକ୍ର ଆୟୋଜିତ କରିବା ପାଇଁ ଏକାଡେମୀର ସାଧାରଣ ପରିଷଦ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏତଦ୍ଦ୍ୱାରା ବିଭିନ୍ନ ଆଲୋଚନା ଧାରାର ଦୃଷ୍ଟିରେ ସମନ୍ୱୟ ଆନୟନ ପୂର୍ବକ ଚେତନା ଶାଣିତ ହୋଇପାରିବ ବୋଲି ସେ ମନ୍ତବ୍ୟ ପ୍ରକାଶ କରିଥିଲେ ।

 

ପ୍ରଥମ ଦିନର ଅଧିବେଶନରେ ଅଧ୍ୟାପକ ଡଃ ଦାଶରଥି ଦାସ ଏବଂ ଅଧ୍ୟାପକ ହରିହର ମିଶ୍ର ‘‘ଆଧୁନିକ କବିତାର ଆଧୁନିକତା’’ ଶୀର୍ଷକ ପ୍ରବନ୍ଧ ପାଠ କରିଥିଲେ । ଅଧିବେଶନ ଆରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଆଲୋଚକ ଭାବରେ ବିଶିଷ୍ଟ ସାହିତ୍ୟକ ଅଧ୍ୟାପକ ଚନ୍ଦ୍ରଶେଖର ରଥ, ଅଧ୍ୟାପକ ଗଣେଶ୍ୱର ମିଶ୍ର ପଠିତ ପ୍ରବନ୍ଧ ଉପରେ ଆଲୋଚନା କରି ସାମ୍ପ୍ରତିକ ପାଶ୍ଚାତ୍ୟ କାବ୍ୟଗୀତି କିପରି ଭାବରେ ଓଡ଼ିଆ କବିତାର ଗତି ଏବଂ ପ୍ରବୃତ୍ତିକୁ ପ୍ରଭାବିତ କରିଛି ତାହା ଉପରେ ଆଲୋକପାତ କରିଥିଲେ ।

 

ତା ୩୦।୧।୮୮ ରିଖ ଅପରାହ୍ନ ୩.୩୦ ସମୟରେ ଆୟୋଜିତ ଦ୍ୱିତୀୟ ଅଧିବେଶନରେ ଅଧ୍ୟାପକ ସୌରୀନ୍ଦ୍ର ବାରିକ ‘‘ଆମେରିକାରେ ଆଧୁନିକ କବିତା’’ ଏବଂ ଅଧ୍ୟାପକ ରୋହିଣୀକାନ୍ତ ମୁଖାର୍ଜୀ ‘‘ଇଉରୋପରେ ଆଧୁନିକ କବିତାରେ ଫରାସୀ ପ୍ରତୀକବାଦୀ କବିଙ୍କର ଚେତନାଧାରା’’ ଶୀର୍ଷକ ପ୍ରବନ୍ଧ ପାଠ କରିଥିଲେ । ପଠିତ ପ୍ରବନ୍ଧ ଉପରେ ଅଧ୍ୟାପକ ଡଃ ଗଣେଶ୍ୱର ମିଶ୍ର ଏବଂ ଅଧ୍ୟାପକ ଡଃ ଫନୀ ମହାନ୍ତି ଆଲୋଚନା ପୂର୍ବକ ମତ ଓ ମନ୍ତବ୍ୟ ପ୍ରକାଶ କରିଥିଲେ । ସଭା ଶେଷରେ ସହକାରୀ ସମ୍ପାଦକ କୈଳାସ ବିହାରୀ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।

 

ତା ୩୧।୧।୮୮ରିଖ ପୂର୍ବାହ୍ନ ୮.୩୦ ସମୟରେ ଅନୁଷ୍ଠିତ ଅଧିବେଶନରେ ଅଧ୍ୟାପକ ଶତ୍ରୁଘ୍ନ ପାଣ୍ଡବ ‘‘ଆଧୁନିକ କବିତାର ଭାଷା ଓ ଶୈଳୀ’’, ଅଧ୍ୟାପକ ଡଃ ଆଦିକନ୍ଦ ସାହୁ ‘‘ଆଧୁନିକ କବିତାରେ ଜୀବନଚର୍ଯ୍ୟା’’, ଅଧ୍ୟାପକ ଭାଗୀରଥୀ ମିଶ୍ର ‘‘ଭାରତର ଆଧୁନିକ କବିତା’’ ଏବଂ ଅଧ୍ୟାପକ ଡଃ ନିତ୍ୟାନନ୍ଦ ଶତପଥୀ ‘‘ଆଧୁନିକତା ଓ ପରମ୍ପରା’’ ଶୀର୍ଷକ ପ୍ରବନ୍ଧମାନ ପାଠ କରିଥିଲେ । ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଶ୍ରୀ ସୁଧାଂଶୁ ମୋହନ ରାଉତରାୟ, ଅଧ୍ୟାପକ ହାଡ଼ିବନ୍ଧୁ ମିର୍ଦ୍ଧା ଏବଂ ଅଧ୍ୟାପକ କୁଳମଣି ନାୟକ ।

 

ଅପରାହ୍ନ ୩.୩୦ ସମୟରେ ଅନୁଷ୍ଠିତ ଆଲୋଚନାଚକ୍ରର ଉଦ୍‌ଯାପନ ଅଧିବେଶନରେ ଓଡ଼ିଶାର ସେଚ ଓ ଶକ୍ତି ବିଭାଗ ମନ୍ତ୍ରୀ ଶେଖମତଲୁବ ଅଲ୍ଲୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଆଧୁନିକ ଓଡ଼ିଆ କବିତାର ଗତି ଓ ପ୍ରବୃତ୍ତି ଉପରେ ସମୂହ ଆଲୋଚନାରେ ଯୋଗଦାନ କରିଥିଲେ ଅଧ୍ୟାପକ ଡଃ କୃଷ୍ଣ ଚରଣ ବେହେରା, ଅଧ୍ୟାପକ କୁମୁଦ ଚନ୍ଦ୍ର ଦାଶ ଓ ମୁରାରୀ ମୋନହ ଜେନା । ମୁଖ୍ୟ ଅତିଥି ସେଚ ଓ ଶକ୍ତି ବିଭାଗ ମନ୍ତ୍ରୀ ଶେଖ ମତଲୁବ୍ ଅଲ୍ଲୀ ଆଧୁନିକ ଓଡ଼ିଆ କବିତାର ନ୍ୟାୟୋଚିତ ସମାଲୋଚନା ଏବେ ମଧ୍ୟ କରାଯାଉ ନାହିଁ ବୋଲି ମତ ପ୍ରକାଶ କରିଥିଲେ । କବିମାନେ ପାଠକ ସାଧାରଣଙ୍କର ଆଦର ଲାଭ କରିବା ଭଳି କାବ୍ୟସାହିତ୍ୟ ରଚନା କରିବା ପାଇଁ ସେ ନିବେଦନ କରିଥିଲେ । ଓଡ଼ିଆ ସାହିତ୍ୟକୁ ଓଡ଼ିଶା ବାହାରେ ପ୍ରଚାର କରିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁବାଦ ମାଧ୍ୟମରେ ଯଥୋଚିତ ପଦକ୍ଷେପମାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ ।

 

ଏକାଡେମୀର ସମ୍ପାଦକ ସୁରେନ୍ଦ୍ରନାଥ ଶତପଥୀ ସଭା ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ । ସମସ୍ତ ଅଧିବେଶନରେ ପୌରହିତ୍ୟ କରିଥିଲେ ଏକାଡେମୀର ଉପ ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ନାୟକ ।

 

ନୟାଗଡ଼ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଆଲୋଚନାଚକ୍ର

 

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ନୟାଗଡ଼ ମହାବିଦ୍ୟାଳୟ ପରିସର ମଧ୍ୟରେ ତା ୧୯।୩।୮୮ ଏବଂ ୨୦।୩।୮୮ରିଖ ଦୁଇଦିନ ବ୍ୟାପୀ ‘ଆଧୁନିକ-ଗଳ୍ପ-ଗତି ଓ ପ୍ରବୃତ୍ତି’, ଶୀର୍ଷକ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ସଂସ୍କୃତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶରତ ରାଉତ ଅନିବାର୍ଯ୍ୟ କାରଣ ବଶତଃ ଉତ୍ସବରେ ଉପସ୍ଥିତ ହୋଇ ନ ପାରିବାରୁ ଏକାଡେମୀର ସଭାପତି ମହାପାତ୍ର ଶ୍ରୀ ନୀଳମଣି ସାହୁ ତା. ୧୯।୩।୮୮ ରିଖରେ ଏହା ଉଦ୍‌ଘାଟନ କରିଥିଲେ । ସ୍ୱୀୟ ଅଭିଭାଷଣରେ ଶ୍ରୀ ସାହୁ କହିଥିଲେ ଯେ ମାତ୍ର ଶହେବର୍ଷ ବୟସର ଓଡ଼ିଆ ଗଳ୍ପ ସାହିତ୍ୟ ପୃଥିବୀର ଯେକୌଣସି ଉନ୍ନତ ଭାଷାର ଗଳ୍ପ ସାହିତ୍ୟ ସହିତ ସମକକ୍ଷ ହୋଇପାରିଛି । ରଚନା କୌଶଳ, ଭାବ ଓ ଭାଷା ବିନ୍ୟାସ ତଥା ଉତ୍କୃଷ୍ଟ ଦୃଷ୍ଟିକୋଣ ଓ ସ୍ୱାଦ ସମ୍ବଳିତ ଓଡ଼ିଆ କ୍ଷୁଦ୍ରଗଳ୍ପ ଅଧୁନା ଅତ୍ୟନ୍ତ ଋଦ୍ଧିମନ୍ତ ଓ ଶୌର୍ଯ୍ୟଶାଳୀ ହୋଇ ପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ । ନୟାଗଡ଼ କଲେଜର ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ପଟ୍ଟନାୟକ ଏହି ଆଲୋଚନାଚକ୍ରରେ ଯୋଗଦାନ କରିଥିବା ସାହିତ୍ୟକମାନଙ୍କୁ ନୟାଗଡ଼ବାସୀଙ୍କ ପକ୍ଷରୁ ସ୍ୱାଗତ ଜ୍ଞାପନ କରିଥିଲେ ଏବଂ ଏକାଡେମୀର ଉପସଭାପତି, କବି ଶ୍ରୀ ବିନୋଦ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନୟାଗଡ଼ସ୍ଥ ସଙ୍ଗୀତ ବିଦ୍ୟାଳୟ ସଂସ୍ଥାର ଶିଳ୍ପୀବୃନ୍ଦ କଣ୍ଠସଙ୍ଗୀତ ପରିବେଷଣ କରିଥିଲେ ।

 

ତା ୨୦।୩।୮୮ରିଖ ପୂର୍ବାହ୍ନ ଅଧିବେଶନରେ ଅଧ୍ୟାପକ ଡଃ ପ୍ରଫୁଲ୍ଲ କୁମାର ମହାନ୍ତି ଏବଂ ଅଧ୍ୟାପକ ଡଃ ପୂର୍ଣ୍ଣାନନ୍ଦ ଦାନୀ ସ୍ୱରଚିତ ଭିତ୍ତି ପ୍ରବନ୍ଧମାନ ଉପସ୍ଥାପନ କରିଥିଲେ । ଶ୍ରୀ ମହାନ୍ତି ଓଡ଼ିଆ କ୍ଷୁଦ୍ରଗଳ୍ପ ପରମ୍ପରାକୁ ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଓଡ଼ିଶା ବାହାରେ ଏହାର ଯଥେଷ୍ଟ ପ୍ରଚାର ଓ ପ୍ରସାର ହୋଇପାରୁ ନ ଥିବା ଦୃଷ୍ଟିରୁ ଏହା ବିଶ୍ୱ ସାହିତ୍ୟରେ ନିଜର ନ୍ୟାୟୋଚିତ ସ୍ଥାନ ଲାଭ କରିପାରି ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଡଃ ଦାନୀ ଓଡ଼ିଆ କ୍ଷୁଦ୍ରଗଳ୍ପର କେତେକ ବିଭାଗ ଅଧିକ ଶକ୍ତିଶାଳୀ ହେବାର ଆବଶ୍ୟକତା ଦର୍ଶାଇ ଥିଲେ । ଏହି ଅଧିବେଶନରେ ବିଶିଷ୍ଟ ଗାଳ୍ପିକ ଶ୍ରୀ ଊମାଶଙ୍କର ମିଶ୍ର ସ୍ୱରଚିତ ଏକ କ୍ଷୁଦ୍ରଗଳ୍ପ ପାଠ କରିଥିଲେ । ଭିତ୍ତି ପ୍ରବନ୍ଧ ଓ ପଠିତ କ୍ଷୁଦ୍ରଗଳ୍ପ ଉପରେ ଅଧ୍ୟାପିକ ହରିହର ମିଶ୍ର, ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଏବଂ ଅଧ୍ୟାପକ ଶୁଭେନ୍ଦୁ ମୁଣ୍ଡ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ । ଏହି ଅଧିବେଶନରେ ଏକାଡେମୀର ସଭାପତି ମହାପାତ୍ର ଶ୍ରୀ ନୀଳମଣି ସାହୁ ସଭାପତିତ୍ୱ କରିଥିଲେ ଏବଂ ଉପ ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ନାୟକ ଆଲୋଚନାର ସଂଯୋଜନା କରିଥିଲେ ।

 

ଅପରାହଣ ଅଧିବେଶନରେ ଅଧ୍ୟାପକ ଶ୍ରୀ ଶରତ ଚନ୍ଦ୍ର କର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ ଏବଂ ବିଶିଷ୍ଟ ଗାଳ୍ପିକ ଶ୍ରୀ ନିମାଇଁ ଚରଣ ପଟ୍ଟନାୟକ ସ୍ୱରଚିତ କ୍ଷୁଦ୍ରଗଳ୍ପ ପାଠ କରିଥିଲେ-। ଭିତ୍ତି ପ୍ରବନ୍ଧ ଓ କ୍ଷୁଦ୍ରଗଳ୍ପ ଉପରେ ଅଧ୍ୟାପକ ବିଜୟ ଚୌଧୁରୀ ଏବଂ ଅଧ୍ୟାପିକା ଶ୍ରୀମତୀ ଗୀତା ଦେବୀ ଆଲୋଚନା କରିଥିଲେ । ଏହି ଅଧିବେଶନରେ ଏକାଡେମୀର ସଭାପତି ମହାପାତ୍ର ନୀଳମଣି ସାହୁ ସଭାପତିତ୍ୱ କରିଥିଲେ ଏବଂ ସଂଯୋଜନା କରିଥିଲେ ଉପ ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ନାୟକ । ଏକାଡେମୀର ସମ୍ପାଦକ ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ ଆଲୋଚନାଚକ୍ରରେ ଯୋଗଦାନ କରିଥିବା ସାହିତ୍ୟିକବୃନ୍ଦ ତଥା ଆଲୋଚନାଚକ୍ର ଆୟୋଜନରେ ସହଯୋଗ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ସମାଲୋଚକବୃନ୍ଦ ଓଡ଼ିଆ କ୍ଷୁଦ୍ର ଗଳ୍ପର ପରମ୍ପରା ଅତ୍ୟନ୍ତ ସମୃଦ୍ଧିଶାଳୀ । ବିଶ୍ୱର ଯେକୌଣସି ଉନ୍ନତ ସାହିତ୍ୟ ସହିତ ତୁଳନୀୟ ବୋଲି ମୁକ୍ତ କଣ୍ଠରେ ଘୋଷଣା କରିବା ସଙ୍ଗେ ସଙ୍ଗେ ଓଡ଼ିଆ କ୍ଷୁଦ୍ରଗଳ୍ପଗୁଡ଼ିକ ଇଂରାଜୀ ଏବଂ ଅନାନ୍ୟ ପ୍ରାନ୍ତୀୟ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପ୍ରକାଶ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

 

ଓଡ଼ିଶା ସାହିତ୍ୟଏକାଡେମୀର ପୁନର୍ଗଠନ

ପୂର୍ବରୁ ଗଠିତ ହୋଇଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର କାର୍ଯ୍ୟକାଳ ୨୭।୯।୮୭ ତାରିଖରେ ପୂର୍ତ୍ତି ହୋଇଯିବା ପରେ ଏହାର ପୁନର୍ଗଠନ ନିମ୍ନମତେ କରାଯାଇଛି ।

 

୧.

ମହାପାତ୍ର ନୀଳମଣି ସାହୁ -

ସଭାପତି

୨.

ଶ୍ରୀ ବିନୋଦ ଚନ୍ଦ୍ର ନାୟକ-

ସଭ୍ୟ

୩.

ଶାସନ ସଚିବ: ଶିକ୍ଷା ଓ ଯୁବକଲ୍ୟାଣ ବିଭାଗ

ସଭ୍ୟ

୪.

ନିର୍ଦ୍ଦେଶକ : ସଂସ୍କୃତ ନିର୍ଦ୍ଦେଶାଳୟ

ସଭ୍ୟ

୫.

ଶ୍ରୀ ସୁଧାଂଶୁ ମୋହନ ରାଉତରାୟ

ସଭ୍ୟ

୬.

ଶ୍ରୀ ନାରାୟଣ ପୃଷେଠ୍

ସଭ୍ୟ

୭.

ଡଃ. ଖଗେଶ୍ୱର ମହାପାତ୍ର

ସଭ୍ୟ

୮.

ଡଃ ଫନୀ ମହାନ୍ତି

ସଭ୍ୟ

୯.

ଶ୍ରୀମତୀ ପ୍ରତିଭା ରାୟ

ସଭ୍ୟା

୧୦.

ଡଃ ଗଙ୍ଗାଧର ବଳ

ସଭ୍ୟ

୧୧.

ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି

ସଭ୍ୟା

୧୨.

ଡଃ ଶ୍ରଦ୍ଧାକର ସୂପକାର

ସଭ୍ୟ

୧୩.

କୁମୁଦ ଚନ୍ଦ୍ର ମଲ୍ଲୀକ

ସଭ୍ୟ

୧୪.

ଶ୍ରୀ କାର୍ତ୍ତିକେଶ୍ୱର ପାତ୍ର

ସଭ୍ୟ

୧୫.

ଶ୍ରୀ କେଶବଚନ୍ଦ୍ର ମେହେର

ସଭ୍ୟ

୧୬.

ଶ୍ରୀ ଶୁଭେନ୍ଦୁ ମୁଣ୍ଡ

ସଭ୍ୟ

୧୭.

ଶ୍ରୀ ରାମନାଥ ପଣ୍ଡା

ସଭ୍ୟ

୧୭.

ଶ୍ରୀ ଗୌରୀକୁମାର ବ୍ରହ୍ମା

ସଭ୍ୟ

୧୮.

ଶ୍ରୀ ଗୌରୀକୁମାର ବ୍ରହ୍ମା

ସଭ୍ୟ

୧୯.

ଶ୍ରୀ ରମେଶଚନ୍ଦ୍ର ଧଳ

ସଭ୍ୟ

୨୦.

ଶ୍ରୀ ସାତକଡ଼ି ହୋତା

ସଭ୍ୟ

୨୧.

ଶ୍ରୀ କୃଷ୍ଣପ୍ରସାଦ ମିଶ୍ର

ସଭ୍ୟ

୨୨.

ଶ୍ରୀ ବୈଷ୍ଣବ ଚରଣ ସାମଲ

ସଭ୍ୟ

୨୩.

ଶ୍ରୀ ବୈରାଗୀ ଚରଣ ଜେନା

ସଭ୍ୟ

୨୪.

ଶ୍ରୀ ହାଡ଼ିବନ୍ଧୁ ମିର୍ଦ୍ଧା

ସଭ୍ୟ

୨୫.

ଡଃ ରତ୍ନାକର ଚଇନି

ସଭ୍ୟ

୨୬.

ଡଃ ହରିହର ଦାସ

ସଭ୍ୟ

୨୭.

ଶ୍ରୀ ସଦାଶିବ ରଥଶର୍ମା

ସଭ୍ୟ

୨୮.

ଡଃ ନୃସିଂହ ଚରଣ ପଣ୍ଡା

ସଭ୍ୟ

୨୯.

ଶ୍ରୀ ପ୍ରଶାନ୍ତ କୁମାର ରାୟ

ସଭ୍ୟ

୩୦.

ଗୋପାଳ କୃଷ୍ଣ ରଥ

ସଭ୍ୟ

୩୧.

ଡଃ ବାଉରୀବନ୍ଧୁ କର

ସଭ୍ୟ

୩୨.

ଡଃ ଗଣେଶ୍ୱର ମିଶ୍ର

ସଭ୍ୟ

୩୩.

ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ

ସଭ୍ୟ

୩୪.

ଶ୍ରୀମତୀ ମନୋରମା ମହାପାତ୍ର

ସଭ୍ୟା

୩୫.

ଶ୍ରୀ ସରୋଜ ରଞ୍ଜନ ମହାନ୍ତି

ସଭ୍ୟ

୩୬.

ଶ୍ରୀ ଚନ୍ଦ୍ରଶେଖର ରଥ

ସଭ୍ୟ

୩୭.

ଶ୍ରୀ ଦୁର୍ଗାଚରଣ କୁଅଁର

ସଭ୍ୟ

୩୮.

ଅର୍ଥ ପରାମର୍ଶଦାତା-ସଂସ୍କୃତି ନିର୍ଦ୍ଦେଶାଳୟ

ସଭ୍ୟ

୩୯.

ସଂପାଦକ-ଓଡ଼ିଶା ସାହିତ୍ୟ ଏକାଡେମୀ

ଆବାହକ

 

ଏକାଡେମୀ କାର୍ଯ୍ୟକାରୀ ସମିତି ଓ ଅର୍ଥସମିତି ମଧ୍ୟ ନିମ୍ନମତେ ପୁନର୍ଗଠନ କରାଯାଇଛି ।

 

କାର୍ଯ୍ୟକାରୀ ସମିତି

୧.

ମହାପାତ୍ର ନୀଳମଣି ସାହୁ

ସଭାପତି

୨.

ଶ୍ରୀ ବିନୋଦ ଚନ୍ଦ୍ର ନାୟକ

ସଭ୍ୟ

୩.

ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ

ସଭ୍ୟ

୪.

ଡଃ ଖଗେଶ୍ୱର ମହାପାତ୍ର

ସଭ୍ୟ

୫.

ଶ୍ରୀ ନାରାୟଣ ପୃଷେଠ୍

ସଭ୍ୟ

୬.

ଶ୍ରୀ ରମେଶ ଚନ୍ଦ୍ର ଧଳ

ସଭ୍ୟ

୭.

ଶ୍ରୀ ସରୋଜ ରଞ୍ଜନ ମହାନ୍ତି

ସଭ୍ୟ

୮.

ଅର୍ଥ ପରାମର୍ଶଦାତା (ସଂସ୍କୃତ ନିର୍ଦ୍ଦେଶାଳୟ)

ସଭ୍ୟ

୯.

ସଂପାଦକ-ଓଡ଼ିଶା ସାହିତ୍ୟ ଏକାଡେମୀ

ଆବାହକ

 

ଅର୍ଥ ସମିତି

୧.

ନିର୍ଦ୍ଦେଶକ-ସଂସ୍କୃତି ନିର୍ଦ୍ଦେଶାଳୟ

ଅଧ୍ୟକ୍ଷ

୨.

ଡଃ ଗଙ୍ଗାଧର ବଳ

ସଭ୍ୟ

୩.

ଡଃ ରତ୍ନାକର ଚଇନି

ସଭ୍ୟ

୪.

ଶ୍ରୀ ଶୁଭେନ୍ଦୁ ମୁଣ୍ଡ

ସଭ୍ୟ

୫.

ଅର୍ଥପରାମର୍ଶ ଦାତା, ସଂସ୍କୃତ ନିର୍ଦ୍ଦେଶାଳୟ

 

୬.

ସଂପାଦକ ଓଡ଼ିଶା ସାହିତ୍ୟ ଏକାଡେମୀ

ଆବାହକ

 

ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରମୁଖ କାର୍ଯ୍ୟକ୍ରମ

 

***

 

ଓଡ଼ିଶା ସାହିତ୍ୟ ଏକାଡେମୀର

ସଦ୍ୟ ପ୍ରକାଶିତ ପୁସ୍ତକାବଳୀ

 

ପଶ୍ଚିମ ଓଡ଼ିଶାର କଥିତ ଓଡ଼ିଆ ଭାଷା

ଶ୍ରୀ ଗୋପବନ୍ଧୁ ରଥ

ଟ.୧୯.୫୦

ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଭାଷା

ଡଃ ସତ୍ୟପ୍ରସାଦ ଦାସ

ଟ.୧୯.୦୦

ସନ୍ଥ କବି ଭୀମ ଭୋଇ

ଡଃ କାହ୍ନୁ ଚରଣ ମିଶ୍ର

ଟ.୧୩.୦୦

କବି ଗଙ୍ଗାଧର ମେହେର

ଶ୍ରୀ ଗୋପାଳ ଚନ୍ଦ୍ର ଉଦ୍‌ଗାତା

ଟ.୨୩.୭୫

କବି ବୈକୁଣ୍ଠନାଥ ପଟ୍ଟନାୟକ

ଶ୍ରୀ ଦୁର୍ଗାଚରଣ କୁଅଁର

ଟ.୧୭.୦୦

ଓଡ଼ିଶାରେ ବୌଦ୍ଧଧର୍ମ (୩ୟ ମୁଦ୍ରଣ)

ଡଃ. ନବୀନ କୁମାର ସାହୁ

ଟ.୩.୬୦

ଭୁବନେଶ୍ୱର ଶିଳାଲିପି (ଦ୍ୱିତୀୟ ମୁଦ୍ରଣ)

ଶ୍ରୀ ପରମାନନ୍ଦ ଆଚାର୍ଯ୍ୟ

ଟ.୪.୭୫ 

 

***

 

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ

 

ସମସ୍ତ ପୁସ୍ତକର ଓଡ଼ିଶା ପାଇଁ ଏକକ ପରିବେଷକ ଭାବେ

କଟକର କେନ୍ଦ୍ରସ୍ଥଳରେ ଅବସ୍ଥିତ

 

କଟକ ଷ୍ଟୁଡେଣ୍ଟସ୍‍ ଷ୍ଟୋର୍ସ

ବାଲୁବଜାର; କଟକ-୨ଙ୍କୁ

ନିଯୁକ୍ତ କରାଯାଇଅଛି

 

ସହୃଦୟ ଗ୍ରାହକ ଓ ପୁସ୍ତକ ବ୍ୟବସାୟୀ ଏକାଡେମୀ ପୁସ୍ତକ ପାଇଁ ଏହି

ଏକକ-ପରିବେଷକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ

 

 

ସୁରେନ୍ଦ୍ର ନାଥ ଶତପଥୀ

ସମ୍ପାଦକ

 

***

 

ଓଡ଼ିଶା ସାହିତ୍ୟ ଏକାଡେମୀର ସଦ୍ୟତମ ପ୍ରକାଶନ

ସମଲ୍‌ପୁରି ଓଡ଼ିଆ ଶବ୍ଦକୋଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

 

ଓଡ଼ିଶାର ପଶ୍ଚିମାଞ୍ଚଳୀୟ କଥିତଭାଷାର ଏହି ପ୍ରଥମ ପ୍ରକାଶିତ

ଅଭିଧାନ ଗ୍ରନ୍ଥରେ ରହିଛି

 

ପୃଷ୍ଠାସଂଖ୍ୟା : ୫୦୨, ମଜବୁତ୍ ବନ୍ଦାଇ, ମୂଲ୍ୟ ଟ. ୬୯ଟଙ୍କା

ମୁଖ୍ୟ ବିତରକ: କଟକ ଷ୍ଟୁଡ଼େଣ୍ଟସ ଷ୍ଟୋର, କଟକ-୨

***